ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଇଭେଣ୍ଟ ଓ ମନୋରଞ୍ଜନ ଶିଳ୍ପ ତଥା କ୍ଷୁଦ୍ର ଆର୍ଥିକ ଉଦ୍ୟୋଗକୁ ସକାରାତ୍ମକ ମନୋଭାବର ସହ କାର୍ଯ୍ୟ କରିବାକୁ ନୀତିନ ଗଡ଼କରୀଙ୍କ ପରାମର୍ଶ

Posted On: 08 MAY 2020 6:00PM by PIB Bhubaneshwar

ଇଭେଣ୍ଟ ଓ ମନୋରଞ୍ଜନ ଶିଳ୍ପ ତଥା କ୍ଷୁଦ୍ର ଆର୍ଥିକ ଉଦ୍ୟୋଗକୁ ସକାରାତ୍ମକ ମନୋଭାବର ସହ କାର୍ଯ୍ୟ କରିବାକୁ ଏମଏସଏମଇ ଏବଂ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ପରାମର୍ଶ ଦେଇଛନ୍ତି । ଏଥିସହ ସେମାନେ ବର୍ତ୍ତମାନର ପରିସ୍ଥିତିକୁ ମୁକାବିଲା କରିବା ସକାଶେ ନୂଆ ନୂଆ ସୁଯୋଗ ଆପଣାଇବାକୁ ସେ ଆହ୍ୱାନ ଜଣାଇଛନ୍ତି । ଆଜି କୋଭିଡ଼-19 ମହାମାରୀ ସେମାନଙ୍କ ସେକ୍ଟର ଉପରେ କିଭଳି ପ୍ରଭାବ ପକାଇଛି ସେ ସଂପର୍କରେ ଇଭେଣ୍ଟ୍‌ ଆଣ୍ଡ ଏଣ୍ଟରଟେନମେଣ୍ଟ ମ୍ୟାନେଜମେଣ୍ଟ ଆସୋସିଏସନର ପ୍ରତିନିଧି ଏବଂ ଆର୍ଥିକ ଶିଳ୍ପ ବିକାଶ ପରିଷଦର ସଦସ୍ୟମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ।

ଏହି ଭାବ ବିନିମୟବେଳେ, ପ୍ରତିନିଧିମାନେ କୋଭିଡ଼-19 ମହାମାରୀ ଯୋଗୁ ଏମଏସଏମଇ ସମ୍ମୁଖୀନ ହେଉଥିବା ବିଭିନ୍ନ ଚାଲେଞ୍ଜ ସଂପର୍କରେ ସେମାନଙ୍କର ଉଦ୍‌ବେଗ ପ୍ରକଟ କରିଥିଲେ । ଏଥିସହ ସେଭଳି ପରିସ୍ଥିତିରୁ ମୁକୁଳିବା ସକାଶେ ସେମାନେ ମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ କେତେକ ପରାମର୍ଶ ମଧ୍ୟ ଦେଇଥିଲେ । ଏହି ସେକ୍ଟରକୁ ବଞ୍ଚାଇ ରଖିବା ତଥା ଏହାର ପ୍ରଗତି ନିମନ୍ତେ ସରକାରଙ୍କ ତତ୍କାଳ ହସ୍ତକ୍ଷେପ ଜରୁରି ଥିବାରୁ ତାହା ତୁରନ୍ତ ଯୋଗାଇ ଦେବାକୁ ତାଙ୍କୁ ଅନୁରୋଧ କରିଥିଲେ ।

ଶ୍ରୀ ଗଡ଼କରୀ ଗୁରୁତ୍ୱ ଆରୋପ ପୂର୍ବକ କହିଲେ ଯେ, ଏହି କ୍ଷେତ୍ର ତାର କାର୍ଯ୍ୟ ବେଶ ଉତ୍ତମ ଭାବେ ସଂପାଦନ କରୁଛି । ସେମାନଙ୍କର ଜ୍ଞାନ ଓ ବୁଦ୍ଧି ତଥା ଦୂରଦୃଷ୍ଟି ବ୍ୟାପକ ଭାବେ ସ୍ୱୀକୃତ । ଆମେ ସଭିଏଁ ଏବେ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରୁଥିବାରୁ, ଇଭେଣ୍ଟ ଏବଂ ମନୋରଞ୍ଜନ କ୍ଷେତ୍ର ସେମାନଙ୍କର ନାମ ଏମଏସଏମଇରେ ପଞ୍ଜିକରଣ କରିବା ଆବଶ୍ୟକ । ଏହାଦ୍ୱାରା ସେମାନେ ଏହି ଯୋଜନାରୁ ଅଧିକ ସୁଫଳ ପାଇପାରିବେ ।

ଭାରତରେ ଏହି ଉଦ୍ୟୋଗର ପର୍ଯ୍ୟାପ୍ତ ସୁଯୋଗ ଓ ସାମର୍ଥ୍ୟ ଭରି ରହିଛି । ଭାରତ ପ୍ରଗତିର ମୈଦାନକୁ ଏକ ଅନ୍ତରାଷ୍ଟ୍ରୀୟ ପ୍ରଦର୍ଶନ କେନ୍ଦ୍ର ପୁନଃନିର୍ମାଣ କରୁଛି  । ସରକାର ଏହି ଶିଳ୍ପଙ୍କୁ ସବୁ ସ୍ତରରେ ସର୍ବାଧିକ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବାକୁ ସଦାସର୍ବଦା ପ୍ରସ୍ତୁତ ଅଛନ୍ତି । ସେମାନେ ନିଜ ନିଜର ବିସ୍ତୃତ ବିବରଣୀ ସମ୍ବଳିତ ନିବେଦନ ସରକାରଙ୍କ ନିକଟରେ ପୈଠ କରନ୍ତୁ ଏବଂ ତାଙ୍କ ମନ୍ତ୍ରଣାଳୟ ସହ ଅନ୍ୟାନ୍ୟ ମନ୍ତ୍ରଣାଳୟ ଓ ବିଭାଗ ସହ ସେ ଏ ସଂପର୍କରେ ଆଲୋଚନା କରିବେ ବୋଲି ଶ୍ରୀ ଗଡ଼କରୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଶ୍ରୀ ଗଡ଼କରୀ ଏହି ଶିଳ୍ପ ସହ ଜଡ଼ିତ ସଂସ୍ଥାମାନଙ୍କୁ ନିବେଦନ କରି କହିଲେ ଯେ ସେମାନେ ସଦାବେଳେ ନିଜ ମନରେ ସକାରାତ୍ମକ ଭାବନା ପୋଷଣ କରିବା ଉଚିତ । ବିଶେଷ କରି ବିପଦର ଘଡ଼ିରେ ତାହା ସେମାନଙ୍କୁ ଏଥିରୁ ମୁକୁଳାଇ ପାରିବ ।

ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଲେ ଯେ, ଜାପାନ ସରକାର ଏହି ଶିଳ୍ପ ସକାଶେ ବିଶେଷ ପ୍ୟାକେଜ ପ୍ରଦାନ ପାଇଁ ପ୍ରସ୍ତାବ ଦେଇଛନ୍ତି  । ଜାପାନ ସରକାର ଏଥିନେଇ ଚୀନ ଠାରୁ ନିବେଶ ସହଯୋଗ ନେଉଛନ୍ତି ଏବଂ ସେମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରୀତ ହେଉଛନ୍ତି । ଏହା ଭାରତ ପାଇଁ ଏକ ସୁଯୋଗ ଏବଂ ଭାରତ ଏ ସୁଯୋଗରୁ ଫାଇଦା ଉଠାଇବା ଉଚିତ ।

ଏ ସଂପର୍କରେ ପ୍ରତିନିଧିମାନେ ମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ଇଭେଣ୍ଟ ଓ ପରିଚାଳନାକୁ ଏମଏସଏମଇ ଭାବେ ପଂଜୀକରଣ କରାଯିବା, ରାଜ୍ୟ/ ଜିଲ୍ଲା ସ୍ତରରେ ସମର୍ପିତ ଅଧିକାରୀମାନଙ୍କୁ ଏମଏସଏମଇ ପାଇଁ ନିୟୋଜିତ କରାଯିବ, କ୍ଷୁଦ୍ର ଆର୍ଥିକ ୟୁନିଟମାନଙ୍କ ପାଇଁ ଆର୍ଥିକ ସହଯୋଗ ଯୋଗାଇଦେବା, କ୍ଷୁଦ୍ର ଆର୍ଥିକ ୟୁନିଟମାନଙ୍କ ଲାଗି କ୍ରେଡ଼ିଟ୍‌ ରେଟିଂ ଆବଶ୍ୟକତା ବ୍ୟବସ୍ଥା ଉଚ୍ଛେଦ କରିବା ଯଦ୍ୱାରା ସେମାନେ ସଂପୃକ୍ତ ଯୋଜନାରେ ଦିଆଯାଉଥିବା ଗ୍ୟାରେଣ୍ଟି ସୁଯୋଗ ଲାଭ କରିପାରିବେ ଇତ୍ୟାଦି ।

ଶ୍ରୀ ଗଡ଼କରୀ କେତେକ ପ୍ରତିନିଧିଙ୍କର ପ୍ରଶ୍ନର ଉତ୍ତରରେ କହିଲେ ଯେ ସରକାର ସେମାନଙ୍କୁ ସବୁପ୍ରକାର ତଥା ଯଥାସାଧ୍ୟ ସହଯୋଗ ଯୋଗାଇଦେବେ । ତେଣୁ ସେମାନେ ସରକାରଙ୍କୁ ସେମାନଙ୍କର ସମସ୍ୟା ସଂପର୍କରେ ବିଧିବଦ୍ଧ ଭାବେ ଦରଖାସ୍ତ ମାଧ୍ୟମରେ ଅବଗତ କରାନ୍ତୁ । ସେ ସେସବୁ ତର୍ଜମା କରି ତାଙ୍କ ମନ୍ତ୍ରଣାଳୟ ଦ୍ୱାରା ଯାହାକିଛି କରାଯାଇପାରିବ  ତାହା ଅବଶ୍ୟ କରିବେ । ଏବଂ ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିବେ । ଶ୍ରୀ ଗଡ଼କରୀ ଗୁରୁତ୍ୱ ଆରୋପ କରିଥିଲେ ଯେ ଏହି ଶିଳ୍ପ ସଦାବେଳେ ସକାରାତ୍ମକ ମନୋଭାବର ସହ କାର୍ଯ୍ୟ କରିବା ଉଚିତ । କୋଭିଡ଼-19 ଭଳି ପରିସ୍ଥିତିକୁ ମୁକାବିଲା କରିବାର ଏହା ଏକ ବଳିଷ୍ଠ ଉପାୟ ବୋଲି ସେ ମତ ପୋଷଣ କରିଥିଲେ ।

 

**********

 

 



(Release ID: 1622303) Visitor Counter : 87