ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ପୋଷ୍ଟ କରାଯିବା ଦିନାଙ୍କ:
25 NOV 2026 3:27PM by PIB Bhubaneswar
ଶିଲଚର ବିମାନବନ୍ଦରରେ ବିଦ୍ୟମାନ ପ୍ରତିରକ୍ଷା ଭୂମିବେଷ୍ଟିତ ସିଭିଲ୍ ଏନକ୍ଲେଭର ଗମ୍ଭୀର ପରିଚାଳନାଗତ ଓ ସ୍ଥାନଗତ ସମସ୍ୟାକୁ ଦୂର କରିବା ଏବଂ ଯାତ୍ରୀ ସଂଖ୍ୟାର କ୍ରମାଗତ ବୃଦ୍ଧିକୁ ସମାୟୋଜନ କରିବା ପାଇଁ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (ସିସିଇଏ) ଆସାମର ଶିଲଚର୍ ସ୍ଥିତ ଡୋଲୁ ଠାରେ ଏକ ନୂତନ ଗ୍ରୀନ୍ଫିଲ୍ଡ ବିମାନବନ୍ଦର ନିର୍ମାଣକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଟି ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ପ୍ରାୟ ୨,୦୧୪ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି।
ଆସାମର କାଚାର ଜିଲ୍ଲାରେ ଅବସ୍ଥିତ ଡୋଲୁ ହେଉଛି ବାରାକ ଉପତ୍ୟକାର ରଣନୀତିକ କେନ୍ଦ୍ରସ୍ଥଳ । ଏହି ଅଞ୍ଚଳଟି ଏହାର ବିସ୍ତୃତ ଚା' ବଗିଚା, କୃଷି -ଭିତ୍ତିକ ଶିଳ୍ପ ଏବଂ ଇକୋ-ପର୍ଯ୍ୟଟନ ତଥା ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଥିବା ପ୍ରଚୁର ସମ୍ଭାବନା ନିମନ୍ତେ ଜଣାଶୁଣା।
ପ୍ରସ୍ତାବିତ ଟର୍ମିନାଲ୍ ବିଲ୍ଡିଂଟି ମୋଟ ୧୨,୩୫୧ ବର୍ଗ ମିଟର କ୍ଷେତ୍ରଫଳ ବିଶିଷ୍ଟ ହେବ ଏବଂ ଏଥିରେ ସର୍ବାଧିକ ଭିଡ଼ ଥିବା ସମୟରେ ୮୦୦ ଯାତ୍ରୀଙ୍କୁ ପରିଚାଳନା କରିବାର କ୍ଷମତା ରହିବ। ଏହାକୁ ଆଧୁନିକ ଯାତ୍ରୀ ସୁବିଧା, ପରିବେଶ ଅନୁକୂଳ (ଗ୍ରୀନ୍ ବିଲ୍ଡିଂ) ନୀତି ଏବଂ ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ସମ୍ପ୍ରସାରଣ କରାଯାଇପାରିବା ଭଳି ଡିଜାଇନ୍ କରାଯାଇଛି। ଏହା ବ୍ୟତୀତ, ଏହି ପ୍ରକଳ୍ପ ଅଧୀନରେ ୨,୭୦୫ ମିଟର x ୪୫ ମିଟର ବିଶିଷ୍ଟ ଏକ 'କୋଡ୍-୪ସି' ମାନକଯୁକ୍ତ ରନୱେ ନିର୍ମାଣ କରାଯିବ, ଯାହା ଏ-୩୨୦ ବିମାନ ଚଳାଚଳ ପାଇଁ ଉପଯୁକ୍ତ ହେବ। ଏଥିସହିତ, ୬ଟି ଏ-୩୨୦ ବିମାନ ରହିପାରିବା ଭଳି ଏକ ନୂତନ ଏପ୍ରନ୍ ଏବଂ ଏକ ସ୍ୱତନ୍ତ୍ର ଆଇସୋଲେସନ୍ ବେ’ ମଧ୍ୟ ନିର୍ମାଣ କରାଯିବ।
ଅତ୍ୟନ୍ତ ରଣନୀତିକ ଗୁରୁତ୍ୱ ବହନ କରୁଥିବା ଏକ ପ୍ରକଳ୍ପ ଭାବରେ, ଡୋଲୁ ଗ୍ରୀନ୍ଫିଲ୍ଡ ବିମାନବନ୍ଦର ଦକ୍ଷିଣ ଆସାମ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ସଂଲଗ୍ନ ଅଞ୍ଚଳରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିମାନ ଚଳାଚଳ ଚାହିଦାକୁ ପୂରଣ କରିବ। ଏହା ବର୍ତ୍ତମାନର ଭିତ୍ତିଭୂମି ଉପରେ ଥିବା ଚାପକୁ ଯଥେଷ୍ଟ ହ୍ରାସ କରିବ, ବାଣିଜ୍ୟ ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ଆଞ୍ଚଳିକ ଅର୍ଥନୈତିକ ସମ୍ଭାବନାକୁ ଉନ୍ମୁକ୍ତ କରିବ। ଉତ୍ତର-ପୂର୍ବ ଭାରତକୁ ବ୍ୟାପକ ଜାତୀୟ ତଥା ଅନ୍ତର୍ଜାତୀୟ ବିକାଶ କରିଡର ସହିତ ଯୋଡ଼ିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ କରିବ।
****
SSP