ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ମୋଦୀ ସରକାରଙ୍କ ଆସ୍ଥା – ଭାରତର କଲ୍ୟାଣ କେବଳ କୃଷକମାନଙ୍କ କଲ୍ୟାଣ ଦ୍ୱାରା ସମ୍ଭବ
• ଯେତେବେଳେ କୃଷକମାନେ ସଶକ୍ତ ହେବେ, ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ : ଶ୍ରୀ ଅମିତ ଶାହ
• ଏପରିକି ଏଭଳି ପ୍ରତିକୂଳ ପରିସ୍ଥିତିରେ ସୁଦ୍ଧା କୃଷକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବାବେଗ, ସମଗ୍ର ବିଶ୍ୱ ପାଇଁ ଉଦାହରଣୀୟ: ସ୍ୱରାଷ୍ଟ୍ର ମନ୍ତ୍ରୀ
• ମୋଦୀ ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଦେଶରେ ଅସମ୍ଭବ ମାତ୍ରାରେ ବିକାଶ ଘଟାଇବ, ଉପାର୍ଜନ ଓ କର୍ମନିଯୁକ୍ତି ବୃଦ୍ଧି କରିବ: ଶ୍ରୀ ଅମିତ ଶାହ
ପୋଷ୍ଟ କରାଯିବା ଦିନାଙ୍କ:
15 MAY 2020 8:10PM by PIB Bhubaneswar
ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରଣମ ଆଜି ଦେଶର କୃଷି ଓ ତତ୍ ସଂପର୍କୀତ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଭଳି ପଦକ୍ଷେପ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ “ ମୋଦୀ ସରକାର ଭାରତର କଲ୍ୟାଣରେ ବିଶ୍ୱାସୀ ଏବଂ ଦେଶର କଲ୍ୟାଣ କୃଷକମାନଙ୍କ କଲ୍ୟାଣରେ ହିଁ ନିହିତ । କୃଷକମାନଙ୍କ ପାଇଁ ଘୋଷଣା କରାଯାଇଥିବା ଏଭଳି ଅଭୂତପୂର୍ବ ସହାୟତା ଦେଶକୁ ଆତ୍ମ ନିର୍ଭରଶୀଳ ତଥା କୃଷକମାନଙ୍କୁ ସଶକ୍ତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରମାଣ ଦିଏ ।”
କେନ୍ଦ୍ର ସରକାର କୃଷକମାନଙ୍କୁ ଲକଡାଉନ ସମୟରେ ସହାୟତା ପ୍ରଦାନ କରିବା ଲାଗି ଗ୍ରହଣ କରିଥିବା କେତେକ ଗୁରତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ଅବତାରଣା କରି ଶ୍ରୀ ଶାହ କହିଲେ ଯେ “ମୋଦୀ ସରକାର ଲକଡାଉନ୍ ସମୟରେ ପ୍ରାୟ 73,300 କୋଟି ଟଙ୍କାର କୃଷିଜାତ ଉତ୍ପାଦ କ୍ରୟ କରି ସେମାନଙ୍କୁ ବେଶ୍ ସନ୍ତୁଷ୍ଟି ପ୍ରଦାନ କରିଛନ୍ତି । ତାହା ପୁଣି ସର୍ବନିମ୍ନ ସହାୟକ ମୂଲ ଆଧାରରେ । ସେହିଭଳି କୃଷକମାନଙ୍କ ଜମାଖାତାକୁ ପିଏମ କିଷାନ ଯୋଜନା ମାଧ୍ୟମରେ 18,700 କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ କୃଷି ବୀମା ଯୋଜନା ବାବଦକୁ ସେମାନଙ୍କୁ 6,400 କୋଟି ଟଙ୍କା ଦିଆଯାଇଛି” । ଶ୍ରୀ ଶାହ ଆହୁରି କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର କୃଷକମାନଙ୍କ ପ୍ରତି ମନରେ ବେଶ୍ ଦରଦ ଓ ସମବେଦନା ରହିଛି । ଏପରିକି ଏଭଳି ପ୍ରତିକୂଳ ପରିସ୍ଥିତିରେ ସୁଦ୍ଧା ତାହା ସମଗ୍ର ବିଶ୍ୱ ପାଇଁ ଉଦାହରଣୀୟ ।
ଗୋପ୍ରଜନନ ସେକ୍ଟର ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ ସଂପର୍କରେ ନିଜର ମତ ପ୍ରଦାନକରି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଲେ ଯେ କୋଭିଡ଼-19 ବୈଶ୍ୱିକ ମହାମାରୀ ଯୋଗୁ ଦେଶରେ କ୍ଷୀର ବ୍ୟବହାର 20-25%କୁ ହ୍ରାସ ପାଇଛି । କିନ୍ତୁ ମୋଦୀ ସରକାର 4,100 କୋଟି ଟଙ୍କା ମୂଲ୍ୟର 111 କୋଟି ଲିଟର କ୍ଷୀର ଚାଷୀମାନଙ୍କ ଠାରୁ କ୍ରୟ କରିଛନ୍ତି । ତାହା କେବଳ ଦୁଗ୍ଧ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସକାଶେ ଉଦ୍ଦିଷ୍ଟ” ବୋଲି ସେ କହିଛନ୍ତି । ଗୋପ୍ରଜନନ କ୍ଷେତ୍ରରେ କାର୍ଯ୍ୟରତ ଦେଶର 2 କୋଟି କୃଷକମାନଙ୍କୁ 5,000 କୋଟି ଟଙ୍କା ଆଜିର ଘୋଷଣା ମାଧ୍ୟମରେ ଯୋଗାଇବାର ବ୍ୟବସ୍ଥା କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏକ ଲକ୍ଷ କୋଟି ଟଙ୍କାର “କୃଷି ଭିତ୍ତିଭୂମି ପାଣ୍ଠି” ଘୋଷଣା ଉପରେ ନିଜର ମତାମତ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ “ମୋର ଦୃଢ଼ ବିଶ୍ୱାସ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଗଠନ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ଏକ ନୂତନ ଦିଶା ପ୍ରଦାନ ପରିବେ ଏବଂ ଏହା ଦେଶର କୃଷକମାନଙ୍କ ଅଶେଷ କଲ୍ୟାଣ ସାଧନ କରିପାରିବ ।”
କ୍ଲଷ୍ଟର ଭି୍ତ୍ତିକ କାର୍ଯ୍ୟପନ୍ଥା ଗ୍ରହଣ କରି ଏବଂ ମାଇକ୍ରୋ ଖାଦ୍ୟ ଉଦେ୍ଦ୍ୟାଗ ପାଇଁ 10,000 କୋଟି ଟଙ୍କା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେବା ଏହି କ୍ଷେତ୍ର ସହ ଜଡ଼ିତ କ୍ଷୁଦ୍ର ଉଦେ୍ଦ୍ୟାଗୀ ମାନେ ଅପର୍ଯ୍ୟାପ୍ତ ମାତା୍ରରେ ଉପକୃତ ହୋଇପାରିବେ । ଆମ୍ବ, ସାଫ୍ରନ୍, ଲଙ୍କା, ବାଉଁଶ ଭଳି କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଏହା ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ । ଏହା କେବଳ ସେମାନଙ୍କ ଉପାର୍ଜନ ବୃଦ୍ଧି କରିବନାହିଁ ଅପରନ୍ତୁ ସେମାନଙ୍କ ପାଇଁ ମଧ୍ୟ ଏକ ଉତ୍ତମ ବଜାର ସୁବିଧା ଯୋଗାଇବ ବୋଲି ଶ୍ରୀ ଶାହ କହିଛନ୍ତି ।
ମତ୍ସ୍ୟଚାଷ କ୍ଷେତ୍ର ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ସ୍ୱରାଷ୍ଟ୍ରମ ନ୍ତ୍ରୀ କହିଲେ ଯେ “ ମୋଦୀ ସରକାର ମତ୍ସ୍ୟଚାଷ କ୍ଷେତ୍ର ପାଇଁ 20,000 କୋଟି ଟଙ୍କାର ପ୍ରାବଧାନ କରି ବା ନିଷ୍ପତ୍ତି ଅଭୂତପୂର୍ବ । “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦା ଯୋଜନା (ପିଏମଏମଏସୱାଇ) ଏଥିପାଇଁ ଭିତ୍ତିଭୂମି ଯୋଗାଇବ ଏବଂ ଏହାର ଆଧୁନିକୀକରଣ, ଉତ୍ପାଦିକା ଓ ଗୁଣାତ୍ମକ ଆଉଟପୁଟ୍ ବୃଦ୍ଧି କରିବ, ଏହି ସେକ୍ଟର ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ” ବୋଲି ସେ କହିଛନ୍ତି ।
ଶ୍ରୀ ଶାହ କହିଲେ ଯେ ଗୋପ୍ରଜନନ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ 15,000 କୋଟି ଟଙ୍କାର ପ୍ରାବଧାନ ନିଷ୍ପତ୍ତି ଏହି କ୍ଷେତ୍ରକୁ ସୁଦୃଢ଼ କରିବ । ସେହିଭଳି ଔଷଧୀୟ କୃଷି ପାଇଁ 4,000 କୋଟି ଟଙ୍କାର ବ୍ୟବସ୍ଥା, ମଧୁମକ୍ଷୀ ଚାଷ ପାଇଁ 500 କୋଟି ଟଙ୍କା ମଧ୍ୟ ଏହି କ୍ଷେତ୍ରର ପ୍ରଗତି ଓ ବିକାଶ ଧାରାକୁ ତ୍ୱରାନ୍ୱିତ କରିବ । ଏହା ମହୁଚାଷୀଙ୍କ ଉପାର୍ଜନ ବୃଦ୍ଧି କରିବା ସହ ନିଯୁକ୍ତି ବୃଦ୍ଧିରେ ସହାୟକ ହେବ ।
କୃଷି ବିପଣନ ବ୍ୟବସ୍ଥାରେ ସଂସ୍କାର ନିଷ୍ପତ୍ତିକୁ ଏଐତିହାସିକ ବୋଲି ଦର୍ଶାଇ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଲେ ଯେ ମୋଦୀ ସରକାର ଏଥିପାଇଁ ଏକ କେନ୍ଦ୍ରୀୟ ଆଇନ୍ ଆଣିବେ ଯାହା କୃଷକମାନଙ୍କୁ ସେମାନଙ୍କ ଉତ୍ପାଦକୁ ଉତ୍ତମ ମୂଲ୍ୟରେ ବିକ୍ରି କରିବାର ଅଧିକ ସୁଯୋଗ ପ୍ରଦାନ କରିବ । ଏହା ପରେ ସେମାନଙ୍କୁ ଏକ ପ୍ରତିବନ୍ଧକମୁକ୍ତ ଆନ୍ତଃ ରାଜ୍ୟ ବାଣିଜ୍ୟ ଏବଂ ଇ-ଟ୍ରେଡ଼ିଂ ମାଧ୍ୟମରେ ସେମାନଙ୍କର ଉତ୍ପାଦକୁ ଦେଶର କୋଣ ଅନୁକୋଣରେ ବିକ୍ରି କରିବାର ସୁଯୋଗ ଯୋଗାଇବ ।
**********
(ରିଲିଜ ଆଡି: 1624239)
ପରିଦର୍ଶକ କାଉଣ୍ଟର : 247