57th International Film Festival of India 2026
20 – 28 Nov 2026

୨୫ ବର୍ଷ ପରେ ଇଫିରେ ଏକାଠି ହେଲେ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଥିବା ଚଳଚ୍ଚିତ୍ର ନିର୍ମାତା


ଚଳଚ୍ଚିତ୍ର ସମାଜର ପ୍ରତିବିମ୍ବ : ମଧୁର ଭଣ୍ଡାରକର

ଅଭିନୟର ଯାଦୁ ଶବ୍ଦ ମଧ୍ୟରେ ଥିବା ନିରବତାରେ ଲୁଚିଥାଏ: ଆଶୁତୋଷ ଗୋୱାରିକର

ନିର୍ଭୀକତାର ସହ ନିଜର କାହାଣୀ କୁହନ୍ତୁ: ଫରହାନ୍‌ ଅଖତର

ପୋଷ୍ଟ କରାଯିବା ଦିନାଙ୍କ: 27 NOV 2026 6:01PMby PIB Bhubaneswarରିଲିଜ ଆଡି: 2342931Views: 9

ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଭାଗ ଅର୍ଥାତ୍‌ ୨୦୦୧ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଲଗାନ୍‌’,  ‘ଦିଲ୍‌ ଚାହତା ହୈ’ ଏବଂ ‘ଚାନ୍ଦିନୀ ବାର୍‌’ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଥିଲା । ଏସବୁ ସୃଜନଶୀଳ ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର, ଫରହାନ୍‌ ଅଖତର୍‌ ଏବଂ ମଧୁର ଭଣ୍ଡାରକର ଦୀର୍ଘ ୨୫ ବର୍ଷ ପରେ ଗୋଆରେ ଆୟୋଜିତ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ମଞ୍ଚରେ ଆଜି ଏକାଠି ହୋଇଛନ୍ତି । ସେମାନେ ‘ଦ ଲିଜେଣ୍ଡାରୀ ଟ୍ୱେଣ୍ଟି ଫାଇଭ୍ସ’ ଶୀର୍ଷକ ଅଧିବେଶନରେ ନିଜର ଚଳଚ୍ଚିତ୍ର ନିର୍ମାଣର ଅଭିଜ୍ଞତା ବାଣ୍ଟିଛନ୍ତି । ବିଶେଷ କରି ଚିରାଚରିତ ଚଳଚ୍ଚିତ୍ର ନିର୍ମାଣର ଧାରା ଠାରୁ ଆଗକୁ ବଢ଼ି କିଭଳି ସେମାନେ ନୂଆ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବା ଦିଗରେ ଅଗ୍ରସର ହେଲେ ସେ ବିଷୟରେ ନିର୍ଦ୍ଦେଶକମାନେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ନିର୍ଦ୍ଦେଶକ ମଧୁର ଭଣ୍ଡାରକର କହିଥିଲେ, ସେ ବାସ୍ତବ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଇଥା’ନ୍ତି। ବିଶେଷ କରି ସେ ନିଜ ଚଳଚ୍ଚିତ୍ର ମାଧ୍ୟମରେ ଅକୁହା କଥା ଏବଂ ଅଣଦେଖା ବାସ୍ତବତାକୁ ପରଦାରେ ଉତାରିବାକୁ ଚେଷ୍ଟା କରିଥା’ନ୍ତି । ସେ କହିଥିଲେ, ଚଳଚ୍ଚିତ୍ର ସବୁବେଳେ ସମାଜର ଦର୍ପଣ ହୋଇ ରହିଆସିଛି । ଏକ ଆଦର୍ଶ କାଳ୍ପନିକ ଜୀବନ ବଦଳରେ ବାସ୍ତବ ଜୀବନକୁ ଅନୁସନ୍ଧାନ କରିବାକୁ ମୁଁ ପସନ୍ଦ କରିଥାଏ। ଚଳଚ୍ଚିତ୍ର ନିର୍ମାଣରେ ପ୍ରଯୁକ୍ତିବିଦ୍ୟାର ଭୂମିକା ବୃଦ୍ଧି ପାଉଥିବା ଉପରେ ଆଲୋକପାତ କରି ଶ୍ରୀ ଭଣ୍ଡାରକର କହିଥିଲେ, ଏଆଇ ଏବଂ ଭିଜୁଆଲ ଇଫେକ୍ଟସ୍‌ କାହାଣୀ କହିବା କ୍ଷେତ୍ରରେ ନୂଆ ଦିଗ ଆବିଷ୍କାର କରିଛି । ଏଆଇ ଏବଂ ଭିଏଫଏକ୍ସ ନିଶ୍ଚିତ ଭାବରେ ଦୃଶ୍ୟଗତ ଅନୁଭୂତିକୁ ଉନ୍ନତ କରିପାରିବେ ଏବଂ ଚଳଚ୍ଚିତ୍ର ନିର୍ମାଣର ସମ୍ଭାବନାକୁ ବ୍ୟାପକ କରିପାରିବେ, କିନ୍ତୁ ସେଗୁଡ଼ିକ କେବେବି ମାନବୀୟ ସ୍ପର୍ଶର ସ୍ଥାନ ନେଇପାରିବ ନାହିଁ ।

 

ନିଜର ସୃଜନଶୀଳ ଯାତ୍ରା ଉପରେ ମତ ରଖି ନିର୍ମାତା, ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର କହିଥିଲେ, ପ୍ରତ୍ୟେକ ନୂଆ ଚଳଚ୍ଚିତ୍ର “ଶୂନ୍ୟରୁ ପୁନଃ ଆରମ୍ଭ” କରିବା ଭଳି । ଗୋଟିଏ ନୂତନ ଦୃଷ୍ଟିକୋଣ, ମୁକ୍ତ ମନୋଭାବ ଏବଂ କାହାଣୀ କହିବାର କଳାକୁ ପୁନର୍ବାର ଆବିଷ୍କାର କରିବାର ଇଚ୍ଛାଶକ୍ତି ଆବଶ୍ୟକ । ଅଣପାରମ୍ପରିକ ସିନେମା ସାମ୍ନା କରୁଥିବା ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସେ କହିଥିଲେ, "ଯେକୌଣସି ନୂତନ, ଭିନ୍ନ କିମ୍ବା ଅଣପାରମ୍ପରିକ କାହାଣୀକୁ ଦର୍ଶକ ଖୋଜିବା ପାଇଁ ଅଧିକ ସମୟ ଆବଶ୍ୟକ। ଆମେ ଏହାକୁ କେବଳ ପ୍ରଥମ ସପ୍ତାହାନ୍ତରେ ଭଲ କରୁଥିବା ଏକ ଚଳଚ୍ଚିତ୍ର ରୂପେ ବିଚାର କରିବା ଉଚିତ୍ ନୁହେଁ।" ସେହିପରି ଅଭିନୟର କଳା ଉପରେ ମତ ରଖି ସେ କହିଥିଲେ, ଅଭିନୟର ଯାଦୁ ଶବ୍ଦ ମଧ୍ୟରେ ଥିବା ନିରବତାରେ ଲୁଚିଥାଏ।

 

ମୌଳିକ କାହାଣୀ ଏବଂ ନିର୍ଭୀକ ସୃଜନଶୀଳତା ପରିପ୍ରକାଶ ଲାଗି ସୁଖ୍ୟାତି ଅର୍ଜନ କରିଥିବା ନିର୍ମାତା ଓ ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ କହିଥିଲେ, ଜଣେ ନିର୍ଦ୍ଦେଶକ କିମ୍ବା ଲେଖକଙ୍କୁ ଖୋଲା ହୃଦୟ ଏବଂ ମନ ରଖିବାକୁ ପଡିବ, ଏବଂ ନିଜର ଅହଂକାରକୁ ପଛରେ ପକାଇ ଦେବାକୁ ପଡିବ। ନିର୍ଭୀକତାର କାହାଣୀକୁ ପରିପ୍ରକାଶ କରିବା, ନିଜ ଦୃଷ୍ଟିକୋଣରେ ବିଶ୍ୱାସ ରଖିବା ଏବଂ ପ୍ରକୃତରେ ଯେଉଁ କାହାଣୀ କହିବାକୁ ଚାହୁଁଛନ୍ତି ତାହା କହିବାକୁ ସେ ନବାଗତ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ ।

 

୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ବାର୍ତ୍ତା ‘ଷ୍ଟୋରିଜ୍‌ ୱିଦଆଉଟ୍‌ ବର୍ଡର୍ସ’ ବାର୍ତ୍ତା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ମୌଳିକ କାହାଣୀଗୁଡ଼ିକ ସାଂସ୍କୃତିକ କିମ୍ବା ଭୌଗୋଳିକ ସୀମା ଅତିକ୍ରମ କରି ସବୁଠି ଦର୍ଶକଙ୍କ ପାଖରେ ପହଞ୍ଚି ପାରିଥାଏ ବୋଲି ନିର୍ମାତାମାନେ ମତ ରଖିଥିଲେ । ପ୍ରଯୁକ୍ତିବିଦ୍ୟା ଚଳଚ୍ଚିତ୍ର ନିର୍ମାଣରେ ପରିବର୍ତ୍ତନ ଆଣିଥିବାରୁ ମାନବୀୟ ଭାବନା, ସୃଜନଶୀଳ ବିଶ୍ୱାସ ଏବଂ କାହାଣୀ କହିବାର ସାର୍ବଜନୀନତା ହିଁ ସିନେମାକୁ ଏହାର ସ୍ଥାୟୀ ଆକର୍ଷଣ ପ୍ରଦାନ କରେ ବୋଲି ସେମାନେ କହିଥିଲେ ।

 

ଏହି ଅଧିବେଶନକୁ ସୁନାମଧନ୍ୟ ଅଭିନେତ୍ରୀ ଏବଂ ପ୍ରଯୋଜିକା ଖୁସବୁ ସୁନ୍ଦର ପରିଚାଳନା କରିଥିଲେ ।

 

********

 

PS/Swadhin


Great films resonate through passionate voices. Share your love for cinema with #IFFI2026 and #StoriesWithoutBorders. Tag us @pibindia on Instagram and @PIB_India on X, and we will help amplify your festival moments!

For accredited journalists, critics, bloggers, and vloggers seeking 1-on-1 interviews with filmmakers and festival juries, write to us at:
iffi.mediadesk@pib.gov.in with the subject line: Take One with PIB.


Official Release ID: 2342931
•
Media Centre: Goa
•
Festival Dates: Nov 20 – 28, 2026