ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଆଗାମୀ ଦୁଇ ବର୍ଷ ପାଇଁ 15 ଲକ୍ଷ କୋଟି ଟଙ୍କାର ସଡ଼କ ନିର୍ମାଣ ଲାଗି ନୀତିନ ଗଡ଼କରୀଙ୍କ ଲକ୍ଷ୍ୟ ଧାର୍ଯ୍ୟ

• ଯଥା ଶୀଘ୍ର ‘ଅଟୋ ସ୍କ୍ରାପିଂ’ ନୀତି ଚୂଡ଼ାନ୍ତ କରିବା ସକାଶେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ଶ୍ରୀ ଗଡ଼କରୀ

Posted On: 07 MAY 2020 3:33PM by PIB Bhubaneshwar

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ସିଆମ୍‌ ଇନଷ୍ଟିଚୁଟର ସଦସ୍ୟମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକରେ ଆଲୋଚନା କରିଛନ୍ତି । କୋଭିଡ଼-19 ମହାମାରୀ ଦ୍ୱାରା ଅଟୋ ସେକ୍ଟର ଉପରେ କି ପ୍ରକାର ପ୍ରଭାବ ପଡ଼ିଛି ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ଗଡ଼କରୀ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ  ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଭି କେ ସିଂହ, ଆରଟିଏଚ ସଚିବ ଶ୍ରୀ ଗିରିଧର ଆରାମନେ ଏବଂ ଆରଟିଏଚ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଏହି ମତ ବିନିମୟ ବେଳେ ସଦସ୍ୟମାନେ ଉଦ୍‌ବେଗ ପ୍ରକଟ କରିଥିଲେ ଯେ କୋଭିଡ଼-19 ମହାମାରୀ ଯୋଗୁ ଅଟୋ ଶିଳ୍ପ କ୍ଷେତ୍ର ନାନା ପ୍ରକାର ଚାଲେଞ୍ଜର ସମ୍ମୁଖୀନ ହୋଇଛି । ସେଥିରୁ ଉଦ୍ଧାର ପାଇବା ସକାଶେ ସେମାନେ ମନ୍ତ୍ରୀଙ୍କୁ କେତେକ ପରାମର୍ଶ ଦେଇଛନ୍ତି ଏବଂ ସରକାର ଏହି କ୍ଷେତ୍ରର ପୁନରୁତ୍ଥାନ ସକାଶେ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଅନୁରୋଧ କରିଛନ୍ତି ।

ଶ୍ରୀ ଗଡ଼କରୀ ସେମାନଙ୍କୁ ପରାମର୍ଶ ଦେଇ କହିଲେ ଯେ ସେମାନେ ବ୍ୟବସାୟରେ ଲିକୁଡ଼ିଟିର ସଂପ୍ରସାରଣ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । କାରଣ ବ୍ୟବସାୟରେ ଉତ୍ଥାନ ଓ ପତନ ସ୍ୱାଭାବିକ । ବିକାଶ ଯୋଜନା ପ୍ରସ୍ତୁତ କଲାବେଳେ ସଦାବେଳେ ଖରାପ ସମୟ ପାଇଁ ମଧ୍ୟ ଚିନ୍ତା କରିବାକୁ ପଡ଼ିଥାଏ । ତେଣୁ ଶିଳ୍ପସଂସ୍ଥାମାନଙ୍କୁ ଅଭିନବତ୍ୱ, ପ୍ରଯୁକ୍ତି ଓ ଗବେଷଣା କୋଶଳ ଉପରେ ବିଶ୍ୱ ବଜାର ସହ ଅଧିକ ପ୍ରତିଯୋଗୀତାମୂଳକ ଭାବେ କାର୍ଯ୍ୟ କରିବାକୁ ପଡ଼ିବ । ସେ ଆହୁରି କହିଲେ ଯେ ଦେଶରେ ନୂତନ ସଡ଼କ ନିର୍ମାଣ ସକାଶେ ଆଗାମୀ ଦୁଇ ବର୍ଷ ପାଇଁ 15 ଲକ୍ଷ କୋଟି ଟଙ୍କାର ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତାଙ୍କ ମନ୍ତ୍ରଣାଳୟ ଓଭରଟାଇପ୍‌ କାର୍ଯ୍ୟ କରି ଏ ଦିଗରେ ଥିବା ସମସ୍ତ ପ୍ରକାର ପ୍ରତିବନ୍ଧକ ଏବଂ ସମସ୍ୟାକୁ ଦୂର କରୁଛନ୍ତି ।

ମନ୍ତ୍ରୀ ଶ୍ରୀ ଗଡ଼କରୀ କେତେକ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାରଙ୍କ ତରଫରୁ ଯାହାକିଛି ସାହାଯ୍ୟ ପ୍ରଦାନ ସମ୍ଭବ ତାହା ଯୋଗାଇ ଦିଆଯିବ । ସେ ସେମାନଙ୍କର ଅନୁରୋଧକୁ ସରକାରଙ୍କ ଉପଯୁକ୍ତ ସ୍ତର ତଥା ଅନ୍ୟାନ୍ୟ ବିଭାଗ ନିକଟରେ ଉପସ୍ଥାପନ କରିବେ  ।

ଶ୍ରୀ ଗଡ଼କରୀ କହିଲେ ଯେ ସେ ତାଙ୍କ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅଟୋ ସ୍କ୍ରାପିଂ ନୀତିକୁ ସେମାନେ ଯଥାଶୀଘ୍ର ଚୂଡ଼ାନ୍ତ କରନ୍ତୁ । ଏହା ମୂଲ୍ୟ ହ୍ରାସ କରିବାରେ ଯଥେଷ୍ଟ ମାତ୍ରାରେ ସହାୟକ ହେବ । ସେହିଭଳି ଶସ୍ତାରେ ଋଣ ଯୋଗାଣର ସୁଯୋଗ ସନ୍ଧାନ କରିବା ଏବଂ ସେଥିରେ ବିଦେଶୀ ପୁଞ୍ଜି ନିବେଶ କରିବା ପାଇଁ ପ୍ରୟାସ କରାଯିବା ଆବଶ୍ୟକ । ତାହା ଅଟୋମୋବାଇଲ୍‌ ଉତ୍ପାଦନ କ୍ଷେତ୍ରରେ ଲିକୁଡ଼ିଟିକୁ ସଂପ୍ରସାରଣ କରିବା ଦିଗରେ ସହାୟକ ହେବ ।

ବିଏସ-4 ମାନର ଯାନବାହନ ସଂପର୍କୀତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗଡ଼କରୀ କହିଲେ ଯେ ଏ ସଂକ୍ରାନ୍ତରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରିବାକୁ ସରକାର ବାଧ୍ୟ । ତେବେ, ଶିଳ୍ପସଂସ୍ଥାମାନଙ୍କ ପରାମର୍ଶ କ୍ରମେ, ସେ ପୁଣି ଥରେ ନୂଆ କରି ଏହି ପ୍ରସ୍ତାବକୁ ତର୍ଜମା କରି ଦେଖିବେ । ଅନ୍ୟାନ୍ୟ ନିୟନ୍ତ୍ରଣ କଟକଣା କୋହଳ କରାଯିବା ସଂପର୍କରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଲେ ଯେ ଯେଉଁଠାରେ ସମ୍ଭବ ସେଠାରେ ରିହାତି ପ୍ରଦାନ କରିବାକୁ ସେ ଚେଷ୍ଟା କରିବେ । ବିଶେଷ କରି ଯେଉଁଠାରେ ଶିଳ୍ପସଂସ୍ଥାମାନେ ସମୟସୀମା ବୃଦ୍ଧି ପାଇଁ ନିବେଦନ କରିଥିବେ, ସରକାର ତାହା ଉପରେ ବିଚାର କରିବେ ।

 

**********



(Release ID: 1621989) Visitor Counter : 175