ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୃଷି କ୍ଷେତ୍ରର ଉନ୍ନତି ଲାଗି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
Posted On:
02 MAY 2020 3:37PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି କ୍ଷେତ୍ରର ବିଭିନ୍ନ ସମସ୍ୟା ଏବଂ ଏଥିରେ ଆବଶ୍ୟକ ସୁଧାର ଆଣିବା ଲାଗି ବିଚାରବିମର୍ଷ କରିବା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ କୃଷି ବିପଣନ, କୃଷି ଉତ୍ପାଦର ପରିଚାଳନା, କୃଷକ ନିକଟରେ ସଂସ୍ଥାଗତ ଋଣ ପହଞ୍ଚିବାରେ ସୁଧାର ଏବଂ କୃଷି କ୍ଷେତ୍ରକୁ ବିଭିନ୍ନ ପ୍ରତିବନ୍ଧକରୁ ମୁକ୍ତ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା ।
କୃଷିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବର୍ତ୍ତମାନର ବିପଣନ ବ୍ୟବସ୍ଥାରେ ଆବଶ୍ୟକ ସଂସ୍କାର ଆଣିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା । କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ରିହାତି ଋଣ ପ୍ରବାହ, ପିଏମ-କିଷାନ ହିତାଧିକାରୀଙ୍କୁ ସ୍ଵତନ୍ତ୍ର କିଷାନ କ୍ରେଡିଟ କାର୍ଡ ପ୍ରଦାନ କରିବା ଲାଗି ସାଚୁରେସନ ଡ୍ରାଇଭ ଏବଂ କୃଷି ଉତ୍ପାଦର ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ପରିବହନ ଓ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଇ-କମର୍ସ ବ୍ୟବସ୍ଥାକୁ ସକ୍ଷମ କରିବା ଲାଗି ଇ-ନାମ ପ୍ଲାଟଫର୍ମର ସଫଳ ପ୍ରୟୋଗ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଥିଲା ।
ଦେଶରେ କୃଷି ଭିତ୍ତିକ ଅର୍ଥନୀତିରେ ପୁଞ୍ଜି ଏବଂ ପ୍ରଯୁକ୍ତିର ଗୁରୁତ୍ଵ ବୃଦ୍ଧି କରିବା ଲାଗି ଏକ ସାଧାରଣ ବୈଧାନିକ ଢାଞ୍ଚା ପ୍ରସ୍ତୁତି କରିବାର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା । ଉତ୍ପାଦନ ବୃଦ୍ଧି କରିବା ଲାଗି ଜୈବ ପ୍ରଯୁକ୍ତି ବିକାଶର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ ପାଇଥିଲା । ଅମଳ ପରବର୍ତ୍ତୀ କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି କିପରି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମକୁ ବର୍ତ୍ତମାନ ସମୟର ଅନୁରୂପ କରିହେବ ସେ ନେଇ ବିଚାରବିମର୍ଷ ହୋଇଥିଲା । କୃଷି କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୟୋଗ ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା କୃଷକକୁ ଉପଯୁକ୍ତ ଲାଭ ପ୍ରଦାନ କରିବାରେ ସହାୟକ ହୋଇଥାଏ । ପ୍ରଯୁକ୍ତି ଓ ଜ୍ଞାନ କୌଶଳ ଯେପରି ଅନ୍ତିମ ବ୍ୟକ୍ତି ପାଖରେ ପହଞ୍ଚି ପାରିବ ଏବଂ ଆମ କୃଷକମାନେ ଆନ୍ତର୍ଜାତିକ ମୂଲ୍ୟ ଶୃଙ୍ଖଳରେ ନିଜର ଗୁରୁତ୍ଵ ବୃଦ୍ଧି କରିପାରିବେ ସେନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ ।
କୃଷି ଅର୍ଥବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଲାଗି ଏଫପିଓମାନଙ୍କୁ ସଶକ୍ତ କରିବା, କୃଷି ବାଣିଜ୍ୟରେ ସ୍ଵଚ୍ଛତା ଆଣିବା ଏବଂ କୃଷକକୁ ଅଧିକ ଲାଭ ପ୍ରଦାନ କରିବା ଆଦି ଉପରେ ସମୀକ୍ଷା ହୋଇଥିଲା ।
**********
(Release ID: 1620458)
Visitor Counter : 147
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam