ପୋଷ୍ଟ କରାଯିବା ଦିନାଙ୍କ:
15 JUL 2026 6:40PM by PIB Bhubaneswar
ପ୍ରାୟ ୨୫,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡିକର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଜିନ୍ଦରେ ପ୍ରାୟ ୧୪,୭୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ତଥା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ଜିନ୍ଦ ଓ ସୋନିପତ ମଧ୍ୟରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଏହି ଟ୍ରେନ୍ ବିଶ୍ୱର ସବୁଠାରୁ ଲମ୍ବା ତଥା ଶକ୍ତିଶାଳୀ ହାଇଡ୍ରୋଜେନ୍ ଟ୍ରେନ୍ ମଧ୍ୟରୁ ଅନ୍ୟତମ
ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଚାଳିତ ଏହି ଟ୍ରେନ୍ ଜଳୀୟ ବାଷ୍ପ ସହିତ ଶୂନ୍ୟ କାର୍ବନ ନିର୍ଗମନ ସୁନିଶ୍ଚିତ କରିବ
କୁରୁକ୍ଷେତ୍ରରେ ଶିଖ ଗୁରୁ ଏବଂ ଶିଖ ଐତିହ୍ୟ ପ୍ରତି ସମର୍ପିତ ଶିଖ ସଂଗ୍ରହାଳୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଚଣ୍ଡିଗଡରେ ୪୭୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ, ଯାହା ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମିକୁ ନେଇ ଗଠିତ
ଚଣ୍ଡିଗଡ ସ୍ଥିତ ପିଜିଆଇଏମ୍ଇଆର୍ରେ ଆଧୁନିକ ମାତୃ ଏବଂ ଶିଶୁ କେନ୍ଦ୍ର ତଥା ଅତ୍ୟାଧୁନିକ ନ୍ୟୁରୋସାଇନ୍ସ କେନ୍ଦ୍ରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଦିଲ୍ଲୀ-ଅମୃତସର-କାଟରା ଏକ୍ସପ୍ରେସୱେରେ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ପ୍ରବେଶ ବ୍ୟବସ୍ଥା ଥିବା ପ୍ୟାକେଜ୍ ୧ ରୁ ୬ କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ଜଳନ୍ଧରରେ ୫,୪୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉଦ୍ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
୨୦ଟି ରାଜ୍ୟରେ ପୁନଃବିକଶିତ ଅମୃତ ଭାରତ ରେଳ ଷ୍ଟେସନ୍ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁଲାଇ ୨୦୧୬ରେ ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ, ପ୍ରଧାନମନ୍ତ୍ରୀ ଜିନ୍ଦ ରେଳ ଷ୍ଟେସନରୁ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଚାଲିବାକୁ ଥିବା ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ପୂର୍ବାହ୍ନ ପ୍ରାୟ ୧୧:୩୦ ସମୟରେ, ପ୍ରଧାନମନ୍ତ୍ରୀ ଜିନ୍ଦ ସ୍ଥିତ ଏକଲବ୍ୟ ଷ୍ଟାଡିୟମ୍ରେ ପ୍ରାୟ ୧୪,୭୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ସେଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ଉଦ୍ବୋଧନ ଦେବେ ।
ଏହା ପରେ ପ୍ରଧାନମନ୍ତ୍ରୀ ଚଣ୍ଡିଗଡ଼ ଯିବେ, ଯେଉଁଠାରେ ଅପରାହ୍ନ ପ୍ରାୟ ୧:୪୫ ସମୟରେ ୪,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କରିବେ । ଏହି ଅବସରରେ ମଧ୍ୟ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ ।
ଏହା ପରେ ପ୍ରଧାନମନ୍ତ୍ରୀ ଜଳନ୍ଧର ଗସ୍ତ କରିବେ, ଯେଉଁଠାରେ ସେ ୫,୪୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ ଏବଂ ଉଦ୍ଘାଟନ କରିବେ ।
ଜିନ୍ଦରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଚାଲିବାକୁ ଥିବା ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ରେଳ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଗ୍ରହଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତରେ ଡିଜାଇନ୍, ଇଞ୍ଜିନିୟରିଂ ଏବଂ ସମନ୍ୱିତ ଏହି ଟ୍ରେନ୍କୁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିକଶିତ କରାଯାଇଛି, ଯାହା ଉନ୍ନତ ରେଳ ଇଞ୍ଜିନିୟରିଂରେ ଦେଶର ବର୍ଦ୍ଧିତ କ୍ଷମତାକୁ ପ୍ରତିଫଳିତ କରେ । ଏହି ଟ୍ରେନ୍ର ଶୁଭାରମ୍ଭ ସହିତ, ଭାରତ ହାଇଡ୍ରୋଜେନ୍-ଚାଳିତ ଟ୍ରେନ୍ କାର୍ଯ୍ୟକ୍ଷମ କରୁଥିବା ଦେଶମାନଙ୍କ ତାଲିକାରେ ସାମିଲ ହୋଇଛି ।
ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ, ଯାହା ଟ୍ରେନ୍କୁ ଆଗକୁ ବଢ଼ାଇବା ପାଇଁ ହାଇଡ୍ରୋଜେନ୍କୁ ବିଦ୍ୟୁତରେ ରୂପାନ୍ତରିତ କରିବ । ଏହି ପ୍ରକ୍ରିୟାରେ କେବଳ ଜଳୀୟବାଷ୍ପ ଉପ-ଉତ୍ପାଦ ଭାବରେ ଉତ୍ପାଦନ ହେବ, ଯାହା ଫଳରେ ଟ୍ରେନ୍ ଚାଲିିବା ସମୟରେ କାର୍ବନ ନିର୍ଗମନ ଶୂନ ହେବ ।
ଡିଜେଲ୍ ଟ୍ରେନ୍ ତୁଳନାରେ, ଏହି ଟ୍ରେନ୍ ଟେଲପାଇପ୍ ନିର୍ଗମନକୁ କମାଇଥାଏ, ଜୀବାଶ୍ମ ଇନ୍ଧନ ଏବଂ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିଥାଏ ତଥ ବହୁତ କମ ଶବ୍ଦ ସହିତ କାମ କରିଥାଏ । ଏହା ପାରମ୍ପରିକ ବୈଦ୍ୟୁତିକ ଟ୍ରେନ୍ ପରି ନୁହେଁ ତଥା ଏହି ଟ୍ରେନ୍ ପାଇଁ ନିରନ୍ତର ଓଭର୍ହେଡ୍ ବିଦ୍ୟୁତୀକରଣ ଭିତ୍ତିଭୂମିର ଆବଶ୍ୟକତା ନାହିଁ, କାରଣ ହାଇଡ୍ରେଜେନ୍ ଇନ୍ଧନ ସେଲ୍ ମାଧ୍ୟମରେ ଟ୍ରେନ୍ ଭିତରେ ବିଦ୍ୟୁତ ଉତ୍ପାଦନ କରିଥାଏ, ଯାହା ଏକ ସ୍ୱଚ୍ଛ ତଥା ଦକ୍ଷ ସମାଧାନ ପ୍ରଦାନ କରିଥାଏ । ସବୁଜ ହାଇଡ୍ରୋଜେନ୍ ବ୍ୟବହାର ମଧ୍ୟ ଜୀବାଶ୍ମ ଇନ୍ଧନ-ଆଧାରିତ ତାପଜ ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦିତ ବିଦ୍ୟୁତ ଉପରେ ନିର୍ଭରଶୀଳତା ହ୍ରାସ କରେ, ଯାହା ଫଳରେ ଭାରତର ସ୍ଥାୟୀ ପରିବହନ ପାଇଁ ହେବାକୁ ଥିବା ପରିବର୍ତ୍ତନକୁ ସମର୍ଥନ ମିଳିବ ।
ଭାରତର ହାଇଡ୍ରୋଜେନ୍ ଟ୍ରେନ୍ରେ ୧୦ଟି କୋଚ୍ ରହିଛି । ଏଥିସହ ଏହି ଟ୍ରେନ୍ ବର୍ତ୍ତମାନ ସୁଦ୍ଧା ବିକଶିତ ସବୁଠାରୁ ଦୀର୍ଘ ହାଇଡ୍ରୋଜେନ୍ ଚାଳିତ ଯାତ୍ରୀ ଟ୍ରେନ୍ଗୁଡିକ ମଧ୍ୟରେ ଅନ୍ୟତମ ପାଲଟିଛି। ୩,୨୦୦ ଏଚ୍ପି ପ୍ରପଲ୍ସନ୍ ସିଷ୍ଟମ୍ ଦ୍ୱାରା ଚାଳିତ ଏହି ଟ୍ରେନ୍ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ସବୁଠାରୁ ଶକ୍ତିଶାଳୀ ହାଇଡ୍ରୋଜେନ୍-ଚାଳିତ ଟ୍ରେନ୍ସେଟ୍ ମଧ୍ୟରୁ ଅନ୍ୟତମ ।
ପ୍ରଧାନମନ୍ତ୍ରୀ ହରିଆଣାରେ ୧୨,୪୭୦ କୋଟିରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଏବଂ ଦେଶକୁ ଉତ୍ସର୍ଗ ମଧ୍ୟ କରିବେ ।
ପ୍ରଧାନମନ୍ତ୍ରୀ ପ୍ରାୟ ୯,୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୫୭.୯୨ କିଲୋମିଟର ଦୀର୍ଘ, ଚାରି-ଲେନ୍ ବିଶିଷ୍ଟ ଏବଂ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ପ୍ରବେଶ ପଥ ଥିବା ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସ୍ୱେ (ପ୍ୟାକେଜ୍ ୧ ରୁ ୫) କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଗ୍ରୀନ୍ଫିଲ୍ଡ କରିଡର୍ ୬୬୭ କିଲୋମିଟର ଦୀର୍ଘ ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସ୍ୱେର ଏକ ଅଂଶ । ଏହି ଏକ୍ସପ୍ରେସ୍ୱେ ଦ୍ୱାରା ଦିଲ୍ଲୀ ଓ କଟରା ମଧ୍ୟରେ ଯାତ୍ରା ସମୟ ପ୍ରାୟ ୧୪ ଘଣ୍ଟାରୁ ହ୍ରାସ ପାଇ ପ୍ରାୟ ୬ ଘଣ୍ଟା ହେବ ଏବଂ ଦିଲ୍ଲୀ-ଅମୃତସର ଯାତ୍ରା ସମୟ ପ୍ରାୟ ୮ ଘଣ୍ଟାରୁ ୪ ଘଣ୍ଟାକୁ ହ୍ରାସ ପାଇବ । ଏହି ପ୍ରକଳ୍ପ ଦ୍ୱାରା ଜାତୀୟ ରାଜପଥ-୪୪ (ଜିଟି ରୋଡ୍) ଉପରେ ଯାତାୟତ କମିବ, ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଉଥିବା ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହି କରିଡର ଶିଳ୍ପ ତଥା ଲଜିଷ୍ଟିକ୍ସ (ପରିବହନ ଓ ଯୋଗାଣ ବ୍ୟବସ୍ଥା) କ୍ଷେତ୍ରର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।
ଏହାଛଡା, ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୭ ଏବଂ ଜାତୀୟ ରାଜପଥ-୩୪୪ ଉପରେ ନିର୍ମିତ ୩୩.୮୧ କିଲୋମିଟର ଦୀର୍ଘ, ଚାରି-ଲେନ୍ ବିଶିଷ୍ଟ ଏବଂ ଆଂଶିକ ନିୟନ୍ତ୍ରିତ ପ୍ରବେଶ ପଥ ଥିବା ଅମ୍ବାଲା-କାଲା ଅମ୍ବ ରାଜପଥକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ରାଜପଥ ଅମ୍ବାଲା ସହରାଞ୍ଚଳ ଏବଂ କାଲା ଅମ୍ବ ଶିଳ୍ପାଞ୍ଚଳ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ, ହରିୟାଣା ଓ ହିମାଚଳ ପ୍ରଦେଶ ମଧ୍ୟରେ ସଡ଼କ ସଂଯୋଗରେ ଉନ୍ନତି ଆଣିବ, ପାହାଡିଆ ଅଞ୍ଚଳରେ ପର୍ଯ୍ୟଟକଙ୍କ ଯାତାୟାତକୁ ସୁଗମ କରିବ ଏବଂ କାଲା ଅମ୍ବ ଅଞ୍ଚଳରେ ଥିବା ଶିଳ୍ପଗୁଡିକ ପାଇଁ ଲଜିଷ୍ଟିକ୍ସ ବା ପରିବହନ ଜନିତ ଖର୍ଚ୍ଚ ହ୍ରାସ କରିବ ।
ଉଦ୍ଘାଟନ ହେବାକୁ ଥିବା ଅନ୍ୟ ଏକ ପ୍ରମୁଖ ପ୍ରକଳ୍ପ ହେଉଛି ଏନ୍ଏଚ୍-୩୫୨ଏ ଉପରେ ନିର୍ମିତ ୪୦.୬୦ କିଲୋମିଟର ଦୀର୍ଘ ଜିନ୍ଦ-ଗୋହାନା ଗ୍ରୀନ୍ଫିଲ୍ଡ ହାଇୱେ । ଏହି ନୂତନ ରାଜପଥ ଫଳରେ ଜିନ୍ଦ ଏବଂ ଗୋହାନା ମଧ୍ୟରେ ଯାତ୍ରା ସମୟ ପ୍ରାୟ ଦୁଇ ଘଣ୍ଟାରୁ ହ୍ରାସ ପାଇ ମାତ୍ର ୪୦ ମିନିଟ୍ ହେବ। ଏହା ଯାତ୍ରୀ, ମାଲ୍ ପରିବହନ ଏବଂ କୃଷି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଜିନ୍ଦ-ଗୋହାନା ଅଞ୍ଚଳ ପାଇଁ ଲାଭଦାୟକ ହେବା ସହ ରୋହତକ, ପାନିପତ ଏବଂ ଦିଲ୍ଲୀ-ଏନ୍ସିଆର୍ ସହିତ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଉନ୍ନତ କରିବ ।
ପ୍ରଧାନମନ୍ତ୍ରୀ ୨୪.୨୭ କିଲୋମିଟର ଦୀର୍ଘ ହାନ୍ସି-ବରୱାଲା ବ୍ରାଉନ୍ଫିଲ୍ଡ ହାଇୱେ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ମାଧ୍ୟମରେ ବର୍ତ୍ତମାନର ରାସ୍ତାକୁ ଉନ୍ନତ କରାଯାଇ ୨/୪ ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଏଥିରେ ପକ୍କା ସାଇଡ୍ୱେ ମଧ୍ୟ ରହିବ ।
ଏହାଛଡା, ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ଏଲିଭେଟେଡ୍ ରେଲୱେ ଟ୍ରାକ୍କୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ଏକ ପ୍ରମୁଖ ସହରୀ ଭିତ୍ତିଭୂମି ପ୍ରକଳ୍ପ, ଯାହା ସହର ମଧ୍ୟରେ ଥିବା ରେଳ ଫାଟକଗୁଡିକରେ ଦୀର୍ଘ ଦିନ ଧରି ଲାଗି ରହୁଥିବା ଟ୍ରାଫିକ୍ ସମସ୍ୟାକୁ ଦୂର କରିବ । ଏହି ପ୍ରକଳ୍ପ ଯାନବାହାନ ଚଳାଚଳକୁ ସୁଗମ କରିବ, ସଡ଼କ ସୁରକ୍ଷା ବୃଦ୍ଧି କରିବ ଏବଂ ରେଳ ତଥା ସଡ଼କ ପରିବହନ ବ୍ୟବସ୍ଥାର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବ ।
ପ୍ରଧାନମନ୍ତ୍ରୀ ପଣ୍ଡିତ ନେକି ରାମ ଶର୍ମା ସରକାରୀ ମେଡିକାଲ କଲେଜ, ଭିୱାନୀ, ମହର୍ଷି ଚ୍ୟବାନ ମେଡିକାଲ କଲେଜ ଏବଂ ରାଓ ତୁଲା ରାମ ହସ୍ପିଟାଲ, କୋରିଆୱାସ, ନାରନୌଲ ସମେତ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନଗୁଡିକୁ ଦେଶକୁ ଉତ୍ସର୍ଗ କରିବେ । ଏହି ପ୍ରତିଷ୍ଠାନଗୁଡିକ ହରିୟାଣାରେ ଗୁଣାତ୍ମକ ଚିକିତ୍ସା ଶିକ୍ଷା ସୁବିଧାକୁ ବିସ୍ତାର କରିବେ, ଏମ୍ବିବିଏସ୍ ସିଟ୍ ସଂଖ୍ୟା ବଢ଼ାଇବ, ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ଉପଲବ୍ଧତାରେ ଉନ୍ନତି ଆଣିବ ଏବଂ ଲୋକମାନଙ୍କୁ ସେମାନଙ୍କ ଘର ପାଖରେ ଉତ୍ତମ ଚିକିତ୍ସା ସେବା ଯୋଗାଇବ । ଏହା ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ୍ ମଜବୁତ ହେବ ।
ଏହି ଅଞ୍ଚଳର ସାଂସ୍କୃତିକ ଭିତ୍ତିଭୂମିକୁ ଆହୁରି ସମୃଦ୍ଧ କରି ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରରେ ଶିଖ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ସଂଗ୍ରହାଳୟ ଶିଖ ଧର୍ମର ଇତିହାସ, ଶିଖ ଗୁରୁମାନଙ୍କର ଶିକ୍ଷା, ସେମାନଙ୍କ ସାହସ, ବଳିଦାନ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ଭାରତର ସଭ୍ୟତା ଏବଂ ସଂସ୍କୃତିରେ ଶିଖ ସମ୍ପ୍ରଦାୟର ଅମୂଲ୍ୟ ଅବଦାନକୁ ପ୍ରଦର୍ଶିତ କରିବ ।
ଚଣ୍ଡିଗଡ଼ରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ସହିତ ଜଡିତ ୪,୭୦୦ କୋଟିରୁ ଅଧିକ ମୂଲ୍ୟର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ ଚଣ୍ଡିଗଡରେ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମ୍ଇଆର୍) ରେ ଆଡ୍ଭାନ୍ସଡ୍ ମଦର୍ ଆଣ୍ଡ ଚାଇଲ୍ଡ ସେଣ୍ଟର ଏବଂ ଆଡ୍ଭାନ୍ସଡ୍ ନ୍ୟୁରୋସାଇନ୍ସ ସେଣ୍ଟରର ଉଦ୍ଘାଟନ କରିବେ ।
ଆଡ୍ଭାନ୍ସଡ୍ ମଦର୍ ଆଣ୍ଡ ଚାଇଲ୍ଡ ସେଣ୍ଟରକୁ ଅଧିକ ବିପଦପୂର୍ଣ୍ଣ ଗର୍ଭଧାରଣ, ଗୁରୁତର ଅସୁସ୍ଥ ନବଜାତ ଶିଶୁ ଏବଂ ସ୍ୱତନ୍ତ୍ର ଚିକିତ୍ସା ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ବ୍ୟାପକ ତୃତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ୩୦୦ ଶଯ୍ୟା ଏବଂ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ସଜ୍ଜିତ, ଏହି କେନ୍ଦ୍ର ମା’ ଏବଂ ଶିଶୁ ସ୍ୱାସ୍ଥ୍ୟସେବାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବ ଏବଂ ସମଗ୍ର ଅଞ୍ଚଳର ହଜାର ହଜାର ପରିବାରକୁ ଲାଭ ଦେବ ।
ଆଡ୍ଭାନ୍ସଡ୍ ନ୍ୟୁରୋସାଇନ୍ସ ସେଣ୍ଟର ଗୋଟିଏ ଛାତ ତଳେ ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ନ୍ୟୁରୋ କ୍ରିଟିକାଲ୍ କେୟାର ଏବଂ ଆଡ୍ଭାନ୍ସଡ୍ ଡାଇଗ୍ନୋଷ୍ଟିକ୍ ସୁବିଧାରେ ସମନ୍ୱିତ ସେବା ପ୍ରଦାନ କରିବ । ଏହା ନ୍ୟୁରୋ ସାଇନ୍ସରେ ଚିକିତ୍ସା ଗବେଷଣା, ଶିକ୍ଷା ଓ ତାଲିମକୁ ସୁଦୃଢ଼ କରିବା ସହିତ ଜଟିଳ ସ୍ନ୍ୟାୟୁ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସମୟୋଚିତ ଏବଂ ବିଶ୍ୱସ୍ତରୀୟ ଚିକିତ୍ସା ସୁନିଶ୍ଚିତ କରିବ ।
ପ୍ରଧାନମନ୍ତ୍ରୀ ଚଣ୍ଡିଗଡର ପିଜିଆଇଏମ୍ଇଆର୍ ଠାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ୍ (ପିଏମ୍-ଏବିଏଚ୍ଆଇଏମ୍) ଅଧୀନରେ ୧୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ରିଟିକାଲ କେୟାର ବ୍ଲକର ମଧ୍ୟ ଶିଳାନ୍ୟାସ କରିବେ । ଏହି ସୁବିଧା ଜରୁରୀକାଳୀନ ପ୍ରସ୍ତୁତି, ସଘନ ଯତ୍ନ ସେବା ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ତଥା କ୍ଷେତ୍ରର ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବ ।
ପ୍ରଧାନମନ୍ତ୍ରୀ ଚଣ୍ଡିଗଡରେ ଶିକ୍ଷାନୁଷ୍ଠାନ ସହିତ ଜଡିତ ଅନେକ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ । ଏଥିରେ ପଞ୍ଜାବ ଇଞ୍ଜିନିୟରିଂ କଲେଜରେ କୁରୁକ୍ଷେତ୍ର ବାଳକ ଛାତ୍ରାବାସ ଏବଂ ମେସ୍, ସେକ୍ଟର ୪୬ ସରକାରୀ କଲେଜରେ ହଷ୍ଟେଲ୍ ବ୍ଲକ ଏବଂ ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ଗବେଷଣା ବିଦ୍ୱାନ ଛାତ୍ରାବାସର ଶିଳାନ୍ୟାସ ଅନ୍ତର୍ଭୁକ୍ତ । ଏହି ସୁବିଧାଗୁଡିକ ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ଼ କରିବ, ଛାତ୍ର ଏବଂ ଗବେଷକଙ୍କ ପାଇଁ ଆବାସିକ ସୁବିଧା ଉନ୍ନତ କରିବ ଏବଂ ଉଚ୍ଚଶିକ୍ଷା ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବ ।
ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ପ୍ରମୁଖ ସଡ଼କ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେ ମୋହାଲି ଜିଲ୍ଲାର ଆଇଟି ସିଟି ଠାରୁ କୁରାଲି ପର୍ଯ୍ୟନ୍ତ ୬-ଲେନ୍ ବିଶିଷ୍ଟ ଗ୍ରୀନ୍ଫିଲ୍ଡ ହାଇୱେର ଉଦ୍ଘାଟନ କରିବେ, ଯାହା ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଅଟେ । ଏହି ହାଇୱେ ମୋହାଲି, ଖରାର ଏବଂ କୁରାଲି ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହିତ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀର ମଧ୍ୟରେ ଉନ୍ନତ ଯୋଗାଯୋଗ ସୁବିଧା ଯୋଗାଇବ ।
ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଅମ୍ବାଲା-ଚଣ୍ଡିଗଡ ଗ୍ରୀନଫିଲ୍ଡ ହାଇୱେ (ଏନ୍ଏଚ୍-୨୫୦ଏ) ର ପିଆର୍-୭ ସ୍ପର୍ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ଏକ ୧୦.୩ କିଲୋମିଟର୍ ଲମ୍ବା ଗ୍ରୀନ୍ଫିଲ୍ଡ କରିଡର୍, ଯାହା ଦୂରଗାମୀ ଯାନବାହନଗୁଡିକୁ ଜିରକପୁର ସହରାଞ୍ଚଳ ଦେଇ ନ ଯାଇ ବାହାରେ (ବାଇପାସ୍) ଦେଇ ଯିବାରେ ସାହାଯ୍ୟ କରିବ ଏବଂ ଜିରକପୁର ବାଇପାସ୍କୁ ସିଧାସଳଖ ଚଣ୍ଡିଗଡର ଏରୋସିଟି ସହିତ ସଂଯୋଗ କରିବ ।
ଜଳନ୍ଧରରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ୫,୪୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକର ଲକ୍ଷ୍ୟ ହେଉଛି ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଯାତ୍ରୀମାନଙ୍କ ପାଇଁ ସୁବିଧା ବୃଦ୍ଧି କରିବା ଏବଂ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ।
ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଜଳନ୍ଧର କ୍ୟାଣ୍ଟ ସମେତ ୭୫ଟି ନବୀକରଣ କରାଯାଇଥିବା ରେଳ ଷ୍ଟେସନ୍ର ଉଦ୍ଘାଟନ କରିବେ । ବିଶ୍ୱର ଅନ୍ୟତମ ବୃହତ ଷ୍ଟେସନ୍ ନବୀକରଣ କାର୍ଯ୍ୟକ୍ରମ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ୨୦ଟି ରାଜ୍ୟରେ ୭୫ଟି ଅମୃତ ଷ୍ଟେସନ୍ର ଉଦ୍ଘାଟନ ଏବଂ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିବ । ପ୍ରାୟ ୧,୫୭୦ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ଷ୍ଟେସନ୍ଗୁଡିକୁ ଆଧୁନିକ ଏବଂ ଯାତ୍ରୀ-ଅନୁକୂଳ ସୁବିଧାଯୁକ୍ତ କେନ୍ଦ୍ର ଭାବରେ ରୂପାନ୍ତରିତ କରାଯାଇଛି । ‘ବିରାସତ୍ ଭି, ବିକାଶ ଭି’ (ଐତିହ୍ୟ ମଧ୍ୟ, ବିକାଶ ମଧ୍ୟ) ଭାବନାକୁ ଆଧାର କରି ନବୀକରଣ କରାଯାଇଥିବା ଏହି ଷ୍ଟେସନ୍ଗୁଡିକରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଶୈଳୀର ଝଲକ ଦେଖିବାକୁ ମିଳିବ ।
ପ୍ରଧାନମନ୍ତ୍ରୀ ନାଙ୍ଗାଲ ଡ୍ୟାମ୍-ତାଲୱାରା-ମୁକେରିଆନ୍ ନୂତନ ରେଳ ଲାଇନ୍ ପ୍ରକଳ୍ପର ଅଂଶବିଶେଷ ଭାବେ ପ୍ରାୟ ୮୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୌଲତପୁର ଚୌକ–କାର୍ଟୋଲି ନୂତନ ରେଳ ଲାଇନ୍ର ଉଦ୍ଘାଟନ କରିବେ । ଏହା ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ମଧ୍ୟରେ ରେଳ ସଂଯୋଗକୁ ବହୁଳ ଭାବରେ ସୁଦୃଢ଼ କରିବ ଯାହା ଫଳରେ ହୋଶିଆର୍ପୁର ଏବଂ ଉନା ଜିଲ୍ଲାଗୁଡିକ ଉପକୃତ ହେବେ । ଏହି ନୂତନ ରେଳ ଲାଇନ୍ ଶ୍ରୀ ଆନନ୍ଦପୁର ସାହିବ ଏବଂ ମା’ ଚିନ୍ତପୂର୍ଣ୍ଣି ମନ୍ଦିର ଭଳି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳଗୁଡିକ ସହିତ ସଂଯୋଗ ସ୍ଥାପନ କରିବ । ଏହା ସହିତ, ଯାତ୍ରୀମାନଙ୍କୁ ଏକ ଦ୍ରୁତ, ସୁରକ୍ଷିତ ଏବଂ ଅଧିକ ନିର୍ଭରଯୋଗ୍ୟ ପରିବହନ ମାଧ୍ୟମ ଯୋଗାଇ ଦେବା ଦ୍ୱାରା ଦୁର୍ଗମ ଅଞ୍ଚଳଗୁଡିକ ସହିତ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଉନ୍ନତ କରିବ ।
ପ୍ରଧାନମନ୍ତ୍ରୀ କାର୍ଟୋଲି-ଅମ୍ବାଲା ଟ୍ରେନ୍ ସେବାର ଶୁଭାରମ୍ଭ କରିବେ, ଯାହା ପଞ୍ଚାବ, ହରିୟାଣା ଏବଂ ହିମାଚଳ ପ୍ରଦେଶ ମଧ୍ୟରେ ସଂଯୋଗ ବ୍ୟବସ୍ଥାକୁ ଉନ୍ନତ କରିବ । ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଅମୃତସର-ବାରାଣାସୀ ଟ୍ରେନ୍ ସେବାର ମଧ୍ୟ ଶୁଭାରମ୍ଭ କରିବେ, ଯାହା ଭାରତର ଦୁଇଟି ଅତ୍ୟନ୍ତ ପବିତ୍ର ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ଏକ ସିଧାସଳଖ ରେଳ ସଂଯୋଗ ସ୍ଥାପନ କରିବ ।
ରାଜ୍ୟରେ ସଡ଼କ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ, ପ୍ରଧାନମନ୍ତ୍ରୀ ୩,୦୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପଗୁଡିକର ଉଦ୍ଘାଟନ କରିବେ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ପ୍ରଧାନମନ୍ତ୍ରୀ ଦିଲ୍ଲୀ-ଅମୃତସର-କଟରା ଏକ୍ସପ୍ରେସ୍ୱେର ୩୦.୯ କିଲୋମିଟର୍ ଲମ୍ବା ପ୍ୟାକେଜ୍ ୬ (ଚାରି-ଲେନ୍ ବିଶିଷ୍ଟ ଗ୍ରୀନ୍ଫିଲ୍ଡ ପ୍ରକଳ୍ପ) ର ଉଦ୍ଘାଟନ କରିବେ । ଏହି ଅଂଶଟି ଯାତାୟାତକୁ ସହଜ ଓ ଦୃତତର କରିବ, ବିଶେଷକରି ଭାରୀ ଯାନବାହନ ପାଇଁ; ଏହା ସହିତ ଇନ୍ଧନ ଖର୍ଚ୍ଚ ଏବଂ ଗାଡି ପରିଚାଳନା ବ୍ୟୟ ମଧ୍ୟ ହ୍ରାସ ପାଇବ ।
ଏହାଛଡା ପ୍ରଧାନମନ୍ତ୍ରୀ ୨୫.୨ କିଲୋମିଟର ଲମ୍ବ ଦକ୍ଷିଣ ଲୁଧିଆନା ବାଇପାସ୍ (ଛଅ-ଲେନ୍ ବିଶିଷ୍ଟ ଗ୍ରୀନ୍ଫିଲ୍ଡ ପ୍ରକଳ୍ପ) ର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ଲୁଧିଆନା ଏବଂ ବଠିଣ୍ଡା ମଧ୍ୟରେ ଯାତ୍ରା ଦୂରତା ଓ ସମୟ ହ୍ରାସ କରିବା ସହ ଅନ୍ୟାନ୍ୟ ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡିକ ସହିତ ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ ।
SR