ଅର୍ଥ ମନ୍ତ୍ରଣାଳୟ

କୋଭିଡ-19 ଲକଡାଉନ ସମୟରେ ପିଏଫଏମଏସ ଜରିଆରେ 36,659 କୋଟି ଟଙ୍କାର ସହାୟତା

• ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି) ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇଲେ 16.01 କୋଟି ହିତାଧିକାରୀ
• ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଘୋଷିତ ନଗଦ ଲାଭ ମଧ୍ୟ ଡିବିଟି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ହସ୍ତାନ୍ତରିତ
• ଡିବିଟି ଅର୍ଥ ପଇଠ ଲାଗି ପିଏଫଏମଏସର ଉପଯୋଗ ଗତ ତିନି ବର୍ଷ ତୁଳନାରେ ସର୍ବାଧିକ ସ୍ତରକୁ ବୃଦ୍ଧି
• ମୋଟ ଡିବିଟି କାରବାର 2018-19 ଆର୍ଥିକ ବର୍ଷରେ 22%ରୁ ବୃଦ୍ଧି ପାଇ 2019-20 ଆର୍ଥିକ ବର୍ଷରେ 45%କୁ ବୃଦ୍ଧି
• ଡିବିଟି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର ସୁନିଶ୍ଚିତ କଲା, ବାଟମାରଣା ଦୂର ହେବା ସହ ସ୍ୱଚ୍ଛତାରେ ସୁଧାର

Posted On: 19 APR 2020 3:06PM by PIB Bhubaneshwar

ସମ୍ପ୍ରତି କୋଭିଡ-19 ମହାମାରୀ ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ସମୟରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫଏମଏସ) ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଉପଯୋଗ କରି ମୋଟ 36,659 କୋଟି ଟଙ୍କା ପ୍ରେରଣ କରାଯାଇଛି । ଏହାଦ୍ୱାରା ଦେଶର ମୋଟ 16.01 କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଅର୍ଥ ମନ୍ତ୍ରଣାଳୟର ଅର୍ଥ ବିଭାଗ ଅଧୀନ ମହାଲେଖା ନିୟନ୍ତ୍ରକ (ସିଜିଏ)ଙ୍କ ଆକାଉଣ୍ଟରୁ ଏହି ଅର୍ଥ ସ୍ଥାନାନ୍ତର କରାଯାଇଛି ।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଲାଭ ହସ୍ତାନ୍ତରିତ ହୋଇଛି, ଫଳରେ ବାଟମାରଣା ଦୂର ହେବା ସହ ସ୍ୱଚ୍ଛତାରେ ସୁଧାର ଆସିପାରିଛି ।

କେନ୍ଦ୍ରୀୟ ଯୋଜନା, କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ ରାଜ୍ୟଗୁଡ଼ିକୁ କେନ୍ଦ୍ରର ସହାୟତା ଯୋଜନା ଅଧୀନରେ ଡିବିଟି ଯୋଗେ ଅର୍ଥ ପଇଠ ଲାଗି ଅତ୍ୟାଧୁନିକ ଡିଜିଟାଲ ପେମେଣ୍ଟ ପ୍ରଯୁକ୍ତି ପିଏଫଏମଏସ ପଦ୍ଧତିର ଉପଯୋଗ କରାଯାଇଛି ।

ମୁଖ୍ୟ ବୈଶିଷ୍ଟ୍ୟ :

1.     କୋଭିଡ-19 ଲକଡାଉନ ସମୟରେ (24 ମାର୍ଚ୍ଚରୁ 17 ଏପ୍ରିଲ 2020 ମଧ୍ୟରେ) 16.01 କୋଟି ହିତାଧିକାରୀ (11.42 କୋଟି (କେନ୍ଦ୍ରୀୟ ଯୋଜନା/କେନ୍ଦ୍ର ପ୍ରାୟୋଜିତ ଯୋଜନା) + 4.59 କୋଟି (ରାଜ୍ୟଗୁଡ଼ିକୁ କେନ୍ଦ୍ର ସହାୟତା ଯୋଜନା)) ପିଏଫଏମଏସ ଜରିଆରେ ମୋଟ 36,659 କୋଟି ଟଙ୍କାରୁ ଊଦ୍ଧ୍ୱର୍ ପରିମାଣର ସହାୟତା ଡିବିଟି ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇଛନ୍ତି । ଏଥିମଧ୍ୟରୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନାରେ 27,442 କୋଟି ଟଙ୍କା ହସ୍ତାନ୍ତର କରାଯାଇଥିବା ବେଳେ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସହାୟତା ଯୋଜନାରେ 9717 କୋଟି ଟଙ୍କା ଜାରି କରାଯାଇଛି ।

2.     ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ ଘୋଷଣା କରାଯାଇଥିବା ନଗଦ ଲାଭ ମଧ୍ୟ ଡିବିଟି ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ 500 ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । 13 ଏପ୍ରିଲ 2020 ସୁଦ୍ଧା ମୋଟ ମୋଟ 19.86 କୋଟି ମହିଳା ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇଛନ୍ତି । ଅର୍ଥ ସେବା ବିଭାଗର ତଥ୍ୟ ଅନୁଯାୟୀ ବର୍ତ୍ତମାନସୁଦ୍ଧା ମୋଟ 9930 କୋଟି ଟଙ୍କା ହସ୍ତାନ୍ତର କରାଯାଇସାରିଛି ।

3.     ଡିବିଟି ପଇଠ ଲାଗି ପିଏଫଏମଏସର ଉପଯୋଗ ଗତ ତିନୋଟି ଆର୍ଥିକ ବର୍ଷରେ ସର୍ବାଧିକ ସ୍ତରରେ ପହଁଚିଛି । ସେହିପରି ମୋଟ ଡିବିଟି ଅର୍ଥ ପଇଠ ପରିମାଣ 2018-19 ଆର୍ଥିକ ବର୍ଷରେ 22% ଥିବା ସମୟରେ 2019-20 ଆର୍ଥିକ ବର୍ଷରେ 45%କୁ ବୃଦ୍ଧି ପାଇଛି ।

କୋଭିଡ-19 ଲକଡାଉନ ସମୟ (24 ମାର୍ଚ୍ଚରୁ 17 ଏପ୍ରିଲ 2020) ମଧ୍ୟରେ ପିଏଫଏମଏସର ଉପଯୋଗ କରି ଡିବିଟି ଜରିଆରେ ହସ୍ତାନ୍ତରିତ ହୋଇଥିବା ନଗଦ ଲାଭର ବିବରଣୀ ନିମ୍ନରେ ଦିଆଗଲା ।

1.     କୋଭିଡ-19 ଲକଡାଉନ ସମୟ ଅର୍ଥାତ, 24 ମାର୍ଚ୍ଚରୁ 17 ଏପ୍ରିଲ 2020ମଧ୍ୟରେ ସମସ୍ତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା/କେନ୍ଦ୍ର ପ୍ରାୟୋଜିତ ଯୋଜନା ଅଧୀନରେ ପିଏଫଏମଏସ ଜରିଆରେ ଡିବିଟି ପଇଠ ପରିମାଣ 27,442.08 କୋଟି ଟଙ୍କା ରହିଛି । ପ୍ରଧାନମନ୍ତ୍ରୀ କିସାନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଂଟି ଯୋଜନା (ଏମଏନଆରଇଜିଏସ), ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି), ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମଏମଭିୱାଇ), ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ), ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜାତୀୟ ବୃତି ପୋର୍ଟାଲ (ଏନଏସପି) ଜରିଆରେ ବିଭିନ୍ନ ମନ୍ତ୍ରଣାଳୟର ବୃତ୍ତି ଯୋଜନାରେ ଅନ୍ତର୍ଭୂକ୍ତ 11,42,02,592 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଉପରୋକ୍ତ ପରିମାଣର ଅର୍ଥ ହସ୍ତାନ୍ତର କରାଯାଇଛି ।

2.     ଉପରୋକ୍ତ ଯୋଜନା ଗୁଡ଼ିକ ବ୍ୟତୀତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳା ଜନ ଧନ ଯୋଜନା ହିତାଧିକାରୀମାନଙ୍କ ଆକାଉଣ୍ଟକୁ 500 ଟଙ୍କା ଲେଖାଏଁ ସହାୟତା ହସ୍ତାନ୍ତର କରାଯାଇଛି । 13 ଏପ୍ରିଲ 2020 ସୁଦ୍ଧା ଏହି ଯୋଜନାର 19.86 କୋଟି ହିତାଧିକାରୀଙ୍କୁ ମୋଟ 9,930 କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । (ଅର୍ଥ ସେବା ବିଭାଗର ତଥ୍ୟ)

3.     କୋଭିଡ-19 ସମୟରେ ଉତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତ୍ରିପୁରା, ମହାରାଷ୍ଟ୍ର, ଜମ୍ମୁ ଓ କଶ୍ମୀର, ଆନ୍ଧ୍ରପ୍ରଦେଶ ଭଳି କେତେକ ରାଜ୍ୟ ଡିବିଟିର ଉପଯୋଗ କରି ସେମାନଙ୍କ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର କରିଛନ୍ତି । ପିଏଫଏମଏସ ସୁବିଧାର ଉପଯୋଗ କରି ରାଜ୍ୟ ସରକାରଗୁଡ଼ିକ 180ଟି କଲ୍ୟାଣ ଯୋଜନାରେ 24 ମାର୍ଚ୍ଚରୁ 17 ଏପ୍ରିଲ 2020 ମଧ୍ୟରେ 4, 59,03,908 ହିତାଧିକାରୀଙ୍କ ଆକାଉଣ୍ଟକୁ 9,217.22 କୋଟି ଟଙ୍କାର ଆର୍ଥିକ ସହାୟତା ବଂଟନ କରିଛନ୍ତି ।

ଦଶଟି ଶୀର୍ଷ କେନ୍ଦ୍ର ପ୍ରାୟୋଜିତ ଯୋଜନା/କେନ୍ଦ୍ରୀୟ କ୍ଷେତ୍ର ଯୋଜନା ମଧ୍ୟରୁ ପିଏମ କିସାନ ଯୋଜନାରେ 8,43,79,326 ଜଣ ହିତାଧିକାରୀଙ୍କୁ 17,733.53 କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି । ସେହିପରି ଏମଜିଏନଆରଇଜିଏ ଯୋଜନାରେ  1,55,68,886 ଜଣ ହିତାଧିକାରୀଙ୍କୁ 5,406.09 କୋଟି ଟଙ୍କା, ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ ଯୋଜନାରେ 93,16,712 ଜଣ ହିତାଧିକାରୀଙ୍କୁ 999.49 କୋଟି ଟଙ୍କା, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ ଯୋଜନାରେ 12,37,925 ଜଣ ହିତାଧିକାରୀଙ୍କୁ 158.59 କୋଟି ଟଙ୍କା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜରିଆରେ 10,98,128 ଜଣ ହିତାଧିକାରୀଙ୍କୁ 280.80 କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ 7,58,153 ଜଣ ହିତାଧିକାରୀଙ୍କୁ 209.47 କୋଟି ଟଙ୍କା, ସଂଖ୍ୟାଲଘୁଙ୍କ ପାଇଁ ପ୍ରାକ ମାଟ୍ରିକ ବୃତ୍ତି ଯୋଜନାରେ 5,72,902 ଜଣ ହିତାଧିକାରୀଙ୍କୁ 159.86 କୋଟି ଟଙ୍କା, ଏନଏଫଏସଏ ଅଧୀନରେ ବିକେନ୍ଦ୍ରିକୃତ ଖାଦ୍ୟଶସ୍ୟ ସଂଗ୍ରହ ପାଇଁ ଖାଦ୍ୟ ସବସିଡି ଯୋଜନା ଅଧୀନରେ 2,91,250 ଜଣ ହିତାଧିକାରୀଙ୍କୁ 19.18 କୋଟି ଟଙ୍କା, ଇନ୍ଦିରା ଗାନ୍ଧୀ ଜାତୀୟ ଦିବ୍ୟାଙ୍ଗ ପେନସନ ଯୋଜନାରେ 2,39,707 ଜଣ ହିତାଧିକାରୀଙ୍କୁ 26.95 କୋଟି ଟଙ୍କା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ 2,23,987 ଜଣ ହିତାଧିକାରୀଙ୍କୁ 30.55 କୋଟି ଟଙ୍କା ପାଇଛନ୍ତି ।

ଗତ ତିନି ବର୍ଷ ମଧ୍ୟରେ ପିଏଫଏମଏସକୁ ଉପଯୋଗ କରି ଡିବିଟି କାରବାର ସର୍ବାଧିକ ସ୍ତରକୁ ବୃଦ୍ଧି ପାଇଛି ।  2017-18 ଆର୍ଥିକ ବର୍ଷ ତୁଳନାରେ 2018-19 ଆର୍ଥିକ ବର୍ଷରେ ଏହା 11% ବୃଦ୍ଧି ପାଇଥିବା ବେଳେ 2019-20 ଆର୍ଥିକ ବର୍ଷରେ ଏହା 48% ବୃଦ୍ଧି ପାଇଛି । ସେହିପରି ମୋଟ ଡିବିଟ ଅର୍ଥ ଆବଂଟନ ପରିମାଣ 2018-19 ଆର୍ଥିକ ବର୍ଷରେ 22% ଥିବା ସମୟରେ 2019-20ରେ ଏହା 45%କୁ ବୃଦ୍ଧି ପାଇଛି ।

 

**********



(Release ID: 1616150) Visitor Counter : 315