ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆକାଶମାର୍ଗରୁ ଓଡ଼ିଶାର ଅମ୍ଫନ ବାତ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

• ରାଜ୍ୟ ପାଇଁ 500 କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା
• ମୃତକଙ୍କ ପରିବାରବର୍ଗଙ୍କୁ 2 ଲକ୍ଷ ଏବଂ ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା

Posted On: 22 MAY 2020 6:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନେରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସି ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ ।

ଆକାଶମାର୍ଗରୁ ଅନୁଧ୍ୟାନ କରିବା ପରେ ସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସେ ଓଡ଼ିଶା ପାଇଁ 500 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଏହାଛଡ଼ା ଏକ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ କ୍ଷୟକ୍ଷତିକୁ ଆକଳନ କରିବାକୁ ଓଡ଼ିଶା ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ସଙ୍କଟମୟ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ କାନ୍ଧ ସହ କାନ୍ଧ ମିଳାଇ ଚାଲିବେ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ସେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଭିତିଭୂମିର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଓଡ଼ିଶାର ଜନସାଧାରଣଙ୍କୁ ସମର୍ଥନ ବ୍ୟକ୍ତ କରିବା ସହିତ ବାତ୍ୟାରେ ହୋଇଥିବା ଜୀବନହାନିକୁ ନେଇ ଦୁଃଖପ୍ରକାଶ କରିଥିଲେ । ଏଥିସହିତ ସେ ମୃତକଙ୍କ ପରିବାରବର୍ଗଙ୍କୁ 2 ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।

**********



(Release ID: 1626169) Visitor Counter : 196