ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଜୁନ 01, 2020ରୁ ଦେଶର ସମସ୍ତ ସିଏପିଏଫ କ୍ୟାଣ୍ଟିନ ଏବଂ ଷ୍ଟୋରରେ ବିକ୍ରି ହେବ ସ୍ଵଦେଶୀ ଉତ୍ପାଦ

• ଗୋଟିଏ ସଂକଳ୍ପ, ଗୋଟିଏ ଲକ୍ଷ୍ୟ - ଆତ୍ମନିର୍ଭରଶୀଳ ଭାରତ : ଶ୍ରୀ ଅମିତ ଶାହ

ପୋଷ୍ଟ କରାଯିବା ଦିନାଙ୍କ: 13 MAY 2020 2:39PM by PIB Bhubaneswar

ଦେଶକୁ ଆତ୍ମନିର୍ଭରଶୀଳ କରିବା ଏବଂ ଭାରତରେ ନିର୍ମିତ ଉତ୍ପାଦ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ନିବେଦନ କରିଥିଲେ । ଏହା ଭବିଷ୍ୟତରେ ବିଶ୍ଵର ନେତୃତ୍ଵ ନେବାରେ ଭାରତର ମାର୍ଗକୁ ପ୍ରଶସ୍ଥ କରିବ ବୋଲି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ।

ଏହି ମର୍ମରେ ଗୃହ ମନ୍ତ୍ରଣାଳୟ ଆଜି ନିଷ୍ପତ୍ତି ନେଇଛି ଯେ, ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) କ୍ୟାଣ୍ଟିନ ଏବଂ ଷ୍ଟୋରଗୁଡ଼ିକ କେବଳ ସ୍ୱଦେଶୀ ଉତ୍ପାଦ ବିକ୍ରି କରିବେ । ଜୁନ 01, 2020ରୁ ଏହା ସାରା ଦେଶରେ ସମସ୍ତ ସିଏପିଏଫ କ୍ୟାଣ୍ଟିନ ପାଇଁ ଲାଗୁ ହେବ, ଫଳରେ ମୋଟ କ୍ରୟ ପରିମାଣ ପ୍ରାୟ 2800 କୋଟି ଟଙ୍କା ହେବ । ଏହାଦ୍ଵାରା ପ୍ରାୟ 10 ଲକ୍ଷ ସିଏପିଏଫ କର୍ମଚାରୀଙ୍କ 50 ଲକ୍ଷ ପରିବାର ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବେ ।

“ଦେଶରେ ଉତ୍ପାଦିତ ସାମଗ୍ରୀକୁ ଯଥାସମ୍ଭବ ବ୍ୟବହାର କରିବା ଲାଗି ଗୃହମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଏହା ପଛରେ ରହିବାର ସମୟ ନୁହେଁ ବରଂ ଏହା ହେଉଛି ବିପର୍ଯୟକୁ  ସୁଯୋଗରେ ପରିଣତ କରିବାର ସମୟ ବୋଲି ସେ କହିଛନ୍ତି” ।

ଯଦି ପ୍ରତ୍ୟେକ ଭାରତୀୟ ଭାରତରେ ନିର୍ମିତ ଉତ୍ପାଦ (ସ୍ଵଦେଶୀ) ଦ୍ରବ୍ୟ ବ୍ୟବହାର କରିବାକୁ ସଂକଳ୍ପ ନିଅନ୍ତି, ତେବେ ପାଞ୍ଚ ବର୍ଷ ମଧ୍ୟରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ।

ଦେଶର ଜନସାଧାରଣଙ୍କୁ ନିବେଦନ କରି ଗୃହମନ୍ତ୍ରୀ କହିଛନ୍ତି ‘‘ ଆସନ୍ତୁ ଆମେ ସମସ୍ତେ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରି ଆତ୍ମନିର୍ଭରଶୀଳ ଭାରତର ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ସଫଳ କରିବା” ।

**********


(ରିଲିଜ ଆଡି: 1623607) ପରିଦର୍ଶକ କାଉଣ୍ଟର : 308