ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19ର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

• କରୋନା ଭୂତାଣୁ ରୋକିବାରେ ସମସ୍ତ ରାଜ୍ୟ ଏକାଠି ହୋଇ ପଦକ୍ଷେପ ନେବା ପ୍ରଶଂସା ଯୋଗ୍ୟ - ପ୍ରଧାନମନ୍ତ୍ରୀ
• ଲକଡାଉନ ପରେ ଅସ୍ତବ୍ୟସ୍ତ ହୋଇପଡିଥିବା ଜନଜୀବନକୁ ସୁଧାରିବାରେ କେନ୍ଦ୍ର ଓ ରାଜ୍ୟ ମିଳିମିଶି ପନ୍ଥା ନିର୍ଦ୍ଧାରଣ କରିବେ - ପ୍ରଧାନମନ୍ତ୍ରୀ
• ସର୍ବନିମ୍ନ ଜୀବନହାନୀ ଆମର ଲକ୍ଷ୍ୟ - ପ୍ରଧାନମନ୍ତ୍ରୀ
• ମୁଖ୍ୟମନ୍ତ୍ରୀମାନେ ଏଭଳି ଜଟିଳ ପରିସ୍ଥିତି ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ କଲେ ପ୍ରଶଂସା, ନିଜାମୁଦ୍ଦିନ ମର୍କଜରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କଲେ ଅବଗତ
• କରୋନା ମହାମାରୀର ମୁକାବିଲା ପାଇଁ କଲ୍ୟାଣକାରୀ ସଂଗଠନ ଓ ଗୋଷ୍ଠୀ ନେତୃତ୍ୱ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ

Posted On: 02 APR 2020 2:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ କୋଭିଡ-19ର ମୁକାବିଲାକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ କରିଛନ୍ତି । ଲକଡାଉନ ନିଷ୍ପତ୍ତିକୁ ସୁଚାରୁରୂପେ ପାଳନ କରିବା ଯୋଗୁଁ କୋଭିଡ-19ର ପ୍ରଭାବକୁ ସୀମିତ କରାଯାଇପାରିଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ ଧନ୍ୟବାଦ ଦେଇଛନ୍ତି । ସବୁ ରାଜ୍ୟ ସଂକ୍ରମଣକୁ ରୋକିବା ଦିଗରେ ଏକାଠି ହୋଇ କାର୍ଯ୍ୟ କରିଥିବାରୁ ସେ ତାହାର ପ୍ରଶଂସା କରିଛନ୍ତି । ବିଶ୍ୱବ୍ୟାପୀ କରୋନା ସଂକ୍ରମଣର ମୁକାବିଲା ସେଭଳି ସନ୍ତୋଷଜନକ ହୋଇପାରିନଥିବା ବେଳେ ଏହି ସଂକ୍ରମଣ ପୁଣି ଲେଉଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସେ କହିଛନ୍ତି ।

ଦେଶରେ କରୋନା ପାଇଁ ଯେପରି ବେଶି ଲୋକଙ୍କ ପ୍ରାଣହାନୀ ନହୁଏ ତାହା ବର୍ତ୍ତମାନର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଗାମୀ କେତେକ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା, ଚିହ୍ନଟିକରଣ, ଏକାନ୍ତବାସ ଏବଂ କ୍ୱାରେନଟାଇନ ଭଳି ପ୍ରକ୍ରିୟାକୁ କେତେକ ନିର୍ଦ୍ଦିଷ୍ଟ ଅଂଚଳରେ କରିବାକୁ ପଡିବ । ଆବଶ୍ୟକ ଔଷଧପତ୍ର, ଔଷଧପତ୍ର ତିଆରି ପାଇଁ କଂଚାମାଲ ଏବଂ ମେଡିକାଲ ଉପକରଣର ଉପଯୁକ୍ତ ଯୋଗାଣ ଉପରେ ଆଲୋକପାତ କରିଛନ୍ତି । କୋଭିଡ-19 ରୋଗୀମାନଙ୍କ ପାଇଁ ପୃଥକ ଓ ଉତ୍ସର୍ଗୀକୃତ ହସ୍ପିଟାଲ ସୁବିଧା ଆବଶ୍ୟକ ବୋଲି ସେ କହିଛନ୍ତି । ଚିକିତ୍ସକମାନଙ୍କ ଅଭାବ ପୂରଣ କରିବା ନିମନ୍ତେ ଆୟୁଷ ଡାକ୍ତରମାନଙ୍କ ସେବା, ଅନଲାଇନ ତାଲିମ ଓ ପାରାମେଡିକାଲ ଷ୍ଟାଫ, ଏନସିସି ଓ ଏନଏସଏସ ସ୍ୱେଚ୍ଛାସେବୀମାନଙ୍କୁ ଏ ଦିଗରେ ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ କହିଛନ୍ତି ।

ଏ ସମସ୍ତର ସମନ୍ୱୟ ଯେପରି ଠିକ ରହେ ସେଥିପାଇଁ ଜିଲ୍ଲା ସ୍ତରରେ ପରିସ୍ଥିତି ପରିଚାଳନା ଗୃପମାନ ଗଠନ କରାଯାଇ ଜିଲ୍ଲା ପର୍ଯ୍ୟବେକ୍ଷକ ଅଧିକାରୀମାନଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । କେବଳ ଅଧିସ୍ୱୀକୃତ ପରୀକ୍ଷାଗାରରୁ ତଥ୍ୟ ସଂଗ୍ରହ କରାଗଲେ ଏହା ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ସଠିକ ଆକଳନ ଦେଇପାରିବ । ବ୍ୟାଙ୍କଗୁଡିକରେ ଅଯଥା ଭିଡ କମାଇବା ପାଇଁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧିନସ୍ଥ ହିତାଧିକାରୀମାନଙ୍କ ଖାତାରେ ଅର୍ଥ ଜମା କରିବାକୁ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ଶସ୍ୟ ଅମଳର ସମୟ ହୋଇଥିବାରୁ ଲକଡାଉନ କାଳରେ ରାଜ୍ୟମାନେ କିଛି କୋହଳତା ଅବଲମ୍ବନତା କଲେ ମଧ୍ୟ ସାମାଜିକ ଦୂରତ୍ୱ ଯୋପରି ବଜାୟ ରହେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ଏପିଏମସି ଛଡା ଅନ୍ୟ କୌଣସି ଉପାୟରେ ଶସ୍ୟ ସଂଗ୍ରହ ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିବା ବେଳେ ଗ୍ରାମାଂଚଳରେ କିଛି ନୂତନ ବ୍ୟବସ୍ଥା କରିବା ପାଇଁ କହିଛନ୍ତି ।

ଏଭଳି ଜଟିଳ ପରିସ୍ଥିତିରେ ନିରବଚ୍ଛିନ ସାହାଯ୍ୟ ଓ ପରାମର୍ଶ ପାଇଁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି । ଲକଡାଉନ ଭଳି ସମୟୋଚିତ ତଥା କଠୋର ନିଷ୍ପତ୍ତି ଯୋଗୁଁ ସଂକ୍ରମଣ ଅନେକ ମାତ୍ରାରେ ରୋକିବା ସମ୍ଭବ ହୋଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି । ଏହି ଅବସରରେ ସାମାଜିକ ଦୂରତ୍ୱ ରକ୍ଷା, ସଂଦିଗ୍ଧ ରୋଗୀମାନଙ୍କୁ ଚିହ୍ନଟ କରିବା, ନିଜାମୁଦ୍ଦିନ ମର୍କଜରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ୱାରେନଟାଇନରେ ରଖିବା, ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା, ମାନସିକ ସ୍ୱାସ୍ଥ୍ୟ ପରାମର୍ଶ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀର ସୁବଂଟନ ଓ ଦାଦନ ଶ୍ରମିକମାନଙ୍କ ଯତ୍ନ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ତେବେ ରାଜ୍ୟଗୁଡିକ ଏହି ପରିସ୍ଥିତିର ସାମ୍ନା କରିବା ପାଇଁ ଆବଶ୍ୟକ ସମ୍ବଳ ଆହରଣ ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସ୍ତାବ ଓ ତୃଣମୂଳ ସ୍ତରର ସ୍ଥିତି ସମ୍ପର୍କରେ ଅବଗତ କରାଇଥିବାରୁ ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ ଯୁଦ୍ଧକାଳୀନ ପରିସ୍ଥିତିରେ ରୋଗ ସଂକ୍ରମଣର ନାଭି କେନ୍ଦ୍ରକୁ ଚିହ୍ନଟ କରି ଯେପରି ସଂକ୍ରମଣ ଅଧିକ ନ ବ୍ୟାପିବ ସେ ଦିଗରେ କାର୍ଯ୍ୟ କରିବାକୁ ପ୍ରାଥମିକତା ଦେବାକୁ କହିଥିଲେ  । ଦେଶବ୍ୟାପୀ ଶାନ୍ତିର ବତାବରଣ ତଥା ଉନ୍ନତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ସେ କହିଥିଲେ । ସେ କହିଥିଲେ ଯେ, କୋଭିଡ-19 ଆମର ବିଶ୍ୱାସ ଉପରେ କୁଠାରଘାତ କରିବା ସହ ଜୀବନଧାରଣର ଧାରାକୁ ସଙ୍କଟ ମୂଖକୁ ଠେଲି ଦେଇଛି ।  ସେ ରାଜ୍ୟ, ଜିଲ୍ଲା, ସହର ଓ ବ୍ଲକ ସ୍ତରରେ ଏହି ମହାମାରୀର ମୁକାବିଲା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ହେବାକୁ ସମାଜସେବୀ ସଂଗଠନର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲକଡାଉନର ଅବଧି ଶେଷ ହେବା ପରେ ସମଗ୍ର ଜନଜୀବନକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଆଣିବା ନେଇ ଏକ ସମ୍ମିଳୀତ ଉଦ୍ୟମ ଆବଶ୍ୟକ । ଏହି ଉପାୟ ସମ୍ପର୍କରେ ସୂଚନା ଦେବା ପାଇଁ ରାଜ୍ୟମାନେ ସର୍ବବିଧ ଉଦ୍ୟମ କରି ପ୍ରସ୍ତାବମାନ ପଠାଇବା ପାଇଁ ସେ କହିଥିଲେ । ସାମାଜିକ ଦୂରତ୍ୱର ଗୁରୁତ୍ୱ ଉପରେ ସେ ପ୍ରାଧାନ୍ୟ ଦେଇଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରୀ ଏହି ଅବସରରେ ଲକଡାଉନକୁ ଅଧିକ କଡାକଡି ଭାବେ କେତେକ ରାଜ୍ୟରେ ପାଳନ କରିବାକୁ ଗୁରୁତ୍ୱ ଦେବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିୟମଗୁଡିକୁ ଜିଲ୍ଲା ସ୍ତରରେ କଡାକଡି ଲାଗୁ କରିବା ପାଇଁ କହିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶର ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି, ନିଜାମୁଦ୍ଦିନ ମର୍କଜ ଯୋଗୁଁ ବିଭିନ୍ନ ସ୍ଥାନକୁ ଏହା ବ୍ୟାପିବାର ସୂଚନା ସହ ଜିଲ୍ଲା ଓ ଅନ୍ୟାନ୍ୟ ତଳ ସ୍ତରରେ ଯେପରି ସଂକ୍ରମଣ ଅଧିକ ନ ହୁଏ ସେଥିପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ । କେନ୍ଦ୍ର ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ପ୍ରଧାନ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଆଇସିଏମଆରର ମହାନିଦେ୍ର୍ଦଶକ ଏହି ମତ ବିନିମୟରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୃହ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବମାନେ ଏହି ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । 

 

**********



(Release ID: 1610500) Visitor Counter : 182