ରେଳ ମନ୍ତ୍ରଣାଳୟ

ମାର୍ଚ୍ଚ 23ରୁ ରେଳବାଇ ଅତ୍ୟାବଶ୍ୟକୀୟ ଖାଦ୍ୟଦ୍ରବ୍ୟ ଭାବେ ଖାଦ୍ୟଶସ୍ୟ, ଲୁଣ, ଚିନି, ଖାଇବା ତେଲ, କୋଇଲା ଏବଂ ପେଟ୍ରୋଲିୟମ ଉତ୍ପାଦ ଆଦି 4.50 ଲକ୍ଷ ୱାଗନ ସମେତ ପ୍ରାୟ 6.75 ଲକ୍ଷ ୱାଗନ ସାମଗ୍ରୀ ପରିବହନ କରିଛି

• ଗତ ସପ୍ତାହରେ ବୋଝେଇ ହୋଇଥିବା 2.5 ଲକ୍ଷ ୱାଗନ ସାମଗ୍ରୀ ମଧ୍ୟରୁ 1.55 ଲକ୍ଷରୁ ଅଧିକ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ
• ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ କୃଷି, ସାର ଓ ରସାୟନ, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରଣାଳୟ ସହଯୋଗରେ କାର୍ଯ୍ୟ କରି ଭାରତୀୟ ରେଳବାଇ ଲକଡାଉନ୍ ସମୟରେ ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାରେ କ୍ରମାଗତ ଭାବେ କାର୍ଯ୍ୟ କରି ଚାଲିଛି

Posted On: 10 APR 2020 4:56PM by PIB Bhubaneshwar

ଦେଶରେ କୋଭିଡ-19ର ପ୍ରଭାବ ରୋକିବା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ୍ ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ କ୍ରମାଗତ ପ୍ରୟାସ ଜାରି ରଖି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଚାଲିଛି । କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ରେଳବାଇ ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ କୃଷି ଉତ୍ପାଦ ପରିବହନ ଦିଗରେ ମଧ୍ୟ କାର୍ଯ୍ୟ କରୁଛି ।

ମାର୍ଚ୍ଚ 23 ଠାରୁ ରେଳବାଇ ଅତ୍ୟାବଶ୍ୟକୀୟ ଖାଦ୍ୟଦ୍ରବ୍ୟ ଭାବେ ଖାଦ୍ୟଶସ୍ୟ, ଲୁଣ, ଚିନି, ଖାଇବା ତେଲ, କୋଇଲା ଏବଂ ପେଟ୍ରୋଲିୟମ ଉତ୍ପାଦ ଆଦି 4.50 ଲକ୍ଷ ୱାଗନ ସମେତ ପ୍ରାୟ 6.75 ଲକ୍ଷ ୱାଗନ ସାମଗ୍ରୀ ପରିବହନ କରିଛି । ଅପ୍ରେଲ 2 ରୁ 8ତାରିଖରେ ଶେଷ ହୋଇଥିବା ସପ୍ତାହରେ ରେଳବାଇ ମୋଟ 258503 ୱାଗନର ସାମଗ୍ରୀ ଯୋଗାଇ ଦେଇଥିଲା । ଯେଉଁଥିରେ 155512 ୱାଗନର ଅତ୍ୟାବଶ୍ୟକ ସାମଗ୍ରୀ ଥିଲା । ଏଥିମଧ୍ୟରେ 21247 ୱାଗନ ଖାଦ୍ୟଶସ୍ୟ, 11336 ୱାଗନ ସାର, 124759 ୱାଗନ କୋଇଲା ଏବଂ 77665 ୱାଗନ ପେଟ୍ରୋଲିୟମ ଉତ୍ପାଦ ଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର କୋଭିଡ-19 ମହାମାରୀ ବ୍ୟାପକତା ପରିପ୍ରେକ୍ଷୀରେ 21 ଦିନିଆ ଲକଡାଉନ୍ ସମୟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ପାଇଁ ନିୟମରେ କୋହଳ କରିଛନ୍ତି । ଯେପରି କୃଷି କାର୍ଯ୍ୟପାଇଁ କୃଷକମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ । ଅନ୍ୟପକ୍ଷରେ ଆଗାମୀ ଖରିଫ ଋତୁରେ କୃଷକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇ ଦେବାପାଇଁ କେନ୍ଦ୍ରସାର ଓ ରସାୟନ ମନ୍ତ୍ରଣାଳୟ ସମସ୍ତ ପ୍ରକାରର ପ୍ରୟାସ କରୁଛି । ରାଜ୍ୟ ସରକାର ଏବଂ ରେଳ ମନ୍ତ୍ରଣାଳୟ ସହିତ ଯୋଗାଯୋଗ ରକ୍ଷା କରି ସାର ଓ ରସାୟନ ମନ୍ତ୍ରଣାଳୟ ସାର ଉତ୍ପାଦନ, ପରିବହନ ଏବଂ ଉପଲବ୍ଧତାକୁ ଅନୁଧ୍ୟାନ କରୁଛି । କୋଭିଡ-19 ଲକଡାଉନ୍ ଜାରି ରହିଥିବା ପରିପ୍ରେକ୍ଷୀରେ ରେଳବାଇ ଭାରତୀୟ ଖାଦ୍ୟ ନିଗମ ସହ ଯୋଗାଯୋଗ ରକ୍ଷାକରି ମାର୍ଚ୍ଚ 24 ତାରିଖ ପରଠାରୁ 800 ରେକ୍ ବା 20 ଲକ୍ଷ ମେଟ୍ରିକ ଟନରୁ ଅଧିକ ଖାଦ୍ୟଶସ୍ୟ ଦେଶର ବିଭିନ୍ନ ସ୍ଥାନରେ ପହଂଚାଇଛି । ଖାଦ୍ୟଶସ୍ୟର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏଫସିଆଇ ରେଳବାଇ ମାଧ୍ୟମରେ ସାରା ଦେଶରେ ଚାଉଳ ଓ ଗହମ ପହଂଚାଉଛି ।

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବିଶେଷ କରି ଶୀଘ୍ର ନଷ୍ଟ ହୋଇ ଯାଉଥିବା ଉଦ୍ୟାନ ଉତ୍ପାଦ, ମଞ୍ଜି, କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ ପାଇଁ ରେଳବାଇ 109 ଟାଇମ୍ ଟେବୁଲ ପାର୍ସଲ ଟ୍ରେନ୍ ସେବା ଆରମ୍ଭ କରିଛି । ଲକ୍ ଡାଉନ୍ ଆରମ୍ଭ ସମୟରୁ ପ୍ରାୟ 59ଟି ରୁଟ୍ ରେ (109ଟି ଟ୍ରେନ୍) ସ୍ୱତନ୍ତ୍ର ପାର୍ସଲ ଟ୍ରେନ୍ ଚଳାଚଳ କରୁଛି । ଏହାଦ୍ୱାରା ଭାରତର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହରରେ ଶୀଘ୍ର ନଷ୍ଟ ହୋଇଯାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦ୍ରୁତ ଗତିରେ ପହଂଚିପାରୁଛି । ଆବଶ୍ୟକତା ଅନୁସାରେ ଏହି ସେବାକୁ ପୁଣି ବହୁଗୁଣିତ କରି ଦିଆଯିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ(ଏମଏଚଏ) ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ, ଔଷଧ ଏବଂ ମେଡିକାଲ ଉପକରଣର ବିନିର୍ମାଣ/ଉତ୍ପାଦନ ଏବଂ ପରିବହନ ସମ୍ପର୍କିତ ଯୋଗାଣ ଶୃଙ୍ଖଳ ଗତିବିଧି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।    

 

**********

 

 

 



(Release ID: 1613136) Visitor Counter : 143