ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ଜୈବ ବିବିଧତାର ସଂରକ୍ଷଣ

• ବିଶ୍ୱ ପରିବେଶ ଦିବସ 2020ରେ ଏକାଧିକ ମାର୍ଗଦର୍ଶିକା ଜାରି କଲା ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ

Posted On: 05 JUN 2020 12:49PM by PIB Bhubaneshwar

ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀ ବିଶ୍ୱ ପରିବେଶ ଦିବସ 2020 ଅବସରରେ ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନ ପରିସରରେ ଏକାଧିକ ମାର୍ଗଦର୍ଶିକା ଜାରି କରିଛନ୍ତି । ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ଜୈବ ବିବିଧତାର ସଂରକ୍ଷଣଶୀର୍ଷକ ଏହି କାର୍ଯ୍ୟକ୍ରମକୁ ଲାଇଭ ୱେବକାଷ୍ଟ କରାଯାଇଥିଲା । ଏଥିରେ ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର, ଯୁଗ୍ମ ସଚିବ ତଥା ସ୍ୱଚ୍ଛ ଭାରତ ମିଶନ-ସହରାଂଚଳର ଜାତୀୟ ମିଶନ ନିର୍ଦ୍ଦେଶକ ଶ୍ରୀ ଭି.କେ ଜିନ୍ଦଲ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଜାରି କରାଯାଇଥିବା ତିନୋଟି ପ୍ରମୁଖ ମାର୍ଗଦର୍ଶିକାରେ ଏଗୁଡ଼ିକ ସାମିଲ ରହିଛି : ନଗରପାଳିକାରେ କଠିନ ବର୍ଜବ୍ୟବସ୍ତୁ (ଏମଏସଡବ୍ଲୁ) ଲାଗି ସାମଗ୍ରୀ ପୁନଃପ୍ରାପ୍ତି ସୁବିଧା (ଏମଆରଏଫ) ଉପରେ ମାର୍ଗଦର୍ଶିକା; ବର୍ଜ୍ୟବସ୍ତୁ ପୂରଣ କ୍ଷେତ୍ରର ପୁନରୁଦ୍ଧାର ଉପରେ ମାର୍ଗଦର୍ଶିକା ଏବଂ ଅନସାଇଟ ଏବଂ ଅଫସାଇଟ ସିୱେଜ ପରିଚାଳନା ପ୍ରଣାଳୀରେ ପରାମର୍ଶ ଦସ୍ତାବିଜ । ଏସବୁ ସ୍ୱଚ୍ଛ ଭାରତ ମିଶନ ସହରାଂଚଳ ଅଧୀନସ୍ଥ କେନ୍ଦ୍ରୀୟ ରାଷ୍ଟ୍ରାୟତ ସ୍ୱାସ୍ଥ୍ୟ ଓ ପରିବେଶ ଇଞ୍ଜିନିୟରିଂ ସଂଗଠନ (ସିପିଏଚଇଇଓ) ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ‘2014ରେ ଯେତେବେଳେ ମାନନୀୟ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ-ସହରାଂଚଳର ଶୁଭାରମ୍ଭ କରିଥିଲେ, ଏହା ସହରୀ ଭାରତକୁ ଖୋଲା ଶୌଚମୁକ୍ତ (ଓଡିଏଫ) କରିବା ଏବଂ କଠିନ ବର୍ଜ୍ୟବସ୍ତୁର 100% ବୈଜ୍ଞାନିକ ପ୍ରକ୍ରିୟାକରଣର ଦ୍ୱୈତ ଉଦ୍ଦେଶ୍ୟଯୁକ୍ତ ଥିଲା । ଆମେ ଏହି ଦୁଇଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛୁ । ସମଗ୍ର ସହରୀ ଭାରତ ଆଜି ଓଡିଏଫ ହୋଇସାରିଛି । ଅନ୍ୟପଟେ କଠିନ ବର୍ଜ୍ୟବସ୍ତୁର ବୈଜ୍ଞାନିକ ପ୍ରକ୍ରିୟାକରଣ 2014ରେ ମାତ୍ର 18% ଥିବା ସମୟରେ ଏବେ ଏହାଠାରୁ ତିନି ଗୁଣା ଅଧିକ 65% ସ୍ତରରେ ପହଁଚିଛି । ମନ୍ତ୍ରଣାଳୟ ପକ୍ଷରୁ ମଳଯୁକ୍ତ ମଇଳା ପରିଚାଳନା ଲାଗି ଏକ ସଂଚାର ଅଭିଯାନ ନିମନ୍ତେ ଟୁଲକିଟ ମଧ୍ୟ ଜାରି କରିଛି ଯାହାର ଶୀର୍ଷକ ମଲାସୁର-ଦ ଡେମନ ଅଫ ଡିଫେକାରଖାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ମଳଯୁକ୍ତ ମଇଳାର ବିପଦକୁ ସଠିକ ଭାବେ ରେଖାଙ୍କିତ କରିବା । ବିବିସି ମିଡିଆ ଆକ୍ସନର ସହଯୋଗରେ ସଂକଳ୍ପିତ ଏବଂ ଡିଜାଇନ କରାଯାଇଥିବା ଏହି ଟୁଲକିଟରେ ଇଂରାଜୀ ସମେତ 10ଟି ଭାରତୀୟ ଭାଷାରେ ବ୍ୟାପକ ସୃଜନଶୀଳ ସାମଗ୍ରୀ ଉପଲବ୍ଧ ରହିଛି ।

ପରିବେଶ ଦିବସ ଛଡ଼ା ଏସବୁ ଦସ୍ତାବିଜ ଜାରି କରିବା ଲାଗି ଏହାଠାରୁ ଭଲ ସୁଯୋଗ ଆଉ ମିଳିପାରିନଥାନ୍ତା ବୋଲି ମନ୍ତ୍ରୀ କହିଥିଲେ । ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବର୍ଜ୍ୟ ଜଳ ବିଶୋଧନ ସହିତ ସମଗ୍ର ସ୍ୱଚ୍ଛତାର ବିଭିନ୍ନ ଉପାଦାନ ଉପରେ ଗୁରୁତ୍ୱାରୋପ କରିବା ଲାଗି ସହରାଂଚଳ ସ୍ଥାନୀୟ ପ୍ରଶାସନଗୁଡ଼ିକର କ୍ଷମତା ନିର୍ମାଣ ଉପରେ ନିରନ୍ତର କାମ କରିଆସୁଛି । କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ବିଶ୍ୱ ପରିବେଶ ଦିବସ ଅବସରରେ ମୁଁ ପୁଣିଥରେ ପୃଥିବୀରେ ଜୀବନର ସମସ୍ତ ସ୍ୱରୂପର ସଂରକ୍ଷଣ ପାଇଁ ଆବାସ ଓ ସହରାଂଚଳ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦୋହରାଉଛି । ଏହା କେବଳ ସେତିକି ବେଳେ ସମ୍ଭବ ହୋଇପାରିବ ଯେତେବେଳେ ଆମେ ସ୍ୱଚ୍ଛତା ମିଶନକୁ ଆଗେଇ ନେବା ଏବଂ ସଠିକ ଅର୍ଥରେ ଥ୍ରୀ ଆର, ବୃତାକାର ଏବଂ ନୀଳ ଅର୍ଥବ୍ୟବସ୍ଥାର କ୍ଷମତାକୁ ଉନ୍ମୁକ୍ତ କରିବା । ମୋର ବିଶ୍ୱାସ ରହିଛି ଯେ ଏହାଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ଜୀବନ ସ୍ତର ଉନ୍ନତ ହୋଇପାରିବ । ଏହାବ୍ୟତୀତ ରୋଜଗାର ସୃଷ୍ଟି, ଔପଚାରିକ ଶ୍ରମବଳରେ ଅନୌପଚାରିକ ଶ୍ରମିକମାନଙ୍କର ଏକୀକରଣ ହୋଇପାରିବ । ଏହାବ୍ୟତୀତ ବର୍ଜ୍ୟବସ୍ତୁ ପ୍ରବାହ ଫଳରେ ଉତ୍ପାଦର ନିର୍ମାଣ ହେବ ଏବଂ ରାଜସ୍ୱ ବୃଦ୍ଧି ହୋଇପାରିବ । ଏହାଦ୍ୱାରା ଶେଷରେ କେବଳ ସ୍ୱଚ୍ଛ ନୁହେଁ ବରଂ ସୁସ୍ଥ, ସଶକ୍ତ, ସମ୍ପନ୍ନ ଏବଂ ଆତ୍ମନିର୍ଭର ଭାରତର ମାର୍ଗ ପ୍ରଶସ୍ତ ହୋଇପାରିବ ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ଭାରତରେ ଅନସାଇଟ ଏବଂ ଅଫସାଇଟ ସିୱେଜ ପରିଚାଳନା ପଦ୍ଧତି ପାଇଁ ଟେଣ୍ଡର ଆଡଭାଇଜରୀଉପରେ ଏକ ପରାମର୍ଶମୂଳକ ଭର୍ଚୁଆଲ କର୍ମଶାଳା ଆୟୋଜନ କରାଯିବ । ଏଥିରେ 100ରୁ ଅଧିକ ପ୍ରତିଯୋଗୀ ଭାଗ ନେବେ ଯେଉଁଥିରେ ରାଜ୍ୟ ଓ ୟୁଏଲବିର ପ୍ରତିନିଧିମାନଙ୍କ ସହିତ ଅନେକ ଶିକ୍ଷାବିତ ଓ ଏ ବିଷୟବସ୍ତୁ ସହ ଜଡ଼ିତ ଅନେକ ବିଶେଷଜ୍ଞ ସାମିଲ ହେବେ ।

 

**********

 

 



(Release ID: 1629765) Visitor Counter : 220