କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ୨୦୨୫-୨୬ ବର୍ଷ ପାଇଁ ଉଦ୍ୟାନ କୃଷି ଫସଲର ଚାଷ ଜମି ଏବଂ ଉତ୍ପାଦନର ତୃତୀୟ ଅଗ୍ରିମ ଆକଳନ ଜାରି କରିଛନ୍ତି, ଯାହା ଦେଶର ଚାଷୀଙ୍କ ପାଇଁ ଏକ ଉତ୍ସାହଜନକ ଖବର ଆଣିଦେଇଛି।
ସଦ୍ୟତମ ଆକଳନ ଅନୁଯାୟୀ, ୨୦୨୫-୨୬ରେ ଭାରତର ମୋଟ ଉଦ୍ୟାନ କୃଷି ଉତ୍ପାଦନ ୩,୮୬୯.୧୫ ଲକ୍ଷ ଟନରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ୨୦୨୪-୨୫ ରେ ରେକର୍ଡ ହୋଇଥିବା ୩,୭୦୭.୩୮ ଲକ୍ଷ ଟନ୍ ତୁଳନାରେ ୧୬୧.୭୭ ଲକ୍ଷ ଟନ୍ ଅର୍ଥାତ୍ ୪.୩୬% ଅଧିକ। ଆକଳନ କରାଯାଇଥିବା ଏହି ଅଭିବୃଦ୍ଧି ଉପରେ ସନ୍ତୋଷ ବ୍ୟକ୍ତ କରି ଶ୍ରୀ ଚୌହାନ କହିଛନ୍ତି ଯେ ଉଦ୍ୟାନ କୃଷି ଉତ୍ପାଦନରେ ଏହି ଉଲ୍ଲେଖନୀୟ ବୃଦ୍ଧି ଭାରତର ଚାଷୀଙ୍କ କଠିନ ପରିଶ୍ରମ ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରଙ୍କ କୃଷକ ଅନୁକୂଳ ନୀତିର ପ୍ରଭାବକୁ ପ୍ରତିଫଳିତ କରୁଛି। ମନ୍ତ୍ରୀ କହିଛନ୍ତି ଯେ ଏହି ରେକର୍ଡ ଉତ୍ପାଦନ କେବଳ ଦେଶର ପୋଷଣ ସୁରକ୍ଷାକୁ ମଜବୁତ କରିବ ନାହିଁ ବରଂ ଉଦ୍ୟାନ କୃଷି ଚାଷୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସିଧାସଳଖ ସହାୟକ ହେବ। ସେ ଦେଶର ସମସ୍ତ ଚାଷୀଙ୍କୁ ସେମାନଙ୍କ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଏହି ଅଭିବୃଦ୍ଧି ଭାରତୀୟ କୃଷକ ସମାଜର ସମର୍ପଣ ଓ କଠିନ ପରିଶ୍ରମର ପରିଚୟ।
ଶ୍ରୀ ଚୌହାନ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ କୃଷି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଉତ୍ସାହଜନକ ବିବିଧତା ଦେଖିବାକୁ ମିଳୁଛି, ଯେଉଁଥିରେ ଚାଷୀମାନେ ପାରମ୍ପରିକ ଫସଲ ବ୍ୟତୀତ ଫଳ, ପନିପରିବା, ଫୁଲ, ମସଲା, କାଜୁ, ନଡ଼ିଆ ଓ କୋକୋ ଭଳି ବୃକ୍ଷରୋପଣ ଫସଲ ତଥା ସୁଗନ୍ଧିତ ଏବଂ ଔଷଧୀୟ ବୃକ୍ଷ ଚାଷ ଆଡ଼କୁ ଅଧିକ ଅଗ୍ରସର ହେଉଛନ୍ତି। ବାଣିଜ୍ୟିକ ଏବଂ ଅଧିକ ମୂଲ୍ୟଯୁକ୍ତ ଫସଲ ପ୍ରତି ଏହି ବର୍ଦ୍ଧିତ ଆଗ୍ରହ ଚାଷୀଙ୍କ ପାଇଁ ଆୟର ନୂତନ ପନ୍ଥା ଉନ୍ମୁକ୍ତ କରିବା ସହ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଓ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ମନ୍ତ୍ରୀଙ୍କ ଅନୁଯାୟୀ, ସଦ୍ୟତମ ଆକଳନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଉଦ୍ୟାନ କୃଷି ଅଧୀନରେ ଥିବା ଚାଷ ଜମି ହ୍ରାସ ପାଇବା ସତ୍ତ୍ୱେ ଉତ୍ପାଦନରେ ବୃଦ୍ଧି ଘଟିବା। ୨୦୨୫-୨୬ ରେ ଉଦ୍ୟାନ କୃଷି ଫସଲ ଅଧୀନରେ ମୋଟ ଚାଷ ଜମି ପ୍ରାୟ ୨୯୭.୨୧ ଲକ୍ଷ ହେକ୍ଟର ହେବ ବୋଲି ଆକଳନ କରାଯାଇଛି, ଯାହା ୨୦୨୪-୨୫ ରେ ୩୦୧.୩୬ ଲକ୍ଷ ହେକ୍ଟର ଥିଲା। ଚାଷ ଜମି କମିବା ସତ୍ତ୍ୱେ ଫଳ, ପନିପରିବା, ଫୁଲ, ବୃକ୍ଷରୋପଣ ଫସଲ ଏବଂ ସୁଗନ୍ଧିତ ଓ ଔଷଧୀୟ ବୃକ୍ଷର ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସିଗୁଡ଼ିକରୁ ପ୍ରାପ୍ତ ତଥ୍ୟ ଆଧାରରେ କୃଷି ଓ କୃଷକ କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏହି ଆକଳନ କ୍ଷେତ୍ରର ନିରନ୍ତର ଅଭିବୃଦ୍ଧି ଏବଂ ଉନ୍ନତ ଉତ୍ପାଦକତାକୁ ଦର୍ଶାଉଛି।
୪.୬୦% ବୃଦ୍ଧି ପାଇବ ଫଳ ଉତ୍ପାଦନ
୨୦୨୪-୨୫ରେ ହୋଇଥିବା ଫଳ ଉତ୍ପାଦନ ପରିମାଣ ୧,୧୭୬.୪୯ ଲକ୍ଷ ଟନରୁ ବୃଦ୍ଧି ପାଇ ୨୦୨୫-୨୬ରେ ୧,୨୩୦.୬୬ ଲକ୍ଷ ଟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହା ୫୪.୧୮ ଲକ୍ଷ ଟନ୍ ଅର୍ଥାତ୍ ୪.୬୦% ଅଧିକ। କଦଳୀ, ଆମ୍ବ, ଅମୃତଭଣ୍ଡା, ସେଓ, ଡାଳିମ୍ବ ଏବଂ ପଣସର ଉନ୍ନତ ଉତ୍ପାଦନ ଯୋଗୁଁ ମୁଖ୍ୟତଃ ଏହି ବୃଦ୍ଧି ଘଟିଛି।
ପନିପରିବା ଉତ୍ପାଦନ ୨,୨୭୨.୬୮ ଲକ୍ଷ ଟନରେ ପହଞ୍ଚିବ
ଚାଷୀମାନେ ପନିପରିବା ଚାଷରେ ମଧ୍ୟ ଉତ୍ସାହଜନକ ଅଭିବୃଦ୍ଧି ପଞ୍ଜୀକୃତ କରିଛନ୍ତି। ପନିପରିବା ଚାଷ ଜମି ୧୧୭.୯୧ ଲକ୍ଷ ହେକ୍ଟରରୁ ବୃଦ୍ଧି ପାଇ ୧୧୯.୩୧ ଲକ୍ଷ ହେକ୍ଟର ହେବ ବୋଲି ଆକଳନ କରାଯାଇଛି। ପନିପରିବା ଉତ୍ପାଦନ ୪.୩୫% ବୃଦ୍ଧି ପାଇ ୨୦୨୪-୨୫ ର ୨,୧୭୭.୯୭ ଲକ୍ଷ ଟନରୁ ୨୦୨୫-୨୬ ରେ ୨,୨୭୨.୬୮ ଲକ୍ଷ ଟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ମୁଖ୍ୟତଃ ଆଳୁ, ଟମାଟୋ, ବାଇଗଣ, ଲାଉ, କାକୁଡ଼ି, ବନ୍ଧାକୋବି, ବିନ୍ସ ଏବଂ ମଟରର ଅଧିକ ଉତ୍ପାଦନ ଯୋଗୁଁ ଏହି ବୃଦ୍ଧି ଘଟିଛି। ଆଳୁ ଏବଂ ଟମାଟୋ ଉଭୟର ଉତ୍ପାଦନରେ ଦୃଢ଼ ଅଭିବୃଦ୍ଧି ପଞ୍ଜୀକୃତ ହେବ ବୋଲି ଆଶା କରାଯାଉଛି। ଆଳୁ ଉତ୍ପାଦନ ୬୫୫.୭୦ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ବର୍ଷର ୫୮୫.୭୧ ଲକ୍ଷ ଟନ୍ ତୁଳନାରେ ୧୧.୯୫% ଅଧିକ। ଟମାଟୋ ଉତ୍ପାଦନ ୨୦୫.୯୯ ଲକ୍ଷ ଟନରୁ ବୃଦ୍ଧି ପାଇ ୨୧୪.୧୧ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି। ପିଆଜ ଉତ୍ପାଦନ ୨୮୮.୯୬ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି।
ଫୁଲ ଉତ୍ପାଦନରେ ପ୍ରାୟ ୧୪.୫% ଅଭିବୃଦ୍ଧି
ଫୁଲ ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଆଶା କରାଯାଉଛି। ଉତ୍ପାଦନ ପ୍ରାୟ ୧୪.୪୫% ବୃଦ୍ଧି ପାଇ ୨୦୨୪-୨୫ରେ ହୋଇଥିବା ୪୨.୬୫ ଲକ୍ଷ ଟନରୁ ୨୦୨୫-୨୬ ରେ ୪୮.୮୨ ଲକ୍ଷ ଟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଫୁଲ ଚାଷ ଅଧୀନରେ ଥିବା ଜମି ମଧ୍ୟ ୪.୧୦ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି।
ଔଷଧୀୟ ବୃକ୍ଷରେ ଅଭିବୃଦ୍ଧି
ତୃତୀୟ ଅଗ୍ରିମ ଆକଳନ ଏହା ମଧ୍ୟ ସୂଚାଇ ଦେଇଛି ଯେ ଗୁଆ, ନଡ଼ିଆ, କାଜୁ, ପାନ ପତ୍ର ଏବଂ କୋକୋ ସମେତ ଚାରାରୋପଣ ଫସଲର ଚାଷ ଜମି ଏବଂ ଉତ୍ପାଦନ ଉଭୟରେ ବୃଦ୍ଧି ଘଟିଛି। ସେମାନଙ୍କର ମିଳିତ ଉତ୍ପାଦନ ୭.୫୬% ବୃଦ୍ଧି ପାଇ ୧୮୨.୬୪ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି। ସୁଗନ୍ଧିତ ଏବଂ ଔଷଧୀୟ ବୃକ୍ଷର ଉତ୍ପାଦନ ମଧ୍ୟ ୯.୦୧ ଲକ୍ଷ ଟନରୁ ବୃଦ୍ଧି ପାଇ ୯.୨୮ ଲକ୍ଷ ଟନ୍ ହେବ ବୋଲି ଆଶା କରାଯାଉଛି।
ମସଲା ଉତ୍ପାଦନ ୧୨୩.୫୪ ଲକ୍ଷ ଟନ୍ ହେବ ବୋଲି ଆକଳନ
ଗୁଆ ଏବଂ ମସଲା ବିକାଶ ନିର୍ଦ୍ଦେଶାଳୟର ତଥ୍ୟ ଅନୁଯାୟୀ, ହଳଦୀ, ରସୁଣ, ଭୃସଙ୍ଗ ପତ୍ର ଏବଂ ଅଳେଇଚର ଉନ୍ନତ ଉତ୍ପାଦନ ମସଲା କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ୨୦୨୫-୨୬ ରେ ମସଲା ଅଧୀନରେ ଥିବା ମୋଟ ଚାଷ ଜମି ୪୭.୫୬ ଲକ୍ଷ ହେକ୍ଟର ହେବ ବୋଲି ଆକଳନ କରାଯାଇଥିବା ବେଳେ ଉତ୍ପାଦନ ୧୨୩.୫୪ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଛି।
--
/HP