ଶକ୍ତି ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ‘ଆଇ କମିଟ’ ଅଭିଯାନର ଶୁଭାରମ୍ଭ
                    
                    
                        
                    
                
                
                    Posted On:
                05 JUN 2020 5:07PM by PIB Bhubaneshwar
                
                
                
                
                
                
                କେନ୍ଦ୍ର ଶକ୍ତି ଏବଂ ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର.କେ ସିଂ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ‘ଆଇ କମିଟ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଭବିଷ୍ୟତରେ ଶକ୍ତି ଦକ୍ଷତା, ଅକ୍ଷୟ ଶକ୍ତି ଦିଗରେ ପ୍ରୟାସ ଜାରି ରଖିବା ତଥା ଭବିଷ୍ୟତରେ ଏକ ସୁଦୃଢ଼ ଏବଂ ନମନୀୟ ଶକ୍ତି ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ଆଗେଇ ଆସିବା ନିମନ୍ତେ ସମସ୍ତ ଅଂଶୀଦାର ଓ ଲୋକମାନଙ୍କୁ ଆହ୍ୱାନ କରିବ ।
ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ (ଇଇଏସଏଲ) ପକ୍ଷରୁ ଆରମ୍ଭ କରାଯାଇଥିବା ‘ଆଇ କମିଟ’ ଅଭିଯାନ ଜରିଆରେ ସରକାର, କମ୍ପାନୀ ଏବଂ ବହୁପକ୍ଷୀୟ ଏବଂ ଦ୍ୱିପାକ୍ଷିକ ସଂଗଠନ, ଥିଙ୍କ ଟ୍ୟାଙ୍କ ଓ ଲୋକମାନଙ୍କୁ ଏକଜୁଟ କରାଯାଉଛି ।
ଏହି ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ସିଂ କହିଛନ୍ତି, “ଆମେ ଦେଶର ସମ୍ପୂର୍ଣ୍ଣ ଶକ୍ତି ଶୃଙ୍ଖଳରେ ପରିବର୍ତ୍ତନ ଲାଗି ପରିକଳ୍ପନା କରିଛୁ । ଆମର ପ୍ରତ୍ୟେକ ନାଗରିକମାନଙ୍କୁ 24 ଘଣ୍ଟିଆ ବିଦ୍ୟୁତ ଉପଲବ୍ଧତା ତଥା ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ କାମ ହେଉଛି । ବିଶେଷ କରି ବିଶ୍ୱ ପରିବେଶ ଦିବସର ପୃଷ୍ଠଭୂମିରେ କରାଯାଇଥିବା ‘ଆଇ କମିଟ’ ଅଭିଯାନ ଦ୍ୱାରା ଭାରତରେ ଶକ୍ତି କ୍ଷେତ୍ରରେ ଏକ ନୂତନ ଭବିଷ୍ୟତ ନିର୍ମାଣ କରିବା ଦିଗରେ ସରକାରୀ ଏବଂ ଘରୋଇ କ୍ଷେତ୍ରକୁ ସମ୍ମିଳିତ କରାଯାଇପାରିବ ।”
ଆଇ କମିଟ ଅଭିଯାନ ଶକ୍ତି କ୍ଷେତ୍ରର ଭବିଷ୍ୟତ ନିର୍ମାଣ ଉପରେ କେନ୍ଦ୍ରିତ । ଏହି ଲକ୍ଷ୍ୟ ହାସଲ କରିବା ଲାଗି ଏକ ନମନୀୟ ଓ ସୁଦୃଢ଼ ବିଦ୍ୟୁତ ବ୍ୟବସ୍ଥା ପ୍ରତିଷ୍ଠା କରିବାର ଆଶା କରାଯାଉଛି । ଏକ ସୁଦୃଢ଼ ବିଦ୍ୟୁତ କ୍ଷେତ୍ର ଫଳରେ ଶକ୍ତି ଉପଯୋଗ ଓ ସମସ୍ତ କ୍ଷେତ୍ର ପାଇଁ ସୁରକ୍ଷାର ଉଦ୍ଦେଶ୍ୟକୁ ପୂରଣ କରିବାରେ ସହାୟତା ମିଳିପାରିବ । ବିଦ୍ୟୁତ ପ୍ରଣାଳୀରେ ବିକେନ୍ଦ୍ରିକୃତ ସୌର ଏବଂ ବିଦ୍ୟୁତ ଚାଳିତ ବାହନ ଭଳି ନବୋନ୍ମେଷ ଦ୍ୱାରା ଜରୁରି ପରିବର୍ତ୍ତନ ସହିତ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଭାଗିଦାରୀ ଆଗକୁ ବଢ଼ିବାର ମାର୍ଗ ପ୍ରଶସ୍ତ ହେବ । ଏହା ହିଁ ଆଇ କମିଟ ଅଭିଯାନର ମୂଳ ଉଦ୍ଦେଶ୍ୟ ।
ଏହି ଅଭିଯାନ ଫଳରେ ଭାରତ ସରକାରଙ୍କ ନ୍ୟାସନାଲ ଇଲେକ୍ଟ୍ରିକ ମୋବିଲିଟି ମିଶନ 2020, ଫେମ 1 ଏବଂ 2, ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା, ସୌଭାଗ୍ୟ ଯୋଜନା, ଉଜ୍ଜ୍ୱଳ ଡିସ୍କମ ଆସ୍ୟୋରାନ୍ସ ଯୋଜନା (ଉଦୟ), ଅଟଳ ବିତରଣ ପ୍ରଣାଳୀ ସୁଧାର ଯୋଜନା (ଏଜେଏୱାଇ), ସ୍ମାର୍ଟ ମିଟର ଜାତୀୟ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ କିସାନ ଉର୍ଜା ସୁରକ୍ଷା ଏବଂ ଉତଥାନ ମହା ଅଭିଯାନ (କୁସୁମ), ସୌର ପାର୍କ, ଗ୍ରୀଡ କନେକ୍ଟେଡ ରୁଫଟପ, ସମସ୍ତଙ୍କୁ ଶସ୍ତା ଏଲଇଡି ଯୋଗାଣ ଦ୍ୱାରା ଉନ୍ନତ ଜ୍ୟୋତି (ଉଜାଲା), ଅଟଳ ଜ୍ୟୋତି ଯୋଜନା (ଏଜେୱାଇ) ଆଦି ଅନ୍ୟ ପ୍ରମୁଖ ଉପକ୍ରମକୁ ମଧ୍ୟ ଯୋଡ଼ାଯାଇପାରିବ ।
 
**********
 
                
                
                
                
                
                (Release ID: 1629739)
                Visitor Counter : 315