ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ଼-19କୁ ପ୍ରତିହତ କରିବା ସକାଶେ ବୈଜ୍ଞାନିକମାନେ ବିକାଶ କଲେ ଚଳମାନ ଇନଡ଼ୋର୍ ଜୀବାଣୁମୁକ୍ତ ସ୍ପ୍ରେୟର୍

• ଏହି ସ୍ପ୍ରେୟରରେ ପୋଛିବାର ବ୍ୟବସ୍ଥା ରହିଛି ଏବଂ ଏହାର ବର୍ଦ୍ଧିତ ବାହୁ ଅପହଞ୍ଚ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚି ଉତ୍ତମ ରୂପେ ସଫେଇ କରିପାରିବ
• କୋଭିଦ-19 ସଂକଟ ପରେ ସୁଦ୍ଧା ଏହି ପ୍ରଯୁକ୍ତିର ଉପକାରୀତା ରହିପାରିବ

Posted On: 16 MAY 2020 11:57AM by PIB Bhubaneshwar

ସିଏସଆଇଆର- ସେଣ୍ଟ୍ରାଲ୍ ମେକାନିକାଲ ଇଂଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚୁଟ୍ (ସିଏମଇଆରଆଇ), ଦୁର୍ଗାପୁରର ବୈଜ୍ଞାନିକମାନେ ଦୁଇଟି ଚଳମାନ ଇନଡ଼ୋର୍ ଜୀବାଣୁଶୋଧନ ସ୍ପ୍ରେୟର ୟୁନିଟର ବିକାଶ ଘଟାଇଛନ୍ତି । ଏହି ଯନ୍ତ୍ର ଦ୍ୱାରା ଉଭୟ ସଫେଇ ଏବଂ ଘର ଭିତରକୁ ଜୀବାଣୁ ଶୋଧନ କରାଯାଇପାରିବ । ତଦ୍ୱାରା ଘର ଭିତରର ସମସ୍ତ ରୋଗ ସୃଷ୍ଟିକାରୀ ସୂକ୍ଷ୍ମାଣୁକୁ ସଫଳତାର ସହ ପ୍ରତିହତ କରାଯାଇପାରିବ । ବିଶେଷ କରି ଡାକ୍ତରଖାନାମାନଙ୍କ ଲାଗି ଏହା ବିଶେଷ ଉପକାରରେ ଆସିବ ।

ଏହି ଜୀବାଣୁଶୋଧନ ଯନ୍ତ୍ରର ନାମ ବ୍ୟାଟେରୀ ପାୱାର୍ଡ଼ ଡିସଇନଫେକ୍ଟାଣ୍ଟ୍ ସ୍ପ୍ରେୟର (ପିପିଡ଼ିଏସ) ଏବଂ ନିଉମାଟିକାଲୀ ଅପରେଟେଡ଼୍ ମୋବାଇଲ୍ ଇନଡ଼ୋର୍ ଡିସଇନଫେକ୍ସନ (ପିଓଏମଆଇଡ଼ି) ରଖାଯାଇଛି । ଏହି ଯନ୍ତ୍ର ସାହାଯ୍ୟରେ ଘର ଭିତରେ ଥିବା ବିଭିନ୍ନ ସାମଗ୍ରୀ ଯାହାକୁକି ବାରମ୍ବାର ହାତରେ ସ୍ପର୍ଶ କରିବାକୁ ପଡ଼ିଥାଏ, ଯଥା ଟେବୁଲ୍, ଡ଼ୋରନବ୍, ଲାଇଟ ସୁଇଚ୍, କାଉଣ୍ଟରର ପୃଷ୍ଠଦେଶ, ହ୍ୟାଣ୍ଡଲ୍ ,ଡେସ୍କ, ଫୋନ୍, କମ୍ପ୍ୟୁଟର କିବୋର୍ଡ଼, ଶୌଚାଗାର, ଫସେଟ୍, ସିଙ୍କ୍, ଏବଂ କାର୍ଡ଼ବୋର୍ଡ଼ ଇତ୍ୟାଦି, ସେସବୁକୁ ଭଲଭାବେ ଜୀବାଣୁମୁକ୍ତ ଭାବେ ସଫା କରାଯାଇପାରିବ । ମଝିରେ ମଝିରେ ଏଭଳି ଜୀବାଣୁନାଶକ ସ୍ପ୍ରେୟର୍କୁ ବ୍ୟବହାର କରିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ଭୟରୁ ଲୋକମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ।

ଉଭୟ ବିପିଡ଼ିଏସ ଏବଂ ପୋମିଡ଼ ସ୍ପ୍ରେୟର ବ୍ୟବସ୍ଥାକୁ ଏଭଳି ଭାବେ ଡିଜାଇନ୍ କରାଯାଇଛିଯେ ସେଥିରେ ଦୁଇ ପର୍ଯ୍ୟାୟବିଶିଷ୍ଟ ସ୍ପ୍ରେୟିଂ ୟୁନିଟ୍ ଏବଂ ପୃଥକ୍ ଭାବେ ଷ୍ଟୋରେଜ୍ ଟ୍ୟାଙ୍କ୍ ରହିଛି । ତାହା ଘର ଭିତରର ଚଟାଣ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ପରିଷ୍କାର କରିବା ସହ ସେସବୁକୁ ଜୀବାଣୁମୁକ୍ତ କରିପାରିବ । ଏଥିରେ ଖଞ୍ଜାଯାଇଥିବା ନୋଜଲକୁ ଉପଯୋଗ କରି ଉପର ଓ ତଳ ପୃଷ୍ଠକୁ ସଫା ଓ ଶୋଧନ କରାଯିବ । ବିରାଟ କ୍ଷେତ୍ର ସଫେଇ ସକାଶେ ଏହି ଶୋଧନ ଯନ୍ତ୍ରର ଏକ ଶିଳ୍ପ ମଡ଼େଲ ମଧ୍ୟ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଅଧିକ କ୍ଷେତ୍ର ଶୋଧନ କରାଯାଇପାରିବ ।

ପୋମିଡ଼୍ ଭ୍ରାମ୍ୟମାଣ ଇନଡ଼ୋର୍ ଶୋଧନ ୟୁନିଟଟି ଷ୍ଟିଲ୍ ଫ୍ରେମଯୁକ୍ତ ଏବଂ ଏଥିରେ ଚାରୋଟି ଚକ ରହିଛି । ଏଥିରେ କମ୍ପ୍ରେସର, ପାଇପିଂ ଓ ଫିଟିଂ ତଥା ସ୍ପ୍ରେୟିଂ ନୋଜଲ ରହିଛି । ଏହାକୁ ହାତରେ ଧରି ସହଜରେ ସ୍ପ୍ରେୟର ସାହାଯ୍ୟରେ ସିଧାସଳଖ ଭାବେ ଆବଶ୍ୟକତା ଅନୁସାରେ ବିଶୋଧକ ସ୍ପ୍ରେ କରାଯାଇପାରିବ । ପୋମିଡ଼୍ ୟୁନିଟରେ ପ୍ରତ୍ୟେକଟି 10 ଲିଟର କ୍ଷମତାବିଶିଷ୍ଟ ଦୁଇଟି ଷ୍ଟୋରେଜ୍ ଟ୍ୟାଙ୍କ୍ ରହିଛି । ବିପିଡ଼ିଏସ ୟୁନିଟ୍ ଏକ ତାରବିହୀନ ମେସିନ୍ ଓ ଏଥିରେ ଦୁଇଟି ସ୍ପ୍ରେ ନୋଜଲ ଖଞ୍ଜାଯାଇଛି । ଏଥିରେ ଆଉ ଗୋଟିଏ ପରିବର୍ଦ୍ଧିତ ସ୍ପ୍ରେ ଆର୍ମ ମଧ୍ୟ ରହିଛି । ଏହାର ମୋଟ ଷ୍ଟୋରେଜ୍ କ୍ଷମତା 20 ଲିଟର ଏବଂ ଏହାର ବ୍ୟାଟେରୀ ବ୍ୟାକ୍ଅପ୍ ସମୟ 4 ଘଣ୍ଟା, ଅର୍ଥାତ୍ ଥରେ ଚାର୍ଜ କଲେ ତାହା ଚାରିଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରିବ । ଖାଲି ଟାଙ୍କି ସହ ଏହାର ମୋଟ ଓଜନ 25 କିଲୋଗ୍ରାମ୍ ।

ଏହି ମେସିନ୍ ସଂପର୍କରେ ସିଏସଆଇଆର- ସିଏମଇଆରଆଇର ନିର୍ଦ୍ଦେଶକ ପ୍ରଫେସର ହରିଶ ହିରାନୀ କହିଛନ୍ତି ଯେ, “ବଜାରରେ ଉପଲବ୍ଧ ଅଧିକାଂଶ ଶୋଧକ ସ୍ପ୍ରେୟର କେବଳ ସଫା କରିପାରିବ କିମ୍ବା ଜୀବାଣୁ ଶୋଧନ କରିବ । ପୁଣି ତାହାର ଗୋଟିଏ ଚାମ୍ବର ରହିଛି ଏବଂ ତାହା ପମ୍ପ୍ ଦ୍ୱାରା ଚାଳିତ । ପମ୍ପ୍ ସ୍ପ୍ରେୟରରେ ସୁକ୍ଷ୍ମ ଜଳକଣିକା ସବୁ ଆକାରରେ ବେଶ୍ ବଡ଼ ଏବଂ ତାହା ଦ୍ୱାରା ଏଥିରେ ଅଧିକ କ୍ଷେତ୍ରକୁ ଶୋଧନ କରାଯାଇ ପାରେନାହିଁ । କିନ୍ତୁ ସିଏସଆଇଆର ସିଏମଇଆରଆଇ ଦ୍ୱାରା ବିକଶିତ ଇନଡ଼ୋର୍ ସ୍ପ୍ରେୟର ବ୍ୟବସ୍ଥାରେ ଦୁଇଟି ଚାମ୍ବର ରହିଛି ଯେଉଁଥିରେ ଶୋଧନ ଔଷଧ ଏବଂ ସଫେଇ ପାଇଁ ତରଳ ପଦାର୍ଥ ରଖାଯାଇପାରିବ । ଏହାର ନୋଜଲ ମଧ୍ୟ ଅଧିକ କାର୍ଯ୍ୟକ୍ଷମ । ତେଣୁ ଏଥିରେ ବ୍ୟାପକ କ୍ଷେତ୍ରକୁ ସଫା ତଥା ଶୋଧନ କରାଯାଇପାରିବ ।

ଏହି ସ୍ପ୍ରେୟରରେ ପୋଛିବାର ବ୍ୟବସ୍ଥା ମଧ୍ୟ ରହିଛି ଏବଂ ତାହାର ଅତିରିକ୍ତ ଆର୍ମ ଅପହଞ୍ଚ କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚି ଉତ୍ତମ ରୂପେ ସଫା ଓ ଶୋଧନ କାର୍ଯ୍ୟ କରିପାରିବ । ଏହି ପ୍ରଯୁକ୍ତି କୋଭିଡ଼-19 ମହାମାରୀ ପରେ ସୁଦ୍ଧା ଲୋକମାନଙ୍କ ପାଇଁ ଉପଯୋଗୀ ରହିବ । କାରଣ ଏହାକୁ ଉପଯୋଗ କରି ଭୂତାଣୁ ନାଶ କରାଯାଇପାରିବ । ବିଶ୍ୱରେ ଏବେ ଇନଫ୍ଲୁଏଞ୍ଜା ଓ ଅନ୍ୟାନ୍ୟ ଭୂତାଣୁ ଜନିତ ବ୍ୟାଧି ଅଧିକତର ଦେଖା ଦେଉଥିବାରୁ ଏଭଳି ଯନ୍ତ୍ରର ବିଶେଷ ଆବଶ୍ୟକତା ରହିଛି । ତେଣୁ ଦେଶର ଏମଏସଏମଇ ଉଦ୍ୟୋଗମାନେ ଆଗେଇ ଆସି ଏଭଳି ଯନ୍ତ୍ର ବିକାଶରେ ନିବେଶ କରିବାକୁ ପ୍ରଫେସର ହିରାନୀ ଆହ୍ୱାନ ଜଣାଇଛନ୍ତି । ଏହା ମାନବ ସ୍ୱାସ୍ଥ୍ୟ ପ୍ରତି ଅନୁକୂଳ । ତେଣୁ ଏଭଳି ସ୍ୱାସ୍ଥ୍ୟସେବା ଯନ୍ତ୍ରମାନ ବିକାଶ ଘଟାଇ ଏମଏସଏମଇ ଉଦ୍ୟୋଗୀମାନେ ସୁନାମ ଅର୍ଜନ କରିପାରିବେ । ବିପିଡ଼ିଏସ ପ୍ରଯୁକ୍ତିକୁ ଏବେ ପାୱାର ଟେକ୍ ମାଇନିଂ ପ୍ରାଇଭେଟ ଲିମିଟେଡ଼କୁ ବ୍ୟବସାୟିକ ଉତ୍ପାଦନ ଓ ପ୍ରସାରଣ ପାଇଁ ପ୍ରଦାନ କରାଯାଇଛି ।

 

**********



(Release ID: 1624462) Visitor Counter : 223