ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲା ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପ୍ରତିନିଧିମାନଙ୍କ ସହିତ ଶ୍ରମ ମନ୍ତ୍ରୀଙ୍କ ଆଲୋଚନା

• ପ୍ରବାସୀ ଶ୍ରମିକଙ୍କ ଠାରୁ କୌଣସି ପ୍ରକାରର ଟ୍ରେନ ଭଡ଼ା ଆଦାୟ କରାଯାଇନାହିଁ : ଶ୍ରମ ସଚିବ

Posted On: 06 MAY 2020 6:24PM by PIB Bhubaneshwar

କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଆଜି ନୂଆଦିଲ୍ଲୀ ଠାରେ ୱେବିନାର ଜରିଆରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରମିକ ଶ୍ରେଣୀ ଓ ଦେଶର ଅର୍ଥବ୍ୟବସ୍ଥା ଉପରେ କୋଭିଡ-19 ମହାମାରୀର ପ୍ରଭାବକୁ କିଭଳି ଭାବେ ହ୍ରାସ କରାଯାଇପାରିବ ସେ ନେଇ ଏଥିରେ ଆଲୋଚନା କରାଯାଇଥିଲା। କୋଭିଡ-19କୁ ଆଖି ଆଗରେ ରଖି ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ହିତ ରକ୍ଷା, ଅର୍ଥନୈତିକ କାର୍ଯ୍ୟକଳାପ ପୁନଃଆରମ୍ଭ କରିବା ଲାଗି ପଦକ୍ଷେପ, ଶ୍ରମ ଆଇନ ଅଧୀନରେ ଏମଏସଏମଇଗୁଡ଼ିକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଆଦି ପ୍ରସଙ୍ଗରେ ଏହି ଅବସରରେ ଆଲୋଚନା କରାଯାଇଥିଲା। ଏହି ୱେବିନାରରେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

କୋଭିଡ-19 ସମୟରେ ଶ୍ରମିକମାନଙ୍କର ସମସ୍ୟା ସମାଧାନ ପାଇଁ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବା କାରଣରୁ ଶ୍ରମିକମାନେ ଭୋଗୁଥିବା ସମସ୍ୟାର ସମାଧାନ ପନ୍ଥା ଖୋଜିବା ଆବଶ୍ୟକ ବୋଲି ସେ ଆଲୋକପାତ କରିଥିଲେ। ବର୍ତ୍ତମାନର ସ୍ଥିତିରେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ପରାମର୍ଶ ଦେବା ଲାଗି ସେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକୁ ଅନୁରୋଧ କରିଥିଲେ। ଏହି ଅବସରରେ ଶ୍ରମିକ ସଂଗଠନଗୁଡ଼ିକ ବିଭିନ୍ନ ପରାମର୍ଶ ଦେଇଥିଲେ।

ଆଲୋଚନା ଶେଷରେ ମନ୍ତ୍ରଣାଳୟର ସଚିବ ଏ ସମସ୍ତ ପରାମର୍ଶକୁ ସ୍ଵାଗତ କରିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ପ୍ରବାସୀ ଶ୍ରମିକଙ୍କ ଠାରୁ କୌଣସି ପ୍ରକାର ଟ୍ରେନ ଭଡ଼ା ଆଦାୟ କରାଯାଇନାହିଁ। ସେ କହିଥିଲେ ଯେ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକମାନଙ୍କର ଏକ ଡାଟାବେସ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ ସୂଚନାକୁ ସ୍ଥାନିତ କରାଯାଉଛି। ଶ୍ରମିକମାନଙ୍କ ଖାଦ୍ୟ, ମଜୁରି ଏବଂ ଅନ୍ୟାନ୍ୟ ପ୍ରସଙ୍ଗର ସମାଧାନ ଲାଗି 20ଟି ହେଲ୍ପଲାଇନ ଓ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହି ଅବସରରେ ସଚିବ କହିଥିଲେ ଯେ ବର୍ତ୍ତମାନ ଶିଳ୍ପଗୁଡ଼ିକୁ ପୁନରୁଦ୍ଧାର କରିବା ଏବଂ ଅର୍ଥବ୍ୟବସ୍ଥାକୁ ଖୋଲିବାର ଆବଶ୍ୟକତା ଉପରେ ଜୋର ଦେବା ଉଚିତଯାହାଫଳରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  ଯେଉଁଠି କାମ କାମ ମିଳୁଛି ସେଠି କାମ କରିବା ଲାଗି ଶ୍ରମିକମାନଙ୍କୁ ପରାମର୍ଶ ଦେବା ଓ ସେମାନଙ୍କ ମନୋବଳ ବୃଦ୍ଧି ନିମନ୍ତେ ପ୍ରୟାସ କରିବା ଲାଗି ସଚିବ ଶ୍ରମିକ ସଂଗଠନର ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ତ ପ୍ରକାରର ସମସ୍ୟା ସମାଧାନ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। 

 

****************

 



(Release ID: 1621709) Visitor Counter : 235