ପୋଷ୍ଟ କରାଯିବା ଦିନାଙ୍କ:
18 NOV 2026 4:31PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁରୂପ, କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଗୁରୁବାର, ନଭେମ୍ବର ୧୯,୨୦୨୬ ରେ ନୂଆଦିଲ୍ଲୀରେ ଦୁଇ ଦିନିଆ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ’କୁ ଉଦଘାଟନ କରିବେ। ଆତଙ୍କବାଦ ବିରୋଧରେ ଦେଶର ସାମୂହିକ ପ୍ରତିକ୍ରିୟାକୁ ମଜବୁତ କରିବା ପାଇଁ ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଚଳିତ ବର୍ଷର ସମ୍ମିଳନୀରେ ‘ସୀମାପାର ଆତଙ୍କବାଦ’ ବିଷୟବସ୍ତୁ ଉପରେ ବିଚାର ଆଲୋଚନା କରାଯିବ।
ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ସମ୍ମିଳନୀ କ୍ରମାଗତ ଭାବେ ସୁରକ୍ଷା ବାହିନୀ, ଆତଙ୍କବାଦ ମୁକାବିଲା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଜେନ୍ସି ଏବଂ ବୈଷୟିକ, ଆଇନଗତ ଏବଂ ଫୋରେନସିକ୍ କ୍ଷେତ୍ରର ବିଶେଷଜ୍ଞମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶରେ ପରିଣତ ହୋଇଛି। ଏହା ଏଜେନ୍ସି/ବାହିନୀକୁ ଜାତୀୟ ସୁରକ୍ଷା ଏବଂ ଆତଙ୍କବାଦରୁ ଉପୁଜିଥିବା ବିପଦକୁ ପ୍ରଭାବିତ କରୁଥିବା ବିଷୟଗୁଡ଼ିକୁ ସାମୂହିକ ଭାବରେ ଯାଞ୍ଚ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ।
‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’କୁ ଧ୍ୟାନରେ ରଖି, ସମ୍ମିଳନୀ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟକୁ ପ୍ରୋତ୍ସାହିତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ। ଏହା ଆନୁଷ୍ଠାନିକ ତଥା ଅନୌପଚାରିକ ଚ୍ୟାନେଲ ପ୍ରତିଷ୍ଠା କରିବାକୁ ଚେଷ୍ଟା କରେ ଯାହା ଆତଙ୍କବାଦ ବିରୁଦ୍ଧରେ ସମନ୍ୱିତ ଏବଂ ମିଳିତ କାର୍ଯ୍ୟାନୁଷ୍ଠାନକୁ ସକ୍ଷମ କରେ । ଭବିଷ୍ୟତର ନୀତି ନିର୍ଦ୍ଧାରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ମଧ୍ୟ ଏହି ସମ୍ମିଳନୀର ଉଦ୍ଦେଶ୍ୟ।
ଏହି ସମ୍ମିଳନୀ ଅଧିବେଶନରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ, ଯେଉଁଥିରେ ବିଦେଶୀ ଅଧିକାର କ୍ଷେତ୍ରରୁ ପ୍ରମାଣ ହାସଲ କରିବା, ଡିଜିଟାଲ୍ ଫରେନସିକ୍ ପ୍ରୟୋଗ ଏବଂ ଆତଙ୍କବାଦ ବିରୋଧୀ ତନ୍ତରେ ତଥ୍ୟ ବିଶ୍ଳେଷଣ ଏବଂ ପରୀକ୍ଷଣର ପ୍ରଭାବଶାଳୀ ପରିଚାଳନା ଅନ୍ତର୍ଭୁକ୍ତ। ଏହି ଅଧିବେଶନରେ ଉଗ୍ରବାଦର ମୁକାବିଲା ଏବଂ ଜାତୀୟ ସୁରକ୍ଷା ପ୍ରତି ଉଦୀୟମାନ ମିଶ୍ରିତ ବିପଦ ଉପରେ ମଧ୍ୟ ଆଲୋଚନା ହେବ। ପରବର୍ତ୍ତୀ ଅଧିବେଶନରେ ଆତଙ୍କବାଦ ପାଣ୍ଠି ଯୋଗାଣ ନେଟୱାର୍କକୁ ବ୍ୟାହତ କରିବାରେ ଜଡ଼ିତ ଉପକରଣ, କୌଶଳ ଏବଂ ମାମଲା ଅଭିଜ୍ଞତା ସହିତ ଭବିଷ୍ୟତରେ ପ୍ରସ୍ତୁତ ଆତଙ୍କବାଦ ବିରୋଧୀ ରଣନୀତିର ବିକାଶ ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସଂସ୍ଥାଗତ କ୍ଷମତାକୁ ମଜବୁତ କରିବା ଉପରେ ବିଚାର କରାଯିବ।
ଚଳିତ ବର୍ଷ ଏହି ସମ୍ମିଳନୀରେ ରାଜ୍ୟ ପୋଲିସ କର୍ମଚାରୀ ଏବଂ ପ୍ରାକ୍ଟିସ୍ କରୁଥିବା ପେସାଦାରଙ୍କ ପାଇଁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ବିଭିନ୍ନ କ୍ଷେତ୍ରରେ ଅଂଶଗ୍ରହଣକାରୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏଥିରେ ଆତଙ୍କୀ ତଦନ୍ତରେ ନୂତନ ଅପରାଧିକ ଆଇନର ପ୍ରୟୋଗ, ଅଭିଯୋଜନରେ ଡିଜିଟାଲ୍ ପ୍ରମାଣର ବ୍ୟବହାର ଏବଂ ବିଚାର ରଣନୀତି ଏବଂ ପରିଚାଳନା ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଆତଙ୍କବାଦୀ ମାମଲାର ତଦନ୍ତ, ପ୍ରତିପକ୍ଷଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସାଧାରଣ ଆହ୍ୱାନ, ସାକ୍ଷୀଙ୍କ ସୁରକ୍ଷା ଏବଂ ଅଭିଯୋଜନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧୀୟ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ହେବ।
ଦୁଇ ଦିନ ଧରି ଏହି ବିଚାର ଆଲୋଚନା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କ ଅଭିଜ୍ଞତା ବାଣ୍ଟିବାରେ, ଆତଙ୍କବାଦ ବିରୋଧୀ ପ୍ରସଙ୍ଗରେ ଉତ୍ତମ ଅଭ୍ୟାସ ଉପରେ ଆଲୋକପାତ କରିବାରେ ଏବଂ ଆତଙ୍କବାଦୀ ତଦନ୍ତରୁ ଶିକ୍ଷା ଗ୍ରହଣ କରିବାରେ ସକ୍ଷମ କରିବ।
ଏହି ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ପୋଲିସ ଅଧିକାରୀ, ଆତଙ୍କବାଦ ବିରୋଧୀ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଏଜେନ୍ସି ଏବଂ ବିଭାଗର ଅଧିକାରୀ ଏବଂ ଆଇନ, ଫରେନସିକ ଏବଂ ପ୍ରଯୁକ୍ତିବିଦ୍ୟା ସମେତ ସହଯୋଗୀ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେବେ।
HS