ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ଆୟୋଜିତ ବ୍ଲୁମବର୍ଗ ନିଉ ଇକୋନୋମି ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 13 OCT 2026 11:08AM by PIB Bhubaneswar

ନମସ୍କାର

ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମାନ୍ୟବର ଅତିଥିଗଣ,ପ୍ରତିନିଧିବୃନ୍ଦ, ବ୍ୟବସାୟ ଓ ଶିଳ୍ପ ଜଗତର ନେତୃବୃନ୍ଦ, ନୀତି ନିର୍ଦ୍ଧାରକ ଏବଂ ମୋର ବନ୍ଧୁଗଣ ।

ଭାରତକୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ । କିଛି ସମୟ ପୂର୍ବେ, ଶ୍ରୀ ବ୍ଲୁମବର୍ଗ ଏଠାରେ ନିଜର ମତାମତ ଉପସ୍ଥାପନ କରିଥିଲେ । ସେ ନିଜର ୩୦ ବର୍ଷର ଯାତ୍ରାକୁ ସ୍ମରଣ କରି ଉଲ୍ଲେଖ କରିଥିଲେ ଯେ,ମୁଁ ତାଙ୍କର ଜଣେ ବନ୍ଧୁ । ବୟସରେ ସେ ମୋଠୁ ବଡ଼ ଏବଂ ନିଜ ପେସାର କ୍ଷେତ୍ରରେ ସେ ଜଣେ ଅତ୍ୟନ୍ତ ସଫଳ ବ୍ୟକ୍ତି । ସେ କେବଳ ସଫଳ ନୁହଁନ୍ତି,ବରଂ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଅତ୍ୟନ୍ତ ପ୍ରତିବଦ୍ଧ । ଭାରତ ପ୍ରତି ତାଙ୍କର ସ୍ନେହକୁ ମୁଁ ଖୁବ ନିକଟରୁ ଅନୁଭବ କରିଛି ଏବଂ ସେଥିପାଇଁ ବ୍ୟକ୍ତିଗତ ସ୍ତରରେ ମୁଁ ସର୍ବଦା ତାଙ୍କୁ ସମ୍ମାନ ଦେବା ସହ ପ୍ରଶଂସା କରିଆସିଛି । ଆଜି ମଧ୍ୟ, ଭାରତ ପ୍ରତି ତାଙ୍କର ସ୍ନେହ ଏବଂ ବିଶ୍ୱସ୍ତରୀୟ ମଞ୍ଚରେ ଭାରତକୁ ନେଇ ତାଙ୍କର ଭାବନା ସର୍ବଦା ଏକ ଶକ୍ତିର ଉତ୍ସ ହୋଇ ରହି ଆସିଛି । ସେଥିପାଇଁ ମୁଁ ଆପଣଙ୍କ ନିକଟରେ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ପ୍ରତିବର୍ଷ ଏହି ଫୋରମ ବିଶ୍ୱର ଶ୍ରେଷ୍ଠ ବୁଦ୍ଧିଜୀବୀମାନଙ୍କୁ ଏକତ୍ର କରିଥାଏ । ଏଠାରେ ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ଆଲୋଚନା କରାଯାଏ । ଏବଂ ପ୍ରଥମ ଥର ପାଇଁ ଚଳିତ ଥର ଏହି କାର୍ଯ୍ୟକ୍ରମ ଭାରତରେ ଅନୁଷ୍ଠିତ ହେଉଛି । ଏହି ନିଷ୍ପତ୍ତି ପାଇଁ ମୁଁ ଶ୍ରୀ ବ୍ଲୁମବର୍ଗ ଏବଂ ତାଙ୍କ ସମ୍ପୂର୍ଣ୍ଣ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଆପଣ ଠିକ୍ ସମୟରେ ଠିକ୍ ସ୍ଥାନ ବାଛିଛନ୍ତି ।

ବନ୍ଧୁଗଣ,

ଏହି ବର୍ଷର ବ୍ଲୁମବର୍ଗ ଇକୋନୋମିକ ଫୋରମ୍ ବିଶ୍ୱରେ ଉଭା ହେଉଥିବା ନୂତନ ଶକ୍ତି ଉପରେ କେନ୍ଦ୍ରିତ । ପ୍ରତ୍ୟେକ ଯୁଗର ନିଜର ଶକ୍ତିର ଉତ୍ସ ଏବଂ ଶକ୍ତିର ନିଜସ୍ୱ ସଂଜ୍ଞା ରହିଆସିଛି । କିନ୍ତୁ ଏକାଦଶ ଶତାବ୍ଦୀରେ, ବିଶେଷ କରି ଏହି ତୃତୀୟ ଦଶନ୍ଧିରେ,ଏକ ବଡ଼ ରୂପାନ୍ତରଣ ଘଟୁଛି । ଆଜି, ପ୍ରଯୁକ୍ତିବିଦ୍ୟା ହିଁ ଶକ୍ତି, ତଥ୍ୟ ହିଁ ଶକ୍ତି, ଜ୍ଞାନ ହିଁ ଶକ୍ତି ଏବଂ ନବସୃଜନ ହିଁ ଶକ୍ତି ।

କିନ୍ତୁ ବନ୍ଧୁଗଣ,

ପ୍ରକୃତ ପ୍ରଶ୍ନ ଏହା ନୁହେଁ ଯେ,କାହା ପାଖରେ ଶକ୍ତି ରହିଛି । ବରଂ ପ୍ରଶ୍ନ ହେଉଛି ସେହି ଶକ୍ତିର ବ୍ୟବହାର କିପରି କରାଯାଉଛି । ପ୍ରଯୁକ୍ତିବିଦ୍ୟା କ’ଣ କେବଳ କିଛି ଲୋକଙ୍କୁ ଆଗକୁ ବଢ଼ାଇବ? ନା ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ? ଜ୍ଞାନ କ’ଣ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଶକ୍ତି ହୋଇ ରହିବ? ନା ଏହା ସମସ୍ତଙ୍କର କ୍ଷମତା ବୃଦ୍ଧି କରିବ? ଏଠାରୁ ହିଁ ଏକ ନୂତନ ଚିନ୍ତାଧାରା ଉଦ୍ଭବ ହୁଏ । ଏବଂ ସେହି ଚିନ୍ତାଧାରାଟି ହେଲା: ସଶକ୍ତ କରିବାର ଶକ୍ତି ।  ନିୟନ୍ତ୍ରଣ କରିବାର ଶକ୍ତି ଠାରୁ ଉଦ୍ଧ୍ୱର୍ରେ ରହିଛି ସକ୍ଷମ କରିବାର ଶକ୍ତି । ପ୍ରତିଯୋଗିତା କରିବାର ଶକ୍ତିଠାରୁ ଉଦ୍ଧ୍ୱର୍ରେ ରହିଛି ସହଯୋଗ କରିବାର ଶକ୍ତି । ସଫଳ ହେବାର ଶକ୍ତିଠାରୁ ଉଦ୍ଧ୍ୱର୍ରେ ରହିଛି ଅନ୍ୟମାନଙ୍କୁ ସଫଳ ହେବାରେ ସାହାଯ୍ୟ କରିବାର ଶକ୍ତି । ତେଣୁ ଯେଉଁ ଦୂରଦୃଷ୍ଟି ନେଉ ମୁଁ ଆଜି ଏଠାରୁ ଆସିଛି, ତାହା ହେଲା: ସଶକ୍ତ କରିବାର ଶକ୍ତି ।

ବନ୍ଧୁଗଣ,

ଏହି ଧାରଣା ଭାରତ ପାଇଁ ନୂଆ ନୁହେଁ । ଆମ ପରମ୍ପରାରେ କୁହାଯାଇଛି, “ବିଦ୍ୟା ବିବାଦାୟ ଧନଂ ମଦାୟ, ଶକ୍ତିଃ ପରେଶାମ ପରିପୀଡ଼ନାୟ, ଖଳସ୍ୟ ସାଧୋର ବିପରୀତମ୍ ଏତତ୍, ଜ୍ଞାନାୟ ଦାନାୟ ଚ ରକ୍ଷଣାୟ ।” ଏହାର ମର୍ମ ହେଉଛ, ଜ୍ଞାନ, ଧନ କିମ୍ବା ଶକ୍ତି ଥାଏ, ତାହା ସେ କିପରି ବ୍ୟବହାର କରୁଛନ୍ତି ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ଅର୍ଥରେ, ଶକ୍ତିର ପ୍ରକୃତ ମୂଲ୍ୟ ଏହାର ଉଦେ୍ଦଶ୍ୟ ଉପରେ ନିର୍ଭର କରେ । ଏବଂ ଆଜିର ଦୁନିଆରେ ଏହି ଦର୍ଶନକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ଅନ୍ୟକୁ ସଶକ୍ତ କରିବାର ଶକ୍ତି ସମ୍ବନ୍ଧୀୟ ଏହି ମାନବୀୟ ଭାବନା କେବଳ ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଏକ ବିଷୟ ନୁହେଁ । ଏହା ଏପରି ଏକ ବିଷୟ ଯାହା ଆମର ପରମ୍ପରା ଆମକୁ ହଜାର ହଜାର ବର୍ଷ ଧରି ଶିଖାଇ ଆସିଛି । ଏବଂ ଭାରତରେ ଆମେ ନିଜର ଶାସନ ବ୍ୟବସ୍ଥା ଓ କାର୍ଯ୍ୟ ସଂସ୍କୃତିରେ ଏହାକୁ ଅନ୍ତର୍ଭୁକ୍ତ କରି ଏହାର ପ୍ରମାଣ ଦେଇଛୁ । ତେଣୁ, ମୁଁ ଭାରତର ଉଦାହରଣ ମାଧ୍ୟମରେ ମୋର ବକ୍ତବ୍ୟ ଜାରି ରଖିବି ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଜାଣନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଭାରତରେ ଶହେରୁ ଅଧିକ ଭାଷା, ପ୍ରାୟ ୮୦ ହଜାର ପଂଜିକୃତ ଖବରକାଗଜ ଓ ଏହାର ପ୍ରକାଶନ ଏବଂ ଏକ ହଜାରରୁ ଅଧିକ ସାଟେଲାଇଟ ଟେଲିଭିଜନ ଚାନେଲ ରହିଛି । କେବଳ ସେତିକି ନୁହେଁ, ସୋସିଆଲ ମିଡିଆର ଏହି ଯୁଗରେ ଭାରତରେ ୫୦ କୋଟିରୁ ଅଧିକ ୟୁଟୁ୍ୟବ ବ୍ୟବହାରକାରୀ ଏବଂ ୫୦ କୋଟିରୁ ଅଧିକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ରହିଛନ୍ତି । ଆମ ଦେଶରେ ଲୋକମାନେ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଯୁକ୍ତିତର୍କ କରନ୍ତି ଏବଂ ନାଗରିକମାନେ ବିଭିନ୍ନ ମତ ଓ ଦୃଷ୍ଟିକୋଣ ଉପରେ ଆଲୋଚନା କରନ୍ତି । ବର୍ତ୍ତମାନର ଯୁଗରେ ଏହାକୁ ସମ୍ଭବ କରିବାରେ ଯେଉଁ ଉପାଦାନଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ତାହା ହେଉଛି ଡିଜିଟାଲ ଶକ୍ତି ।

ବନ୍ଧୁଗଣ,

ପ୍ରାୟ ୧୨ କିମ୍ବା ୧୩ ବର୍ଷ ପୂର୍ବେ ଭାରତରେ ଏପରି ଏକ ସମୟ ଥିଲା ଯେତେବେଳେ ମୋବାଇଲ ଫୋନ୍ ଏବଂ ଇଣ୍ଟରନେଟର ସୁବିଧା ପାଇବା ମଧ୍ୟ ଏକ ପ୍ରକାରର ଶକ୍ତି ବୋଲି ବିବେଚନା କରାଯାଉଥିଲା । ଯାହା ପାଖରେ ଏହି ସୁବିଧା ଥିଲା, ସେମାନଙ୍କ ପାଖରେ ସୂଚନା, ଜ୍ଞାନ ଏବଂ ସୁଯୋଗ ମଧ୍ୟ ଉପଲବ୍ଧ ଥିଲା । ୨୦୧୪ ମସିହାରେ ଭାରତରେ ଯେତେବେଳେ ଏକ ନୂତନ ସରକାର କ୍ଷମତାକୁ ଆସିଲେ ଏବଂ ଆମକୁ ସେବା କରିବାର ସୁଯୋଗ ମିଳିଲା, ସେତେବେଳେ ଭାରତ ମୋବାଇଲ ଡାଟାକୁ ସୁଲଭ କରିବା ଉପରେ ଗୁରୁତ୍ୱ ଦେଇଥିଲା । ଫଳସ୍ୱରୂପ ଆଜି ଏକ ଛୋଟ ସହରର ଛାତ୍ରଛାତ୍ରୀ ଡିଜିଟାଲ ଶିକ୍ଷା ଗ୍ରହଣ କରିପାରୁଛନ୍ତି । ଗାଁର ଜଣେ ଛୋଟ ଦୋକାନୀ ନୂତନ ଗ୍ରାହକଙ୍କ ନିକଟରେ ପହଞ୍ଚି ପାରୁଛନ୍ତି । ଜଣେ ଯୁବକ ଅନଲାଇନ ପାଠ୍ୟକ୍ରମରେ ନାମ ଲେଖାଇପାରୁଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ଭାରତରେ ସଂଯୋଗ ବ୍ୟବସ୍ଥା କେବଳ ଲୋକଙ୍କୁ ପରସ୍ପରକୁ ସହ ଯୋଡ଼ିନାହିଁ, ବରଂ ସୁଯୋଗ ଗୁଡ଼ିକୁ ମଧ୍ୟ ପରସ୍ପର ସହ ଯୋଡ଼ିଛି । ପ୍ରକୃତରେ ଏହା ହିଁ ହେଉଛି ସଶକ୍ତୀକରଣ ପାଇଁ ଶକ୍ତି ।

ବନ୍ଧୁଗଣ,

ଭାରତରେ ଥିବା ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନୁଭବ ନେବାକୁ ମୁଁ ବିଦେଶରୁ ଆସିଥିବା ଅତିଥିମାନଙ୍କୁ ଉତ୍ସାହିତ କରିବି । ଆମ ଦେଶରେ, ରାସ୍ତା କଡ଼ର ଜଣେ ବିକ୍ରେତା ଏବଂ ଏକ ବଡ଼ କାର୍ ଶୋ ରୁମ୍ର କାର୍ଯ୍ୟ ପରିସର ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, କିନ୍ତୁ ଉଭୟ ସମାନ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବ୍ୟବହାର କରନ୍ତି । ଏହାହିଁ ସମାବେଶୀ ପ୍ରଯୁକ୍ତି ବିଦ୍ୟାର ଶକ୍ତି ।

ବନ୍ଧୁଗଣ,

ଭାରତ ପାଖରେ ଯେଉଁ କ୍ଷମତା ରହିଛି, ଆମେ ତାହାକୁ କେବଳ ନିଜ ସୀମା ମଧ୍ୟରେ ସୀମିତ ରଖିବାରେ ବିଶ୍ୱାସ କରୁନାହୁଁ । ଆମେ କ୍ରମାଗତ ଭାବରେ ଏହାକୁ ଗ୍ଲୋବାଲ ସାଉଥ୍ ଏବଂ ଆମର ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ବାଣ୍ଟି ଆସୁଛୁ । ଆମେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ଆମର ଅଭିଜ୍ଞତା ଅନ୍ୟ ଦେଶଗୁଡ଼ିକ ସହ ବାଣ୍ଟୁଛୁ, ଯାହାଫଳରେ ସେମାନେ ନିଜ ଆବଶ୍ୟକତା ଅନୁଯାୟୀ ଡିଜିଟାଲ ବ୍ୟବସ୍ଥାର ବିକାଶ କରିପାରିବେ । କୋଭିଡ କାଳରେ ଆମେ କୋୱିନ୍ ପ୍ଲାଟଫର୍ମର ବିକାଶ କରିଥିଲୁ ଯାହାକି ଓପନ୍ ସୋର୍ସ ଭାବେ ପରିଚିତ ଥିଲା । ଅନ୍ୟ ଅର୍ଥରେ କହିଲେ, ଭାରତର କ୍ଷମତା ଯେପରି ଅନ୍ୟ ଦେଶଗୁଡ଼ିକ ପାଇଁ ସମ୍ଭାବନାର ନୂଆ ଦ୍ୱାର ଖୋଲିପାରିବ, ସେଥିପାଇଁ ଆମେ ନିରନ୍ତର ପ୍ରୟାସ କରିଆସୁଛୁ । ସରଳ ଭାଷାରେ କହିଲେ , ଆମର ଶକ୍ତି ମାନବ ଜାତିକୁ ସଶକ୍ତ କରିବା ଉଚିତ ।

ବନ୍ଧୁଗଣ,

ନବସୃଜନର ଶକ୍ତି ମଧ୍ୟ ସେହିପରି କାମ କରେ । ଏକ ଚିନ୍ତାଧାରାକୁ ଉତ୍ପାଦରେ ପରିଣତ କରିବା ଏବଂ ଏକ ସମସ୍ୟାର ସମାଧାନ ଖୋଜି ବାହାର କରିବା ନିଜେ ଏକ ବିଶାଳ କ୍ଷମତା ଅଟେ ।  କିନ୍ତୁ ଯେତେବେଳେ ଏଭଳି ସୁଯୋଗ ସମାଜର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେ, ସେତେବେଳେ କ୍ଷମତାର ସନ୍ତୁଳନ ଅଧିକ ସମାନ ହୋଇଥାଏ ଏବଂ ଏହାର ପ୍ରଭାବ ଅନେକ ଗୁଣ ବୃଦ୍ଧି ପାଇଥାଏ । ଭାରତର ଷ୍ଟାର୍ଟଅପ୍ ଯାତ୍ରା ହେଉଛି ରୂପାନ୍ତରଣର ଏକ ଉଦାହରଣ । ୨୦୧୪ ମସିହା ପୂର୍ବରୁ ଭାରତରେ ମାତ୍ର କିଛି ଶହ ଷ୍ଟାର୍ଟଅପ୍ ଥିଲା । ଆଜି ଦେଶରେ ଅଢ଼େଇ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍ ରହିଛି । ଏହି ଷ୍ଟାର୍ଟଅପ୍ ଗୁଡ଼ିକ ମଧ୍ୟରୁ ପ୍ରାୟ ଅଧା ଛୋଟ ସହର ଓ ନଗରରୁ ଆସିଛି । ୪୫ ପ୍ରତିଶତରୁ ଅଧିକ ଷ୍ଟାର୍ଟଅପରେ ଅନ୍ତତଃ ଜଣେ ମହିଳା ନିଦେ୍ର୍ଦଶକ କିମ୍ବା ଅଂଶୀଦାର ରହିଛନ୍ତି । ଅନ୍ୟ ଅର୍ଥରେ କହିଲେ, ନବସୃଜନ ପାଇଁ ସୁଯୋଗ ଅଧିକ ଲୋକଙ୍କ ପାଖରେ ପହଞ୍ଚୁଛି, ନୂଆ ପ୍ରତିଭା ସାମ୍ନାକୁ ଆସୁଛି ଏବଂ ନୂତନ ସମାଧାନ ସୃଷ୍ଟି ହେଉଛି ।

ବନ୍ଧୁଗଣ,

ଶାସନ ବ୍ୟବସ୍ଥାରେକ୍ଷମତାର ଉଦେ୍ଦଶ୍ୟ ଉପରେ ଏହି ଗୁରୁତ୍ୱ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ । ସରକାରଙ୍କ ପାଖରେ କ୍ଷମତା ରହିଛି, କିନ୍ତୁ ଏହାର ଉଦେ୍ଦଶ୍ୟ ନାଗରିକ ମାନଙ୍କୁ ବ୍ୟବସ୍ଥା ଉପରେ ନିର୍ଭରଶୀଳ କରିବା ହେବା ଉଚିତ ନୁହେଁ । ବରଂ ନାଗରିକମାନେ ଯେପରି ସକ୍ଷମ ଏବଂ ସଶକ୍ତ ହେବେ, ତାହା ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ ହେବା ଉଚିତ । ଭାରତ ଏହି ପଥରେ ରହିଁ ଆଗକୁ ବଢ଼ୁଛି । ଏହି ପଥ ଅନୁସରଣ କରି ଭାରତ ଗତ ଦଶନ୍ଧି ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠାଇଛି; ଏହି ସଂଖ୍ୟା ବିଶ୍ୱର ଅନେକ ଦେଶର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ ।   

ବନ୍ଧୁଗଣ,

ଆପଣମାନେ ଜାମ୍ ଟ୍ରିନିଟି ଏବଂ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ବିଷୟରେ ମଧ୍ୟ ଶୁଣିଥିବେ । ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଆମେ ଏପରି ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛୁ ଯାହା ମାଧ୍ୟମରେ ସରକାରୀ ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପହଞ୍ଚୁଛି । ଏହା ଦ୍ୱାରା ଦୁର୍ନୀତି ହ୍ରାସ ପାଇଛି, ନାଗରିକଙ୍କ ପାଇଁ ସୁବିଧା ବୃଦ୍ଧି ପାଇଛି ଏବଂ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସିଧାସଳଖ ସମ୍ପର୍କ ସ୍ଥାପିତ ହୋଇଛି ।

ବନ୍ଧୁଗଣ,

ସଶକ୍ତୀକରଣ ପାଇଁ ସାମର୍ଥ୍ୟର ଏହି ସମାନ ଦର୍ଶନ ଭାରତର ବିଶ୍ୱସ୍ତରୀୟ ସହଭାଗିତାରେ ମଧ୍ୟ ଦେଖିବାକୁ ମିଳେ । କୋଭିଡ ମହାମାରୀ ସମୟରେ ଟିକା ଉତ୍ପାଦନ କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା । ସେତେବେଳେ ପ୍ରଶ୍ନ ଉଠିଥିଲା ଯେ ଏହି କ୍ଷମତାର ଲାଭ କେବଳ କିଛି ଦେଶ ମଧ୍ୟରେ ସୀମିତ ରହିବ, ନା ଏହି ଟିକା ସେହି ଦେଶ ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବ ଯେଉଁମାନଙ୍କ ପାଖରେ ଏଭଳି ସୁବିଧା ଓ କ୍ଷମତାର ଅଭାବ ଥିଲା । ଭାରତ ମାନବଜାତିକୁ ସଶକ୍ତ କରିବାର ପଥ ବାଛିଲା । ଆମେ ଏକ ଶହରୁ ଅଧିକ ଦେଶକୁ ଟିକା ଯୋଗାଇଲୁ । ଆମର ଉତ୍ପାଦନ କ୍ଷମତା ଅନ୍ୟ ଦେଶଗୁଡ଼ିକ ପାଇଁ ମଧ୍ୟ ସହାୟତାର ଏକ ଉତ୍ସ ପାଲଟିଲା । ମୁଁ ଆପଣମାନଙ୍କୁ ଆଉ ଏକ ରୋଚକ ଉଦାହରଣ ଦେବି । କିଛି ମାସ ପୂର୍ବେ ଭାରତ ଏଆଇ ଇମ୍ପାକ୍ଟ ସମିଟ ଆୟୋଜନ କରିଥିଲା ଏବଂ ଶ୍ରୀ ବ୍ଲୁମବର୍ଗ ସେହି ସମ୍ମିଳନୀ ବିଷୟରେ ଖୁବ ପ୍ରଶଂସା କରିଛନ୍ତି । ସେଠାରେ ଆମେ କେବଳ ମାନବଜାତି ପାଇଁ ଏଆଇର ବ୍ୟବହାର ବିଷୟରେ ନୁହେଁ, ବରଂ ପଶୁମାନେ କିପରି ଏଆଇ ଦ୍ୱାରା ଉପକୃତ ହୋଇପାରିବେ, ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ । ଏଠାରେ ଉପସ୍ଥିତ ଥିବା ନନ୍ଦନ, ଏହା କିପରି କରାଯାଇଥିଲା ସେ ସମ୍ପର୍କରେ ପରେ ଅଧିକ ସୂଚନା ଦେଇପାରିବେ । ଅନ୍ୟ ଅର୍ଥରେ କହିବାକୁ ଗଲେ, ଭାରତ ଯେତେ ଅଧିକ ସକ୍ଷମ ଓ ଶକ୍ତିଶାଳୀ ହେବ, ତାହା ମାନବଜାତି ଓ ବିଶ୍ୱ ପାଇଁ ସେତେ ଅଧିକ ଲାଭଦାୟକ ହେବ ।

ବନ୍ଧୁଗଣ,

ଶକ୍ତି କେବଳ ଆଗକୁ ବଢ଼ିବାର କ୍ଷମତା ନୁହେଁ । ଏହା ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ସଶକ୍ତ କରିବାର କ୍ଷମତା ଅଟେ । ଭାରତ ବିଶ୍ୱାସ କରେ ଯେ ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସମବେଦନା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ନବସୃଜନ ଅତ୍ୟାବଶ୍ୟକ, କିନ୍ତୁ ଏହାର ଲାଭ ମଧ୍ୟ ବ୍ୟାପକ ଭାବେ ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ଜାତୀୟ ଶକ୍ତି ବା ସାମର୍ଥ୍ୟ ଆବଶ୍ୟକ, କିନ୍ତୁ ବିଶ୍ୱସ୍ତାରୀୟ ଆହ୍ୱାନର ସମାଧାନ ଦିଗରେ ମଧ୍ୟ ଆମକୁ ଯୋଗଦାନ କରିବାକୁ ହେବ । ଜଳବାୟୁ ପରିବର୍ତ୍ତନ, ଜଳ ପରିଚାଳନା, ଜନସ୍ୱାସ୍ଥ୍ୟ କିମ୍ବା ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର - ଯାହା କିଛି ବି ହେଉନା କାହିଁକି, ବିଶ୍ୱକୁ ଏପରି କ୍ଷମତା ବା ସାମର୍ଥ୍ୟର ଆବଶ୍ୟକତା ରହିଛି ଯାହା ସମାଧାନ ପ୍ରଦାନ କରିପାରିବ ଏବଂ ନୂତନ ସୁଯୋଗ ସୃଷ୍ଟି କରିପାରିବ ।

ବନ୍ଧୁଗଣ,

ମୁଁ ଆପଣଙ୍କୁ ଆଉ ଏକ ଉଦାହରଣ ଦେଉଛି । ପ୍ୟାରିସ ଚୁକ୍ତିନାମା ଅଧୀନରେ, ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଏକ ବଡ଼ ପ୍ରତିଶ୍ରୁତି ଦେଇଥିଲା । ୨୦୧୫ ମସିହାରେ, ଆମେ ୨୦୩୦ ମସିହା ସୁଦ୍ଧା ଆମର ସ୍ଥାପିତ ବିଦୁ୍ୟତ ଉତ୍ପାଦନ କ୍ଷମତାର ୪୦ ପ୍ରତିଶତ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ହାସଲ କରିବାର ଲକ୍ଷ୍ୟ ସ୍ଥିର କରିଥିଲୁ । ଭାରତ ନିର୍ଦ୍ଧାରିତ ସମୟର ନଅ ବର୍ଷ ପୂର୍ବରୁ ଅର୍ଥାତ ନଭେମ୍ବର ୨୦୨୧ରେ ହିଁ ଏହି ମାଇଲଖୁଣ୍ଟ ହାସଲ କରି ନେଇଥିଲା । ଏପରି କରିବାରେ ଭାରତ ପ୍ରଥମ ଜି୨୦ ରାଷ୍ଟ୍ର ହୋଇପାରିଥିଲା । ଏହା କେବଳ ଏକ ପ୍ରତିଶ୍ରୁତି ପୂରଣ କରିବା ବିଷୟ ନଥିଲା; ବରଂ ଏହା ଭାରତର ବିକାଶଶୀଳ ଶକ୍ତିଯାତ୍ରାର ଏକ ପ୍ରତିଫଳନ ମଧ୍ୟ ଥିଲା ।

ବନ୍ଧୁଗଣ,

୨୦୧୪ ମସିହାରେ, ଭାରତର ଅକ୍ଷୟ ଶକ୍ତି କ୍ଷମତା ପ୍ରାୟ ୭୫ ଗିଗାୱାଟ ଥିଲା । ଆଜି ଏହା ପ୍ରାୟ ୩୦୦ ଗିଗାୱାଟରେ ପହଞ୍ଚିଛି । ଅନ୍ୟ ଅର୍ଥରେ କହିଲେ, ଆମେ ପ୍ରାୟ ଚାରିଗୁଣ ଅଧିକ କ୍ଷମତା ଯୋଡ଼ିଛୁ ।

ବନ୍ଧୁଗଣ,

ଭାରତରେ ଚାଲିଥିବା ଏହି ଶକ୍ତି ପରିବର୍ତ୍ତନ ପ୍ରକ୍ରିୟା ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରୁଛି । ଆଜି ଆମ ପାଖରେ ପିଏମ ସୂର୍ଯ୍ୟଘର ଏବଂ ପିଏମ୍ କୁସୁମ ଭଳି ଯୋଜନା ରହିଛି । ଗୋଟିଏ ଯୋଗନା ଘରଗୁଡ଼ିକୁ ସୌରଶକ୍ତ ସହିତ ସଂଯୁକ୍ତ କରୁଥିବା ବେଳେ, ଅନ୍ୟଟି ଚାଷୀମାନଙ୍କୁ ସୌରଶକ୍ତି ଉତ୍ପାଦନ କରିବା ଏବଂ ଏହାର ବ୍ୟବହାର ମାଧ୍ୟମରେ ଚାଷ ଖର୍ଚ୍ଚ ହ୍ରାସ କରିବାକୁ ସକ୍ଷମ କରୁଛି । ଏହି ଦୁଇଟି ଯୋଜନା ମାଧ୍ୟମରେ ଭାରତ ୩୦ ଗିଗାୱାଟରୁ ଅଧିକ ସୌରଶକ୍ତି କ୍ଷମତା ହାସଲ କରିଛି । ଏହାଦ୍ୱାରା ବାର୍ଷିକ ୩୦ ନିୟୁତ ଟନରୁ ଅଧିକ କାର୍ବନ ନିର୍ଗମନ ହ୍ରାସ ପାଇବ ବୋଲି  ଆକଳନ କରାଯାଇଛି । ଅନ୍ୟ ଅର୍ଥରେ କହିଲେ, ସୌରଶକ୍ତି କେବଳ ପ୍ରକୃତିର ସୁରକ୍ଷା ପାଇଁ ଏକ ମାଧ୍ୟମ ପାଲଟୁନାହିଁ, ବରଂ ଲୋକଙ୍କୁ ସଶକ୍ତ କରିବାର ଏକ ମାଧ୍ୟମ ମଧ୍ୟ ହୋଇପାରିଛି ।

ବନ୍ଧୁଗଣ,

ଶକ୍ତି କ୍ଷେତ୍ରରେ ଚାଲିଥିବା ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ଏକ ଭିନ୍ନ ମାନସିକତା ନେଇ ଆଗକୁ ବଢ଼ୁଛି । ଏବଂ ଏହି ଦଶନ୍ଧି ହିଁ ତାହାର ପ୍ରମାଣ ଅଟେ ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଏହି ଦଶନ୍ଧି ଅଭୂତପୂର୍ବ ବିଶ୍ୱସ୍ତରୀୟ ଆହ୍ୱାନ ନେଇ ଆସିଛି । ଯଦି ଆମେ ଗତ ଛଅ ବର୍ଷ ଉପରେ ନଜର ପକାଇବା, ତେବେ ଆମେ ଏକ ବିଶ୍ୱସ୍ତରୀୟ ମହାମାରୀର ସମ୍ମୁଖୀନ ହୋଇଛୁ । ପରବର୍ତ୍ତୀ ସମୟରେ ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏତିକିରେ ଏହା ସୀମିତ ନ ରହି ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଶକ୍ତି ଯୋଗାଣ କ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହେଲା । ଗୋଟିଏ ସଂକଟରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ହିଁ ବିଶ୍ୱକୁ ଅନ୍ୟ ଏକ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଯେଉଁ ବିଷୟ ଗୁଡ଼ିକ ଦିନେ ବିଶ୍ୱକୁ ଏକତ୍ର କରୁଥିଲା, ସେଗୁଡ଼ିକ ବର୍ତ୍ତମାନ ଅସ୍ତ୍ରରେ ପରିଣତ ହେଉଛି । ଯୋଗାଣ ଶୃଙ୍ଖଳ, ଶକ୍ତି, ଖଣିଜ ପଦାର୍ଥ, ଦେୟ ବ୍ୟବସ୍ଥା ଏବଂ ପ୍ରଯୁକ୍ତି ବିଦ୍ୟା କ୍ରମାଗତ ଭାବେ ଚାପ ଓ ପ୍ରାଧାନ୍ୟ ବିସ୍ତାରର ମାଧ୍ୟମ ପାଲଟୁଛି । ବୈଶ୍ୱିକୀକରଣ ଦ୍ୱାରା ଗତ କିଛି ଦଶନ୍ଧି ମଧ୍ୟରେ ସୃଷ୍ଟି ହୋଇଥିବା ପଥ ଗୁଡ଼ିକ ଅନେକ କ୍ଷେତ୍ରରେ ଚେକ୍ ପଏଣ୍ଟରେ ପରିଣତ ହୋଇଛି । ଏସବୁ ମଧ୍ୟରେ କୃତି୍ରମ ବୁଦ୍ଧିମତ୍ତା ପ୍ରତ୍ୟେକ କ୍ଷେତ୍ରର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣୁଛି । ସମାନ ସମୟରେ ଅନେକ ଦେଶ ବୃଦ୍ଧାବସ୍ଥା ଆଡ଼କୁ ଗତି କରୁଥିବା ଜନସଂଖ୍ୟା ଜନିତ ଦ୍ରୁତ ବୃଦ୍ଧି ପାଉଥିବା ଆହ୍ୱାନର ସାମ୍ନା କରୁଛି । ଏଭଳି ପରିସ୍ଥିତିରେ, ବିଶ୍ୱ ଏକ ମୌଳିକ ପ୍ରଶ୍ନର ସମ୍ମୁଖୀନ ହେଉଛି, ତାହା ହେଲା ଭରସା । ଆବଶ୍ୟକତା ସମୟରେ ଯୋଗାଣ ଜାରି ରହିବ ବୋଲି ଭରସା ରହିଛି । ସଙ୍କଟ ସମୟରେ ସହଯୋଗୀ ଦେଶ ପାଖରେ ଛିଡ଼ା ହେବ ବୋଲି ଭରସା ରହିଛି । ଏବଂ ଠିକ୍ ଏହି ସ୍ଥାନରେ ଭାରତ ଏକ ଭିନ୍ନ ଦୃଷ୍ଟିକୋଣ ଓ ଭିନ୍ନ ଚିନ୍ତାଧାରା ନେଇ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଛି ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀରେ ଭାରତର ଅଗ୍ରଗତି ହେଉଛି ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ଏକ କାହାଣୀ । ଯେତେେବେଳ ବିଶ୍ୱକୁ ସୁଲଭ ମୂଲ୍ୟର ଔଷଧ ଆବଶ୍ୟକ ହୁଏ, ସେତେବେଳେ ପ୍ରତି ପାଞ୍ଚଟି ଜେନେରିକ୍ ଔଷଧ ମଧ୍ୟରୁ ଗୋଟିଏ ଭାରତରୁ ଆସିଥାଏ । ଯେତେବେଳେ ଡିଜିଟାଲ ପରିଚୟ ଏବଂ ଦେୟ ବ୍ୟବସ୍ଥା ପାଇଁ ସମାଧାନର ଆବଶ୍ୟକତା ପଡ଼େ, ସେତେବେଳେ ବିଶ୍ୱ ଭାରତରେ ବିକଶିତ ମଡେଲ ଗୁଡ଼ିକ ଉପରେ ନଜର ରଖିଥାଏ । ଯେତେବେଳେ ବିଶ୍ୱକୁ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ହୁଏ, ସେତେବେଳେ ଏହା ଭାରତର ଦକ୍ଷ ଯୁବବର୍ଗଙ୍କ ଉପରେ ଭରସା କରେ । ଆଜି ଭାରତରେ ୨୦୦୦ ରୁ ଅଧିକ ଗ୍ଲୋବାଲ କାପାବିଲିଟି ସେଣ୍ଟର ରହିଛି, ଯାହା ସମଗ୍ର ବିଶ୍ୱର ବିଭିନ୍ନ କମ୍ପାନୀକୁ ସେବା ଯୋଗାଊଛି ।

ବନ୍ଧୁଗଣ,

ଏହା ସ୍ପଷ୍ଟ ଯେ, ଯେତେବେଳେ ବିଶ୍ୱକୁ ଏକ ଦୃଢ଼ ଆଧାର ବା ସହାୟକ ଶକ୍ତିର ଆବଶ୍ୟକତା ପଡ଼େ, ଭାରତ ନିଜର ଦାୟିତ୍ୱ ବୁଝି ସହାୟତାର ହାତ ବଢ଼ାଇଥାଏ । ଆମେ ଅନ୍ୟ କାହାର କ୍ଷତି କରି ନିଜର ବିକାଶ କରୁନାହୁଁ । ଆମେ ବିଶ୍ୱ ସହିତ ଏବଂ ବିଶ୍ୱ ପାଇଁ ବିକାଶ ପଥରେ ଆଗକୁ ବଢ଼ୁଛୁ ।

ଏବଂ ବନ୍ଧୁଗଣ,

ଭାରତ ଯାହା କରେ, ତାହାର ଶ୍ରେୟ ଲୋଡ଼େନାହିଁ । ବିଶ୍ୱ ଗର୍ବର ସହିତ କୁହେ ଯେ, ଭାରତ ବିଶ୍ୱକୁ ଶୂନ୍ୟ ଦେଇଛି । ଏହି ଶୂନ୍ୟ ସମଗ୍ର ମାନବଜାତିକୁ ଲାଭ ଦେଇଛି । ତଥାପି ଭାରତ କେବେବି ବଦଳରେ ରୟାଲଟି ମାଗିନାହିଁ । ଆଜି ମଧ୍ୟ ଭାରତ ସମାନ ଆତ୍ମା ସହିତ କାମ କରେ । ସମସାମୟିକ ଚାଲେଞ୍ଜର ମୁକାବିଲା ପାଇଁ ଆମେ ଯେଉଁ ଚିନ୍ତାଧାରା ପ୍ରଦାନ କରୁଛୁ ତାହା ମଧ୍ୟ ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରେ । ଇତିହାସରେ ଅନେକ ବିଶ୍ୱ ସଂଗଠନ ସୃଷ୍ଟି ହୋଇଛି, ପ୍ରତ୍ୟେକ ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି । କିନ୍ତୁ ଭାରତ କେଉଁ ପ୍ରକାରର ବୈଶ୍ୱିକ ପ୍ଲାଟଫର୍ମ ସୃଷ୍ଟି କରିଛି, ତାହା ବିଚାର କରନ୍ତୁ ।  ଆମେ ପ୍ରତିଷ୍ଠା କରିଥିବା ସଂସ୍ଥା ଗୁଡ଼ିକ ସହ ବିଶ୍ୱରେ ଆତ୍ମପ୍ରକାଶ କରିଥିବା ସଂସ୍ଥା ଗୁଡ଼ିକ ସହ ତୁଳନା କରନ୍ତୁ । ଆମେ କ’ଣ ଅବଦାନ ଦେଇଛୁ? ଆନ୍ତର୍ଜାତିକ ସୌର ମେଣ୍ଟ । ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ । ବିଗ୍ କ୍ୟାଟ ମେଣ୍ଟ, ଗ୍ଲୋବାଲ ବାୟୋଫୁଏଲ ମେଣ୍ଟ, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମଇସି) ଏବଂ ମିଶନ ଲାଇଫ, ପରିବେଶ ପାଇଁ ଜୀବନଶୈଳୀ । ଏଗୁଡ଼ିକ ହେଉଛି ଏପରି ପଦକ୍ଷେପ ଯାହା ସମସ୍ତଙ୍କୁ ଲାଭ ପହଞ୍ଚାଏ ଏବଂ ସମସ୍ତ ଜୀବନର କଲ୍ୟାଣରେ ଯୋଗଦାନ କରେ ।

ବନ୍ଧୁଗଣ,

ଭାରତ ଯେଉଁ ବିଚାରଧାରା ସାମ୍ନାକୁ ଆଣିଛି, ତାହା ଆପଣମାନଙ୍କ ସମ୍ମୁଖରେ ରହିଛି । ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ଼ର ଦୃଷ୍ଟିକୋଣ । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଉପରେ ଭରସା । ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟର ଦୃଷ୍ଟିକୋଣ । ଅନ୍ୟ ଅର୍ଥରେ ଭାରତ ପରସ୍ପର ସହ ଯୋଡ଼ିହେବା ଏବଂ ଏକତ୍ର ହେବା ଉପରେ ଗୁରୁତ୍ୱ ଦେଇଥାଏ । ଏବଂ ଏଥିରେ ମଧ୍ୟ, ଅନ୍ୟମାନଙ୍କୁ ସଶକ୍ତ କରିବା ପାଇଁ ଶକ୍ତିର ଉପଯୋଗ କରାଯାଏ ।

ବନ୍ଧୁଗଣ,

ଅନିଶ୍ଚିତତାରେ ପରିପୂର୍ଣ୍ଣ ଏହି ବିଶ୍ୱରେ, ଭାରତ ନିର୍ଭରଯୋଗ୍ୟତା ଏବଂ ସ୍ଥିରତାର ଭରସା ପ୍ରଦାନ କରେ । ଚଳିତ ବର୍ଷ ଏପ୍ରିଲ-ଜୁନ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିଥିଲା । ଏବଂ ଏହି ଅଭିବୃଦ୍ଧି ଏକ ଦୃଢ଼ ଭିତ୍ତିଭୂମି ଉପରେ ଆଧାରିତ । ୧୨ରୁ ୧୩ ବର୍ଷ ପୂର୍ବେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ଜିଡିପିର ଚାରି ପ୍ରତିଶତରୁ ଅଧିକ ଥିଲା । ଗତବର୍ଷ ଏହା ହ୍ରାସ ପାଇ ପ୍ରାୟ ଅଧା ପ୍ରତିଶତ ବା ୦.୬୧ ପ୍ରତିଶତରେ ପହଞ୍ଚିଥିଲା । ଆଜି ଆମ ବିଦେଶୀ ମୁଦ୍ରା ଭଣ୍ଡାର ୭୦୦ ବିଲିୟନ ଡଲାରରୁ ଅଧିକ ରହିଛି । ଆମର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ମଧ୍ୟରେ ସବୁଠୁ ଦୃଢ଼ ସ୍ଥିତିରେ ରହିଛି ।

ବନ୍ଧୁଗଣ,

ଏହି ଶକ୍ତି ଯୋଗୁ ହିଁ ଭାରତର ସାର୍ବଭୌମ ରେଟିଂରେ ଉନ୍ନତି ଘଟୁଛି । ଆଜି ଭାରତର ଆତ୍ମବିଶ୍ୱାସ ଅଭୂତପୂର୍ବ ସ୍ତରରେ ପହଞ୍ଚିଛି । ଆମେ ଏକ ସ୍ପଷ୍ଟ ନୀତିଗତ ଦିଗ ସହିତ ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢ଼ାଉଛୁ । ଜିଏସଟି ମାଧ୍ୟମରେ ଆମେ ଜଟିଳ ଟିକସ ବ୍ୟବସ୍ଥାକୁ ଏକ ଜାତୀୟ ବଜାରରେ ପରିଣତ କରିଛୁ । ଆମେ ଦେବାଳିଆପଣ ସମ୍ବନ୍ଧୀୟ ଆଇନ ପ୍ରଣୟନ କରିଛୁ । ୨୯ଟି ଶ୍ରମ ଆଇନକୁ ଏକତ୍ର କରି ଚାରୋଟି ଶ୍ରମ ସଂହିତାରେ ପରିଣତ କରାଯାଇପାରିଛି । ବ୍ୟବସାୟ ସହ ଜଡ଼ିତ ଶହ ଶହ ଛୋଟ ଛୋଟ ଅପରାଧକୁ ଅପରାଧିକ ଶ୍ରେଣୀରୁ ବାଦ୍ ଦିଆଯାଇଛି । ଏବଂ ଆମେ କେବଳ ଏତିକିରେ ଅଟକି ଯାଇନୁ । ଭାରତର ସଂସ୍କାର ରୂପୀ ଏକ୍ସପ୍ରେସ୍ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଛି । ଆମ ପାଇଁ ସଂସ୍କାର କୌଣସି ବାଧ୍ୟବାଧକତା ନୁହେ, ବରଂ ଏହା ଆମର ଦୃଢ଼ ବିଶ୍ୱାସ ।

ବନ୍ଧୁଗଣ,

ହଜାର ହଜାର ବର୍ଷ ପୂର୍ବେ ଆମ ବେଦ ଆମକୁ ଏକ ମନ୍ତ୍ର ପ୍ରଦାନ କରିଥିଲା: “ସଂଗଚ୍ଛଧ୍ୱମ୍ ସଂବଦଧ୍ୱମ୍ ସଂ ବୋ ମନାଂସି ଜାନତାମ୍” । ଆସନ୍ତୁ ଆଜି ସେହି ମନ୍ତ୍ରକୁ ଦୋହରାଇବା: ଆସନ୍ତୁ ଆମେ ଏକାଠି ଚାଲିବା । ଆସନ୍ତୁ ଆମେ ଏକାଠି କଥାବାର୍ତ୍ତା କରିବା । ଆସନ୍ତୁ ଆମେ ପରସ୍ପରକୁ ବୁଝିବା ପାଇଁ ପ୍ରୟାସ କରିବା । କାରଣ ଯେତେବେଳେ ଆମେ ଏକାଠି ଚାଲୁ, ଆମର ଶକ୍ତି ବୃଦ୍ଧି ପାଏ । ଆଲୋଚନା ମାଧ୍ୟମରେ ଆମର ପାରସ୍ପରିକ ବୁଝାମଣା ଗଭୀର ହୁଏ । ଏବଂ ପରସ୍ପରକୁ ବୁଝିବା ଦ୍ୱାରା ଆମେ ମିଳିତ ଭାବେ ବଡ଼ ବଡ଼ ସମସ୍ୟାର ସମାଧାନ କରିପାରିବା । ଏହା ହିଁ ସଶକ୍ତୀକରଣ ଶକ୍ତିର ମୂଳ କଥା । ଏହାର ଅର୍ଥ ହେଉଛି ନିଜର ଉନ୍ନତି ପାଇଁ କେବଳ ନିଜ ଶକ୍ତିକୁ ସୀମିତ ନ ରଖି, ଅନ୍ୟମାନଙ୍କ ପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିବା । ମୋର ଦୃଢ଼ ବିଶ୍ୱାସ ଯେ ବ୍ଲୁମବର୍ଗ ଇକୋନୋମିକ ଫୋରମର ଏହି ମଞ୍ଚ ଏହି ଭାବନାକୁ ଆଗକୁ ବଢ଼ାଇବା ପାଇଁ ଏକ ପ୍ରମୁଖ ମଞ୍ଚ ହୋଇପାରିବ । ପୁଣି ଥରେ, ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ମୋର ଅଶେଷ ଶୁଭେଚ୍ଛା । ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ । ଧନ୍ୟବାଦ

SR


(ରିଲିଜ ଆଡି: 2323198) ପରିଦର୍ଶକ କାଉଣ୍ଟର : 4