ପୋଷ୍ଟ କରାଯିବା ଦିନାଙ୍କ:
15 NOV 2026 12:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରର ମୁଖ୍ୟ ଭାବରେ କାର୍ଯ୍ୟ କରିବାର ପଚିଶ ବର୍ଷର ଅଭିଜ୍ଞତାରୁ ଶିକ୍ଷା ଲାଭ କରିବା ଉଦ୍ଦେଶ୍ୟରେ, ନୀତି ଆୟୋଗ ୧୭ ନଭେମ୍ବର ୨୦୨୬ ରେ ପାଞ୍ଚଟି ଜାତୀୟ କର୍ମଶାଳାର ଏକ ଶୃଙ୍ଖଳା ଆରମ୍ଭ କରିବାକୁ ଯାଉଛି। ଏହି କର୍ମଶାଳା ଗୁଡ଼ିକରେ ସାର୍ବଜନୀନ ନେତୃତ୍ୱର ଏହି ପଚିଶ ବର୍ଷ ଉପରେ ଅନୁଧ୍ୟାନ କରାଯିବ, ଯାହା ଫଳରେ ଏଥିରୁ ମିଳୁଥିବା ଶିକ୍ଷା ଦେଶର ସାମୂହିକ ଜ୍ଞାନର ଅଂଶ ହୋଇପାରିବ। ଏହି ଯାତ୍ରାର ଅଂଶ ଥିବା ବ୍ୟକ୍ତିମାନଙ୍କ ଅନୁଭୂତିକୁ ଏଥିରେ ଲିପିବଦ୍ଧ କରାଯିବ ଏବଂ ସେଗୁଡ଼ିକୁ ଏପରି ଜ୍ଞାନରେ ପରିଣତ କରାଯିବ ଯାହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ।
ପ୍ରଧାନମନ୍ତ୍ରୀ ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ପଦବୀରେ ବାର ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ, ସେ ମେ’ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ସେ ଲଗାତାର ତୃତୀୟ କାର୍ଯ୍ୟକାଳର ଦାୟିତ୍ୱ ନିର୍ବାହ କରୁଛନ୍ତି। ୭ ଅକ୍ଟୋବର ୨୦୨୬ରେ ତାଙ୍କର ସରକାରର ମୁଖ୍ୟ ଭାବେ ପଚିଶ ବର୍ଷ ପୂରଣ ହେବା ସହିତ, ଏହା ଭାରତରେ ଏକ ନିର୍ବାଚିତ ସରକାରର ମୁଖ୍ୟ ଭାବରେ ସର୍ବାଧିକ ଦୀର୍ଘ ନିରନ୍ତର କାର୍ଯ୍ୟକାଳକୁ ଚିହ୍ନିତ କରିଥାଏ। ଏହି ସମଗ୍ର କାର୍ଯ୍ୟ ଅବଧି ମଧ୍ୟରେ, ଶାସନ ବ୍ୟବସ୍ଥା ପ୍ରଧାନ ସେବକ ଭାବନାର ଆଧାର ଉପରେ ପରିଚାଳିତ ହୋଇଆସିଛି। ଏହା ଅନୁସାରେ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟାଳୟ ନାଗରିକମାନଙ୍କ ସେବା କରିବା ଉଦ୍ଦେଶ୍ୟ ଦେଇ କାର୍ଯ୍ୟ କରିଛି। ଅନ୍ତ୍ୟୋଦୟ ପ୍ରଗତିର ମାପଦଣ୍ଡକୁ ସମାଜର ଶେଷ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପହଞ୍ଚାଇଛି। ଜନ ଭାଗୀଦାରୀ ବିକାଶକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛି। ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସର ନୀତି ଏହାକୁ ଏକ ସାମୂହିକ ଜାତୀୟ ଉଦ୍ୟମ ଭାବରେ ଆହୁରି ସୁଦୃଢ଼ କରିଛି। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ଏହି ଦୃଷ୍ଟିକୋଣକୁ ଏକ ଦୂରଗାମୀ ଦିଗ ପ୍ରଦାନ କରିଛି, ଯାହା ପ୍ରତ୍ୟେକ ଅନୁଷ୍ଠାନକୁ ସ୍ୱାଧୀନତାର ଶତବାର୍ଷିକୀ ଆଡ଼କୁ ଅଗ୍ରସର ହେଉଥିବା ଭାରତ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏବଂ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛି।
ଏତେ ବଡ଼ ସ୍ତରରେ ଶାସନ କରିବା ବିଷୟରେ ଭାରତ ଯାହା ଶିଖିଛି ତାହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହି ନିଷ୍ପତ୍ତି ନେଇଥିବା ଏବଂ କାର୍ଯ୍ୟକାରୀ କରିଥିବା ଅଧିକାରୀ, ପ୍ରତିଷ୍ଠାନ ଏବଂ ନାଗରିକଙ୍କ ଅଭିଜ୍ଞତାରେ ସନ୍ନିହିତ। ଏହି ଶୃଙ୍ଖଳା ସେମାନଙ୍କ ପ୍ରତ୍ୟକ୍ଷ ଅନୁଭୂତିକୁ ଉଲ୍ଲେଖ କରିବ ଏବଂ ଶୈକ୍ଷିକ ଗମ୍ଭୀରତା ସହ ଏହାର ବିଶ୍ଳେଷଣ କରିବ। ଏହା ମାଧ୍ୟମରେ ସରକାରୀ ଅଧିକାରୀ, ପ୍ରଶିକ୍ଷଣ ସଂସ୍ଥା, ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କ ପାଇଁ କେସ୍ ଷ୍ଟଡି, ଗବେଷଣା ପତ୍ର ଏବଂ ନିର୍ଦ୍ଦେଶାତ୍ମକ ବିଷୟବସ୍ତୁ ସମେତ ଅନୁଷ୍ଠାନଗତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯିବ।
ଏହି ପାଞ୍ଚଟି ଜାତୀୟ କର୍ମଶାଳା ଶାସନ ବ୍ୟବସ୍ଥା ସହ ଜଡ଼ିତ ନିମ୍ନଲିଖିତ ବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ସେଗୁଡିକ ହେଉଛି : ନଭେମ୍ବର ୨୦୨୬ରେ “ଏକ ଲକ୍ଷ୍ୟ ଭାବରେ ନେତୃତ୍ୱ” , ଜାନୁଆରୀ ୨୦୨୭ରେ “ଫଳାଫଳ ପ୍ରଦାନକାରୀ ଶାସନ ବ୍ୟବସ୍ଥା”, ଏପ୍ରିଲ ୨୦୨୭ରେ “ଅନ୍ତର୍ଭୁକ୍ତିକରଣ ଭାବରେ ବିକାଶ”, ଜୁଲାଇ ୨୦୨୭ରେ “ସଭ୍ୟତାଗତ ପରିଚୟ” ଏବଂ ସେପ୍ଟେମ୍ବର ୨୦୨୭ରେ “ଏକ ବିଶ୍ୱସ୍ତରୀୟ ଶକ୍ତି ଭାବରେ ଭାରତ”।
ପ୍ରଥମ ଜାତୀୟ କର୍ମଶାଳା, "ଏକ ଲକ୍ଷ୍ୟ ଭାବରେ ନେତୃତ୍ୱ" ୨୦୨୬ ମସିହା ନଭେମ୍ବର ୧୭ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ନେତୃତ୍ୱକୁ ସେହି ନିର୍ଦ୍ଦିଷ୍ଟ ନିଷ୍ପତ୍ତିଗୁଡ଼ିକ ମାଧ୍ୟମରେ ଅନୁଧ୍ୟାନ କରାଯିବ, ଯେଉଁଥିରେ ନେତୃତ୍ୱ ପ୍ରତିଫଳିତ ହୁଏ ଏବଂ ଯେଉଁ ପ୍ରକ୍ରିୟା ମାଧ୍ୟମରେ ସେହି ନିଷ୍ପତ୍ତିଗୁଡ଼ିକ ନାଗରିକମାନଙ୍କ ପାଇଁ ଫଳାଫଳରେ ପରିଣତ ହୁଏ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନୁରାଗ ଜୈନ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବେ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ଲାହିରୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି. କେ. ମିଶ୍ର ଉଦ୍ଘାଟନୀ ମୁଖ୍ୟ ଅଭିଭାଷଣ ରଖିବେ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଶ୍ରୀ ଉଦୟ କୋଟାକ୍ ମଧ୍ୟ ଏକ ମୁଖ୍ୟ ଅଭିଭାଷଣ ପ୍ରଦାନ କରିବେ। ନୀତି ଆୟୋଗର ସଦସ୍ୟ ଡ. ଆର୍. ବାଲସୁବ୍ରମଣ୍ୟମ୍ ଏହି କର୍ମଶାଳାର ରୂପରେଖ ଉପସ୍ଥାପନ କରିବେ।
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ସହ ସିଧାସଳଖ ଜଡ଼ିତ ଥିବା ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ଅନୁଭୂତି ଉପରେ ଆଧାରିତ ଚାରୋଟି ବିବରଣୀ ଏହି ଦିବସର ମୁଖ୍ୟ ଆକର୍ଷଣ ହେବ। ଗୁଜରାଟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ରାଜୀବ ଟପ୍ନୋ ୨୦୦୧ ଭୂକମ୍ପ ପରେ କଚ୍ଛ ଅଞ୍ଚଳର ପୁନଃନିର୍ମାଣ ସମ୍ପର୍କରେ ଆଲୋଚନା କରିବେ। ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ତଥା ୟୁପିଏସ୍ସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ସୁଦାନ କୋଭିଡ-୧୯ ମୁକାବିଲା ସମ୍ପର୍କରେ ନିଜର ମତ ରଖିବେ। ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟର ପୂର୍ବତନ ସଚିବ ଶ୍ରୀ ଶୈଳେଶ କୁମାର ସିଂହ 'ଲକ୍ଷପତି ଦିଦି' ଯୋଜନା ଉପରେ ଆଲୋକପାତ କରିବେ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. ଏସ୍. ସୋମନାଥ, ମହାକାଶ ଅର୍ଥନୀତିର ଉନ୍ମୋଚନ ଏବଂ ଏଥିସହ ଜଡ଼ିତ ନିଜର ଅନୁଭୂତି ବାଣ୍ଟିବେ।
"ବିକଶିତ ଭାରତ ପାଇଁ ନେତୃତ୍ୱ" ବିଷୟ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାକୁ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବି. ଭି. ଆର୍. ସୁବ୍ରମଣ୍ୟମ୍ ପରିଚାଳନା କରିବେ। ଏହି ଆଲୋଚନାରେ ଉତ୍ତର ପ୍ରଦେଶ ସରକାରଙ୍କ ନଗର ବିକାଶ ଓ ଶକ୍ତି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଅରବିନ୍ଦ କୁମାର ଶର୍ମା, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଅହମ୍ମଦାବାଦର ପ୍ରଫେସର ବିଶାଳ ଗୁପ୍ତା, ନୀତି ଆୟୋଗର ବିଶିଷ୍ଟ ସଦସ୍ୟ ସୁଶ୍ରୀ ଦେବଜାନୀ ଘୋଷ ଏବଂ ହରଦୋଇର ଯୁଗ୍ମ ମାଜିଷ୍ଟ୍ରେଟ୍ ସୁଶ୍ରୀ ନାରାୟଣୀ ଭାଟିଆ ଅଂଶଗ୍ରହଣ କରିବେ।
କ୍ୟାବିନେଟ୍ ସଚିବ ଡକ୍ଟର ଟି.ଭି. ସୋମନାଥନ୍ ଏହି କର୍ମଶାଳାର ସମାପନ କରିବେ ଏବଂ 'ଆଇଗଟ୍ କର୍ମଯୋଗୀ' ପ୍ଲାଟଫର୍ମରେ 'କର୍ମଯୋଗୀ ସଂକଳ୍ପ'ର ଶୁଭାରମ୍ଭ କରିବେ। ଏହି ସଂକଳ୍ପ ମାଧ୍ୟମରେ, ଦେଶବ୍ୟାପୀ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର ନେତୃତ୍ୱ ଶୈଳୀରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ ହେବେ।
ଏହି କର୍ମଶାଳାରେ ପ୍ରାୟ ୯୦୦ ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି। ସେମାନଙ୍କ ମଧ୍ୟରୁ ୨୫୦ ଜଣ ଆଲୋଚନାରେ ସିଧାସଳଖ ଅଂଶଗ୍ରହଣ କରିବେ। ଏହି ୨୫୦ ଜଣଙ୍କ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଚିବ ତଥା ବରିଷ୍ଠ ଅଧିକାରୀ ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳଙ୍କ ସମେତ ମୋଟ ୧୫୦ ଜଣ ସରକାରୀ ଅଧିକାରୀ ଅନ୍ତର୍ଭୁକ୍ତ ରହିବେ। ଏହା ବ୍ୟତୀତ, ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ଏବଂ ଜାତୀୟ ସ୍ତରୀୟ ପ୍ରମୁଖ ଯୋଜନାଗୁଡ଼ିକ ସହ ଜଡ଼ିତ ୫୦ ଜଣ ସମ୍ପ୍ରଦାୟ ସହଯୋଗୀ ଓ ହିତାଧିକାରୀ ମଧ୍ୟ ସାମିଲ ରହିବେ। କ୍ଷମତା ନିର୍ମାଣ ଆୟୋଗର ଅମୃତ ଜ୍ଞାନ କୋଷ ପଦକ୍ଷେପ ଅଧୀନରେ ପ୍ରଶିକ୍ଷିତ ୨୫ ଜଣ ସୁବିଧା ପ୍ରଦାନକାରୀ ଏହି ଗୋଷ୍ଠୀ ଆଲୋଚନାଗୁଡ଼ିକୁ ପରିଚାଳନା କରିବେ। ଏହି କାର୍ଯ୍ୟକ୍ରମ ଆଇଗଟ୍ କର୍ମଯୋଗୀ ପ୍ଲାଟଫର୍ମରେ ପ୍ରସାରିତ ହେବ।
***
SSP