କ୍ୟାବିନେଟ୍ ସଚିବ ଡଃ ଟି. ଭି. ସୋମନାଥନ ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ଜରୁରୀକାଳୀନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ କମିଟିକୁ ସୂଚନା ଦେଇ କହିଛନ୍ତି ଯେ, ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ‘ଅର୍ଣ୍ଣବ’ ନାମକ ବାତ୍ୟାରେ ପରିଣତ ହୋଇଛି।
ଆଜି ଭାରତୀୟ ସମୟ ସକାଳ ୫ଟା ୩୦ ମିନିଟରେ ଏହା ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ-ମଧ୍ୟ ଅଞ୍ଚଳରେ କେନ୍ଦ୍ରୀଭୂତ ଥିଲା। ଏହା ଆଣ୍ଡାମାନ ଦ୍ୱୀପପୁଞ୍ଜର ଶ୍ରୀ ବିଜୟପୁରମଠାରୁ ପ୍ରାୟ ୫୯୦ କିଲୋମିଟର ଉତ୍ତର-ପଶ୍ଚିମରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୬୫୦ କିଲୋମିଟର ଏବଂ କାକିନାଡାଠାରୁ ୭୩୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ ରହିଥିଲା। ସେହିପରି ଏହା ମଚ୍ଛଲିପଟନମଠାରୁ ୮୩୦ କିଲୋମିଟର ପୂର୍ବରେ ଏବଂ ବାପଟଲାଠାରୁ ୯୧୦ କିଲୋମିଟର ପୂର୍ବରେ ଅବସ୍ଥିତ ଥିଲା।
ପୂର୍ବାନୁମାନ ଅନୁଯାୟୀ, ବାତ୍ୟାଟି ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହେବ। ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ଏହା ବାପତାଲା ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ୟାନାମ୍ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଏହା ଏକ ଅତି ଭୀଷଣ ବାତ୍ୟାର ରୂପ ନେଇଥିବ ଏବଂ ଘଣ୍ଟାପ୍ରତି ସର୍ବାଧିକ ୧୧୫ରୁ ୧୨୫ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ଛୁଇଁପାରେ। ଏହା ପରେ ବାତ୍ୟାର ପ୍ରଭାବ ତେଲେଙ୍ଗାନା, ଦକ୍ଷିଣ ଓଡ଼ିଶା, ଦକ୍ଷିଣ ଓ ମଧ୍ୟ ଛତିଶଗଡ଼ ସମେତ ପୂର୍ବ ଉତ୍ତରପ୍ରଦେଶ ଏବଂ ବିହାରରେ ଅନୁଭୂତ ହେବାର ଆଶଙ୍କା ରହିଛି।
ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଅଧିକାରୀମାନେ ବୈଠକରେ ନିଜ ନିଜ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପ୍ରସ୍ତୁତିମୂଳକ ପଦକ୍ଷେପ ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ। ବାତ୍ୟା ଆଶ୍ରୟସ୍ଥଳୀ ଓ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିସହ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ)ର ଆବଶ୍ୟକ ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲା ନିୟନ୍ତ୍ରଣ କକ୍ଷଗୁଡ଼ିକୁ ମଧ୍ୟ ସକ୍ରିୟ କରାଯାଇଛି ଏବଂ ସେଠାରୁ ପରିସ୍ଥିତି ଉପରେ ନଜର ରଖାଯାଉଛି।
ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପୁଡୁଚେରୀର ୟାନାମ୍ ଉପକୂଳ ଏବଂ ନିକଟ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ଇତିମଧ୍ୟରେ ଫେରି ଆସିଛନ୍ତି।
ବୈଠକରେ ଯୋଗ ଦେଇଥିବା କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ଅଧିକାରୀମାନେ କମିଟିକୁ ସୂଚନା ଦେଇଥିଲେ ଯେ, ସମସ୍ତ ମାନକ ପରିଚାଳନା ପ୍ରକ୍ରିୟା (ଏସ୍ଓପି) ପ୍ରସ୍ତୁତ ରହିଛି ଏବଂ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବାତ୍ୟାର ପ୍ରଭାବରେ କ୍ଷୟକ୍ଷତିକୁ ସର୍ବନିମ୍ନ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ମଧ୍ୟ ନିଆଯାଉଛି।
ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ କମିଟିକୁ ସୂଚନା ଦିଆଯାଇଛି ଯେ, ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି ଏବଂ ଅତିରିକ୍ତ ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ସେହିପରି ସେନା, ନୌସେନା, ବାୟୁସେନା ଓ ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଧାର ଓ ରିଲିଫ୍ ଦଳ ସହ ସେମାନଙ୍କ ଜାହାଜ ଓ ବିମାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ଏପର୍ଯ୍ୟନ୍ତ ଏକାଧିକ ଜାହାଜ ଓ ଡଙ୍ଗାକୁ ସୁରକ୍ଷିତ ଭାବେ ଜେଟି ଓ ଉପକୂଳକୁ ଫେରାଇ ଆଣିଛି। ଅବଶିଷ୍ଟ ଜାହାଜଗୁଡ଼ିକୁ ମଧ୍ୟ ଉପକୂଳକୁ ଫେରି ଆସିବା ପାଇଁ ସତର୍କ କରାଯାଇଛି। କେନ୍ଦ୍ର ଗୃହ ସଚିବ କମିଟିକୁ ଜଣାଇଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ଭାରତୀୟ ପାଣିପାଗ ବିଭାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର ଓ ଅନ୍ୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା କରୁଛନ୍ତି।
କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତିମୂଳକ ପଦକ୍ଷେପର ସମୀକ୍ଷା କରି କ୍ୟାବିନେଟ୍ ସଚିବ କହିଛନ୍ତି ଯେ, ବାତ୍ୟା ମୁକାବିଲାର ମୁଖ୍ୟ ଲକ୍ଷ୍ୟ ଶୂନ୍ୟ ଜୀବନହାନି ଏବଂ ସର୍ବନିମ୍ନ ସମ୍ପତ୍ତି ଓ ଭିତ୍ତିଭୂମିର କ୍ଷୟକ୍ଷତି ହେବା ଉଚିତ୍ । ଯଦି କୌଣସି କ୍ଷୟକ୍ଷତି ହୁଏ, ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଯଥାସମ୍ଭବ କମ୍ ସମୟ ମଧ୍ୟରେ ପୁନଃସ୍ଥାପନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବ୍ୟତୀତ ପୂର୍ବ ଉତ୍ତରପ୍ରଦେଶ ଓ ବିହାରରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ଥିବାରୁ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗ ଏହି ଅଞ୍ଚଳଗୁଡ଼ିକୁ ମଧ୍ୟ ଉପଯୁକ୍ତ ସତର୍କ ସୂଚନା ଦେବାକୁ କ୍ୟାବିନେଟ୍ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଓଡ଼ିଶା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିସହ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅନ୍ତର୍ଗତ ମତ୍ସ୍ୟବିଭାଗ ଏବଂ ଶକ୍ତି ମନ୍ତ୍ରଣାଳୟର ସଚିବମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମ୍ଏ)ର ସଦସ୍ୟ ତଥା ବିଭାଗୀୟ ମୁଖ୍ୟ ଓ ସଚିବ, ମୁଖ୍ୟ ଷ୍ଟାଫ୍ କମିଟିର ଅଧ୍ୟକ୍ଷଙ୍କ ଅଧୀନସ୍ଥ ଇଣ୍ଟିଗ୍ରେଟଡ୍ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ (ସିଆଇଏସସି), ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀର ମହାନିର୍ଦ୍ଦେଶକ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ, ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗଣମାଧ୍ୟମ ଓ ଯୋଗାଯୋଗ ମହାନିର୍ଦ୍ଦେଶକ ଏବଂ ଭାରତୀୟ ପାଣିପାଗ ବିଭାଗ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।
TKM