ରେଳ ମନ୍ତ୍ରଣାଳୟ

22 ଏପ୍ରିଲ, 2020ରେ 112ଟି ରେକ ଜରିଆରେ 3.13 ଲକ୍ଷ ଟନ ଖାଦ୍ୟଶସ୍ୟ ଲଦି ରେକର୍ଡ କଲା ଭାରତୀୟ ରେଳପଥ

ପୋଷ୍ଟ କରାଯିବା ଦିନାଙ୍କ: 23 APR 2020 4:20PM by PIB Bhubaneswar

କୋଭିଡ-19 ଯୋଗୁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ ସମୟରେ ନିଜର ମାଲ ପରିବହନ ସେବା ମାଧ୍ୟମରେ ଖାଦ୍ୟଶସ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଭାରତୀୟ ରେଳପଥ ଲଗାତାର ପ୍ରୟାସ ଜାରି ରଖିଛି

ପ୍ରତ୍ୟେକ ଭାରତବାସୀଙ୍କ ରୋଷେଇ ଘରେ ସ୍ବାଭାବିକ ଭାବେ ଖାଦ୍ୟପ୍ରସ୍ତୁତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ଭାରତୀୟ ରେଳପଥ କେବଳ 22 ଏପ୍ରିଲ 2020ରେ ଗୋଟିଏ ଦିନରେ 112ଟି ରେକ ଜରିଆରେ ପାଖାପାଖି 3.13 ଲକ୍ଷ ଟନ ଖାଦ୍ୟଶସ୍ୟ ଲଦି ରେକର୍ଡ କରିପାରିଛି ପୂର୍ବରୁ ସର୍ବାଧିକ ଖାଦ୍ୟ ଶସ୍ୟ ଲଦିବାର ରେକର୍ଡ ଭାରତୀୟ ରେଳପଥ 9 ଏପ୍ରିଲ 2020ରେ କରିଥିଲା। ଏହି ସମୟରେ 92ଟି ରେକରେ ପ୍ରାୟ 2.57 ଲକ୍ଷ ଟନ ଖାଦ୍ୟଶସ୍ୟ ଲଦା ଯାଇଥିଲା। ଏଥିପୂର୍ବରୁ 18 ଏପ୍ରିଲ 2020ରେ 89ଟି ରେକରେ 2.49 ଲକ୍ଷ ଟନ ଖାଦ୍ୟଶସ୍ୟ ଲଦାଯିବାର ରେକର୍ଡ ହୋଇଥିଲା।

ଭାରତୀୟ ରେଳପଥ 01.01.2020 ଠାରୁ 22.04.2020 ମଧ୍ୟରେ ମୋଟ 4.58 ମିଲିୟନ ଟନ ଖାଦ୍ୟଶସ୍ୟ ଲଦି ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିଛି। ଗତ ବର୍ଷ ଏହି ଅବଧି ସମୟରେ 1.82 ମିଲିୟନ ଟନ ଖାଦ୍ୟଶସ୍ୟ ଲଦି ପରିବହନ କରାଯାଇଥିଲା।

ଦେଶବ୍ୟାପୀ ଲକଡାଉନ ଚାଲିଥିବା ସମୟରେ ଠିକ ସମୟରେ ଖାଦ୍ୟଶସ୍ୟ ଭଳି କୃଷି ଉତ୍ପାଦ ପରିବହନ ଏବଂ ଯୋଗାଣ ସୁନିଶ୍ଚିତ କରିବା ଲାଗି ରେଳପଥ ପକ୍ଷରୁ ଉଦ୍ୟମ କରାଯାଉଛି। ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲଦିବା, ପରିବହନ କରିବା ଓ ଯୋଗାଣ କରିବା କାର୍ଯ୍ୟ ଖୁବ ଜୋରସୋରରେ ଚାଲିଛି। କୃଷି ମନ୍ତ୍ରଣାଳୟ ସହିତ ନିବିଡ଼ ସହଯୋଗରେ ଏହି କାର୍ଯ୍ୟ କରାଯାଉଛି।

**********


(ରିଲିଜ ଆଡି: 1617641) ପରିଦର୍ଶକ କାଉଣ୍ଟର : 287