ଯୋଗାଯୋଗ ମନ୍ତ୍ରଣାଳୟ

ସ୍ପିଡ ପୋଷ୍ଟ ଜରିଆରେ ଔଷଧ ଯୋଗାଣ

Posted On: 13 APR 2020 6:49PM by PIB Bhubaneshwar

ଲକଡାଉନ ସମୟରେ ସ୍ପିଡ ପୋଷ୍ଟ ଜରିଆରେ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ଲାଗି ଡାକ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଂଚାର, ନ୍ୟାୟ ଓ ଆଇନ, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ । ଏକ ଟ୍ୱିଟ ଜରିଆରେ ସୂଚନା ଦେଇ ସଂଚାର ମନ୍ତ୍ରୀ ଶ୍ରୀ ପ୍ରସାଦ ଉଲ୍ଲେଖ କରିଛନ୍ତି ଯେ ଡାକ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଯାହାଫଳରେ ସେମାନେ ଔଷଧ ପଠାଇବା ଏବଂ ଗ୍ରହଣ କରିବାରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ସାରା ଦେଶରେ ଥିବା ସମଗ୍ର ପୋଷ୍ଟାଲ ନେଟୱର୍କକୁ ଏଥିପାଇଁ ସକ୍ରିୟ କରାଯାଇଛି । ଏହି ଉଦ୍ଦେଶ୍ୟ ଲାଗି ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଡାକ ପରିବହନ ଲାଗି ବ୍ୟବସ୍ଥା କରାଯାଇଛି । ଜରୁରି ଔଷଧ, କୋଭିଡ-19 ଟେଷ୍ଟିଂ କିଟ, ଚିକିତ୍ସା ସରଞ୍ଜାମକୁ ସଠିକ ଠିକଣାରେ ପହଁଚାଇବା ଲାଗି ନାଲି ରଙ୍ଗର ଡାକ ଭ୍ୟାନ ଏବଂ ସଡ଼କ ପରିବହନ ନେଟୱର୍କ ନିରନ୍ତର ସେବା ଯୋଗାଇ ଆସୁଛନ୍ତି । ବିଭିନ୍ନ ଔଷଧ ଉତ୍ପାଦକମାନଙ୍କ ସହିତ ମିଶି ଡାକ ବିଭାଗ ପକ୍ଷରୁ ଔଷଧ ଏବଂ ଚିକିତ୍ସା ସରଞ୍ଜାମର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରାଯାଉଛି । ଡାକ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଏଥିପାଇଁ ଦିନରାତିରେ କାର୍ଯ୍ୟ କରୁଛନ୍ତି ।

 

**********



(Release ID: 1614148) Visitor Counter : 155