ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ସ୍ଥାନୀୟ କଞ୍ଚାମାଲ ଉପଯୋଗ କରି ସାମଗ୍ରୀ ଉତ୍ପାଦନ ଲାଗି କୃଷି, ମତ୍ସ୍ୟପାଳନ ଓ ବନ୍ୟ ଏମଏସଏମଇ ଉପରେ ଶ୍ରୀ ନୀତୀନ ଗଡ଼କରୀଙ୍କ ଗୁରୁତ୍ଵ

Posted On: 12 MAY 2020 6:30PM by PIB Bhubaneshwar

ସ୍ଥାନୀୟ କଞ୍ଚାମାଲ ଉପଯୋଗ କରି ସାମଗ୍ରୀ ଉତ୍ପାଦନ ନିମନ୍ତେ କୃଷି, ମତ୍ସ୍ୟପାଳନ ବନ୍ୟ ଏମଏସଏମଇ ଉପରେ କେନ୍ଦ୍ର ସଡ଼କ ପରିବହନ ରାଜପଥ ତଥା ଏମଏସଏମଇ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ଗୁରୁତ୍ଵାରୋପ କରିଛନ୍ତି।

ଏମଏସଏମଇ ଉପରେ କୋଭିଡ-19 ପ୍ରଭାବ ପ୍ରସଙ୍ଗରେ ଶ୍ରୀ ଗଡ଼କରୀ ଆଜି ଏକ ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଲଘୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ସଂଘ ଏବଂ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ।

ଅତ୍ୟାଧୁନିକ ସୁବିଧା ଥିବା ଶିଳ୍ପ କ୍ଲଷ୍ଟର, ଲଜିଷ୍ଟିକ୍ସ ପାର୍କରେ ଭବିଷ୍ୟତର ନିବେଶ ପାଇଁ ନୂଆ ସବୁଜ ଏକ୍ସପ୍ରେସ ରାଜପଥ ନୂଆ ସୁଯୋଗ ଆଣିବ ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ। ଶିଳ୍ପଗୁଡ଼ିକର ବିକେନ୍ଦ୍ରୀକରଣ ଉପରେ ସେ ଗୁରୁତ୍ଵାରୋପ କରିବା ସହିତ ଦେଶର ପଛୁଆ, ଜନଜାତି ଓ ଗ୍ରାମୀଣ ଇଲାକା ଉପରେ ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ଵ ଦେବା ସହିତ ବିଶ୍ଵ ବଜାର ସହ ପ୍ରତିଦ୍ଵନ୍ଦିତା କରିବା ଲାଗି ବିଦ୍ୟୁତ ଖର୍ଚ୍ଚ, ଲଜିଷ୍ଟିକ୍ସ ଖର୍ଚ୍ଚ ଓ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଲାଗି ସେ ଆହ୍ବାନ କରିଥିଲେ।

ସେ ଆମଦାନୀ ବିକଳ୍ପ ଉପରେ ଧ୍ୟାନ ଦେବା ସହ ବିଦେଶୀ ଆମଦାନୀ ବଦଳରେ ଘରୋଇ ଉତ୍ପାଦନ ଉପରେ ଧ୍ୟାନ ଦେବା ଲାଗି ପରାମର୍ଶ ଦେଇଥିଲେ। ଶିଳ୍ପଜଗତ ନବୋନ୍ମେଷ, ଉଦ୍ୟମିତା, ବିଜ୍ଞାନ ଓ ପ୍ରଯୁକ୍ତି, ଗବେଷଣା ଦକ୍ଷତା ଓ ଅଭିଜ୍ଞତା ଉପରେ ଗୁରୁତ୍ଵାରୋପ କରି ଜ୍ଞାନକୁ ସମ୍ପତ୍ତିରେ ପରିଣତ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ ଶିଳ୍ପଜଗତକୁ ପରାମର୍ଶ ଦେଇଥିଲେ। କାରବାର କରିବା ସମୟରେ ପିପିଇ, ମାସ୍କ, ସାନିଟାଇଜର ଆଦିର ବ୍ୟବହାର  କରିବା ସହିତ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ସେ ଜୋର ଦେଇଥିଲେ

ଲୋକମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖି ଏହି ସଙ୍କଟଜନକ ପରିସ୍ଥିତିରେ ସମନ୍ବିତ ଆଭିମୁଖ୍ୟ ଆପଣାଇବା ନିମନ୍ତେ ସେ ସମସ୍ତ ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଥିଲେ। କୋଭିଡ-19 ସହିତ ବଞ୍ଚିବାର କଳା ବିଷୟରେ ଆମେ ଶିକ୍ଷା ଲାଭ କରିବା ଉଚିତ।

ଆଲୋଚନା ସମୟରେ କୋଭିଡ-19 କାରଣରୁ ଶିଳ୍ପଜଗତ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ସେମାନେ କେତେକ ପରାମର୍ଶ ଦେବା ସହିତ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ଲୋଡ଼ିଥିଲେ ।

ଶ୍ରୀଗଡ଼କରୀ ପ୍ରତିନିଧିମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ସରକାରଙ୍କ ତରଫରୁ ସେମାନଙ୍କୁ ଯଥାସମ୍ଭବ ସହାୟତା ପାଇଁ ଆଶ୍ବାସନା ଦେଇଥିଲେ। ଏହିସବୁ ପ୍ରସଙ୍ଗଗୁଡ଼ିକୁ ସେ ବିଭିନ୍ନ ବିଭାଗ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଥିଲେ।

ସେ ଜୋର ଦେଇ କହିଥିଲେ ଯେ ଶିଳ୍ପଜଗତ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ଏବଂ କୋଭିଡ-19 ସଙ୍କଟ ଦୂର ହେବା ପରେ ସୃଷ୍ଟି ହେଉଥିବା ସୁଯୋଗର ଲାଭ ଉଠାଇବା ଆବଶ୍ୟକ।

 

************

 



(Release ID: 1623388) Visitor Counter : 185