ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ଉପରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ରାଜ୍ୟମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କଲେ ଡକ୍ଟର ହର୍ଷ ବର୍ଦ୍ଧନ

• କୋଭିଡ-19 ବିରୋଧରେ ସଂଗ୍ରାମ ଲାଗି ଭାରତର ଜନସାଧାରଣ ଦୃଢ଼ ସଂକଳ୍ପ ଗ୍ରହଣ କରିବା ସକାଶେ ମୋବାଇଲ୍‌ ଆପ୍‌ “ଆରୋଗ୍ୟ ସେତୁ”କୁ ପ୍ରୋତ୍ସାହିତ କରିବାକୁ ଦେଲେ ପରାମର୍ଶ
• କୋଭିଡ-19 ସଂକ୍ରମଣକୁ ନିୟନ୍ତ୍ରଣାଧୀନ ରଖିବା ସକାଶେ ରାଜ୍ୟମାନଙ୍କ ପ୍ରୟାସକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଶଂସା

Posted On: 10 APR 2020 7:18PM by PIB Bhubaneshwar

ବୈଶ୍ୱିକ ମହାମାରୀ କୋଭିଡ-19 ସଂକ୍ରମଣକୁ ରୋକିବା ଓ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ସକାଶେ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ର ସରକାରଙ୍କ ପ୍ରୟାସକୁ ମୁଁ ଭୂୟସୀ ପ୍ରଶଂସା କରୁଛିବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଆଜି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ/ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକରେ ଉଦବୋଧନ ଦେଇ ଡକ୍ଟର ହର୍ଷବର୍ଦ୍ଧନ ଏହା କହିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ  ଶ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ କୋଭିଡ-19 ମହାମାରୀକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କ ପ୍ରସ୍ତୁତି ଏବଂ ସେମାନେ ଏଯାବତ୍‌ ଗ୍ରହଣ କରିଥିବା କାର୍ଯ୍ୟପନ୍ଥା ସଂପର୍କରେ ସମୀକ୍ଷା କରାଯାଇଥିଲା ।

ଏହି ଭିଡ଼ିଓ କନଫରେନ୍ସିଂ ସମୀକ୍ଷା ବୈଠକରେ ଓଡ଼ିଶା ସମେତ ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, କେରଳ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ, ବିହାର, ତେଲଙ୍ଗାନା, ହରିଆଣା, ଆସାମ, ଚଣ୍ଡୀଗଡ଼, ଝାଡ଼ଖଣ୍ଡ, ଆଣ୍ଡାମାନ ଓ ନିକୋବର, ଛତିଶଗଡ଼, ମଣିପୁର, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, ତ୍ରିପୁରା, ସିକିମ, ନାଗାଲାଣ୍ଡ, ତାମିଲନାଡ଼ୁ ଏବଂ ଦାଦ୍ରା ଓ ନଗର ହାବେଳୀର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ମହାମାରୀ କରୋନା ବିରୋଧରେ ଲଢ଼େଇ ଏବେ ତିନି ମାସର ପୁରୁଣା ହୋଇଛି ଏବଂ ଏହାକୁ ପ୍ରତିରୋଧ , ନିୟନ୍ତ୍ରଣ ଓ ପରିଚାଳନା କରିବା ଦିଗରେ ସାରା ଦେଶ ଲଢ଼େଇ କରିଚାଲିଛି । କେନ୍ଦ୍ର ସରକାର ଅତି ଉଚ୍ଚ ସ୍ତରରେ ରାଜ୍ୟମାନଙ୍କ କାର୍ଯ୍ୟକ୍ରମକୁ ଅତି ସତର୍କତାର ସହ ମନିଟର କରୁଛନ୍ତି ।” ‘ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ କୋଭିଡ-19 ବିରୋଧରେ ଅନେକ ଆଗୁଆ, ସକାରାତ୍ମକ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି । ଏଭଳି ସମୟୋଚିତ ପଦକ୍ଷେପ ଗ୍ରହଣ ଆମକୁ ଉତ୍ପନ୍ନ ସ୍ଥିତିର ପରିଚାଳନା କରିବାରେ ସହାୟକ ହୋଇଛି ଏବଂ ଆଗକୁ ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲ କରିବା ନିମନ୍ତେ ରାଜ୍ୟମାନେ ପ୍ରସ୍ତୁତ ରହିବା ଆବଶ୍ୟକବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।

ଆଗାମୀ କେଇ ସପ୍ତାହ ସାରା ଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ, ଏହାଦ୍ୱାରା ଏହି ଜଟିଳ ମହାମାରୀର ସଂକ୍ରମଣ ଚେନକୁ ତୁଟାଇ ଦିଆଯାଇପାରିବ । ତେଣୁ ସାମାଜିକ ଦୂରତା ରକ୍ଷା ଓ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଯାହାକି ସେମାନଙ୍କୁ କୋଭିଡ- 19 ସଂକ୍ରମଣ ବିରୋଧରେ ଦୃଢ଼ ଓ ସାମୂହିକ ସଂଗ୍ରାମ କରିବାରେ ସହାୟକ ହେବ ତାହା ବଜାୟ ରଖିବା ଲାଗି ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ରାଜ୍ୟମାନେ ଅଧିକ ସଚେତନ ରହିବା ଆବଶ୍ୟକ ଯେ ଗର୍ଭବତୀ ମହିଳା, ଡାଏଲିସିସ୍‌ ହେଉଥିବା ରୋଗୀ ଏବଂ ଯେଉଁମାନେ ଥାଲାସେମିଆ ଭଳି ରୋଗରେ ଆକ୍ରାନ୍ତ ସେମାନଙ୍କର ଚିକିତ୍ସା/ଚିକିତ୍ସା ଆବଶ୍ୟକତା ପୂରଣ ଦିଗରେ ଯେପରି କୌଣସି ଅବହେଳା ନହୁଏ । ସେ ଆହ୍ୱାନ ଜଣାଇଥିଲେ ଯେ ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ରମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ଏବଂ ଏଥିପାଇଁ ମୋବାଇଲ୍‌ ୟୁନିଟ୍‌ ମାନଙ୍କ ଜରିଆରେ ରକ୍ତଦାନର ଆୟୋଜନ କରିବା ଉଚିତ ଯଦ୍ୱାରା କୌଣସି ପରିସ୍ଥିତିରେ ସୁଦ୍ଧା ରକ୍ତର ଅଭାବ ଯେଭଳି ଅନୁଭୂତ ହେବନାହିଁ ।

ଡକ୍ଟର ହର୍ଷବର୍ଦ୍ଧନ ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ସ୍ଥାପନ କରାଯାଇଥିବା ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ-19 ହସପିଟାଲର ସ୍ଥିତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ସେ କହିଲେ ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଉତ୍ସଗୀକୃତ କୋଭିଡ-19 ହସପିଟାଲ ସ୍ଥାପନର ଆବ୍ୟଶ୍ୟକତା ରହିଛି ଏବଂ ଏ ସଂପର୍କରେ ରାଜ୍ୟ ସରକାରମାନେ ଲୋକମାନଙ୍କୁ ବିଜ୍ଞପିତ କରିବା ଉଚିତ ଯାହା ଫଳରେ କି ସେମାନେ ଏ ସଂପର୍କରେ ଅଧିକ ତଥ୍ୟ ଜାଣି ପାରିବେ ।

ଡକ୍ଟର ହର୍ଷବର୍ଦ୍ଧନ ପ୍ରତ୍ୟେକ ରାଜ୍ୟର ପିପିଇ, ଏନ95 ମାସ୍କ, ଟେଷ୍ଟିଂ କିଟ୍‌, ଔଷଧ ଓ ଭେଣ୍ଟିଲେଟରର ଉପଲବ୍ଧତା ଓ ଆବଶ୍ୟକତା ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ ଏବଂ ସମସ୍ତଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେଯେ ଭାରତ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି ଯେ କୌଣସି ରାଜ୍ୟ ପାଇଁ ଯେଭଳି ଏଭଳି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଅଭାବ ନହୁଏ । ଏଥି ନିମନ୍ତେ ଏଭଳି ଜଟିଳ ଉପକରଣ କ୍ରୟ ସକାଶେ ସରକାର ଅର୍ଡ଼ର ଦେଇସାରିଛନ୍ତି । ସେ ସୂଚାଇଥିଲେ ଯେ ରାଜ୍ୟମାନଙ୍କ ଆଂଶିକ ଆବଶକ୍ୟକତା ବନାମ ସେମାନେ ଯେଉଁ ଆବଶ୍ୟକତା ଉପସ୍ଥାପନ କରିଛନ୍ତି ତାହା ପୂରଣ କରାଯାଉଛି । କେଉଁ ବର୍ଗର ସ୍ୱାସ୍ଥ୍ୟ କର୍ମୀ/ ପ୍ରଫେସନାଲ କେଉଁ କିଷମର ପିପିଇ ପିନ୍ଧିବେ ତାହାର ବିସ୍ତୃତ ଗାଇଡ଼ଲାଇନ ମନ୍ତ୍ରଣାଳୟର ୱେବସାଇଟ୍‌ (www.mohfw.gov.in)ରେ ଉପଲବ୍ଧ ରହିଛି । ରାଜ୍ୟମାନେ ସେସବୁ ସଂସାଧନର ଉପଯୁକ୍ତ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପୋଷଣ କରିଥିଲେ । ସେ କହିଲେ ଯେ ମୁହଁକୁ ଘୋଡ଼ାଇ ରଖିବା ନିମନ୍ତେ ଯେଉଁ ଗାଇଡ଼ଲାଇନ ରହିଛି ତାହା ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ ଓ ତାହାକୁ ଗୋଷ୍ଠୀମାନଙ୍କରେ ସଫଳତାର ସହ ଉପଯୋଗ କରାଯିବା ଆବଶ୍ୟକ । ପୁନଶ୍ଚ, ରାଜ୍ୟମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ସଫଳ କାର୍ଯ୍ୟାନୁଷ୍ଠାନ ସଂପର୍କରେ ନିଜର ମତ ରଖି ଡକ୍ଟର ହର୍ଷବଦ୍ଧନ କହିଲେ ଯେ ପ୍ରତ୍ୟେକ ରାଜ୍ୟ ଅନ୍ୟ ରାଜ୍ୟର ଶ୍ରେଷ୍ଠ କାର୍ଯ୍ୟାନ୍ୱୟନକୁ ଅନୁସରଣ କରିବା ଉଚିତ ।

ଆରୋଗ୍ୟ ସେତୁଆପକୁ ସମସ୍ତେ ଡାଉନଲୋଡ଼ କରି ଉପଯୋଗ କରିବା ଉଚିତ । କାରଣ ଏହାଦ୍ୱାରା ଲୋକମାନେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ କେତେ ରିସ୍କରେ ଅଛନ୍ତି ତାହା ଜାଣି ପାରିବେ । ଥରେ ତାହା ସ୍ମାର୍ଟ ଫୋନରେ ସ୍ଥାପନ ହୋଇଯିବା ପରେ ଏହି ଆପ୍‌ ସଂକ୍ରମଣର ରିସ୍କକୁ ଆକଳନ କରିବ ଯାହାକି ଅତ୍ୟାଧୁନିକ ପାରାମିଟରରେ ପ୍ରସ୍ତୁତ କରାଯାଇଛି ।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସୁଶ୍ରୀ ପ୍ରୀତି ସୁଦନ, ସ୍ୱତନ୍ତ୍ର ସଚିବ ଶ୍ରୀ ସଞ୍ଜୀବ କୁମାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

**********

 



(Release ID: 1613142) Visitor Counter : 219