ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ନୌସେନା ପକ୍ଷରୁ ଅପରେସନ୍‌ “ସମୁଦ୍ର ସେତୁ” ଆରମ୍ଭ

Posted On: 05 MAY 2020 7:18PM by PIB Bhubaneshwar

ଦରିଆପାରିରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ସକାଶେ ଭାରତୀୟ ନୌସେନା ପକ୍ଷରୁ ଅପରେସନ୍‌ ସମୁଦ୍ର ସେତୁ” (ସି ବ୍ରିଜ୍‌) ଆରମ୍ଭ କରାଯାଇଛି । ଏଥିପାଇଁ ଭାରତୀୟ ନୌସେନାର ଜାହାଜ ଜଳାଶ୍ୱଏବଂ ମଗରଏବେ ମାଳଦ୍ୱୀପର ମାଲେ ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ମେ 8, 2020ରୁ ପ୍ରଥମ ପର୍ଯ୍ୟାୟ ନାଗରିକ ଅପସାରଣ କାର୍ଯ୍ୟକ୍ରମ ସେଠାରୁ ଆରମ୍ଭ କରାଯିବ ।

ସରକାର ଏହି ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । କୋଭିଡ଼-19 ମହାମାରୀ ପରିପ୍ରେକ୍ଷୀରେ ମାଳଦ୍ୱୀପରେ ଭାରତୀୟ ନାଗରିକମାନେ ଅଟକି ରହିଛନ୍ତି । ଭାରତୀୟ ନୌସେନାକୁ ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ର ପଥରେ ସ୍ୱଦେଶ ଫେରାଇ ଆଣିବା ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ମାଳଦ୍ୱୀପରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଯେଉଁସବୁ ଭାରତୀୟ ନାଗରିକଙ୍କୁ ସେଠାରୁ ଫେରାଇ ଅଣାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରୁଛି । ନୌସେନା ଜାହାଜରେ ସେମାନଙ୍କୁ ସ୍ଥାନାନ୍ତରଣ କରାଯିବ । ଆବଶ୍ୟକ ମେଡ଼ିକାଲ ସ୍କ୍ରିନିଂ ପରେ ସେମାନେ ଜାହାଜରେ ଯାତ୍ରା ଆରମ୍ଭ କରିବେ । ପ୍ରଥମ ଦଫାରେ ଜାହାଜରେ 1000 ଜଣଙ୍କୁ ସ୍ୱଦେଶ ଫେରାଇ ଅଣାଯିବା ଲାଗି ଯୋଜନା ରହିଛି । ଏଭଳି ସ୍ଥାନାନ୍ତରଣ ବେଳେ ସାମାଜିକ ଦୂରତା ରକ୍ଷାର ନିୟମାବଳୀକୁ ବିଧିବଦ୍ଧ ଭାବେ ପାଳନ କରାଯିବ । ସେହିଭଳି ଜାହାଜର ପରିବହନ କ୍ଷମତା, ସେଥିରେ ଉପଲବ୍ଧ ମେଡ଼ିକାଲ ସୁବିଧା ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ ।

ଭାରତୀୟ ନାଗରିକମାନଙ୍କୁ  ପରିବହନ କରି ଆଣିବା ସକାଶେ ଜାହାଜରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଳଯାତ୍ରା ବେଳେ ସ୍ଥାନାନ୍ତରୀତ ଲୋକମାନଙ୍କୁ ସବୁପ୍ରକାର ମୌଳିକ ସୁବିଧା ତଥା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କୋଭିଡ଼-19 ମହାମାରୀ ଯୋଗୁ ଏବେ ସମସ୍ତ ପ୍ରକାର ନୀତି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ଯାହାକି ଏକ ବିଶେଷ ଚାଲେଞ୍ଜ୍‌ ସୃଷ୍ଟି କରିଛି ।

ମାଳଦ୍ୱୀପରୁ ସ୍ଥାନାନ୍ତରୀତ ଲୋକମାନଙ୍କୁ ପ୍ରଥମେ କେରଳର କୋଚିଠାରେ ପହଞ୍ଚାଯିବ । ସେମାନେ ଜାହାଜରୁ ଅବତରଣ କରିବା କରେ ସେମାନଙ୍କୁ ରାଜ୍ୟ ପ୍ରଶାସନଙ୍କ ଜିମାରେ ଦିଆଯିବ । ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ସ୍ୱରାଷ୍ଟ୍ର ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ଏକାଧିକ ଏଜେନନ୍ସିଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷାପୂର୍ବକ ଏହି କାର୍ଯ୍ୟକ୍ରମ ସଂପାଦନ କରାଯାଉଛି ।

 

**********



(Release ID: 1621674) Visitor Counter : 198