ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଭାରତୀୟ ଶିଳ୍ପ ବାଣିଜ୍ୟ ମହାସଂଘ ପ୍ରତିନିଧିଙ୍କ ସହ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଶ୍ରୀମତୀ ବାଦଲଙ୍କ ଆଲୋଚନା
                    
                    
                        •	ଚାଷୀଙ୍କ କଲ୍ୟାଣ ପାଇଁ ଖାଦ୍ୟ ଶସ୍ୟ, ଫଳ ଓ ପନିପରିବା ସଂଗ୍ରହ କରିବାକୁ ପରାମର୍ଶ
                    
                
                
                    Posted On:
                29 APR 2020 10:56AM by PIB Bhubaneshwar
                
                
                
                
                
                
                କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ ବୁଧବାର ଏକ ଭିଡିଓ କନଫରେନ୍ସରେ ଭାରତୀୟ ଶିଳ୍ପ ବାଣିଜ୍ୟ ମହାସଂଘ (ଫିକି) ର କର୍ମକର୍ତ୍ତା ଓ କେତେକ ପ୍ରମୁଖ ଉଦ୍ୟୋଗଙ୍କ ସହ ସାଂପ୍ରତିକ କରୋନା ପରିସ୍ଥିତି ଘେନି ଆଲୋଚନା କରିଛନ୍ତି  । ଲକଡାଉନ କାଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଶ୍ରୀମତୀ କୌର ପଚାରି ବୁଝିବା ସହ ପରିସ୍ଥିତି ସ୍ୱାଭାବିକ ହେବାପରେ ଏହି ଉଦ୍ୟୋଗର କର୍ମପନ୍ଥା ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଏବେ ଗହମ, ଧାନ, ଡାଲି ଓ ତୈଳଜୀବ ଜାତୀୟ ରବି ଫସଲ ଅମଳ ହେଉଛି । ଏଥର ଏହି ଫସଲ ଖୁବ ଭଳ ହୋଇଥିବାବେଳେ ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ ଆଶାତୀତ ରହିଛି । କରୋନା କଟକଣା ଜନିତ ଏହି ସଂକଟକାଳରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଚାଷୀଙ୍କ କଲ୍ୟାଣ ଦୃଷ୍ଟିରୁ ଏସବୁ କୃଷିଜାତ ଦ୍ରବ୍ୟ ସଂଗ୍ରହ କରି ତାହାର ପ୍ରକ୍ରିୟାକରଣ ପୁରାଦମରେ କରିବାକୁ ସେ ପରାମର୍ଶ ଦେଇଛନ୍ତି ।  ସେ କହିଛନ୍ତି ଯେ, କୃଷିଜାତ ଦ୍ରବ୍ୟ ସଂଗ୍ରହ, ଅମଳ, ପରିବହନ ଓ ବିକ୍ରିବଟା ଉପରେ ଏବେ କଟକଣା ନାହିଁ । ତେଣୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖାଦ୍ୟ ପକ୍ରିୟାକରଣ ଉଦ୍ୟୋଗ ଏସବୁ ସାମଗ୍ରୀ ନିଜର ବ୍ୟବସାୟ ପାଇଁ ଅଧିକରୁ ଅଧିକ ସଂଗ୍ରହ କରିବା ଉଚିତ୍ । ଫଳ, ପନିପରିବା ଭଳି ପଚନଶୀଳ ସାମଗ୍ରୀର ସଂଗ୍ରହ ଏବଂ  ବିକ୍ରିବଟା ବିଳମ୍ବିତ ହେଲେ ସେଗୁଡିକ ନଷ୍ଟ ହୋଇଯିବ ତେଣୁ ସେଗୁଡିକୁ ଅଗ୍ରୀମ ସଂଗ୍ରହ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ଉଦ୍ୟୋଗର ପ୍ରତିନିଧିମାନେ କେତେକ ପ୍ରସଙ୍ଗ ଉତଥାନ କରି ସେଥିରେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ପ୍ରତିନିଧିମାନେ କହିଥିଲେ ଯେ, କୋଭିଡ କଣ୍ଟେନମେଣ୍ଟ ଅଞ୍ଚଳରୁ କୃଷିଜାତ ସାମଗ୍ରୀ ସଂଗ୍ରହ ପାଇଁ ଅସୁବିଧା ହେଉଥିବାରୁ ଏକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରଣାଳୀର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟସ୍ତରରେ ଉତ୍ସର୍ଗୀକୃତ ଭାବେ କାମ କରିବାକୁ  ନୋଡାଲ ଅଫିସର ନିଯୁକ୍ତି, ଶ୍ରମିକମାନଙ୍କ ପାଇଁ ଅନୁମତିପତ୍ର ଏବଂ ପରିବହନ ନିମନ୍ତେ ସ୍ୱତନ୍ତ୍ର ପରିମିଟ ବ୍ୟବସ୍ଥା କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରୀ ଶ୍ରୀମତୀ କୌର ଆବଶ୍ୟକତା ପୂରଣ କରିବାକୁ ପଦକ୍ଷେପ ନେବେ ବୋଲି କହିଥିଲେ । କଣ୍ଟେନମେଣ୍ଟ ଜୋନରେ ଥିବା ଶିଳ୍ପରେ 60 ରୁ 75 ଶତାଂଶ ଶ୍ରମିକ କର୍ମଚାରୀଙ୍କୁ କାମ କରିବାକୁ ଅନୁମତି ଦେବା ସହ ଶ୍ରମିକଙ୍କ ସୁରକ୍ଷା ଏବଂ ପ୍ରଭାବିତ ଉଦ୍ୟୋଗଗୁଡିକର ପୁନରୁଦ୍ଧାର ପାଇଁ ଖୁବଶୀଘ୍ର ନିର୍ଦ୍ଦେଶାବଳୀ ଜାରିକରିବା ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହି ଉଦ୍ୟୋଗର ସମସ୍ୟାବଳୀ ସଂପର୍କରେ ପୁଙ୍ଖାନୁପୁନଙ୍ଖ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ  । 
ମହାସଂଘର ପ୍ରତିନିଧିମାନେ କହିଥିଲେ ଯେ ଘରୋଇ ଉପଭୋକ୍ତାଙ୍କ ଚାହିଦା କ୍ରମଶଃ ବଢୁଥିବାରୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ସ୍ଥିତି ଖୁବ୍ ଶୀଘ୍ର ବଦଳିବା ସମ୍ଭାବନା ଅଧିକ । ଏଥିସହିତ ଖୁବ୍ ଶୀଘ୍ର ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବାନେଇ ସେମାନେ ଆଶା ପ୍ରକାଶ କରିଥିଲେ । 
ମନ୍ତ୍ରଣାଳୟ ସଚିବ ଶ୍ରୀମତୀ ପୁଷ୍ପ ସୁବ୍ରମନ୍ୟମ କହିଥିଲେ ଯେ, ଏହି ଉଦ୍ୟୋଗର କେତେକ ସମସ୍ୟା ସଂପର୍କରେ ସରକାର ଅବଗତ । କରୋନା ପ୍ରଭାବରେ ଯେଉଁ ନୂଆ ସମସ୍ୟା ଦେଖାଦେଇଛି ତାହାର ସମାଧାନ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଚାଲିଛି । ଯୋଗାଣ ବ୍ୟବସ୍ଥାକୁ ଏହି ଜଟିଳ ସମୟରେ ସକ୍ରିୟ ରଖିଥିବାରୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ସହଯୋଗକୁ ସେ ପ୍ରଶଂସା କରିଥିଲେ । ବିଭିନ୍ନ ଦରକାରୀ ଜିନିଷ ପାଇବା, ଗୋଦାମଘର ସୁବିଧା, ଶ୍ରମିକଙ୍କ ଯିବା ଆସିବା, ଯାନବାହାନ ଚଳାଚଳ ଭଳି ଯେଉଁ ସବୁ ସମସ୍ୟା ରହିଛି ସେ ସଂପର୍କରେ ଉଦ୍ଦିଷ୍ଟ ଆପତ୍ତି ଅଭିଯୋଗ ପ୍ରତ୍ୟକ୍ଷରେ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ ।  ଏହି  ଉଦ୍ୟୋଗରେ କିପରି ଅଧିକ ଲୋକଶକ୍ତି ବିନିଯୋଗ ହୋଇପାରିବ ତାହାର ଏକ ଆଦର୍ଶ ଢାଂଚା ପ୍ରସ୍ତୁତ କରିଦେବାକୁ ସେ ମହାସଂଘର ସଦସ୍ୟଙ୍କୁ କହିଥିଲେ । 
ଏହି ସମ୍ମିଳନୀରେ ମହାସଂଘର ମହାସଚିବ ଦିଲ୍ଲୀପ ଚେନୟ, ଫିକି ଖାଦ୍ୟ ପ୍ରକ୍ରିୟାକରଣ  କମିଟିର ଅଧ୍ୟକ୍ଷ ତଥା ଆଇଟିସି ସିଇଓ ହେମନ୍ତ  ମଲିକ, କାରଗିଲ ଇଣ୍ଡିଆର ଅଧ୍ୟକ୍ଷ ଟି କୃଷ୍ଣକୁମାର, କୋକୋକଲାର ଅଧ୍ୟକ୍ଷ ମୋହିତ ଆନନ୍ଦ, କେଲଗ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଦୀପକ ଆୟାର ପ୍ରମୁଖ ଭାଗନେଇ ବିଭିନ୍ନ ପ୍ରସ୍ତାବ ରଖିଥିଲେ । 
ମନ୍ତ୍ରୀ ଶ୍ରୀମତୀ କୌର କହିଥିଲେ ଯେ, ଏହି ଉଦ୍ୟୋଗର ପୁନରୁଦ୍ଧାର ଓ ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ  ଯୋଗାଇ ଦେବେ । ନିରନ୍ତର ମନ୍ତ୍ରଣାଳୟ ସହ ଯୋଗାଯୋଗ ରକ୍ଷା କରିବାକୁ ସେ କର୍ମକର୍ତ୍ତା ଓ ଶିଳ୍ପପତିମାନଙ୍କୁ ପରାମର୍ଶ ଦେଇଥିଲେ । 
 
**********
           
                
                
                
                
                
                (Release ID: 1619358)
                Visitor Counter : 203
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Malayalam