ରସାୟନ ଓ ସାର ମନ୍ତ୍ରଣାଳୟ

ଔଷଧ ଏବଂ ଫାର୍ମା ଉଦ୍ୟୋଗ ଓ ସଂଘର ପ୍ରତିନିଧିଙ୍କ ସହିତ ଭିଡିଓ କନଫରେନ୍ସ ଯୋଗେ କେନ୍ଦ୍ର ଔଷଧ ସଚିବଙ୍କ ଆଲୋଚନା


• ଯଥେଷ୍ଟ ପରିମାଣର ଔଷଧ ଏବଂ ଚିକିତ୍ସା ସରଞ୍ଜାମ ଉତ୍ପାଦନ ଓ ଉପଲବ୍ଧତା ସୁନିଶ୍ଚିତ କରାଯାଉଛି

Posted On: 13 APR 2020 7:05PM by PIB Bhubaneshwar

ଉଭୟ ଘରୋଇ ଏବଂ ରପ୍ତାନି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଔଷଧ ଉଦ୍ୟୋଗ ଯଥେଷ୍ଟ ପରିମାଣର ଜରୁରି ଔଷଧ ବିଶେଷ କରି ହାଇଡ୍ରୋକ୍ସି କ୍ଲୋରୋକୁଇନ ଉତ୍ପାଦନ କରୁଛନ୍ତି । ଏସବୁର ଉତ୍ପାଦନ ଏବଂ ସାରା ଦେଶରେ ଏହାର ପରିବହନକୁ ସୁନିଶ୍ଚିତ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରଶାସନ ସହିତ ମିଶି ଔଷଧ ବିଭାଗ ନିରନ୍ତର ପ୍ରୟାସ କରୁଛି । ଔଷଧ ବିଭାଗ ସଚିବ ଡ. ପି. ଡି ୱାଘେଲାଙ୍କ ସହିତ ଔଷଧ ଏବଂ ଚିକିତ୍ସା ସରଞ୍ଜାମ ଉଦ୍ୟୋଗର ପ୍ରତିନିଧିମାନଙ୍କ ସହିତ ଆଲୋଚନା ସମୟରେ ଏହା ଜଣାପଡ଼ିଛି । ଏହି ଭିଡିଓ କନଫରେନ୍ସରେ ବିଭାଗର ଯୁଗ୍ମ ସଚିବ ନବଦୀପ ରିନୱା ଏବଂ ବିଭିନ୍ନ ଔଷଧ ଓ ଡାକ୍ତରୀ ସରଞ୍ଜାମ ନିର୍ମାତା ସଂଘ ଯଥା ଆଇପିଏ, ଆଇଡିଏମ, ଓପ୍ପି, ବିଡିଏମଏ, ଏଆଇମେଡ, ଏମଟିଏଆଇ, ଫାର୍ମାଏକ୍ସିଲ, ସିଆଇଆଇ, ଫିକ୍କି ଓ ଅଲ ଇଣ୍ଡିଆ ଆସୋସିଏସନ ଅଫ କେମିଷ୍ଟ ଓ ଡ୍ରଗିଷ୍ଟର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଦେଶର ବିଭିନ୍ନ ସ୍ଥାନରେ ଔଷଧ ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ପ୍ରତିନିଧିମାନେ ସେମାନଙ୍କ ମତ ରଖିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ହସ୍ତକ୍ଷେପ ଫଳରେ ଅଧିକାଂଶ ସମସ୍ୟା ଦୂର ହୋଇଛି । ବିଶେଷ କରି ଉତ୍ତର ପୂର୍ବାଂଚଳକୁ ଔଷଧ ଯୋଗାଣ ସମସ୍ୟାର ସମାଧାନ ହୋଇଛି । ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ଉଦ୍ୟୋଗ ଜଗତ ଓ ରାଜ୍ୟଗୁଡ଼ିକ ସହିତ ବିଭାଗ ନିୟମିତ ସମ୍ପର୍କ ସ୍ଥାପନ କରୁଥିବା ସଚିବ ସୂଚନା ଦେଇଥିଲେ । ଯେକୌଣସି ସମସ୍ୟାର ସମାଧାନ ଯଥାଶୀଘ୍ର କରାଯିବ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଥିଲେ ।

ଏହି ସଙ୍କଟମୟ ପରିସ୍ଥିତିରେ ଔଷଧ ଉଦ୍ୟୋଗ ଭୋଗୁଥିବା ସମସ୍ୟାର ସମାଧାନ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ସମ୍ପର୍କରେ ପ୍ରତିନିଧିମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ମଧୁମେହ, କର୍କଟ ଏବଂ ଅନ୍ୟ ଜରୁରି ରୋଗର ଔଷଧ ବିତରଣ ନିମନ୍ତେ କୋରିୟର ସେବାକୁ ଜରୁରି ସେବା ମଧ୍ୟରେ ସାମିଲ କରିବା ନିମନ୍ତେ ସେମାନେ ପରାମର୍ଶ ଦେଇଥିଲେ । ଏହାଛଡ଼ା ଔଷଧ କ୍ଷେତ୍ର ସହିତ ଜଡ଼ିତ ଆନୁସଙ୍ଗିକ ସେବା ଓ ଉତ୍ପାଦଗୁଡ଼ିକର ସୁଗମ ଯୋଗାଣ ଉପରେ ଗୁରୁତ୍ୱ ଦେବା ଏବଂ ବିଭିନ୍ନ ବନ୍ଦରରେ ସେମାନେ ଭୋଗୁଥିବା ସମସ୍ୟାର ସମ୍ପର୍କରେ ପ୍ରତିନିଧିମାନେ ଉଲ୍ଲେଖ କରିଥିଲେ । ଲକଡାଉନ ସମୟରେ ସରକାରଙ୍କୁ ସହଯୋଗ କରିବା ସହିତ ଜରୁରି ଔଷଧ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ବିଭାଗୀୟ ସଚିବ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

**********

 



(Release ID: 1614160) Visitor Counter : 148