ରେଳ ମନ୍ତ୍ରଣାଳୟ
ଆଜିସୁଦ୍ଧା 2813 ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଭାରତୀୟ ରେଳ ପରିବହନ କରିଛି 37 ଲକ୍ଷ ଯାତ୍ରୀ
• ଟ୍ରେନ ଚଳାଚଳ ବୃଦ୍ଧି ଯୋଗୁଁ ହ୍ରାସ ପାଇଛି ଭିଡ
• ଶତକଡା 80 ଭାଗ ଶ୍ରମିକ ସ୍ପେଶାଲ ଟ୍ରେନର ଗନ୍ତବ୍ୟସ୍ଥଳ ରହିଛି ଉତ୍ତରପ୍ରଦେଶ ଓ ବିହାର
• ଭିଡ ହ୍ରାସ କରିବା ଲାଗି କେତେକ ଟ୍ରେନର ମଥୁରା ଓ ଝାରସୁଗୁଡା ଦେଇ ଦିଗ ପରିବର୍ତ୍ତନ
• ଆଞ୍ଚଳିକ ଓ ମଣ୍ଡଳ ସ୍ତରରେ ଅହୋରାତ୍ର ସ୍ଥିତି ତଦାରଖ କରୁଛି ରେଳବାଇ ବୋର୍ଡ
• ଯାତ୍ରୀମାନଙ୍କ ଦୁଃଖ କଷ୍ଟ ଲାଘବ କରିବାକୁ ରେଳବାଇ ଆଇଆରସିଟିସି ଜରିଆରେ ନିୟମିତ ଖାଦ୍ୟ ଓ ପାନୀୟ ଯୋଗାଣ କଲା ସୁନିଶ୍ଚିତ
Posted On:
24 MAY 2020 5:11PM by PIB Bhubaneshwar
ଆଜି (24.05.2020) ସକାଳ 10ଟା ସୁଦ୍ଧା ଭାରତୀୟ ରେଳବାଇ 2813 ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ 37 ଲକ୍ଷରୁ ଉର୍ଦ୍ଧ୍ଵ ଯାତ୍ରୀ ପରିବହନ କରିଛି । ପ୍ରାୟ ଶତକଡା 60 ଭାଗ ଟ୍ରେନ ଗୁଜରାଟ, ମହାରାଷ୍ଟ୍ର ଏବଂ ପଞ୍ଜାବରୁ ବାହାରି ଉତ୍ତରପ୍ରଦେଶ ଓ ବିହାର ଯାତ୍ରା କରିଛି । ଶତକଡା 80 ଭାଗ ଶ୍ରମିକ ସ୍ପେଶାଲ ଟ୍ରେନ ମଧ୍ୟରୁ ଉତ୍ତରପ୍ରଦେଶକୁ 1301 ଓ ବିହାରକୁ 973ଟି ଟ୍ରେନ ଯାତ୍ରା କରିଛି । ଉତ୍ତରପ୍ରଦେଶର ଲକ୍ଷ୍ନୌ ଓ ଗୋରଖପୁର ଅଞ୍ଚଳକୁ ଏବଂ ବିହାରର ପାଟନା ଅଞ୍ଚଳକୁ ଅଧିକାଂଶ ଟ୍ରେନ ଯାତ୍ରା କରିଛି । ଗତକାଲି ସୁଦ୍ଧା ଯାତ୍ରା ଶେଷ କରିଥିବା 565ଟି ଟ୍ରେନ ମଧ୍ୟରୁ 266ଟି ବିହାର ଓ 172ଟି ଉତ୍ତରପ୍ରଦେଶକୁ ଯାତ୍ରା କରିଛି । ଏହିସବୁ ସ୍ଥାନକୁ ଟ୍ରେନଗୁଡିକ ଯାତ୍ରା କରିବା ଯୋଗୁଁ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ସ୍ୱାସ୍ଥ୍ୟ ଓ ସାମାଜିକ ଦୂରତ୍ଵ ଭଳି ଔପଚାରିକତା ଯୋଗୁଁ ଟ୍ରେନରୁ ଓହ୍ଲାଇବା ବିଲମ୍ଭିତ ହେବା ସହ ଷ୍ଟେସନରେ ଜନଗହଳି ମଧ୍ୟ ବୃଦ୍ଧି ପାଇଥିଲା । ଭିଡ କମାଇବା ପାଇଁ କେତେକ ଟ୍ରେନକୁ ମଥୁରା ଓ ଝାରସୁଗୁଡା ବାଟ ଦେଇ ଯାତ୍ରା କରାଯାଇଥିଲା । ବିଭିନ୍ନ ରୁଟରେ ହେଉଥିବା ଗହଳି ଯୋଗୁଁ ତାହାର ପରିଚାଳନା ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯାଇଥିଲା । ଅଞ୍ଚଳ ଓ ମଣ୍ଡଳସ୍ତରରେ ଯେପରି ଟ୍ରେନଗୁଡିକ ବିଳମ୍ଭିତ ନହୁଏ ସେଥିପାଇଁ ରେଳବାଇ ବୋର୍ଡ ପକ୍ଷରୁ ତା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଯେପରି ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚେ, ସେଥିପାଇଁ ଚାଳକ ଦଳଙ୍କୁ ସଚେତନ କରାଯାଇଥିଲା । ଏହିସବୁ ନିଷ୍ପତ୍ତି ଯୋଗୁଁ ଭିଡ ହ୍ରାସ ପାଇବା ସହ ଅଧିକାଂଶ ଟ୍ରେନର ଚଳାଚଳ ସୁବ୍ୟବସ୍ଥିତ ହୋଇପଡ଼ିଛି ।
ପୂର୍ବ ଦିଗରେ ଗତି କରୁଥିବା ଅଧିକାଂଶ ଟ୍ରେନର ଭିଡ ଯୋଗୁଁ ଯାତ୍ରା ବିଳମ୍ଭିତ ହେବା ସହ ଖାଦ୍ୟ ପରିବଣ୍ଟନ ସୂଚୀ ମଧ୍ୟ ଠିକ ଭାବେ ଅନୁସରଣ ହୋଇପାରିନଥିଲା । ଆଇଆରସିଟିସି ଓ ରେଳବାଇ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଖାଦ୍ୟ ଓ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ଫଳରେ ଯାତ୍ରୀମାନଙ୍କ ଦୁଃଖ କଷ୍ଟ ଲାଘବ ହୋଇପାରିଥିଲା ।
***********
(Release ID: 1626637)
Visitor Counter : 315
Read this release in:
Punjabi
,
Telugu
,
Marathi
,
Tamil
,
Assamese
,
English
,
Urdu
,
Hindi
,
Manipuri
,
Bengali
,
Gujarati
,
Malayalam