ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

‘ଲାଇଫ୍‌ ଲାଇନ ଉଡ଼ାଣ’ ମାଧ୍ୟମରେ 430 ଥର ବିମାନ ଉଡ଼ାଣ

Posted On: 03 MAY 2020 4:47PM by PIB Bhubaneshwar

ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁ ସେନା (ଆଇଏଏଫ) ଏବଂ ଘରୋଇ କ୍ୟାରିଅରମାନଙ୍କ ଦ୍ୱାରା ଲାଇଫ୍‌ ଲାଇନ୍‌ ଉଡ଼ାଣ କାର୍ଯ୍ୟକ୍ରମ ମାଧ୍ୟମରେ 430 ଥର ବିମାନ ଉଡ଼ାଣ କରାଯାଇଛି । ଏଥି ମଧ୍ୟରୁ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ପକ୍ଷରୁ 252 ଥର ସେହିଭଳି ବିମାନ ଉଡ଼ାଣ କରାଯାଇଛି । ଆଜି ସୁଦ୍ଧା ଲାଇଫ୍‌ ଲାଇନ୍‌ ଦ୍ୱାରା ମୋର 795.86 ଟନ୍‌ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଯାଇଛି । ସେହି ସମୟ ମଧ୍ୟରେ ଏହି ବିମାନଗୁଡ଼ିକ ମୋଟ 4,21,790 କିଲୋମିଟର ଆକାଶପଥ ଯାତ୍ରା କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତୟଣାଳୟ ପକ୍ଷରୁ ଏଭଳି ଲାଇଫ୍‌ ଲାଇନ୍‌ ଉଡ଼ାଣକାର୍ଯ୍ୟକ୍ରମ ସଂପାଦନ କରାଯାଉଛି ଏବଂ କୋଭିଡ଼-19 ମହାମାରୀ ବିରୋଧରେ ଦେଶବ୍ୟାପୀ ଜାରି ସଂଗ୍ରାମରେ ସହଯୋଗ କରିବା ନିମନ୍ତେ ଦେଶର ଦୁର୍ଗମତମ ସ୍ଥାନରେ ମେଡ଼ିକାଲ ଉପକରଣ ଏବଂ ଔଷଧପତ୍ର ପହଞ୍ଚାଯାଉଛି ।

ପବନ ହଂସ ଲିମିଟେଡ଼ ସମେତ ହେଲିକପ୍ଟର ସେବାକୁ ମଧ୍ୟ ଜମ୍ମୁ ଓ କଶ୍ମୀର, ଲଦାଖ, ଦ୍ୱୀପାଞ୍ଚଳ କ୍ଷେତ୍ର ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ କାର୍ଯ୍ୟକାରୀ କରାଯାଉଛି ଏବଂ ସେଥିରେ ଅତି ଜରୁରି ମେଡ଼ିକାଲ ସାମଗ୍ରୀ ତଥା ରୋଗୀମାନଙ୍କୁ ପରିବହନ କରାଯାଉଛି । ପବନ ହଂସ ମେ 2, 2020 ଠାରୁ ଅଦ୍ୟାବଧି  7,729 କିଲୋମିଟର ଆକାଶ ପଥ ଯାତ୍ରା କରି 2.27 ଟନ୍‌ ମାଲ ବିଭିନ୍ନ ସ୍ଥାନରେ ପହଞ୍ଚାଇଛି । ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର, ଦ୍ୱୀପପୁଞ୍ଜ କ୍ଷେତ୍ର ଏବଂ ପାର୍ବତ୍ୟ କ୍ଷେତ୍ର ପ୍ରତି ଏଥିରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଏୟାର ଇଣ୍ଡିଆ ଏବଂ ଭାରତୀୟ ବାୟୁ ସେନା ମିଳିତ ଭାବେ ମୁଖ୍ୟତଃ ଜାମ୍ମୁ ଏବଂ କାଶ୍ମୀର, ଲଦାଖ, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଅନ୍ୟାନ୍ୟ ଦ୍ୱୀପପୁଞ୍ଜ କ୍ଷେତ୍ରରେ ମେଡ଼ିକାଲ ସାମଗ୍ରୀ ପହଞ୍ଚାଇବା ଦାୟିତ୍ୱ ବହନ କରିଛନ୍ତି ।

ଘରୋଇ ମାଲ ପରିବହନକାରୀ ବିମାନ ସଂସ୍ଥା ଯଥା, ସ୍ପାଇସ୍‌ ଜେଟ୍‌, ବ୍ଲୁ ଡାର୍ଟ, ଇଣ୍ଡିଗୋ ଏବଂ ବିସ୍ତାରା ମେଡ଼ିକାଲ୍‌ ସାମଗ୍ରୀ ଭଳି ମାଲ ବ୍ୟବସାୟିକ ଭିତ୍ତିରେ ପରିବହନ କରୁଛନ୍ତି । ସ୍ପାଇସ୍‌ ଜେଟ୍‌ 760 ଥର ବିମାନ ଯାତ୍ରା ମାଧ୍ୟମରେ ମାର୍ଚ୍ଚ 24 ତାରିଖ ଠାରୁ ମେ 2, 2020 ପର୍ଯ୍ୟନ୍ତ ମୋଟ 13,09,310 କିଲୋମିଟର ଆକାଶପଥ ଯାତ୍ରା କରି 5,519 ଟନ୍‌ କାର୍ଗୋ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛି । ସେଥି ମଧ୍ୟରୁ 279ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ବିମାନ ପରିଚାଳନା । ବ୍ଲୁ ଡାର୍ଟ ମାର୍ଚ୍ଚ 25 ତାରିଖ ଠାରୁ ମେ 2, 2020 ମଧ୍ୟରେ 253 ଥର ବିମାନ ଚଳାଇ ମୋଟ 2, 76, 768 କିଲୋମିଟର ଆକାଶ ପଥ ଯାତ୍ରା କରି 4,364 ଟନ୍‌ କାର୍ଗୋ ପରିବହନ କରିଛି । ସେଥି ମଧ୍ୟରେ 12ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ପରିବହନ ଯାତ୍ରା ସାମିଲ । ସେହିଭଳି ଇଣ୍ଡିଗୋ ପକ୍ଷରୁ ଅପ୍ରେଲ 3 ଠାରୁ ମେ 2, 2020 ତାରିଖ ମଧ୍ୟରେ 87 ଥର ଉଡ଼ାଣ ମାଧ୍ୟମରେ 1,43,604 କିଲୋମିଟର ଆକାଶ ପଥ ଯାତ୍ରା ମାଧ୍ୟମରେ 423 ଟନ୍‌ କାର୍ଗୋ ପରିବହନ କରାଯାଇଛି ଏବଂ ସେଥିରେ 32 ଥର ଅନ୍ତରାଷ୍ଟ୍ରୀୟ ଉଡ଼ାଣ ସାମିଲ । ଏଥିରେ ମେଡ଼ିକାଲ ସାମଗ୍ରୀ ପରିବହନ ମାଗଣାରେ ସରକାରଙ୍କ ପାଇଁ ସଂପାଦନ କରାଯାଇଛି । ବିସ୍ତାରା ଅପ୍ରେଲ 19 ଠାରୁ ମେ 2, 2020 ତାରିଖ ମଧ୍ୟରେ 20ଟି କାର୍ଗୋ ପରିବହନ ଯାତ୍ରା ମାଧ୍ୟମରେ 28,590 କିଲୋମିଟର ଆକାଶପଥ ଅତିକ୍ରମ କରି ମୋଟ 139 ଟନ୍‌ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଛି ।

ପୂର୍ବ ଏସିଆରୁ ଔଷଧ ସାମଗ୍ରୀ, ମେଡ଼ିକାଲ ଉପକରଣ ଏବଂ କୋଭିଡ଼-19 ରିଲିଫ୍‌ ସାମଗ୍ରୀ ପରିବହନ ସକାଣେ ଏକ କାର୍ଗୋ ଏୟାର ବ୍ରିଜ୍‌ ସ୍ଥାପନ କରାଯାଇଥିଲା । ଏହା ଦ୍ୱାରା ପୂର୍ବ ଏସିଆରୁ ଏୟାର ଇଣ୍ଡିଆ ଦ୍ୱାରା ମୋଟ 899 ଟନ୍‌ ମେଡ଼ିକାଲ୍‌ ସାମଗ୍ରୀ ଭାରତକୁ ତୁରନ୍ତ ପରିବହନ କରାଯାଇପାରିଛି ।

ଏହା ବ୍ୟତୀତ ବ୍ଲୁ ଡାର୍ଟ ଅପ୍ରେଲ 14 ଠାରୁ ମେ 2, 2020 ମଧ୍ୟରେ ଚୀନର ଗୁଆଙ୍ଗଝାଉ ଏବଂ ସାଙ୍ଘାଇରୁ 114 ଟନ୍‌ର ମେଡ଼ିକାଲ ଉପକରଣ ଦେଶକୁ ପରିବହନ କରିଛି । ସେହିଭଳି ସ୍ପାଇସ୍‌ ଜେଟ୍‌ ପକ୍ଷରୁ ମେ 2, 2020 ପର୍ଯ୍ୟନ୍ତ ସାଂଙ୍ଘାଇ ଏବଂ ଗୁଆଙ୍ଗଝାଉରୁ ମୋଟ 204 ଟନର ମେଡ଼ିକାଲ ସାମଗ୍ରୀ ଏବଂ ହଂକଂ ଓ ସିଙ୍ଗାପୁରରୁ ମେ 2, 2020 ତାରିଖ ସୁଦ୍ଧା 16 ଟନ୍‌ ମେଡ଼ିକାଲ ଉପକରଣ ଓ ଔଷଧ ପରିବହନ କରାଯାଇଛି ।

 

**********

 



(Release ID: 1620787) Visitor Counter : 213