ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ନିଯୁକ୍ତିଦାତାଙ୍କ ଇ-ସ୍ୱାକ୍ଷର ହାସଲ କରିବା ଲାଗି ଇ-ମେଲ ବ୍ୟବସ୍ଥା ଆରମ୍ଭ କଲା ଇପିଏଫଓ

• ଲକଡାଉନ ଅବଧିରେ ସହଜ ହେବ ଇପିଏଫଓ ଅନୁପାଳନ ପ୍ରକ୍ରିୟା
• ଡିଜିଟାଲ କିମ୍ବା ଆଧାର ଇ-ସାଇନ ଉପଯୋଗ କରିନପାରିବାର ଅସୁବିଧା ଦୂର ହେବ

Posted On: 06 MAY 2020 4:20PM by PIB Bhubaneshwar

କୋଭିଡ-19 ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକଡାଉନ ଏବଂ ଅନ୍ୟ କଟକଣା କାରଣରୁ ନିଯୁକ୍ତିଦାତାମାନେ ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ଲାଗି ସମର୍ଥ ହେଉନାହାନ୍ତି । ଇପିଏଫଓ ପୋର୍ଟାଲରେ ସେମାନେ ନିଜର ସ୍ୱାକ୍ଷର ବା ଆଧାର ସଂଯୁକ୍ତ ଇ-ସାଇନର ଉପଯୋଗ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଇପିଏଫଓ ପୋର୍ଟାଲରେ ଡିଜିଟାଲ ସ୍ୱାକ୍ଷର (ଡିଏସସି) ବା ଆଧାର ଆଧାରିତ ଇ-ସାଇନ ଉପଯୋଗ କରି ନିଯୁକ୍ତିଦାତାମାନଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଅଧିକାରୀମାନେ କେୱାଇସି ପ୍ରାମାଣିକରଣ, ସ୍ଥାନାନ୍ତର ଦାବି ପ୍ରମାଣିକରଣ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନଲାଇନ କାମ କରିଥାନ୍ତି ଡିଏସସି/ଇ-ସାଇନର ଉପଯୋଗ କରିବା ଲାଗି ଆଞ୍ଚଳିକ କାର୍ଯ୍ୟାଳୟରୁ ଥରେ ଅନୁମତି ନେବାର ଆବଶ୍ୟକ। ମାତ୍ର ଲକଡାଉନ କାରଣରୁ, ଅନେକ ନିଯୁକ୍ତିଦାତା ଆଞ୍ଚଳିକ କାର୍ଯ୍ୟାଳୟରୁ ଥରେ ପଞ୍ଜିକରଣ ଲାଗି ଅନୁରୋଧ ପଠାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଅନୁପାଳନ ପ୍ରକ୍ରିୟାକୁ ଆହୁରି ସହଜ କରିବା ଲାଗି ଇପିଏଫଓ ଇମେଲ ମାଧ୍ୟମରେ ମଧ୍ୟ ଏଭଳି ଅନୁରୋଧକୁ ଗ୍ରହଣ କରିବା ନିମନ୍ତେ ନିଷ୍ପତ୍ତି ନେଇଛି। ନିଯୁକ୍ତିଦାତା ମେଲ ମାଧ୍ୟମରେ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ବିଧିବଦ୍ଧ ସ୍ୱାକ୍ଷରିତ ଅନୁରୋଧପତ୍ରର ସ୍କାନ କପି ପଠାଇପାରିବେ। ଆଞ୍ଚଳିକ କାର୍ଯ୍ୟାଳୟର ଅଫିସିଆଲ ଇ-ମେଲ ଠିକଣା www.epfindia.gov.in ରେ ଉପଲବ୍ଧ ରହିଛି

ଏହାବ୍ୟତୀତ, ଯେଉଁ ପ୍ରତିଷ୍ଠାନଗୁଡ଼ିକର କ୍ଷମତାପ୍ରାପ୍ତ ଅଧିକାରୀ ଡିଜିଟାଲ ସ୍ୱାକ୍ଷରକୁ ମଞ୍ଜୁରି ଦେଇସାରିଛନ୍ତି, କିନ୍ତୁ ଡଙ୍ଗଲ ପାଇବାରେ ସକ୍ଷମ ହେଉନାହାନ୍ତି, ସେମାନେ ମଧ୍ୟ ନିଯୁକ୍ତିଦାତା ପୋର୍ଟାଲରେ ଲଗ ଇନ କରିପାରିବେ ଏବଂ ସେଠାରେ ପୂର୍ବରୁ ପଞ୍ଜିକୃତ କ୍ଷମତାପ୍ରାପ୍ତ ସ୍ୱାକ୍ଷରକାରୀଙ୍କ ପଞ୍ଜୀକରଣ ପାଇଁ ଦିଆଯାଇଥିବା ଲିଙ୍କ ଜରିଆରେ ନିଜର ଇ-ସାଇନ ପଞ୍ଜିକରଣ କରାଇପାରିବେ। ଅନୁମୋଦିତ ଡିଜିଟାଲ ସ୍ୱାକ୍ଷରରେ ତାଙ୍କର ନାମ ଆଧାର କାର୍ଡରେ ଥିବା ନାମ ସହିତ ମେଳ ଖାଉଥିଲେ ଆଉ କୌଣସି ଅନୁମୋଦନର ଆବଶ୍ୟକତା ପଡ଼ିବ ନାହିଁ। ଅନ୍ୟ କ୍ଷମତାପ୍ରାପ୍ତ ସ୍ୱାକ୍ଷରକାରୀ ନିଜ ଇ-ସାଇନକୁ ପଞ୍ଜିକୃତ କରିପାରିବେ ତଥା ନିଯୁକ୍ତିଦାତାଙ୍କ ଦ୍ୱାରା ଅନୁମୋଦିତ ଅନୁରୋଧ ପତ୍ର ପଠାଇପାରିବେ। ଏହି ପଦ୍ଧତିରେ ସେମାନେ ସମ୍ପୃକ୍ତ ଆଞ୍ଚଳିକ ଇପିଏଫଓ କାର୍ଯ୍ୟାଳୟରୁ ମଞ୍ଜୁରି ପ୍ରାପ୍ତ କରିପାରିବେ।

ଏହି ସୁବିଧା ମହାମାରୀ କାରଣରୁ ପ୍ରଭାବିତ ହୋଇଥିବା ନିଯୁକ୍ତିଦାତା ଓ ଇପିଏଫ ସଦସ୍ୟମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।  

 

*********



(Release ID: 1621704) Visitor Counter : 237