ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପ୍ରବାସୀ ଶ୍ରମିକଙ୍କ ପାଇଁ ଏନଡିଏମଏ ପ୍ରସ୍ତୁତ କଲା ଜାତୀୟ ପ୍ରବାସନ ସୂଚନା ବ୍ୟବସ୍ଥା (ଏନଏମଆଇଏସ)

• ଏହି ସୂଚନା ବ୍ୟବସ୍ଥା ଏକ ସେଣ୍ଟ୍ରାଲ ଅନଲାଇନ ରିପୋଜିଟରୀ
• ରାଜ୍ୟ-ରାଜ୍ୟ ମଧ୍ୟରେ ଗତାଗତ ପାଇଁ ଏହି ବ୍ୟବସ୍ଥା ଶ୍ରକିମଙ୍କୁ ବିଶେଷ ସାହାଯ୍ୟ କରିବ
• ଏନଏମଆଇଏସ ବ୍ୟବହାର କରି ପ୍ରବାସୀ ଶ୍ରମିକଙ୍କ ଚାଲିଚଳଣ ଓ ଆତଯାତ ସମ୍ପର୍କରେ ତଥ୍ୟ ସଂଗ୍ରହ ପୂର୍ବକ ଏକ୍ଷେତ୍ରରେ ଅନ୍ୟ ରାଜ୍ୟ ମଧ୍ୟରେ ଅଧିକ ସମନ୍ଵୟ ରକ୍ଷା ପାଇଁ ପ୍ରାଦେଶିକ ସରକାରଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶ

Posted On: 16 MAY 2020 9:05PM by PIB Bhubaneshwar

ପ୍ରବାସୀ ଶ୍ରମିକମାନଙ୍କୁ ସୁବିଧାରେ ନିଜ ନିଜର ଘରକୁ ପଠାଇବା ପାଇଁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ବସ ଓ ଶ୍ରମିକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି । ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ଅବସ୍ଥିତି ଓ ସେମାନଙ୍କ ଗତିବିଧି ସମ୍ପର୍କରେ ବିଭିନ୍ନ ରାଜ୍ୟରୁ ତଥ୍ୟ ସଂଗ୍ରହ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଏକ ଅନଲାଇନ ଡ୍ୟାସବୋର୍ଡ ପ୍ରସ୍ତୁତ କରିଛି । ଏହାର ନାମ ରଖାଯାଇଛି ନେସନାଲ ମାଇଗ୍ରାଣ୍ଟ ଇନଫରମେସନ ସିଷ୍ଟମ (ଏନଏମଆଇଏସ) ବା ଜାତୀୟ ପ୍ରବାସୀ ସୂଚନା ବ୍ୟବସ୍ଥା ।

ଏହି ଅନଲାଇନ ପୋର୍ଟାଲ ପ୍ରବାସୀ ଶ୍ରମିକଙ୍କର ଏକ କେନ୍ଦ୍ରୀୟ ତଥ୍ୟ ଭଣ୍ଡାର (ସେଣ୍ଟ୍ରାଲ ରିପୋଜିଟରୀ) ପ୍ରସ୍ତୁତ କରିବ । ଏହି ତଥ୍ୟାବଳୀ ପ୍ରବାସୀ ଶ୍ରମିକଙ୍କ ଗମନାଗମନ ଓ  ଅନ୍ୟାନ୍ୟ ପ୍ରସଙ୍ଗରେ ତ୍ଵରିତ ଆନ୍ତଃରାଜ୍ୟ ଯୋଗାଯୋଗ ଓ ସମନ୍ଵୟରେ ବିଶେଷ ସହାୟକ ହେବ । ଏହା ମଧ୍ୟ ସମ୍ପୃକ୍ତ ଶ୍ରମିକମାନଙ୍କ ଗମନାଗମନ ତଥା ଗୃହ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବ । ଏହି ବ୍ୟବସ୍ଥା ମଧ୍ୟ ‘କଣ୍ଟାକ୍ଟ ଟ୍ରେସିଙ୍ଗ’ରେ ସହାୟକ ହେବ, ଯାହା କୋଭିଡ-19 ଭଳି ସ୍ଥିତିରେ ବିଶେଷ କାମ ଦେବ ।  

ପ୍ରବାସୀ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟାବଳୀ ଯାହା ଏହି ସୂଚନା ବ୍ୟବସ୍ଥାରେ ଅପଲୋଡ ହେବ ତାହାର ଚୁଡାନ୍ତ ହୋଇଛି । ଏଥିରେ ସମ୍ପୃକ୍ତ ଶ୍ରମିକଙ୍କ ନାମ, ବୟସ, ମୋବାଇଲ ନମ୍ବର, କେଉଁଠୁ କେଉଁଠିକି ଯାତ୍ରା କରୁଛନ୍ତି ସେସଂକ୍ରାନ୍ତ ତଥ୍ୟ, ନିଜ ଜିଲ୍ଲାର ନାମ ଓ ରହୁଥିବା ଜିଲ୍ଲାର ନାମ ଏବଂ ଯାତ୍ରା ତାରିଖ ଆଦି ଉଲ୍ଲେଖ ରହିବ । ରାଜ୍ୟ ସରକାରମାନେ ଇତିମଧ୍ୟରେ ଏସବୁ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଲେଣି । ଏନଏମଆଇଏସକୁ ବ୍ୟବହାର କରି ପ୍ରବାସୀ ଶ୍ରମିକଙ୍କ ଆତଯାତ ସମ୍ପର୍କରେ ଅନ୍ୟ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଏହି ବ୍ୟବସ୍ଥା ଫଳରେ ରାଜ୍ୟ ସରକାରମାନେ ନିଜ ରାଜ୍ୟରୁ କେତେ ଲୋକ ବାହାରକୁ ଯାଉଛନ୍ତି, ସେମାନେ କେଉଁଠୁ କେଉଁ ରାଜ୍ୟକୁ ଯାତ୍ରା କରୁଛନ୍ତି, ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିଲେଣି କି ନାହିଁ, ଏସବୁ ବିଷୟରେ ସହଜରେ ଜାଣିପାରିବେ । ସମ୍ପୃକ୍ତ ଶ୍ରମିକଙ୍କ ମୋବାଇଲ ନମ୍ବରକୁ କୋଭିଡ-19 ସମୟରେ କଣ୍ଟାକ୍ଟ ଟ୍ରେସିଙ୍ଗ ଓ ସେମାନଙ୍କ ଗତିବିଧି ନିର୍ଦ୍ଧାରଣରେ ବ୍ୟବହାର କରିହେବ ।  

 

**********



(Release ID: 1624639) Visitor Counter : 288