ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

'ଚିନ୍ମୟ ଅମୃତ ମହୋତ୍ସବ ବୈଶ୍ବିକ ସମ୍ମିଳନୀ'ର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 23 OCT 2026 1:08PM by PIB Bhubaneswar

 

 

ପରମ ପୂଜ୍ୟ ସ୍ୱାମୀ ତେଜୋମୟାନନ୍ଦ ଜୀ, ପୂଜ୍ୟ ସ୍ୱାମୀ ସ୍ୱରୂପାନନ୍ଦ ଜୀ, ପୂଜ୍ୟ ସ୍ୱାମୀ ମିତ୍ରାନନ୍ଦ ଜୀ, ପୂଜ୍ୟ ସ୍ୱାମୀ ବିବିକ୍ତାନନ୍ଦ ଜୀ, ସମସ୍ତ ସମ୍ମାନନୀୟ ସନ୍ଥଗଣ, ଆଚାର୍ଯ୍ୟଗଣ , ଚିନ୍ମୟ ମିଶନର ସମସ୍ତ ନିଷ୍ଠାବାନ ସେବକ, ଦେଶ-ବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ଏବଂ ସାଧକବୃନ୍ଦ, ଏଠାରେ ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିମାନେ।

 

ଆପଣ ସମସ୍ତଙ୍କ ସୌଜନ୍ୟରୁ ଆଜି ମୋତେ ଚିନ୍ମୟ ମିଶନର 'ଅମୃତ ମହୋତ୍ସବ'ରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି। ଏହା ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି। ଆମର ସନ୍ଥମାନଙ୍କର ମୋ ପ୍ରତି ବିଶେଷ ସ୍ନେହ ଓ ଆଶୀର୍ବାଦ ରହିଛି । କାରଣ, ଚିନ୍ମୟ ମିଶନ କେବଳ ଏକ ଅନୁଷ୍ଠାନ ନୁହେଁ, ଏହା ଏକ 'ଚିନ୍ମୟ ବିଚାର' ଅଟେ।  ଯାହାର  ସ୍ଥାପନା ଜଣେ 'ଚିନ୍ମୟ ଋଷି'ଙ୍କ ଦ୍ୱାରା ହୋଇଥିଲା। ଦଶନ୍ଧି-ଦଶନ୍ଧି ଧରି ଏହାର ଯାତ୍ରା ମଧ୍ୟ ପବିତ୍ର ଚିନ୍ମୟ  ସଂକଳ୍ପ ଗୁଡ଼ିକରେ ପରିପୂର୍ଣ୍ଣ ରହିଛି। ଆଉ, ଯିଏ 'ଚିନ୍ମୟ', ସ୍ୱାଭାବିକ ଭାବରେ ସେ ଅମର ଏବଂ ଅମୃତମୟ ଅଟନ୍ତି। ତେଣୁ, ଆଜି 'ଭାରତ ମଣ୍ଡପମ୍'ରେ ଆୟୋଜିତ 'ଚିନ୍ମୟ ଅମୃତ ମହୋତ୍ସବ' ଏହି କାର୍ଯ୍ୟକ୍ରମର ନାମ ମଧ୍ୟ ସେତିକି ସାର୍ଥକ ଅଟେ। ବିଶ୍ୱବ୍ୟାପୀ ଚିନ୍ମୟ ମିଶନ ସହ ଜଡ଼ିତ ସନ୍ଥ ଓ ଆଚାର୍ଯ୍ୟମାନଙ୍କୁ, ଲକ୍ଷ-ଲକ୍ଷ ସାଧକମାନଙ୍କୁ ଓ ଅନୁଗାମୀମାନଙ୍କୁ ମୁଁ 'ଚିନ୍ମୟ ଅମୃତ ମହୋତ୍ସବ' ପାଇଁ  ବହୁତ-ବହୁତ ଅଭିନନ୍ଦନ ଜଣାଉଛି।

 

 

ବନ୍ଧୁଗଣ,

ଆଜି ଏଠାରେ ପହଞ୍ଚିବା ପରେ ମୋର ହୃଦୟରେ ଯେଉଁ ଅନୁଭବ ସୃଷ୍ଟି ହେଉଛି, ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି ଆୟୋଜନ ତାହାକୁ ଆହୁରି ଜୀବନ୍ତ କରିଦେଲା | ପୂଜ୍ୟ  ଗୁରୁଦେବ ସ୍ବାମୀ ଚିନ୍ମୟାନନ୍ଦ ଜୀଙ୍କ ଏହି ରୂପ ଦର୍ଶନ, ତାଙ୍କ ହୋଲୋବଟ୍ ଙ୍କ ସହିତ କଥାବାର୍ତ୍ତା ହେବାର ସୌଭାଗ୍ୟ, ମୋତେ ଏମିତି ଲାଗୁଥିଲା, ଯେମିତି ମୁଁ 33 ବର୍ଷ ପୂର୍ବକୁ  ଫେରିଯାଇଛି | ୧୯୩୩ ମସିହାରେ ଭଦୋଦାରେ ଗୁରୁଦେବଙ୍କ ସହିତ ହୋଇଥିବା ମୋର ସାକ୍ଷାତ, ତାଙ୍କ ସହିତ ହୋଇଥିବା ମୋର ବାର୍ତ୍ତାଳାପ, ତାଙ୍କର ସ୍ନେହ, ତାଙ୍କର ଆଶୀର୍ବାଦ ,  ଆଜି ସବୁକିଛି ମୋ ଆଖି ଆଗରେ ପୁଣି ଆସିଗଲା | କିଛି କ୍ଷଣ ପାଇଁ ଏମିତି ଲାଗିଲା, ଯେମିତି ମୁଁ ଗୁରୁଦେବଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ମଧ୍ୟକୁ ଆସିଯାଇଛି। ମୋ ପାଇଁ ଏହା ଏକ ଗଭୀର ଭାବପ୍ରବଣ ଅନୁଭୂତି | ମୁଁ ଚିନ୍ମୟ ମିଶନକୁ, ସମସ୍ତ ସଦସ୍ୟଙ୍କୁ ଏହି ଚମତ୍କାର ଅନୁଭୂତି ପାଇଁ ମୁଁ ମୋର ଅନ୍ତରରୁ ଧନ୍ୟବାଦ ଜଣାଉଛି , ସେମାନଙ୍କୁ କୃତଜ୍ଞତା ଜଣାଉଛି |

 

ବନ୍ଧୁଗଣ,

୧୯୯୩ ମସିହା ଫେବୃଆରୀ-ମାର୍ଚ୍ଚ ମାସ ଆଖପାଖରେ ମୋର ପୂଜ୍ୟ ଗୁରୁଦେବଙ୍କ ସହିତ ସାକ୍ଷାତ ହୋଇଥିଲା, ମୁଁ ତାଙ୍କୁ ଆମେରିକାର ଶିକାଗୋଠାରେ ଅନୁଷ୍ଠିତ ହେବାକୁ ଥିବା 'ବିଶ୍ୱ ଧର୍ମ ସଂସଦ'ର ଶତବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲି। ସେହି ସମୟରେ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଐତିହାସିକ ଅଭିଭାଷଣର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯାଉଥିଲା। ପୂଜ୍ୟ ଗୁରୁଦେବ ଏହି ନିମନ୍ତ୍ରଣ ଗ୍ରହଣ କଲେ, ପୂଜ୍ୟ ଗୁରୁଦେବ ଆମେରିକା ଗଲେ ଏବଂ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ 'ବିଶ୍ୱ ଧର୍ମ ସଂସଦ'ର ଶତବାର୍ଷିକୀ ଉତ୍ସବ ବିଷୟରେ ଅବଗତ କରାଇଲେ, ସେଥିରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କଲେ। କିନ୍ତୁ ବିଧାତାଙ୍କ ଇଚ୍ଛା କିଛି ଅଲଗା ଥିଲା। 'ବିଶ୍ୱ ଧର୍ମ ସଂସଦ' ଆୟୋଜିତ ହେବାର ମାତ୍ର କିଛି ସପ୍ତାହ ପୂର୍ବରୁ, ଅଗଷ୍ଟ ୩ ତାରିଖରେ, ଗୁରୁଦେବ ଆମେରିକାର ସୈନ୍ ଡିଏଗୋ ଠାରେ ଦେହ ତ୍ୟାଗ କରି ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ସେପ୍ଟେମ୍ବର ୧୧ ​​ତାରିଖରେ ଯେତେବେଳେ ଶିକାଗୋରେ 'ବିଶ୍ୱ ଧର୍ମ ସଂସଦ' ଅନୁଷ୍ଠିତ ହେଲା, ସୌଭାଗ୍ୟବଶତଃ ମୁଁ ସେଠାରେ ଉପସ୍ଥିତ ଥିଲି। ଆମେ ସମସ୍ତେ ପୂଜ୍ୟ ଗୁରୁଦେବଙ୍କ ଅନୁପସ୍ଥିତି ଅନୁଭବ କରୁଥିଲୁ। ମୋ ମନରେ ଗୁରୁଦେବ କହିଥିବା ଅନେକ କଥା ବାରମ୍ବାର ଉଙ୍କି ମାରୁଥିଲା। ତାଙ୍କ ସହିତ ମୋର ଶେଷ ସାକ୍ଷାତ ସମୟରେ ହୋଇଥିବା ଗଭୀର ଆଲୋଚନା ଆଜି ମଧ୍ୟ ମୋ ସ୍ମୃତିରେ ସତେଜ ହୋଇ ରହିଛି। ସେହି ଆଲୋଚନାର ମୂଳ ଭାବନା ଥିଲା- ଯୁବ ଶକ୍ତିର ନିର୍ମାଣ ! ଏବଂ, ଯୁବ ଶକ୍ତି ମାଧ୍ୟମରେ ଏକ ସଶକ୍ତ ଓ ସକ୍ଷମ ଭାରତର ନିର୍ମାଣ।

 

ବନ୍ଧୁଗଣ,

ତାଙ୍କୁ ଭେଟିବାର କିଛି ବର୍ଷ ପରେ ମୋତେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ସେବା କରିବାକୁ  ଜନତା-ଜନାର୍ଦ୍ଦନ ଆର୍ଶିବାଦ ଦେଲେ। ସେହିଦିନ ଠାରୁ ନେଇ  ଆଜି ପର୍ଯ୍ୟନ୍ତ, ଗତ ୨୫ ବର୍ଷ ଧରି, ସରକାରଙ୍କ ମୁଖିଆ ଭାବରେ ମୁଁ ଅନବରତ, ମୋ ଦ୍ବାରା ଯାହା କିଛି ସମ୍ଭବ ହୋଇପାରିବ,  ନିଜର ସାମର୍ଥ୍ୟ ଅନୁଯାୟୀ ଦେଶର ସେବା କରିଆସୁଛି ଗୁରୁଜୀଙ୍କ ଆଶୀର୍ବାଦ ମୋ ସହିତ ରହିଛି। ଏହି ଯାତ୍ରାରେ, ଦେଶର ଯୁବକମାନେ ମୋର ପ୍ରୟାସ ଏବଂ ନୀତିଗୁଡ଼ିକର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ 'ଚିନ୍ମୟ ଅମୃତ ମହୋତ୍ସବ'ରେ ମଧ୍ୟ ଯୁବକମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆମର ଅନେକ ଯୁବ ସାଥୀ ପ୍ରାୟ ୩୦୦ ଦିନ ମଧ୍ୟରେ ୪୦,୦୦୦ କିଲୋମିଟରର ଏକ ଯାତ୍ରା ସମ୍ପାଦନ କରିଛନ୍ତି। ଏହି ସମୟ ମଧ୍ୟରେ, ଏକ ଲକ୍ଷରୁ ଅଧିକ ଯୁବକଙ୍କ ସହିତ ଯୋଗାଯୋଗ କରାଯାଇଛି। ଏହି ଉଲ୍ଲେଖନୀୟ ପ୍ରୟାସ ପାଇଁ ମୁଁ ସମଗ୍ର ଦଳକୁ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ଆମ ଉପନିଷଦରେ ଗୋଟିଏ କଥା ଅଛି - “ବୟମ୍ ଅମୃତସ୍ୟ ପୁତ୍ରାଃ । ଅର୍ଥାତ୍, ଆମେ ଅମୃତର ସନ୍ତାନ। ଏହି ଧାରଣା, କେବଳ ଏକ ଆଧ୍ୟାତ୍ମିକ ଦର୍ଶନ ନୁହେଁ, ବରଂ ଏହା ଆମର ସାଂସ୍କୃତିକ ବିଶ୍ୱାସ ମଧ୍ୟ ଅଟେ। ଏହାର ଅର୍ଥ ଏହା ନୁହେଁ ଯେ ଆମର ଭୌତିକ ଶରୀର ଅମର । ଏହାର ଅର୍ଥ ହେଉଛି ଯେ- ଆମର ଚେତନା ଅମର ଅଟେ। ଆମର ଜ୍ଞାନ ଏବଂ ଆମର ସଚେତନତା ଅମର ଅଟେ। ଏହି ସଚେତନତା କାରଣରୁ ହିଁ, ଭାରତ ମଧ୍ୟ ହଜାର-ହଜାର ବର୍ଷ ଧରି ଅମର ହୋଇ ରହିଆସିଛି। କାରଣ 'ଭାରତ' ଶବ୍ଦର ଅର୍ଥ ହିଁ ହେଉଛି , ଯିଏ ଜ୍ଞାନ ଏବଂ ଆଲୋକର ଅନ୍ୱେଷଣରେ ସର୍ବଦା ନିୟୋଜିତ।

 

ତେଣୁ, ବନ୍ଧୁଗଣ,

ଯେତେବେଳେ ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଅବସର ଆସିଲା, ସେତେବେଳେ ମୋ ମନରେ ଏହି ଚିନ୍ତା ଆସିଲା ଯେ ଆମକୁ କେବଳ ଏହି ଅବସରକୁ ଏକ ବିକଶିତ ଭାରତ ପାଇଁ ପ୍ରେରଣାଦାୟକ ମଞ୍ଚରେ ପରିଣତ କରିବା ଉଚିତ୍ ନୁହେଁ, ବରଂ ଭାରତର ସେହି ମୂଳ ସତ୍ତାକୁ ମଧ୍ୟ ପୁନର୍ଜୀବିତ କରିବା ଉଚିତ୍, ଯିଏ ଅମୃତ ବିଚାରକୁ ନେଇ ଜିଇଁବା ଜାଣେ,  ଯିଏ ସହସ୍ର  ଶତାବ୍ଦୀର ଅନୁଭୂତି ମାଧ୍ୟମରେ ଯୁଗ-ଯୁଗ ଧରି ସମଗ୍ର ମାନବଜାତିର ଯତ୍ନ ନେଇପାରେ। ସେଥିପାଇଁ , ମୁଁ ଏହି ଅବସରକୁ 'ଅମୃତ ମହୋତ୍ସବ' ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଥିଲି। ଆଉ ଦେଖନ୍ତୁ, ସମୟ ବିତିବା ସହିତ, ଗୋଟିଏ ପରେ ଗୋଟିଏ ଅଦ୍ଭୁତ ଯାତ୍ରା ଏହି ସଂକଳ୍ପ ସହିତ ଯୋଡ଼ି ହୋଇଚାଲିଛି। ଏହି ସମୟ ମଧ୍ୟରେ ଅନେକ ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାମାଜିକ ସଂଗଠନ ନିଜ-ନିଜ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ 'ଅମୃତ ସଂକଳ୍ପ' ଗ୍ରହଣ କରିଛନ୍ତି। ଏବଂ ବର୍ତ୍ତମାନ, ଚିନ୍ମୟ ମିଶନ ମଧ୍ୟ ନିଜର 'ଅମୃତ ମହୋତ୍ସବ' ମାଧ୍ୟମରେ ଭାରତର 'ଅମୃତ କାଳ'ର ଅଭିଯାନରେ ସାମିଲ ହେଉଛି। ଏବଂ ପ୍ରକୃତରେ, ଏହା ହିଁ ଭାରତର ସଂକଳ୍ପଗୁଡ଼ିକର ପ୍ରକୃତ ଶକ୍ତି, ଏହା ଆମର 'ଅମୃତସ୍ୟ ପୁତ୍ରାଃ ' ହେବାର ପ୍ରକୃତ ପ୍ରମାଣ ଅଟେ।

 

ବନ୍ଧୁଗଣ,

ଆମର ବେଦର ଆହ୍ୱାନ ହେଉଛି- "ବୟଂ ରାଷ୍ଟ୍ରେ ଜାଗୃୟାମ ପୁରୋହିତାଃ" ଅର୍ଥାତ୍, ରାଷ୍ଟ୍ରର କଲ୍ୟାଣ କାମନା କରୁଥିବା ଲୋକମାନେ ରାଷ୍ଟ୍ରକୁ ଜାଗ୍ରତ ଏବଂ ଉନ୍ନତ କରିବା ଉଚିତ୍  । ସ୍ୱାମୀ ଚିନ୍ମୟାନନ୍ଦ ଜୀ ନିଜର ସମଗ୍ର ଜୀବନ ଏହି ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ବିତାଇଥିଲେ। ସେ ଯେପରି ଭକ୍ତିଭାବ ସହ ଆଧ୍ୟାତ୍ମିକ ବିଷୟ ଉପରେ ଆଲୋଚନା କରୁଥିଲେ, ଠିକ୍ ସେହିପରି ତତ୍ପରତାର ସହିତ ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ସ୍ପଷ୍ଟ ଓ ପ୍ରଭାବଶାଳୀ ବକ୍ତବ୍ୟ ରଖୁଥିଲେ। କାରଣ ଆମ ରାଷ୍ଟ୍ର ହେଉଛି ଆମ ସଂସ୍କୃତିର ଜନ୍ମସ୍ଥଳୀ। ଏହି ରାଷ୍ଟ୍ର ହିଁ ଆମ ଅସ୍ତିତ୍ୱର ମୂଳ ଆଧାର । ସ୍ୱାମୀଜୀ ସର୍ବଦା ଏହି ଶିକ୍ଷା ଦେଉଥିଲେ ଯେ, ଆମେ ଆମର ଆଧ୍ୟାତ୍ମିକ ଉନ୍ନତିକୁ ବ୍ୟକ୍ତିଗତ ବିକାଶ ସହିତ ଯୋଡ଼ିବା ଉଚିତ୍ ଏବଂ ବ୍ୟକ୍ତିଗତ ଉନ୍ନତିକୁ ରାଷ୍ଟ୍ରୀୟ ପ୍ରଗତିର ମାଧ୍ୟମ କରିବା ଉଚିତ୍। ଭାରତୀୟମାନଙ୍କୁ, ଭାରତ ପ୍ରତି  ସ୍ବାଭିମାନ ସହିତ ଆତ୍ମସମ୍ମାନର ଭାବନା ଜାଗ୍ରତ କରିବା ଥିଲା ସ୍ୱାମୀଜୀଙ୍କର ଲକ୍ଷ୍ୟ। ଏହି ଉଦ୍ଦେଶ୍ୟ ନେଇ ସେ 'ଗୀତା ଜ୍ଞାନ ଯଜ୍ଞ' ଆରମ୍ଭ କରିଥିଲେ। ସେ ଉପନିଷଦ, ବେଦାନ୍ତ ଏବଂ ଆମର ଅନ୍ୟାନ୍ୟ ଶାସ୍ତ୍ରର ଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାର ଅଭିଯାନ ଆରମ୍ଭ କରିଥିଲେ। ଏବଂ  ଆଜି ଆମେ ତାଙ୍କର ସେହି ସଂକଳ୍ପର ଫଳାଫଳ ବିଭିନ୍ନ ରୂପରେ ଦେଖିପାରୁଛୁ। 'ଚିନ୍ମୟ ମିଶନ'ର ପ୍ରୟାସ ଯୋଗୁଁ, ଆଜି ଲକ୍ଷ-ଲକ୍ଷ ଯୁବକ-ଯୁବତୀ ଏମିତି ଅଛନ୍ତି , ଯିଏ ଭାରତର ସାଂସ୍କୃତିକ 'ବ୍ରାଣ୍ଡ ଆମ୍ବାସାଡର' ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଯୁବକ-ଯୁବତୀମାନେ ଭାରତୀୟ ମୂଲ୍ୟବୋଧକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଉଛନ୍ତି। ପୂଜ୍ୟ ଗୁରୁଦେବଙ୍କର ଏହି ଅବଦାନ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୁନଜାଗରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଅଟେ।

 

ବନ୍ଧୁଗଣ,

ଆଜି ମୋତେ ପୂଜ୍ୟ ଗୁରୁଦେବଙ୍କ ଜନ୍ମ ଶତବାର୍ଷିକୀର ସେହି ଅବସରକୁ ମଧ୍ୟ ମନେ ପକାଉଛି। ୨୦୧୫ ମସିହାରେ, ତାଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବାର ସୌଭାଗ୍ୟ ମୋତେ ମିଳିଥିଲା। ସେତେବେଳେ ମଧ୍ୟ ମୁଁ କହିଥିଲି ଯେ ସ୍ୱାମୀଜୀଙ୍କ ଜୀବନ ଥିଲା ଜ୍ଞାନ, କର୍ମ ଏବଂ ଭକ୍ତିର ଏକ ଅଦ୍ଭୁତ ସମାଗମ ଥିଲା । ତାଙ୍କ ଗୁରୁ, ସ୍ୱାମୀ ଶିବାନନ୍ଦ ଜୀ ତାଙ୍କୁ ଆଶୀର୍ବାଦ ଦେଇ କହିଥିଲେ, “ଯାଅ, ସିଂହ ଭଳି ଗର୍ଜନ କର।”ସେ ନିଜର ସମଗ୍ର ଜୀବନ ସେହି ଭାବନା ସହିତ ଅତିବାହିତ କରିଥିଲେ। ତାଙ୍କ ବାଣୀରେ ଯେଉଁ ଆତ୍ମବିଶ୍ୱାସ ଥିଲା, ଆନ୍ତରିକ ଶକ୍ତି ଥିଲା, ସେ ସମସ୍ତଙ୍କ ହୃଦୟରେ ତାଙ୍କ ଚିନ୍ତାଧାରାର ଏକ ଗଭୀର ଓ ସ୍ଥାୟୀ ଛାପ ଛାଡ଼ିଯାଇଥିଲା।“ଆର୍ଟ ଅଫ୍ ମ୍ୟାନ୍ ମେକିଂ” ନାମକ ତାଙ୍କର ଏକ ରେଡିଓ କାର୍ଯ୍ୟକ୍ରମ ଅସଂଖ୍ୟ ବ୍ୟକ୍ତିଙ୍କୁ ଜୀବନରେ ଦିଗ୍‌ଦର୍ଶନ ଦେଇଥିଲା।

 

ବନ୍ଧୁଗଣ,

ମହାନ ବ୍ୟକ୍ତିତ୍ୱମାନଙ୍କ ଲକ୍ଷ୍ୟ ବା ମିଶନ୍ ସେମାନଙ୍କ ବିଦାୟ ପରେ ମଧ୍ୟ ଜୀବନ୍ତ ରହିଥାଏ। ସେଥିପାଇଁ,  ଆଜି ଆମେ ଦେଖୁଛୁ ଯେ ଚିନ୍ମୟ ମିଶନର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ଲକ୍ଷ-ଲକ୍ଷ ଶିଶୁ ଓ ଯୁବକ-ଯୁବତୀଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉଛି। ଏହି ଅନୁଷ୍ଠାନଗୁଡ଼ିକରେ ସେମାନେ ଆଧୁନିକ ଶିକ୍ଷା ଗ୍ରହଣ କରିବା ସହିତ ଭାରତୀୟ ମୂଲ୍ୟବୋଧକୁ ମଧ୍ୟ ଆପଣାଉଛନ୍ତି।

 

ବନ୍ଧୁଗଣ,

ସ୍ୱାଧୀନତା ସମୟରେ ସ୍ୱାମୀ ଚିନ୍ମୟାନନ୍ଦ ଜୀଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିମାନେ ଯେଉଁ ସ୍ୱପ୍ନ ବା ଲକ୍ଷ୍ୟ ରଖିଥିଲେ, ଆଜି ଦେଶ ମଧ୍ୟ ସେହି ଦିଗରେ ନିଜର ଦାୟିତ୍ୱ ପାଳନ କରୁଛି। ଆମର ଶିକ୍ଷା ବ୍ୟବସ୍ଥା ନୂତନ ଭାରତ ପାଇଁ ହେଉ, ସେଥିପାଇଁ ଆମେ ‘ଜାତୀୟ ଶିକ୍ଷା ନୀତି’ପ୍ରଣୟନ କରିଛୁ। ଏହି ନୂତନ ଶିକ୍ଷା ନୀତିରେ ଭାରତୀୟ ଜ୍ଞାନ ପରମ୍ପରା, ମାତୃଭାଷାରେ ଶିକ୍ଷା, ଆଧୁନିକ ବିଜ୍ଞାନ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

 

ବନ୍ଧୁଗଣ,

ସ୍ୱାମୀଜୀଙ୍କ ଜୀବନରେ ଅନ୍ୟ ଏକ ଲକ୍ଷ୍ୟ ଥିଲା- ଭାରତୀୟ ଐତିହ୍ୟ ଉପରେ ଗର୍ବ କରିବା ଏବଂ ଏହାର ସଂରକ୍ଷଣ କରିବା ! ଆପଣମାନେ ସମସ୍ତେ କନ୍ୟାକୁମାରୀ ସ୍ଥିତ 'ବିବେକାନନ୍ଦ ରକ୍ ମେମୋରିଆଲ୍' ଭାବରେ ପରିଚିତ। ସମୁଦ୍ର ମଧ୍ୟରେ ଥିବା ସେହି ବିଶାଳ ଶିଳାଖଣ୍ଡ ଉପରେ ଏକ ସ୍ମାରକ ନିର୍ମାଣ କରିବାର ସଂକଳ୍ପ ଶ୍ରୀ ଏକନାଥ ରାନାଡେ ଜୀ ନେଇଥିଲେ। ସେହି ସମୟରେ, ପୂଜ୍ୟ ଗୁରୁଦେବ ଦୃଢ଼ ଭାବରେ ତାଙ୍କ ପକ୍ଷରେ ଛିଡ଼ା ହୋଇଥିଲେ। ଏହି ମହାନ କାର୍ଯ୍ୟ ପାଇଁ ପ୍ରଥମ ଆର୍ଥିକ ଯୋଗଦାନ ମଧ୍ୟ ପୂଜ୍ୟ ସ୍ୱାମୀଜୀ ହିଁ ଦେଇଥିଲେ। ଆଜି, ବିବେକାନନ୍ଦ ରକ୍ ମେମୋରିଆଲ୍, ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ଲକ୍ଷ-ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାର କେନ୍ଦ୍ର ପାଲଟିଛି।

 

ବନ୍ଧୁଗଣ,

ଆଜି, ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, ଭାରତର ସାଂସ୍କୃତିକ କେନ୍ଦ୍ରଗୁଡ଼ିକ ଏକ ନବଜାଗରଣ ଦେଇ ଗତି କରୁଛି। ସେ କାଶୀ ବିଶ୍ୱନାଥ ଧାମର ନବୀକୃତ ରୂପ ହେଉ, ଅଯୋଧ୍ୟାରେ ପ୍ରଭୂ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ହେଉ, ଉଜ୍ଜୈନର 'ମହାକାଳ ମହାଲୋକ' ହୁଅନ୍ତୁ , କିମ୍ବା କେଦାରନାଥ ଏବଂ ବଦ୍ରିନାଥ ଭଳି ଆମର ପବିତ୍ର ତୀର୍ଥସ୍ଥଳୀଗୁଡ଼ିକ ହେଉ, ଏସବୁର ରୂପାନ୍ତର ଘଟୁଛି। ଯଦି ଆପଣ ନିକଟରେ କେଦାରନାଥ ଯାଇଥିବେ, ତେବେ ଦେଖିଥିବେ ଯେ ସେଠାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ଦିବ୍ୟ ଓ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।  ଠିକ୍ ସେହି ସ୍ଥାନରେ, ଯେଉଁଠାରେ ଆଦି ଶଙ୍କର ନିଜର ପାର୍ଥିବ ଶରୀର ତ୍ୟାଗ କରିଥିଲେ। ଆଜି, ଏହି ସ୍ଥାନଗୁଡ଼ିକ ପୁନର୍ବାର ନିଜର ଭବ୍ୟ ସ୍ବରୂପକୁ ଫେରି ପାଉଛନ୍ତି। ଆପଣମାନେ ସମସ୍ତେ ଜାଣନ୍ତି ଯେ, ଗୋଟିଏ ସମୟରେ ଭାରତରୁ ଅନେକ ମୂର୍ତ୍ତି ଚୋରି ହୋଇ ବିଦେଶକୁ ଚାଲିଯାଇଥିଲା ଏବଂ ସେଠାରେ ବିକ୍ରି ହୋଇଯାଇଥିଲା। ସେତେବେଳେ ଏହାକୁ ରୋକିବାକୁ କିମ୍ବା ଏ ବିଷୟରେ ପଚରାଉଚରା କରିବାକୁ କେହି ନ’ଥିଲେ, ମୂର୍ତ୍ତିଗୁଡ଼ିକୁ ପୂଜା କରିବା କଥା ତ ଛାଡ଼ନ୍ତୁ, ଏ ବିଷୟରେ ପଚାରିବାକୁ ମଧ୍ୟ କେହି ନଥିଲେ। ଗତ ୧୨ ବର୍ଷ ମଧ୍ୟରେ, ଆମେ ଏଭଳି ୬୫୦ରୁ ଅଧିକ ଚୋରି ହୋଇଯାଇଥିବା ପ୍ରାଚୀନ ମୂର୍ତ୍ତିକୁ  ମଧ୍ୟ ଫେରାଇ ଆଣିଛୁ। ଆମର ସାଂସ୍କୃତିକ କେନ୍ଦ୍ର ‘ୟୁନେସ୍କୋ ଓ୍ବର୍ଲ୍ଡ଼ ହେରିଟେଜ୍ ସାଇଟ୍’ର ଅଂଶ ହୋଇପାରିଛନ୍ତି।

 

ବନ୍ଧୁଗଣ,

ଯେପରି ସ୍ୱାମୀଜୀ ଆମର ଧର୍ମ ଓ ଦର୍ଶନକୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇଥିଲେ, ଠିକ୍ ସେହିପରି ଆଜି 'ଆନ୍ତର୍ଜାତୀୟ ଯୋଗ ଦିବସ' ସମଗ୍ର ବିଶ୍ୱର ଲୋକଙ୍କୁ ଭାରତ ସହିତ ଯୋଡ଼ୁଛି, ଆମର ପ୍ରାଚୀନ ଓ ଗୌରବମୟ ପରମ୍ପରା ସହିତ ଯୋଡ଼ୁଛି। ନିଜର ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବାର ଏହି ଆତ୍ମବିଶ୍ୱାସ ଏବଂ ପରାଧୀନ ମାନସିକତାରୁ ମୁକ୍ତିର ଏହି ନିଶ୍ଚିତତା ପ୍ରମାଣିତ କରୁଛି ଯେ, ଆମ ଦେଶ ବର୍ତ୍ତମାନ ସେହି ପଥରେ ଅଗ୍ରସର ହେଉଛି, ଯାହାର କଳ୍ପନା ଶତାବ୍ଦୀ-ଶତାବ୍ଦୀ ଧରି ଆମର ଋଷିମାନେ ଏବଂ ଦେଶଭକ୍ତମାନେ କରିଥିଲେ। ଏହି ପଥରେ ସେମାନଙ୍କର ବିଚାରଧାରାର ଶକ୍ତି ହିଁ ଆମର ସବୁଠାରୁ ବଡ଼ ସମ୍ବଳ।

 

ବନ୍ଧୁଗଣ,

ବିଭିନ୍ନ ସଂସ୍ଥା ଏବଂ ସଙ୍ଗଠନର ନିଜସ୍ୱ ଲକ୍ଷ୍ୟ ଥାଇପାରେ, କିନ୍ତୁ ଗୋଟିଏ ଉଦ୍ଦେଶ୍ୟ ଯାହା ସମସ୍ତଙ୍କୁ ଏକତ୍ରିତ କରେ ଏବଂ ଯେଉଁଠାରେ ସମସ୍ତ ପଥ ମିଳିତ ହୁଏ, ତାହା ହେଉଛି—ରାଷ୍ଟ୍ରର ବିକାଶ ଓ ରାଷ୍ଟ୍ରର ଗୌରବ। ସ୍ୱାମୀ ଚିନ୍ମୟାନନ୍ଦ ଜୀଙ୍କ ସମୟରେ, ଦେଶ ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକୁ ଦୃଷ୍ଟିରେ ରଖି ସେହି ସମୟରେ ନିଜର ସଂକଳ୍ପଗୁଡ଼ିକୁ ସ୍ଥିର କରିଥିଲେ। ବିଗତ ଦଶନ୍ଧିଗୁଡ଼ିକ ମଧ୍ୟରେ ସମୟ ବଦଳିଛି, ଦେଶ ସମ୍ମୁଖରେ  ନୂତନ ଆହ୍ୱାନ ଉପୁଜିଛି ଏବଂ ସମାଜରେ କିଛି ନୂତନ ବିକୃତି ମଧ୍ୟ ପ୍ରବେଶ କରିଛି। ଆଜି, ଏହାର ସମାଧାନ ଖୋଜିବାର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି। ଆଜି ଆମକୁ ସମାଜରେ ବିଭାଜନ ସୃଷ୍ଟି କରୁଥିବା ଶକ୍ତିଗୁଡ଼ିକ ବିରୁଦ୍ଧରେ ଏକଜୁଟ ହେବାକୁ ପଡ଼ିବ ଏବଂ ନାଗରିକମାନଙ୍କୁ 'ଆତ୍ମନିର୍ଭରଶୀଳତା' ବିଷୟରେ ସଚେତନ କରାଇବାକୁ ହେବ। ଆମକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ '୨୦୪୭ ସୁଦ୍ଧା ଏକ ବିକଶିତ ଭାରତ' ଗଠନର ସଂକଳ୍ପ ସହିତ ଯୋଡ଼ିବାକୁ ହେବ। ଏହି ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା ଦିଗରେ ଆମକୁ ଆହୁରି ଅଧିକ ସକ୍ରିୟ ହେବାକୁ ପଡ଼ିବ।

 

ବନ୍ଧୁଗଣ,

୨୦୪୭ ମସିହାରେ ଯେତେବେଳେ ଭାରତ ନିଜ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ଠିକ୍ ସେହି ସମୟରେ 'ଚିନ୍ମୟ ମିଶନ' ମଧ୍ୟ ନିଜର ଶତବାର୍ଷିକୀ ପାଳନ କରିବ। ଅର୍ଥାତ୍, ଚିନ୍ମୟ ମିଶନର ଶତବାର୍ଷିକୀ ଯାତ୍ରା ଏବଂ ଏକ ବିକଶିତ ଭାରତ ଗଠନର ଯାତ୍ରା ଏକାସାଙ୍ଗରେ ଆଗକୁ ବଢ଼ିବ।  ସେଥିପାଇଁ, ଆମର ଲକ୍ଷ୍ୟ ମଧ୍ୟ ଗୋଟିଏ, ଉଦ୍ଦେଶ୍ୟ ମଧ୍ୟ ଗାଟିଏ  ତେଣୁ ଆମକୁ ଏହି ଯାତ୍ରାକୁ ଏକାଠି ନେଇ ଆଗକୁ ବଢାଇବାକୁ ହେବ। ଆପଣଙ୍କ ପାଖରେ ଗୁରୁଦେବଙ୍କ ମହାନ ଐତିହ୍ୟ ରହିଛି,ଦଶନ୍ଧିର ଅନୁଭବ ରହିଛି। ସମଗ୍ର ବିଶ୍ବରେ ଥିବା ସମର୍ପିତ ଆଚାର୍ଯ୍ୟମାନଙ୍କର, ସାଧକଙ୍କର ଏବଂ କାର୍ଯ୍ୟକର୍ତ୍ତାଙ୍କର ଏକ ବିଶାଳ ପରିବାର ରହିଛି। ମୋର ବିଶ୍ବାସ ରହିଛି,ଆପଣ ସମସ୍ତେ ମିଶିକି ବିକଶିତ ଭାରତର ନିର୍ମାଣରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।ଏହି ବିଶ୍ବାସର ସହିତ ମୁଁ ପୁଣିଥରେ ପୂଜ୍ୟ ଗୁରୁଦେବଙ୍କ ଚରଣରେ ପ୍ରଣାମ କରୁଛି। ଚିନ୍ମୟ ମିଶନର ସମସ୍ତ ସନ୍ଥମାନଙ୍କୁ ଆଚାର୍ଯ୍ୟମାନଙ୍କୁ, ସାଧକମାନଙ୍କୁ ଏବଂ ସେବପ୍ରଦାନ କରୁଥିବା ସାଥିମାନଙ୍କୁ, ଅମୃତ ମହୋତ୍ସବ ଅବସରରେ  ବହୁତ-ବହୁତ ଶୁଭକାମନା ଜଣାଉଛି।

 

ହରି ଓମ୍।

ହରି ଓମ୍।

ହରି ଓମ୍।

 

ବହୁତ-ବହୁତ ଧନ୍ୟବାଦ।

 

 

 

*****

 

NS


(ରିଲିଜ ଆଡି: 2328886) ପରିଦର୍ଶକ କାଉଣ୍ଟର : 12