ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଜିଏସଟି ପରିଷଦର ୫୭ତମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ସୁପାରିସ

ପୋଷ୍ଟ କରାଯିବା ଦିନାଙ୍କ: 08 OCT 2026 7:03PM by PIB Bhubaneswar
  • ଜିଏସଟି ପରିଷଦ ଜିଏସଟି ଅଧୀନରେ ଗିରଫ ବ୍ୟବସ୍ଥାକୁ ହଟାଇବା ପାଇଁ କଲା ସୁପାରିସ
  • ମାମଲା ରୁଜୁ ସୀମା ୧ କୋଟିରୁ ୫ କୋଟିକୁ ବୃଦ୍ଧି କରିବାକୁ ସୁପାରିସ କଲା ଜିଏସଟି ପରିଷଦ
  • ସାଧାରଣ ଦଣ୍ଡ ୨୫ ହଜାରରୁ ୧୦ ହଜାର ଟଙ୍କାକୁ ହ୍ରାସ
  • ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଏବଂ ରିଫଣ୍ଡ ପାଇଁ ବ୍ୟାପକ ଯୋଗ୍ୟତାକୁ କଲା ସୁପାରିସ
  • ପଞ୍ଜୀକରଣ ଏବଂ ଅନୁପାଳନ ପ୍ରକ୍ରିୟାକୁ ଆହୁରି ସରଳୀକରଣ କରିବାକୁ କଲା ସୁପାରିସ
  • ବ୍ୟବସାୟ ପାଇଁ କାର୍ଯ୍ୟକାରୀ ପୁଞ୍ଜିକୁ ଉନ୍ନତ କରିବା ପାଇଁ ଜିଏସଟି ପରିଷଦ ଦ୍ରୁତ ରିଫଣ୍ଡ ଲାଗି ସୁପାରିସ
  • ଜିଏସଟି ନୋଟିସ୍ ଏବଂ କାର୍ଯ୍ୟପନ୍ଥା ପାଇଁ ସାଧାରଣ ମାନଦଣ୍ଡ ଲାଗି ସୁପାରିସ୍‌
  • ରାଜ୍ୟ ସାରା ସାମଗ୍ରୀର ସୁଗମ ପରିବହନ ପାଇଁ ପଦକ୍ଷେପ ଲାଗି ସୁପାରିସ
  • ଗୁଇନ୍ଦା ସୂଚନା-ଭିତ୍ତିକ ଏବଂ ଅନୁମୋଦିତ ଉପାୟରେ ସାମଗ୍ରୀ ଅଟକାଇ ଯାଞ୍ଚ କରିବା ପାଇଁ ସୁପାରିସ କଲା ଜିଏସଟି ପରିଷଦ
  • ଇ-କମର୍ସ ପ୍ଲାଟଫର୍ମରେ ଛୋଟ ବିକ୍ରେତାଙ୍କ ପାଇଁ ସରଳୀକୃତ ଜିଏସଟି ପଞ୍ଜୀକରଣ ସୁପାରିସ
  • ଜିଏସଟି ପରିଷଦ ସେବା ରପ୍ତାନିକୁ ସହଜ କରିବା ପାଇଁ ପଦକ୍ଷେପ କଲା ସୁପାରିସ
  • ୫ କୋଟି ପର୍ଯ୍ୟନ୍ତ କାରବାର ସହିତ ଛୋଟ ଗ୍ରାହକ ଆଧାରିତ ବ୍ୟବସାୟ ପାଇଁ ନୀତିଗତ ଭାବରେ ଇଚ୍ଛାଧୀନ ଯୋଜନାକୁ ଅନୁମୋଦନ କଲା ଜିଏସଟି ପରିଷଦ

 

ନୂଆଦିଲ୍ଲୀ, ୮ ଅକ୍ଟୋବର

 

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଜିଏସଟି ପରିଷଦର ୫୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ  ଦିଲ୍ଲୀ, ଗୋଆ, ହରିୟାଣା, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ; ମଣିପୁର ଓ ତେଲଙ୍ଗାନାର ଉପ-ମୁଖ୍ୟମନ୍ତ୍ରୀ; ବିଧାନସଭା ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଓ ବରିଷ୍ଠ ସଦସ୍ୟ; ରାଜସ୍ୱ ବିଭାଗର ସଚିବ; କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ଅଧ୍ୟକ୍ଷ ଓ ସଦସ୍ୟ ତଥା ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଆଜିର ବୈଠକରେ, ଜିଏସଟି ପରିଷଦ ମୁଖ୍ୟତଃ ପଞ୍ଜୀକରଣ, ରିଟର୍ଣ୍ଣ, ରିଫଣ୍ଡ ଏବଂ ବିଚାରକୁ ଅନ୍ତର୍ଭୁକ୍ତ କରୁଥିବା ପ୍ରକ୍ରିୟା ସଂସ୍କାର ଉପରେ ବିଚାରବିମର୍ଶ କରି ଆବଶ୍ୟକ ସୁପାରିସ କରାଯାଇଛି । ସେହିପରି କିଛି ବସ୍ତୁ ବା ସାମଗ୍ରୀ ଓ ସେବା ଯୋଗାଣ ଉପରେ ଜିଏସଟି ପ୍ରଯୁଜ୍ୟତା ସମ୍ପର୍କରେ ସ୍ପଷ୍ଟୀକରଣ ଏବଂ ବାଣିଜ୍ୟ ସୁବିଧା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ସୁପାରିସ କରାଯାଇଛି । ସନ୍ଦେହର ସ୍ପଷ୍ଟୀକରଣ ପାଇଁ ଏଫଏକ୍ୟୁ ଜାରି କରାଯାଇଛି।

ଜିଏସଟି ପରିଷଦର ୫୬ତମ ବୈଠକର ସୁପାରିଶ ଅନୁଯାୟୀ, ଯେଉଁ ଆବେଦନକାରୀ ମାସକୁ ୨.୫ ଲକ୍ଷ ଟଙ୍କାରୁ ଅଧିକ ଆଇଟିସି (ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍) ହସ୍ତାନ୍ତର କରିବାକୁ ଚାହୁଁନାହାନ୍ତି, ସେମାନଙ୍କ କ୍ଷେତ୍ରରେ ସିଜିଏସଟି ନିୟମାବଳୀ ୨୦୧୭ର ନିୟମ ୧୪ଏ ଅଧୀନରେ ଜିଏସଟି ପୋର୍ଟାଲ୍ ମାଧ୍ୟମରେ ଅଧିକାରୀଙ୍କ ହସ୍ତକ୍ଷେପ ବିନା ସ୍ୱୟଂଚାଳିତ ପଞ୍ଜୀକରଣ ପ୍ରଦାନ କରାଯାଉଛି। ପଞ୍ଜୀକରଣ ଆବେଦନ ଦାଖଲ ଏବଂ ପ୍ରକ୍ରିୟାକରଣକୁ ସରଳ କରିବା ପାଇଁ ଜିଏସଟି ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ ଓ ସୂଚନା ଏବଂ ସାଧାରଣତଃ ପଚରାଯାଉଥିବା ପ୍ରଶ୍ନଗୁଡ଼ିକ ସମ୍ବଳିତ ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରିବାକୁ ସୁପାରିସ କରାଯାଇଛି।

ଫର୍ମ ଜିଏସଟି ଆରଇଜି-୦୧ ରେ ଥିବା ପଞ୍ଜୀକରଣ ଆବେଦନ ଫର୍ମରେ ସଂଶୋଧନ କରି ନିର୍ଦ୍ଧାରିତ ଦସ୍ତାବିଜ/ସୂଚନା ଚୟନ ପାଇଁ 'ଡ୍ରପ୍ ବକ୍ସ' ବ୍ୟବସ୍ଥା କରାଯିବ । ଏହାଦ୍ୱାରା ଟିକସଦାତା ଏବଂ ଟିକସ ଅଧିକାରୀ ଉଭୟ ଦାଖଲ କରାଯିବାକୁ ଥିବା ଦସ୍ତାବିଜ/ସୂଚନା ସମ୍ବନ୍ଧରେ ସ୍ପଷ୍ଟତା ପାଇପାରିବେ। ଜିଏସଟି ପୋର୍ଟାଲ୍ ଦ୍ୱାରା ଏକ ଉପଭୋକ୍ତା-ଅନୁକୂଳ ଇଣ୍ଟରଫେସ୍ ପ୍ରଦାନ କରାଯିବ, ଯେଉଁଥିରେ ସ୍ପଷ୍ଟ ନାଭିଗେସନ୍ ପଥ, ଡ୍ରପ୍-ଡାଉନ୍ ତାଲିକା, ଟୁଲ୍-ଟିପ୍ସ ଏବଂ ପ୍ରସଙ୍ଗ-ଭିତ୍ତିକ ମାର୍ଗଦର୍ଶିକା ରହିବ, ଯାହା ସଠିକ୍ ଭାବରେ ଆବେଦନ ଦାଖଲ କରିବାରେ ସହାୟକ ହେବ। ସଠିକ୍ ସୂଚନା/ବିବରଣୀର ଅଭାବ ଯୋଗୁଁ ପଞ୍ଜୀକରଣ ଆବେଦନ ପ୍ରତ୍ୟାଖ୍ୟାନ ଏବଂ ସେ ସମ୍ବନ୍ଧୀୟ ପ୍ରଶ୍ନ ଉପୁଜିବାର ସମ୍ଭାବନାକୁ ହ୍ରାସ କରିବ ଏବଂ କର ଅଧିକାରୀଙ୍କ ଦ୍ୱାରା ପଞ୍ଜୀକରଣ ଆବେଦନର ପ୍ରକ୍ରିୟାକରଣକୁ ତ୍ୱରାନ୍ୱିତ କରିବ।

ଜିଏସଟି ପରିଷଦ ସଜିଏସଟି ନିୟମାବଳୀ, ୨୦୧୭ର ନିୟମ ୧୯ରେ ଏକ ସଂଶୋଧନ ପାଇଁ ସୁପାରିସ କରିଛି। ଏହି ସଂଶୋଧନ ଅନୁଯାୟୀ, ପୋର୍ଟାଲରେ ପଞ୍ଜୀକରଣ ସମ୍ବନ୍ଧୀୟ ସମସ୍ତ ବିବରଣୀରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକୁ ସ୍ୱୟଂଚାଳିତ ଭାବେ ଗ୍ରହଣ କରାଯିବ । ତେବେ ବ୍ୟବସାୟର ମୁଖ୍ୟ ସ୍ଥାନସହ ଜଡ଼ିତ ପରିବର୍ତ୍ତନଗୁଡ଼ିକ ଏଥିରୁ ବାଦ୍ ଦିଆଯାଇଛି। ଏହା ବ୍ୟତୀତ, ସିଜିଏସଟି ନିୟମାବଳୀ, ୨୦୧୭ର ନିୟମ ୧୪ଏ (ସ୍ୱୟଂଚାଳିତ ପ୍ରକ୍ରିୟା) ଅଧୀନରେ ପଞ୍ଜୀକୃତ କରଦାତାଙ୍କ କ୍ଷେତ୍ରରେ, ପିପିଓବି ସହ ଜଡ଼ିତ ବିଷୟ ସମେତ ପଞ୍ଜୀକରଣ ସମ୍ବନ୍ଧୀୟ ସମସ୍ତ ବିବରଣୀରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକୁ ପୋର୍ଟାଲରେ ସ୍ୱୟଂଚାଳିତ ଭାବେ ଗ୍ରହଣ କରାଯିବ। ଏହା ଫଳରେ ଟିକସ ଅଧିକାରୀଙ୍କ ସହ କୌଣସି ପ୍ରତ୍ୟକ୍ଷ ଯୋଗାଯୋଗ ବିନା, ପୋର୍ଟାଲରେ ପଞ୍ଜୀକରଣ ବିବରଣୀକୁ ସହଜରେ ଏବଂ ପ୍ରାୟ ତତକ୍ଷଣାତ୍ ଅପଡେଟ୍ କରିବା ସମ୍ଭବ ହେବ।

ଜିଏସଟି ପରିଷଦ, ପଞ୍ଜୀକରଣ ରଦ୍ଦ କରିବା ପ୍ରକ୍ରିୟାକୁ ସରଳ କରିବା ପାଇଁ ସିଜିଏସଟି ଆଇନ, ୨୦୧୭ ଏବଂ ସିଜିଏସଟି ନିୟମାବଳୀ, ୨୦୧୭ରେ କେତେକ ସଂଶୋଧନଗୁଡ଼ିକ ପାଇଁ ସୁପାରିସ କରିଛି ।  କରଦାତାଙ୍କ ଆବେଦନ ଆଧାରରେ ପଞ୍ଜୀକରଣର ସ୍ୱୟଂଚାଳିତ ରଦ୍ଦକରଣ କରାଯିବ ।  ସମସ୍ତ ବକେୟା ରିଟର୍ଣ୍ଣ ଦାଖଲ ହେବା ଏବଂ ସମସ୍ତ ଦେୟ ପରିଶୋଧ କରାଯିବା ପରେ, ଫର୍ମ ଜିଏସଟି ଆରଇଜି-୧୬ରେ ପଞ୍ଜୀକରଣ ରଦ୍ଦ କରିବା ପାଇଁ ଆବେଦନଗୁଡ଼ିକ ସିଷ୍ଟମ୍ ଦ୍ୱାରା ସ୍ୱୟଂଚାଳିତ ଭାବେ ଗ୍ରହଣ କରାଯିବ । ଯେଉଁଠାରେ ଟିକସଦାତା ପଞ୍ଜୀକରଣ ପରଠାରୁ କୌଣସି ମାସରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ଆଇଟିସି (ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍) ହସ୍ତାନ୍ତର କରିନାହାନ୍ତି ଏବଂ ଯେଉଁଠାରେ କରଦାତା କୌଣସି ଏକ ମାସରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ଆଇଟିସି ହସ୍ତାନ୍ତର କରିଛନ୍ତି, କିନ୍ତୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫର୍ମ ଜିଏସଟିR-୧୦ ରେ ଚୂଡ଼ାନ୍ତ ରିଟର୍ଣ୍ଣ ଦାଖଲ କରିଛନ୍ତି ସେହି କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ସମସ୍ତ ବକେୟା ରିଟର୍ଣ୍ଣ ଦାଖଲ ହେବା ଏବଂ ସମସ୍ତ ଦେୟ ପରିଶୋଧ କରାଯିବା ପରେ, ପଞ୍ଜୀକରଣ ରଦ୍ଦ କରିବା ପାଇଁ ସମସ୍ତ ଆବେଦନ ସିଷ୍ଟମ୍ ଦ୍ୱାରା ସ୍ୱୟଂଚାଳିତ ଭାବେ ଗ୍ରହଣ କରାଯିବ। ଫର୍ମ ଜିଏସଟି ଆରଇଜି-୧୬ ରେ ସଂଶୋଧନ କରାଯିବ ଯାହା ଫଳରେ ଫର୍ମ ଜିଏସଟିR-୧୦ର ବିବରଣୀ ଉକ୍ତ ଆବେଦନରେ ହିଁ ପ୍ରଦାନ କରାଯାଇପାରିବ।

ସ୍ୱତଃପ୍ରବୃତ୍ତ ଭାବେ ପଞ୍ଜୀକରଣ ରଦ୍ଦ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି । ଟିକସ ଅଧିକାରୀଙ୍କ ଦ୍ୱାରା ପଞ୍ଜୀକରଣ ରଦ୍ଦ କରିବାର କିଛି ନିର୍ଦ୍ଦିଷ୍ଟ ଆଧାରକୁ ବାଦ୍ ଦେବା ପାଇଁ ସିଜିଏସଟି ନିୟମାବଳୀ, ୨୦୧୭ର ନିୟମ ୨୧ରେ ସଂଶୋଧନ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରିଟର୍ଣ୍ଣ ଦାଖଲ ନ କରିବା କିମ୍ବା ବ୍ୟାଙ୍କ ଖାତା ସମ୍ବନ୍ଧୀୟ ବିବରଣୀ ପ୍ରଦାନ ନ କରିବା ଭଳି ତ୍ରୁଟିର ଅନୁପାଳନ ନ କରିବା ଏବଂ ପରବର୍ତ୍ତୀ ସମୟରେ ସେଗୁଡ଼ିକର ଅନୁପାଳନ କରିବା ଆଧାରରେ, ସିଷ୍ଟମ୍-ଭିତ୍ତିକ ପଞ୍ଜୀକରଣ ରଦ୍ଦ  ଓ ପୁନଃସ୍ଥାପନ ବ୍ୟବସ୍ଥା ଲାଗୁ କରିବା ପାଇଁ ସିଜିଏସଟି ନିୟମାବଳୀ, ୨୦୧୭ର ନିୟମ ୨୧କ ଓ ନିୟମ ୨୨ରେ ସଂଶୋଧନ ଏବଂ ନିୟମ ୨୩କୁ ଅନ୍ତର୍ଭୂକ୍ତ କରାଯାଇଛି । ଏହି ପଦକ୍ଷେପଗୁଡ଼ିକ ପଞ୍ଜୀକରଣ ରଦ୍ଦ ପ୍ରକ୍ରିୟାକୁ ସରଳ ଓ ତ୍ୱରାନ୍ୱିତ କରିବ, ଅଧିକାରୀଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ଆବଶ୍ୟକତାକୁ ହ୍ରାସ କରିବ ଏବଂ ରଦ୍ଦ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବ।

ଜିଏସଟି ପରିଷଦ ବୈଠକରେ ଇଲେକ୍ଟ୍ରୋନିକ୍ କମର୍ସ ଅପରେଟର (ଇସିଓ) ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟ କରୁଥିବା କ୍ଷୁଦ୍ର ବିକ୍ରେତାମାନଙ୍କ ପାଇଁ ଏକ ସରଳୀକୃତ ଜିଏସଟି ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ କରିବାକୁ ନୀତିଗତ ମଞ୍ଜୁରୀ ପ୍ରଦାନ କରିଥିଲା। ଏହାର ଅନୁସରଣରେ, ପରିଷଦ ଏହାର ୫୭ତମ ବୈଠକରେ ସିଜିଏସଟି ନିୟମାବଳୀ, ୨୦୧୭ରେ 'ନିୟମ ୧୪ବି' ଅନ୍ତର୍ଭୁକ୍ତ କରିବାକୁ ସୁପାରିସ କରିଛି। ଏହି ନିୟମ ସେହି କ୍ଷୁଦ୍ର ଯୋଗାଣକାରୀଙ୍କ ପାଇଁ ପଞ୍ଜୀକରଣର ଏକ ସରଳ ବ୍ୟବସ୍ଥା ପ୍ରଦାନ କରିବ, ଯେଉଁମାନେ ଇସିଓ ମାଧ୍ୟମରେ ସାମଗ୍ରୀ ଯୋଗାଣ କରୁଛନ୍ତି କିନ୍ତୁ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସେମାନଙ୍କର କୌଣସି ଭୌତିକ ଉପସ୍ଥିତି ନାହିଁ। ଏହି ବ୍ୟବସ୍ଥା ସେମାନଙ୍କୁ ସେହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଇସିଓର ଗୋଦାମକୁ ସେମାନଙ୍କର 'ବ୍ୟବସାୟର ମୁଖ୍ୟ ସ୍ଥାନ' (ପିପିଓବି) ଭାବରେ ଘୋଷଣା କରି ମାସିକ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଇଟି ହସ୍ତାନ୍ତର କରିବାକୁ ଅନୁମତି ଦେବ (ଏଥିରେ ଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା ଷ୍ଟକ୍ ସ୍ଥାନାନ୍ତର ଅନ୍ତର୍ଭୁକ୍ତ ନୁହେଁ)। ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅଧୀନରେ, ଏଭଳି କ୍ଷେତ୍ରରେ ସିଷ୍ଟମ୍ ଦ୍ୱାରା ସ୍ୱୟଂଚାଳିତ ଭାବରେ ପଞ୍ଜୀକରଣ ପ୍ରଦାନ କରାଯିବ। ଏହା କ୍ଷୁଦ୍ର ବିକ୍ରେତାମାନଙ୍କୁ ପ୍ରତ୍ୟେକ ରାଜ୍ୟରେ ବ୍ୟବସାୟିକ ସ୍ଥାନ ସ୍ଥାପନ ନକରି ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଅନ୍ୟ ରାଜ୍ୟଗୁଡ଼ିକୁ ସେମାନଙ୍କର ବ୍ୟବସାୟ ସମ୍ପ୍ରସାରିତ କରିବାରେ ସକ୍ଷମ କରିବ ଏବଂ ବ୍ୟବସାୟିକ ସୁଗମତା କ୍ଷେତ୍ରରେ ଏକ ବଡ଼ ପ୍ରୋତ୍ସାହନ ଯୋଗାଇବ।

ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ରିଟର୍ଣ୍ଣରେ ଦେୟ ଓ ଆଇଟିସି ମଧ୍ୟରେ ଥିବା ଅସଙ୍ଗତିକୁ ହ୍ରାସ କରିବା ଲକ୍ଷ୍ୟରେ ଜିଏସଟି ପରିଷଦ ଅନ୍ୟାନ୍ୟ ପଦକ୍ଷେପ ସହିତ ନିମ୍ନଲିଖିତ ପଦକ୍ଷେପଗୁଡ଼ିକର ସୁପାରିସ କରିଛି । ଫର୍ମ ଜିଏସଟିR-୧/୧ଏ/ଆଇଏଫଏଫରେ ପ୍ରଦତ୍ତ ବିବରଣୀ ଏବଂ ଫର୍ମ ଜିଏସଟିଆର-୩ବି ରିଟର୍ଣ୍ଣରେ ରିପୋର୍ଟ କରାଯାଇଥିବା ବିବରଣୀ ମଧ୍ୟରେ ଉତ୍ତମ ମେଳ ସୁନିଶ୍ଚିତ କରିବା ପାଇଁ ଫର୍ମ ଜିଏସଟିR-୧/୧ଏ/ଆଇଏଫଏଏଫରେ ସୁଧାର । ସେହିପରି  କରଦାତାମାନଙ୍କୁ ଆରସିଏମ (ରିଭର୍ସ ଚାର୍ଜ ମେକାନିଜିମ୍) ଅଧୀନରେ ଆସୁଥିବା ଯୋଗାଣ ଉପରେ ଟିକସ ଦେୟ ଏବଂ ଆଇଟିସିର ସଠିକ୍ ରିପୋର୍ଟିଂ କରିବାରେ ସହାୟତା କରିବା ପାଇଁ ପୋର୍ଟାଲରେ "ରିଭର୍ସ ଚାର୍ଜ ଆଧାରରେ ଦିଆଯାଇଥିବା ଟ୍ୟାକ୍ସ ଏବଂ ଦାବି କରାଯାଇଥିବା ଆଇଟିସିର ଇଲେକ୍ଟ୍ରୋନିକ୍ ବିବରଣୀ" ନାମକ ଏକ ସୁବିଧା ଯୋଗାଇବା ପାଇଁ ସିଜିଏସଟି ନିୟମାବଳୀ, ୨୦୧୭ରେ ନିୟମ ୮୬ଡି ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ସୁପାରସ କରାଯାଇଛି । ରିଟର୍ଣ୍ଣରେ ଦେୟର ସଠିକ୍ ରିପୋର୍ଟିଂ ଏବଂ ସଂଶୋଧନ ପାଇଁ ଏକ ବ୍ୟବସ୍ଥା ପ୍ରଦାନ କରିବାକୁ ସିଜିଏସଟି ନିୟମାବଳୀ, ୨୦୧୭ର ନିୟମ ୬୧ରେ ଉପ-ନିୟମ (୧ଏ) ଅନ୍ତର୍ଭୁକ୍ତ କରାଯିବ । ଏହାଦ୍ୱାରା ଫର୍ମ ଜିଏସଟିଆର-୩ବି ରିଟର୍ଣ୍ଣରେ ଥିବା ଦେୟ, ଫର୍ମ ଜିଏସଟିR-୧/୧ଏ/ଆଇଏଫଏଫରେ ପ୍ରଦତ୍ତ ଦେୟ ବିବରଣୀ ସହିତ ମେଳ ଖାଇବ। ଯେଉଁ ଇନଭଏସ୍ ପାଇଁ ଦେୟ ପ୍ରଦାନ କରାଯାଇଛି, ତାହାର ବିବରଣୀ ଘୋଷଣା କରିବା ପାଇଁ ଫର୍ମ ଜିଏସଟି ଡିଆରସି-୦୩ ରେ ସଂଶୋଧନ କରାଯିବ ।

'ଇନଭଏସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍' (ଆଇଏମଏସ) ନାମକ ସୁବିଧା ସମ୍ବନ୍ଧରେ ସିଜିଏସଟି ନିୟମାବଳୀ, ୨୦୧୭ର ନିୟମ ୬୦ରେ ଉପ-ନିୟମ (୬ଏ) ଅନ୍ତର୍ଭୁକ୍ତ କରାଯିବ । ଏହା ଗ୍ରହୀତାଙ୍କୁ ପୋର୍ଟାଲରେ ପ୍ରାପ୍ତ 'ଇନୱାର୍ଡ ସପ୍ଲାଇ' ସମ୍ବନ୍ଧୀୟ ଡକ୍ୟୁମେଣ୍ଟକୁ ଗ୍ରହଣ କରିବା, ପ୍ରତ୍ୟାଖ୍ୟାନ କରିବା କିମ୍ବା 'ପେଣ୍ଡିଂ' ରଖିବାକୁ ଅନୁମତି ଦେବ (ଯାହା ଫର୍ମ ଜିଏସଟିଆର-୨ବିରେ ଆଇଟି  ବିବରଣୀ ପ୍ରସ୍ତୁତ କରିବା ପାଇଁ ଉଦ୍ଦିଷ୍ଟ), ଯାହାକି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ (ଯେପରିକି ଆଇଏମଏସରେ କ୍ରେଡିଟ୍ ନୋଟ୍ କେତେ ସମୟ ପର୍ଯ୍ୟନ୍ତ ପେଣ୍ଡିଂ ରଖାଯାଇପାରିବ) ଅଧୀନରେ ରହିବ।

ଫର୍ମ ଜିଏସଟିଆର-୩ବିରେ ରିଭର୍ସ ଏବଂ ପୁନଃ-ଦାବି ସିଜିଏସଟି ନିୟମାବଳୀ, ୨୦୧୭ର ନିୟମ ୬୧ରେ ଉପ-ନିୟମ (୧ବି) ଅନ୍ତର୍ଭୁକ୍ତ କରାଯିବ । ଫଳରେ ରିଟର୍ଣ୍ଣରେ ଆଇଟିସିର ସଠିକ୍ ରିପୋର୍ଟିଂ ଏବଂ ସଂଶୋଧନ ପାଇଁ ଏକ ବ୍ୟବସ୍ଥା ଉପଲବ୍ଧ ହେବ । ଏହାଦ୍ୱାରା ଫର୍ମ ଜିଏସଟିଆର- ୩ବି ରିଟର୍ଣ୍ଣରେ ନିଆଯାଇଥିବା ଆଇଟିସି, ଫର୍ମ ଜିଏସଟିଆର-୨ବିରେ ଉପଲବ୍ଧ ଆଇଟିସି ବିବରଣୀ ସହିତ ସମାନ ହେବ। ଆଇଏମଏସ ଇଲେକ୍ଟ୍ରୋନିକ୍ କ୍ରେଡିଟ୍ ରିଭର୍ସାଲ୍ ଆଣ୍ଡ ରିକ୍ଲେମ୍ ଷ୍ଟେଟମେଣ୍ଟ୍ ଏବଂ ରିଭର୍ସ ଚାର୍ଜ ଆଧାରରେ ପ୍ରଦତ୍ତ ଟିକସ ଓ ଆଇଟିସି ସମ୍ବନ୍ଧୀୟ ଇଲେକ୍ଟ୍ରୋନିକ୍ ଷ୍ଟେଟମେଣ୍ଟ୍‌ର ପରିପ୍ରେକ୍ଷୀରେ, ଫର୍ମ ଜିଏସଟିଆର-୩ବି ରିଟର୍ଣ୍ଣରେ ଆଇଟିସି ଏବଂ ଏହାର ରିଭର୍ସାଲ୍ ସମ୍ବନ୍ଧୀୟ ସଠିକ୍ ତଥ୍ୟ ପ୍ରଦାନ କରିବାର ପ୍ରକ୍ରିୟାକୁ ସ୍ପଷ୍ଟ କରିବା ପାଇଁ ଏକ ସର୍କୁଲାର୍ ଜାରି କରିବା।

ପରିଷଦ ସୁପାରିସ କରିଛି ଯେ ଜିଏସଟି ରିଟର୍ଣ୍ଣରେ ଦେୟ ଏବଂ ଆଇଟିସିରେ ସଂଶୋଧନ ପାଇଁ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧୀୟ ନିୟମାବଳୀକୁ ଏପ୍ରିଲ୍ ୨୦୨୭ର ରିଟର୍ଣ୍ଣରୁ କାର୍ଯ୍ୟକାରୀ କରାଯାଇପାରିବ। ଏହି ପଦକ୍ଷେପଗୁଡ଼ିକ ରିଟର୍ଣ୍ଣରେ ଦେୟ ଏବଂ ଆଇଟିସି ମଧ୍ୟରେ ଥିବା ଅସଙ୍ଗତିକୁ ଯଥେଷ୍ଟ ହ୍ରାସ କରିବ । ଫଳସ୍ୱରୂପ ଏଭଳି ଅସଙ୍ଗତି ଯୋଗୁଁ ଆସୁଥିବା 'ଡିମାଣ୍ଡ ନୋଟିସ୍' ଏବଂ ସିଷ୍ଟମ୍-ଜନିତ ସୂଚନା ହ୍ରାସ ପାଇବ । ଏଥିସହିତ ସମଗ୍ର ଯୋଗାଣ ଶୃଙ୍ଖଳାରେ ଆଇଟିସିର ବିଶ୍ୱସନୀୟତା ବୃଦ୍ଧି ପାଇବ, ଯାହା ଟିକସଦାତାମାନଙ୍କ ପାଇଁ ସୁବିଧାଜନକ ହେବ। ଏହା ବ୍ୟତୀତ, ପରିଷଦ ପ୍ରସ୍ତାବିତ ସଂଶୋଧିତ ବ୍ୟବସ୍ଥାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରାମର୍ଶ ପ୍ରକ୍ରିୟା ପାଇଁ ସର୍ବସାଧାରଣରେ ଉପସ୍ଥାପନ କରିବାକୁ ସୁପାରିସ କରିଛି। ଅଂଶୀଦାରମାନଙ୍କଠାରୁ ମିଳିଥିବା ମତାମତ ଆଧାରରେ ଆବଶ୍ୟକ ପରିବର୍ତ୍ତନ କିମ୍ବା ସଂଶୋଧନକୁ ଅନୁମୋଦନ କରିବା ପାଇଁ କେନ୍ଦ୍ରୀୟ ଅର୍ଥମନ୍ତ୍ରୀଙ୍କୁ ଅଧିକୃତ କରାଯାଇଛି ।

ଜିଏସଟି ପରିଷଦ ସିଜିଏସଟି ଆଇନ, ୨୦୧୭ର ଧାରା ୫୪ ଏବଂ ସମ୍ପୃକ୍ତ ସିଜିଏସଟି ନିୟମାବଳୀ, ୨୦୧୭ରେ ସଂଶୋଧନ ପାଇଁ ସୁପାରିସ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋନିକ୍ କ୍ୟାସ୍ ଲେଜରରେ ଥିବା ଅତିରିକ୍ତ ବାଲାନ୍ସ, ଶୂନ୍ୟ-ହାର ବିଶିଷ୍ଟ ଯୋଗାଣ ଏବଂ ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକ୍ଚର୍ ବା ବିପରୀତ ଶୁଳ୍କ ଢାଞ୍ଚା ସହ ଜଡ଼ିତ ରିଫଣ୍ଡ ଦାବିଗୁଡ଼ିକର ସିଷ୍ଟମ୍-ଆଧାରିତ ପ୍ରକ୍ରିୟାକରଣ ଓ ମଞ୍ଜୁରୀ ବ୍ୟବସ୍ଥା କରିବା।

ଏହାର ପ୍ରଥମ ପର୍ଯ୍ୟାୟରେ ଇଲେକ୍ଟ୍ରୋନିକ୍ କ୍ୟାସ୍ ଲେଜରରେ ଥିବା ଅତିରିକ୍ତ ବାଳାନ୍ସ ପାଇଁ ସମ୍ପୂର୍ଣ୍ଣ ରିଫଣ୍ଡ ଦାବିକୁ ସିଷ୍ଟମ୍ ଦ୍ୱାରା ସ୍ୱୟଂଚାଳିତ ଭାବରେ ମଞ୍ଜୁର କରାଯିବ, ଯେଉଁଥିରେ କୌଣସି ଅଧିକାରୀଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିବ ନାହିଁ। ସ୍ୱୀକୃତି ପତ୍ର କିମ୍ବା ତ୍ରୁଟି ସମ୍ବନ୍ଧୀୟ ସୂଚନା ଜାରି କରିବାର ସମୟସୀମାକୁ ୧୫ ଦିନରୁ କମାଇ ୧୦ ଦିନ କରାଯିବ। ଯଦି ଆବେଦନର ୧୦ ଦିନ ମଧ୍ୟରେ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ଏପରି ସ୍ୱୀକୃତି କିମ୍ବା ତ୍ରୁଟି ସୂଚନା ଜାରି କରା ନ ଯାଏ, ତେବେ ସିଷ୍ଟମ୍ ଦ୍ୱାରା ଏହାକୁ ସ୍ୱତଃ ସ୍ୱୀକୃତିପ୍ରାପ୍ତ ବୋଲି ଧରାଯିବ। 'ଜିରୋ-ରେଟେଡ୍ ସପ୍ଲାଇ' ଏବଂ 'ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକ୍ଚର' କାରଣରୁ ହେଉଥିବା ରିଫଣ୍ଡ ଦାବି କ୍ଷେତ୍ରରେ, ସିଷ୍ଟମ୍ ଦ୍ୱାରା ବିପଦ ଚିହ୍ନଟ ଓ ମୂଲ୍ୟାୟନ ଆଧାରରେ ଦାବି କରାଯାଇଥିବା ଅର୍ଥରାଶିର ୯୦% ଅର୍ଥ ସ୍ୱୟଂଚାଳିତ ଭାବରେ ଏବଂ ଅଧିକାରୀଙ୍କ ହସ୍ତକ୍ଷେପ ବିନା ଅସ୍ଥାୟୀ ଭିତ୍ତିରେ ମଞ୍ଜୁର କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ସିଷ୍ଟମ୍ ଦ୍ୱାରା ରିଫଣ୍ଡ ଆବେଦନର ଆବଶ୍ୟକ ଯାଞ୍ଚ ପରେ ସିଷ୍ଟମ୍-ଆଧାରିତ ସ୍ୱୟଂଚାଳିତ ସ୍ୱୀକୃତି ପ୍ରଦାନ (ଅଧିକାରୀଙ୍କ ହସ୍ତକ୍ଷେପ ବିନା) କରାଯିବ । ଏପରି ସ୍ୱୀକୃତିପ୍ରାପ୍ତ ମାମଲାଗୁଡ଼ିକରେ, 'ଜିରୋ-ରେଟେଡ୍ ସପ୍ଲାଇ' ସମ୍ବନ୍ଧୀୟ ଦାବି କ୍ଷେତ୍ରରେ (ଯଦି କୌଣସି ବକେୟା ଥାଏ ତେବେ ତାହାକୁ ଆଡଜଷ୍ଟ କରିବା ପରେ), ସିଷ୍ଟମ୍ ଦ୍ୱାରା ବିପଦ ଚିହ୍ନଟ ଓ ମୂଲ୍ୟାୟନ ଆଧାରରେ ସମ୍ପୂର୍ଣ୍ଣ ରିଫଣ୍ଡ ଦାବିକୁ ସ୍ୱୟଂଚାଳିତ ଭାବରେ ମଞ୍ଜୁର କରାଯିବ (ଅଧିକାରୀଙ୍କ ହସ୍ତକ୍ଷେପ ବିନା)।

ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ, ପରିଷଦ ସିଜିଏସଟି ଆଇନ୍, ୨୦୧୭ ଏବଂ ସିଜିଏସଟି ନିୟମାବଳୀ, ୨୦୧୭ ରେ ସଂଶୋଧନ ପାଇଁ ସୁପାରିସ କରିଛି, ଯାହା ମୁଖ୍ୟତଃ ଫର୍ମ ଜିଏସଟି ଆରଏଫଡି-୧ରେ ରିଫଣ୍ଡ ଆବେଦନର ସଂଶୋଧନ ସାମିଲ ରହିଛି । ଯାହାଫଳରେ ଆବେଦନର ବିବରଣୀଗୁଡ଼ିକ ସିଷ୍ଟମ୍-ରିଡେବଲ ଫର୍ମାଟରେ ଗ୍ରହଣ କରାଯାଇପାରିବ । ଅପିଲ୍ ଦାଖଲ ପାଇଁ ଦିଆଯାଇଥିବା 'ପ୍ରି-ଡିପୋଜିଟ୍' (ପୂର୍ବ-ଜମା) ରାଶିର ଫେରସ୍ତ ଉପରେ ଦେୟ ସୁଧ ସମ୍ବନ୍ଧରେ ଅଧିକ ସ୍ପଷ୍ଟତା ଏବଂ ନିଶ୍ଚିତତା ସୁନିଶ୍ଚିତ କରିବା ଲକ୍ଷ୍ୟରେ, ପରିଷଦ ନିମ୍ନଲିଖିତ ସୁପାରିସ କରିଛି । ସିଜିଏସଟି ଆଇନ୍, ୨୦୧୭ର ଧାରା ୧୧୫ରେ ସଂଶୋଧନ କରାଯିବ ଯାହାଫଳରେ ଏହିପରି 'ପ୍ରି-ଡିପୋଜିଟ୍' ରାଶିର ଫେରସ୍ତ ପାଇଁ ପ୍ରଯୁଜ୍ୟ ସୁଧ ହାର ସମ୍ବନ୍ଧରେ ଏହା ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରିବ ଏବଂ 'ପ୍ରି-ଡିପୋଜିଟ୍' ଫେରସ୍ତ ଉପରେ ସୁଧ ହାର ସମ୍ବନ୍ଧୀୟ ବିଷୟଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇପାରିବ । ଏହି ପଦକ୍ଷେପଗୁଡ଼ିକ ଅଧିକ ସ୍ୱୟଂଚାଳିତ ବ୍ୟବସ୍ଥା ଏବଂ କମ୍ ମାନୁଆଲ୍ ହସ୍ତକ୍ଷେପ ମାଧ୍ୟମରେ ଫେରସ୍ତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ତ୍ୱରାନ୍ୱିତ କରିବ । ଫଳସ୍ୱରୂପ ଯୋଗ୍ୟ ଫେରସ୍ତ ରାଶିର ସମୟାନୁବର୍ତ୍ତୀ ମଞ୍ଜୁରି ସହଜ ହେବ ଏବଂ କରଦାତାଙ୍କ ପାଇଁ ଅନୁପାଳନ ଜନିତ ବୋଝ ତଥା ବିଭାଗ ସହିତ କାରବାରର ଜଟିଳତା ହ୍ରାସ ପାଇବ। ସ୍ୱୟଂଚାଳିତ ବ୍ୟବସ୍ଥାର ପ୍ରଚଳନ ସ୍ୱଚ୍ଛତା, ସୁନିଶ୍ଚିତତା ଏବଂ ସମାନତା ସୁନିଶ୍ଚିତ କରିବା ସହିତ ଟିକସଦାତାଙ୍କ ପାଇଁ ନଗଦ ପ୍ରବାହରେ ମଧ୍ୟ ଉନ୍ନତି ଆଣିବ।

ଜିଏସଟି ପରିଷଦ ଟିକସ ଅଧିକାରୀମାନଙ୍କ ପାଇଁ ବିସ୍ତୃତ ମାର୍ଗଦର୍ଶିକା ପ୍ରଦାନ କରୁଥିବା ଏକ ବିଜ୍ଞପ୍ତି ଜାରି କରିବାକୁ ସୁପାରିସ କରିଛି। ଏହି ମାର୍ଗଦର୍ଶିକା 'ଡିମାଣ୍ଡ ନୋଟିସ୍', ନିଷ୍ପତ୍ତି ଆଦେଶ ବା ଆଡଜୁଡିକେସନ ଅର୍ଡର ଏବଂ ଅପିଲ୍ ଆଦେଶ ଜାରି କରିବା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବ। ଏଥିରେ ଅନ୍ୟାନ୍ୟ ବିଷୟ ସହିତ ନୋଟିସ୍ ଓ ଆଦେଶର ଗୁଣବତ୍ତା, ସେଗୁଡ଼ିକର ସମୟାନୁବର୍ତ୍ତୀ ଜାରି, ପ୍ରତ୍ୟେକ ମାମଲାର ତଥ୍ୟ ଓ ଯୁକ୍ତି ଆଧାରରେ ଠକେଇ, ଇଚ୍ଛାକୃତ ଭୁଲ୍ ତଥ୍ୟ ପ୍ରଦାନ କିମ୍ବା ତଥ୍ୟ ଲୁଚାଇବା ଭଳି ଆଧାରଗୁଡ଼ିକର ଉଚିତ୍ ପ୍ରୟୋଗ ଏବଂ ବ୍ୟକ୍ତିଗତ ଶୁଣାଣି ସମେତ 'ପ୍ରାକୃତିକ ନ୍ୟାୟର ନୀତି' ପାଳନ କରିବା ଭଳି ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ରହିବ।

ଏହାବ୍ୟତୀତ, ଅନୁପାଳନ ବୋଝ ଏବଂ ଆଇନଗତ ବିବାଦ ହ୍ରାସ କରିବା ପାଇଁ, ପରିଷଦ ସିଜିଏସଟି ଆଇନ୍, ୨୦୧୭ର ଧାରା ୭୩, ଧାରା ୭୪ ଏବଂ ଧାରା ୭୪ଏରେ ସଂଶୋଧନ ପାଇଁ ସୁପାରିସ କରିଛି । ଏଥିରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ୧୦,୦୦୦ ଟଙ୍କା (ସିଜିଏସଟି + ଏସଜିଏସଟି + ଆଇଜିଏସଟି + ସେସ୍)ର ସର୍ବନିମ୍ନ ସୀମା ନିର୍ଦ୍ଧାରଣ କରାଯାଇଛି। ତେଣୁ, ଯଦି ସମ୍ପୃକ୍ତ ଟିକସ ପରିମାଣ ୧୦,୦୦୦ ଟଙ୍କାରୁ କମ୍ ହୁଏ, ତେବେ କୌଣସି ନୋଟିସ୍ ଜାରି କରାଯିବ ନାହିଁ। ପରିଷଦ ଏକ ଆଇନଗତ ବ୍ୟବସ୍ଥା ପାଇଁ ମଧ୍ୟ ସୁପାରିସ କରିଛି । ଏହି ବ୍ୟବସ୍ଥା ଅନୁଯାୟୀ ୧୦,୦୦୦ ଟଙ୍କାରୁ କମ୍ ପରିମାଣର ଯେକୌଣସି ନୋଟିସ୍ ଏବଂ ଅପିଲ୍, ଯାହା ଉକ୍ତ ସର୍ବନିମ୍ନ ସୀମା ବ୍ୟବସ୍ଥା ଲାଗୁ ହେବା ତାରିଖରେ ବିଚାରାଧୀନ ଥିବ, ସେଗୁଡ଼ିକର ନିଷ୍ପତ୍ତି ଏପରି ଭାବରେ ନିଆଯିବ ଯେପରି ନୋଟିସ୍ ଜାରି ହେବା ସମୟରେ ଉକ୍ତ ୧୦,୦୦୦ ଟଙ୍କାର ସୀମା ଲାଗୁ ଥିଲା। ଯେତେବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ଟିକସ ପରିମାଣ ସହିତ ସୁଧ ଏବଂ ଜରିମାନା ସ୍ୱେଚ୍ଛାକୃତ ଭାବରେ ପୈଠ କରାଯିବ, ସେତେବେଳେ ଜରିମାନା ପରିମାଣକୁ 'ଚାର୍ଜ' (ଦେୟ) ଭାବରେ ବିବେଚନା କରାଯିବ ।  ଅଣ-ଠକେଇ ମାମଲାରେ ୫% କମ ଜୋରିମାନା ପାଇଁ, ଯେଉଁଠାରେ ନିଷ୍ପତ୍ତି ଆଦେଶର ୩୦ ଦିନ (ଧାରା ୭୩ ଅଧୀନରେ) କିମ୍ବା ୬୦ ଦିନ (ଧାରା ୭୪ଏ ଅଧୀନରେ) ମଧ୍ୟରେ ସୁଧ ସହିତ ଟିକସ ପୈଠ କରାଯିବାର ବ୍ୟବସ୍ଥା ରହିବ । ବିନା ଠକେଇ ମାମଲାରେ ସର୍ବନିମ୍ନ ୧୦,୦୦୦ ଟଙ୍କା ଜୋରିମାନା ସର୍ତ୍ତକୁ ଉଚ୍ଛେଦ କରାଯିବ ।

ପରିଷଦ ସିଜିଏସଟି ଆଇନ୍, ୨୦୧୭ର ଧାରା ୧୦୭(୬) ଏବଂ ଧାରା ୧୧୨(୮)ର ବ୍ୟବସ୍ଥାଗୁଡ଼ିକରେ ସଂଶୋଧନ ପାଇଁ ସୁପାରିସ କରିଛି। ଏହି ସଂଶୋଧନର ଉଦ୍ଦେଶ୍ୟ ହେଉଛି ସେହି ମାମଲାଗୁଡ଼ିକରେ (ଯେଉଁଥିରେ କେବଳ ଜୋରିମାନା ଲାଗୁ କରାଯାଇଥାଏ ଏବଂ କୌଣସି ଟିକସ ଦାବି ନଥାଏ) ଅପିଲ୍‌ କର୍ତ୍ତୃପକ୍ଷ କିମ୍ବା ଅପିଲ ଟ୍ରିବ୍ୟୁନାଲ୍' ନିକଟରେ ଅପିଲ୍ ଦାଖଲ କରିବା ପାଇଁ ଆବଶ୍ୟକ 'ପ୍ରି-ଡିପୋଜିଟ୍' (ପୂର୍ବ-ଜମା) ରାଶି ଉପରେ ୪୦ କୋଟି ଟଙ୍କାର (ସିଜିଏସଟି ଅଧୀନରେ ୨୦ କୋଟି ଟଙ୍କା ଏବଂ ଏସଜିଏସଟି/ୟୁଟିଜିଏସଟି ଅଧୀନରେ ୨୦ କୋଟି ଟଙ୍କା) ସର୍ବାଧିକ ସୀମା ନିର୍ଦ୍ଧାରଣ କରାଯିବ । ଏହା ଟିକସଦାତାଙ୍କ ଉପରେ ଥିବା ଆର୍ଥିକ ବୋଝକୁ ହ୍ରାସ କରିବ ଏବଂ ଏଭଳି ମାମଲାରେ ସେମାନଙ୍କ ପାଇଁ ଅପିଲ୍ ସମ୍ବନ୍ଧୀୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସହଜ କରିବ ।

ପରିଷଦ ସିଜିଏସଟି ଆଇନ୍, ୨୦୧୭ର ଧାରା ୫୪(୩)ର ବ୍ୟବସ୍ଥା ଅନ୍ତର୍ଗତ ଉପ-ଧାରା (ii) ଏବଂ ସିଜିଏସଟି ନିୟମାବଳୀ, ୨୦୧୭ରେ ସଂଶୋଧନ ପାଇଁ ସୁପାରିସ କରିଛି। ଏହି ସଂଶୋଧନର ଉଦ୍ଦେଶ୍ୟ ହେଲା - 'ଜିରୋ-ରେଟେଡ୍ ସପ୍ଲାଇ' କ୍ଷେତ୍ରରେ ପୁଞ୍ଜିଗତ ସାମଗ୍ରୀ ବାବଦରେ ଜମା ହୋଇଥିବା ଆଇଟିସି ଏବଂ 'ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକ୍ଚର୍'  କ୍ଷେତ୍ରରେ ଇନପୁଟ୍ ସେବା ଓ ପୁଞ୍ଜିଗତ ସାମଗ୍ରୀ ବାବଦରେ ଜମା ହୋଇଥିବା ଆଇଟିସିର ରିଫଣ୍ଡ ବା ପ୍ରତ୍ୟର୍ପଣ ବ୍ୟବସ୍ଥା କରିବା। ପରିଷଦ ସୁପାରିସ କରିଛି ଯେ 'ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକ୍ଚର୍' ସମ୍ବନ୍ଧୀୟ ରିଫଣ୍ଡ କ୍ଷେତ୍ରରେ, ଇନପୁଟ୍ ସେବା ଉପରେ ୧ ନଭେମ୍ବର ୨୦୨୬ କିମ୍ବା ତା’ପରେ ଗ୍ରହଣ କରାଯାଇଥିବା ଆଇଟି ପାଇଁ ହିଁ ଜମା ହୋଇଥିବା ଆଇଟିସିର ରିଫଣ୍ଡ ଉପଲବ୍ଧ ହେବ।       'ଜିରୋ-ରେଟେଡ୍ ସପ୍ଲାଇ' ଏବଂ 'ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକ୍ଚର୍' ସମ୍ବନ୍ଧୀୟ ରିଫଣ୍ଡ କ୍ଷେତ୍ରରେ ପୁଞ୍ଜିଗତ ସାମଗ୍ରୀ ଉପସ୍ଥିତ ଆଇଟିସି ରିଫଣ୍ଡ ସମ୍ବନ୍ଧରେ ପରିଷଦ ସୁପାରିଶ କରିଛି ଯେ, ଏହି ରିଫଣ୍ଡ ୬୦ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ଏବଂ ଏହା ୧ ଅପ୍ରେଲ ୨୦୨୭ କିମ୍ବା ତା’ପରେ ପୁଞ୍ଜିଗତ ସାମଗ୍ରୀ ଉପରେ ଗ୍ରହଣ କରାଯାଇଥିବା ଆଇଟିସି ପାଇଁ ଉପଲବ୍ଧ ହେବ। ଏହା କରଦାତାଙ୍କ ପାଇଁ କାର୍ଯ୍ୟକାରୀ ପୁଞ୍ଜି ସମ୍ବନ୍ଧୀୟ ସମସ୍ୟାକୁ ହାଲୁକା କରିବ ଏବଂ ଏଭଳି କ୍ଷେତ୍ରରେ ଇନପୁଟ୍ ସେବା ଓ ପୁଞ୍ଜିଗତ ସାମଗ୍ରୀ ଯୋଗୁଁ ଅଟକି ରହିଥିବା ଆଇଟିସି ସମସ୍ୟାକୁ ଦୂର କରିବ ।

ପରିଷଦ ସିଜିଏସଟି ଆଇନ, ୨୦୧୭ର ଧାରା ୧୭(୫)ରେ ସଂଶୋଧନ ପାଇଁ ସୁପାରିସ କରିଛି। ଏହି ସଂଶୋଧନର ଉଦ୍ଦେଶ୍ୟ ହେଉଛି ଆଇଟିସି ଲାଭ କରିବା ଉପରେ ଥିବା କଟକଣାକୁ ହଟାଇବା; ବିଶେଷକରି ଆଉଟଡୋର ​​କ୍ୟାଟରିଂ, ସ୍ୱାସ୍ଥ୍ୟ ଓ ଜୀବନ ବୀମା, ଟେଲିକମ୍ୟୁନିକେସନ୍ ଟାୱାର, କାରଖାନା ପରିସର ବାହାରେ ବିଛାଯାଇଥିବା ପାଇପ୍‌ଲାଇନ୍, ମାଗଣା ନମୁନା  ଏବଂ ଆଇନ ଅନୁଯାୟୀ ମିଆଦ୍ ସରିବା ପରେ ନଷ୍ଟ କିମ୍ବା ବାତିଲ କରାଯାଇଥିବା ସାମଗ୍ରୀ ଆଦି କ୍ଷେତ୍ରରେ ଲାଗୁ ହୋଇଥିବା କଟକଣା। ଏହା ଟିକସର 'କାସ୍କେଡିଂ' (ଟିକସ ଉପରେ ଟିକସ ଲାଗିବାର ପ୍ରଭାବ)କୁ ହ୍ରାସ କରିବ ଏବଂ ସପ୍ଲାଇ ଚେନ୍ (ଯୋଗାଣ ଶୃଙ୍ଖଳା) ମଧ୍ୟରେ ଆଇଟିସିର ସୁଗମ ପ୍ରବାହକୁ ସୁନିଶ୍ଚିତ କରିବ।

ଆଇଜିଏସଟି ଆଇନ, ୨୦୧୭ର ଧାରା ୨ର ଉପ-ଧାରା (୬)ର ଉପ-ଅନୁଚ୍ଛେଦ (ଭି)କୁ ହଟାଇବାକୁ ପରିଷଦ ସୁପାରିସ କରିଛି ; ଯାହା ଫଳରେ ଆଇଜିଏସଟି ଆଇନ, ୨୦୧୭ର ଧାରା ୮ର 'ବ୍ୟାଖ୍ୟା ୧' ଅଧୀନରେ ଥିବା ସେବା ଯୋଗାଣକାରୀ ଏବଂ ଗ୍ରହୀତା 'ସ୍ୱତନ୍ତ୍ର ବ୍ୟକ୍ତି' ର ପ୍ରତିଷ୍ଠାନ ନ ହେବାର ସର୍ତ୍ତକୁ ଦୂର କରାଯାଇପାରିବ ଏବଂ ସେବା ଯୋଗାଣକୁ "ସେବା ରପ୍ତାନି" ଭାବରେ ବିବେଚନା କରାଯାଇପାରିବ। ଏହା ଭାରତୀୟ ସେବା ଯୋଗାଣକାରୀଙ୍କୁ ସେମାନଙ୍କ ବିଦେଶୀ କାର୍ଯ୍ୟାଳୟ/ଶାଖାକୁ କିମ୍ବା ସେଗୁଡ଼ିକ ମାଧ୍ୟମରେ ଯୋଗାଇ ଦିଆଯାଇଥିବା ସେବା ପାଇଁ ରିଫଣ୍ଡ (ଅର୍ଥ ଫେରସ୍ତ) ପାଇବାରେ ସୁବିଧା ପ୍ରଦାନ କରିବ ଏବଂ ଫଳସ୍ୱରୂପ ଭାରତରୁ ସେବା ରପ୍ତାନିକୁ ପ୍ରୋତ୍ସାହିତ କରିବ।

ବିଦେଶୀ ମୁଦ୍ରା କିମ୍ବା ଅନୁମତିପ୍ରାପ୍ତ କ୍ଷେତ୍ରରେ ଭାରତୀୟ ଟଙ୍କାରେ ଦେୟ ଗ୍ରହଣ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯିବ । ଆଇଜିଏସଟି ଆଇନ, ୨୦୧୭ର ଧାରା ୧୩(୩)ର ଅନୁଚ୍ଛେଦ (ଏ)କୁ ଉଚ୍ଛେଦ କରାଯିବ ଯାହା ଫଳରେ ଯେଉଁ କ୍ଷେତ୍ରରେ ସେବା ଗ୍ରହୀତାଙ୍କ ଦ୍ୱାରା ଯୋଗାଣକାରୀଙ୍କୁ ସାମଗ୍ରୀ ଭୌତିକ ଭାବରେ ଉପଲବ୍ଧ କରାଯାଏ, ସେଠାରେ ସେବା ଯୋଗାଣର ସ୍ଥାନ ଆଇଜିଏସଟି ଆଇନ, ୨୦୧୭ର ଧାରା ୧୩(୨) ଅଧୀନରେ ଥିବା ସାଧାରଣ ବ୍ୟବସ୍ଥା ଅନୁଯାୟୀ, ଅର୍ଥାତ୍ ସେବା ଗ୍ରହୀତାଙ୍କ ଅବସ୍ଥାନ ଅନୁସାରେ ନିର୍ଦ୍ଧାରିତ ହେବ। ଏହା ବିଦେଶୀ ଗ୍ରହୀତାଙ୍କୁ ଏଭଳି ସେବା ପ୍ରଦାନ କରୁଥିବା ଭାରତୀୟ ସେବା ଯୋଗାଣକାରୀଙ୍କ ପାଇଁ ଜିଏସଟି ଅଧୀନରେ ରପ୍ତାନି-ସମ୍ବନ୍ଧୀୟ ସୁବିଧା ପାଇବାରେ ସହାୟକ ହେବ।

ଆଇଜିଏସଟି ଆଇନ, ୨୦୧୭ର ଧାରା ୧୬(୧)ରେ ଏକ ବ୍ୟାଖ୍ୟା ଯୋଡ଼ିବାକୁ ସୁପାରିସ କରାଯାଇଛି । ଯେଉଁ କ୍ଷେତ୍ରରେ ବିଦେଶୀ କ୍ରେତାଙ୍କୁ ସାମଗ୍ରୀ ଯୋଗାଣ କରାଯାଏ କିନ୍ତୁ ସାମଗ୍ରୀର ବିତରଣ ଉକ୍ତ କ୍ରେତାଙ୍କୁ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ/ମୁକ୍ତ ବାଣିଜ୍ୟ ଗୋଦାମ କ୍ଷେତ୍ରରେ କରାଯାଏ ଏବଂ ଏଭଳି ଯୋଗାଣ ପାଇଁ ଦେୟ ପରିବର୍ତ୍ତନଯୋଗ୍ୟ ବିଦେଶୀ ମୁଦ୍ରା କିମ୍ବା ଆରବିଆଇ ଦ୍ୱାରା ଅନୁମତିପ୍ରାପ୍ତ କ୍ଷେତ୍ରରେ ଭାରତୀୟ ଟଙ୍କାରେ ଗ୍ରହଣ କରାଯାଏ, ସେଭଳି କ୍ଷେତ୍ରରେ ଏହା ବ୍ୟବସାୟିକ ସୁଗମତା ନିମନ୍ତେ ବ୍ୟବସ୍ଥା କରିବ ।

 

ଗିରଫ ଏବଂ ମକଦ୍ଦମା ଦାୟର ସମ୍ବନ୍ଧୀୟ ବ୍ୟବସ୍ଥାର ଯୁକ୍ତିସଂଗତ କରାଯିବ । ଜିଏସଟି (ଜିଏସଟି) ଅଧୀନରେ ଥିବା ଗିରଫ କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ପାଇଁ ପରିଷଦ ସୁପାରିସ କରିଛି, ଯାହା ସିଜିଏସଟି ଆଇନ, ୨୦୧୭ର ଧାରା ୬୯କୁ ଉଚ୍ଛେଦ କରିବା ମାଧ୍ୟମରେ କରାଯିବ।  ଏକ ପ୍ରଗତିଶୀଳ ଏବଂ ବିଶ୍ୱାସ-ଭିତ୍ତିକ ଟିକସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ​​କରିବା ସହିତ ଠକେଇ ଓ ଟିକସ ଫାଙ୍କି ବିରୁଦ୍ଧରେ ପ୍ରଭାବଶାଳୀ ପ୍ରତିରୋଧକ ବ୍ୟବସ୍ଥା ବଜାୟ ରଖିବା ଲକ୍ଷ୍ୟରେ ପରିଷଦ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ପାଇଁ ସୁପାରିସ କରିଛି । ମକଦ୍ଦମା ଦାୟର କରିବା ପାଇଁ ଆର୍ଥିକ ସୀମାକୁ ୧ କୋଟି ଟଙ୍କାରୁ ବୃଦ୍ଧି କରି ୫ କୋଟି ଟଙ୍କା କରାଯିବ। ସିଜିଏସଟି ଆଇନ, ୨୦୧୭ର ଧାରା ୧୩୨(୧)ର ଉପ-ଧାରା (i)କୁ ଉଚ୍ଛେଦ କରିବା; ଧାରା ୧୩୨(୧)ର ଉପ-ଧାରା (ଇ)ରୁ "ଟିକସ ଫାଙ୍କିବା" ଶବ୍ଦଗୁଡ଼ିକୁ ହଟାଇବା ଏବଂ ଧାରା ୧୩୨(୧)ର ଉପ-ଧାରା (ଏ)ରୁ "କିମ୍ବା ଅନ୍ୟ କୌଣସି ଉପାୟରେ କାରବାର କରିବା"   ଶବ୍ଦଗୁଡ଼ିକୁ ହଟାଇବା ଲାଗି ସୁପାରିସରେ ଉଲ୍ଲେଖ ରହିଛି ।

ସିଜିଏସଟି ଆଇନ, ୨୦୧୭ର ଧାରା ୧୩୨(୧)ର ଉପ-ଧାରା (c)ରେ ସଂଶୋଧନ କରାଯିବ । ଯାହାଫଳରେ କେବଳ ସାମଗ୍ରୀ କିମ୍ବା ସେବା ଗ୍ରହଣ ନକରି କିମ୍ବା ଇନଭଏସ୍ (ବିଲ୍) ବିନା ଠକେଇପୂର୍ଣ୍ଣ ଭାବେ ଆଇଟିସି ହାସଲ କରିବା ଅପରାଧ ଏଥିରେ ଅନ୍ତର୍ଭୁକ୍ତ ହେବ। ସିଜିଏସଟି ଆଇନ, ୨୦୧୭ର ଧାରା ୧୩୨ ଅଧୀନରେ ବିଭିନ୍ନ ଅପରାଧ ପାଇଁ ଦଣ୍ଡର ପରିମାଣକୁ ଯୁକ୍ତିସଂଗତ କରିବାକୁ ସୁପାରିସ କରାଯାଇଛି । ଇ-ୱେ ବିଲ୍ ସମ୍ବନ୍ଧୀୟ ବ୍ୟବସ୍ଥାର ଯୁକ୍ତିସଂଗତ କରାଯିବ ।  ଜିଏସଟି ପରିଷଦ ସିଜିଏସଟି ଆଇନ, ୨୦୧୭ର ଧାରା ୬୮, ଧାରା ୧୨୯ ଏବଂ ଧାରା ୧୩୦ରେ ସଂଶୋଧନ ପାଇଁ ସୁପାରିସ କରିଛି, ଯାହା ଅନୁଯାୟୀ: ସାମଗ୍ରୀ ପରିବହନ କରୁଥିବା ଯାନକୁ କେବଳ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ଏବଂ ଯୁଗ୍ମ କମିଶନର ପାହ୍ୟାରୁ କମ୍ ନଥିବା ଜଣେ ଅଧିକାରୀଙ୍କ ଅନୁମତି କ୍ରମେ ଅଟକାଯାଇପାରିବ। ଯେଉଁ ରାଜ୍ୟରେ ଯାନଟିକୁ ଅଟକାଯାଉଛି, ସେହି ରାଜ୍ୟରେ ଯଦି ଯେଉଁଠାରେ କୌଣସି ଇ-ୱେ ବିଲ୍ ପ୍ରସ୍ତୁତ କରାଯାଇନାହିଁ, କିମ୍ବା ପରିବହନକାରୀ ଯାନରେ ସାମଗ୍ରୀର ଉତ୍ପତ୍ତି ସ୍ଥଳ କିମ୍ବା ଗନ୍ତବ୍ୟ ସ୍ଥଳ ଦର୍ଶାଉଥିବା କୌଣସି ଦସ୍ତାବିଜ ନାହିଁ, ସେହି କ୍ଷେତ୍ରରେ ଅଧିକାର କ୍ଷେତ୍ର ନିର୍ବିଶେଷରେ ସାମଗ୍ରୀଗୁଡ଼ିକର ଯାଞ୍ଚ, ଅଟକ କିମ୍ବା ଜବତ କରାଯାଇପାରିବ।

ପରିବହନ ଅବସ୍ଥାରେ ଥିବା ସାମଗ୍ରୀ କିମ୍ବା ଯାନ ପାଇଁ ସିଜିଏସଟି ଆଇନର ଧାରା ୧୩୦ ଅଧୀନରେ ସାମଗ୍ରୀ/ଯାନ ବାଜ୍ୟାପ୍ତି ସମ୍ବନ୍ଧୀୟ ବ୍ୟବସ୍ଥା ଲାଗୁ ହେବ ନାହିଁ। ଏହା ସାମଗ୍ରୀ ଏବଂ ପରିବହନକାରୀ ଯାନର ସୁଗମ ଚଳାଚଳକୁ ସକ୍ଷମ କରିବ ଏବଂ ବ୍ୟବସାୟିକ ଯୋଗାଣ ତଥା ପରିବହନ ଦକ୍ଷତାକୁ ଉନ୍ନତ କରିବ। ବୌଦ୍ଧିକ ସମ୍ପତ୍ତି ଅଧିକାରରେ ମାଲିକାନା ସ୍ୱତ୍ୱ ହସ୍ତାନ୍ତର ସମ୍ବନ୍ଧୀୟ ବ୍ୟବସ୍ଥାରେ କେତେକ ସୁପାରିସ ମଧ୍ୟ କରାଯାଇଛି । ପରିଷଦ ସିଜିଏସଟି ଆଇନ, ୨୦୧୭ର ଅନୁସୂଚୀ-II ରେ ସଂଶୋଧନ ପାଇଁ ସୁପାରିସ କରିଛି ଯାହା ଦ୍ୱାରା ଆଇପିଆରରେ ମାଲିକାନା ସ୍ୱତ୍ୱ ହସ୍ତାନ୍ତରକୁ (ତାହା ଅସ୍ଥାୟୀ ହେଉ ବା ସ୍ଥାୟୀ) ସମାନ ଭାବରେ 'ସେବା ଯୋଗାଣ' ଭାବରେ ବିବେଚନା କରାଯିବ। ଏହା ଜିଏସଟି ନିୟମ ପାଳନକୁ ସହଜ କରିବ ଏବଂ ଆଇପିଆର ସମ୍ବନ୍ଧୀୟ ସୀମା-ପାର କାରବାରକୁ ସୁଗମ କରିବ। ଟିକସଦାତାଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ପ୍ରଦାନ କରିବା ପାଇଁ ସିଜିଏସଟି ନିୟମାବଳୀ, ୨୦୧୭ର ନିୟମ ୮୬ଏ ରେ ସଂଶୋଧନ: ଜିଏସଟି ପରିଷଦ ସିଜିଏସଟି ନିୟମାବଳୀ, ୨୦୧୭ର ନିୟମ ୮୬ଏ ରେ ସଂଶୋଧନ ପାଇଁ ସୁପାରିସ କରିଛି। ଏହା ଏକ ବ୍ୟବସ୍ଥା ପ୍ରଦାନ କରିବ ଯାହା ଦ୍ୱାରା କରଦାତା ଇଲେକ୍ଟ୍ରୋନିକ୍ କ୍ରେଡିଟ୍ ଲେଜରରେ କୌଣସି ରାଶି ଅବରୋଧ କରାଯିବା ବିରୁଦ୍ଧରେ ଆପତ୍ତି ଦାଖଲ କରିପାରିବେ ଏବଂ ଉକ୍ତ ଆପତ୍ତି ଉପରେ ସମ୍ପୃକ୍ତ ଅଧିକାରୀ ନିଷ୍ପତ୍ତି ନେବା ପୂର୍ବରୁ ବ୍ୟକ୍ତିଗତ ଶୁଣାଣିର ସୁଯୋଗ ପାଇପାରିବେ।

କ୍ଷୁଦ୍ର କରଦାତାଙ୍କ ପାଇଁ ବିଳମ୍ବ ଶୁଳ୍କ  କ୍ଷେତ୍ରରେ ରିହାତି ପ୍ରଦାନ କରାଯିବ । ଜିଏସଟି ପରିଷଦ ସିଜିଏସଟି ଆଇନ, ୨୦୧୭ର ଧାରା ୩୯(୧) ଅଧୀନରେ ରିଟର୍ଣ୍ଣ ଦାଖଲରେ ବିଳମ୍ବ ପାଇଁ ଲାଗୁ ହେଉଥିବା ବିଳମ୍ବ ଶୁଳ୍କ ଛାଡ଼ କରିବାକୁ ସୁପାରିସ କରିଛି। ଏହି ସୁବିଧା ସେହି କରଦାତାଙ୍କୁ ମିଳିବ ଯେଉଁମାନେ ଟିକସ ଦାଖଲ କରାଯିବାକୁ ଥିବା ନିର୍ଦ୍ଦିଷ୍ଟ ମାସର ଶେଷ ସୁଦ୍ଧା ଟିକସ ଦାଖଲ କରିଥିବେ ।

ବିଜ୍ଞପ୍ତି ଧ୍ୟମରେ ବିଭିନ୍ନ ବିଷୟ ଉପରେ ସ୍ପଷ୍ଟୀକରଣ ଦିଆଯାଇଛି । କ୍ଷେତ୍ରସ୍ତରୀୟ କାର୍ଯ୍ୟାଳୟଗୁଡ଼ିକ ଦ୍ୱାରା ବିଭିନ୍ନ ବ୍ୟାଖ୍ୟା ଯୋଗୁଁ ଉପୁଜୁଥିବା ଦ୍ୱନ୍ଦ୍ୱ ଦୂର କରିବା ଏବଂ ସ୍ପଷ୍ଟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଏସଟି ପରିଷଦ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବିଜ୍ଞପ୍ତି ଜାରି କରିବାକୁ ସୁପାରିସ କରିଛି । ଇନପୁଟ୍ ସର୍ଭିସ୍ କ୍ରେଡିଟ୍ ବଣ୍ଟନ ପାଇଁ ଇନପୁଟ୍ ସର୍ଭିସ୍ ଡିଷ୍ଟ୍ରିବ୍ୟୁଟର ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟରେ ବିଜ୍ଞପ୍ତି ଜାରି ହେବ । ସିଜିଏସଟି ଆଇନ୍, ୨୦୧୭ର ଧାରା ୧୭(୪)କୁ ବାଛିଥିବା ବ୍ୟାଙ୍କିଙ୍ଗ୍ କମ୍ପାନୀ ଏବଂ ଆର୍ଥିକ ସଂସ୍ଥା (ଏନବିଏଫସି ସମେତ) ଦ୍ୱାରା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଗ୍ରହଣ କରିବା କ୍ଷେତ୍ରରେ ମଧ୍ୟ ବିଜ୍ଞପ୍ତି ଆସିବ । ସେହିପରି ପୂର୍ବ-ଜମା    ପ୍ରଦାନ ସମ୍ବନ୍ଧୀୟ ବିଭିନ୍ନ ବିଷୟ; ନିର୍ଦ୍ଦିଷ୍ଟ ପରିସ୍ଥିତିରେ ପ୍ରଦର୍ଶନକାରୀ ଯାନ  ପାଇଁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଗ୍ରହଣୀୟତା କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ୨୩.୧୦.୨୦୧୭ ଠାରୁ Cଜିଏସଟି ନିୟମାବଳୀ, ୨୦୧୭ର ନିୟମ ୯୬ (୧୦)କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି । ବାର୍ଷିକ ରିଟର୍ଣ୍ଣ ତ୍ରୈମାସିକ ଦେୟ (ଏଆରକ୍ୟୁପି) ପାଇଁ ଏକ ଇଚ୍ଛାଧୀନ ଯୋଜନା ସମ୍ବନ୍ଧୀୟ ଧାରଣା ପତ୍ର ବା କନସେପ୍ଟ ନୋଟ୍‌ ଆସିବ ।  ଜିଏସଟି ପରିଷଦ ସେହି କରଦାତାଙ୍କ ପାଇଁ ଏକ ଇଚ୍ଛାଧୀନ 'ବାର୍ଷିକ ରିଟର୍ଣ୍ଣ ତ୍ରୈମାସିକ ଦେୟ' (ଏଆରକ୍ୟୁପି) ଯୋଜନାର ଧାରଣା ପତ୍ରକୁ ନୀତିଗତ ଭାବେ ଅନୁମୋଦନ କରିଛି, ଯେଉଁମାନଙ୍କର ପୂର୍ବ ଆର୍ଥିକ ବର୍ଷରେ ମୋଟ କାରବାର ୫ କୋଟି ଟଙ୍କା କିମ୍ବା ତା’ଠାରୁ କମ୍ ଅଟେ ଏବଂ ଯେଉଁମାନେ କେବଳ ପଞ୍ଜୀକୃତ ହୋଇନଥିବା ବ୍ୟକ୍ତିଙ୍କୁ ସାମଗ୍ରୀ କିମ୍ବା ସେବା ଯୋଗାଣ (ବିଟୁସି ଯୋଗାଣ) କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଜିଏସଟି ଅଧୀନରେ ନିୟମ ପାଳନ ପ୍ରକ୍ରିୟାକୁ ସରଳ ଓ ସୁବ୍ୟବସ୍ଥିତ କରିବା ପାଇଁ ପରିଷଦ ନିମ୍ନଲିଖିତ ସୁପାରିସଗୁଡ଼ିକ ମଧ୍ୟ କରିଛି: ସିଜିଏସଟି ଆଇନ, ୨୦୧୭ର ଧାରା ୧୬(୪) ଅନୁଯାୟୀ 'ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍' ଗ୍ରହଣ କରିବାର ସମୟସୀମା ସହ ସମାନତା ରକ୍ଷା କରିବା ଉଦ୍ଦେଶ୍ୟରେ, ଉକ୍ତ ଆଇନର ଧାରା ୩୭ (ବହିର୍ଗତ ଯୋଗାଣ ବା 'ଆଉଟୱାର୍ଡ ସପ୍ଲାଇ'ର ବିବରଣୀ ଦାଖଲ) ଏବଂ ଧାରା ୩୯ (ରିଟର୍ଣ୍ଣ ଦାଖଲ) ସମ୍ବନ୍ଧୀୟ ବ୍ୟବସ୍ଥାଗୁଡ଼ିକରେ ସଂଶୋଧନ।

ବ୍ୟବସାୟ ମଡେଲ୍ ଯାହା ହେଉନା କାହିଁକି, ବିଜ୍ଞପିତ ସେବାଗୁଡ଼ିକ ପାଇଁ ଟିକସ ପ୍ରଦାନ କରିବା କ୍ଷେତ୍ରରେ ଇସିଓ (ଇ-କମର୍ସ ଅପରେଟର)ର ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟତା ଆଣିବା ପାଇଁ ସିଜିଏସଟି ଆଇନ, ୨୦୧୭ର ଧାରା ୯(୫)ରେ ସଂଶୋଧନ ଅଣାଯିବ । ଏକାଧିକ ଆର୍ଥିକ ବର୍ଷ ପାଇଁ ଜାରି କରାଯାଇଥିବା କାରଣରୁ ବିଭିନ୍ନ ନ୍ୟାୟାଳୟ ଦ୍ୱାରା ଅବୈଧ ବୋଲି ଘୋଷିତ ହୋଇଥିବା ନୋଟିସ୍‌ଗୁଡ଼ିକୁ ବୈଧତା ପ୍ରଦାନ କରିବା ପାଇଁ ସିଜିଏସଟି ଆଇନ, ୨୦୧୭ରେ ଏକ 'ଭାଲିଡେସନ୍ କ୍ଲଜ୍' (ବୈଧୀକରଣ ଧାରା)ର ଅନ୍ତର୍ଭୁକ୍ତ କରାଯିବ । ୫ କୋଟି ଟଙ୍କା ବା ତଦୁର୍ଦ୍ଧ୍ୱ ସମୁଦାୟ ବାର୍ଷିକ କାରବାର (ଟର୍ଣ୍ଣଓଭର) ଥିବା ଟିକସଦାତାଙ୍କ ପାଇଁ ନିମ୍ନଲିଖିତ କ୍ଷେତ୍ରରେ 'ଇ-ଇନଭଏସିଂ' ବ୍ୟବସ୍ଥା ଲାଗୁ କରାଯିବ ।  

ଜିଏସଟି ଅପିଲ ଟ୍ରିବ୍ୟୁନାଲ୍ ସମ୍ବନ୍ଧୀୟ ବ୍ୟବସ୍ଥାଗୁଡ଼ିକୁ 'ଟ୍ରିବ୍ୟୁନାଲ୍ ସଂସ୍କାର ଆଇନ, ୨୦୨୬' ଏବଂ 'ଜାତୀୟ ଟ୍ରିବ୍ୟୁନାଲ୍ କମିଶନ ତଥା ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ଯୋଗ୍ୟତା, ଚୟନ ଏବଂ ସେବା ସର୍ତ୍ତାବଳୀ ନିୟମାବଳୀ, ୨୦୨୬'ର ସମ୍ପୃକ୍ତ ବ୍ୟବସ୍ଥା ସହିତ ସମାନ କରିବା ପାଇଁ ପରିଷଦ ସିଜିଏସଟି ଆଇନ, ୨୦୧୭ ଏବଂ ଜିଏସଟିଏଟି (ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୩ରେ ବିଭିନ୍ନ ସଂଶୋଧନକୁ ଅନୁମୋଦନ କରିଛି। 

ବସ୍ତୁ ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି ଯେ, ଜିଏସଟି ହାର ତାଲିକାରେ ଖେଳନା ସମ୍ବନ୍ଧୀୟ ବିଜ୍ଞପ୍ତି ଅନ୍ତର୍ଭୁକ୍ତ ବିଷୟଗୁଡ଼ିକ 'କଷ୍ଟମ୍ସ ଟାରିଫ୍ ଆକ୍ଟ, ୧୯୭୫'ର ଶୀର୍ଷକ ୯୫୦୩ରେ ଉଲ୍ଲେଖ ଥିବା ଅନ୍ୟ ସମସ୍ତ ପ୍ରକାରର ଖେଳନା (ଯେପରିକି ପୁତ୍ତଳିକା ବା ଡଲ୍, ପଜଲ୍ ଏବଂ ଅନ୍ୟାନ୍ୟ ଖେଳନା) ମଧ୍ୟ ସାମିଲ। ଏହା କେବଳ ଟ୍ରାଇସାଇକେଲ୍, ସ୍କୁଟର କିମ୍ବା ପେଡାଲ୍ କାର୍ ମଧ୍ୟରେ ସୀମିତ ନୁହେଁ (ବିଜ୍ଞପ୍ତି ସଂଖ୍ୟା ୦୯/୨୦୨୫-ସିଟିଆର, ତାରିଖ ୧୭.୦୯.୨୦୨୫ ର ଅନୁସୂଚୀ-I ର କ୍ରମିକ ସଂଖ୍ୟା ୪୯୭ ଏବଂ ଅନୁସୂଚୀ-II ର କ୍ରମିକ ସଂଖ୍ୟା ୬୧୬)। ସେହିପରି  ସାମୁଦ୍ରିକ ଶୈବାଳ ନିର୍ଯ୍ୟାସ ଉପରେ ଆଧାରିତ ବାୟୋ ଷ୍ଟିମୁଲାଣ୍ଟସ୍‌, ଯାହା 'ସାର (ଅଜୈବିକ, ଜୈବିକ କିମ୍ବା ମିଶ୍ରିତ) (ନିୟନ୍ତ୍ରଣ) ଆଦେଶ, ୧୯୮୫'ର ଅନୁସୂଚୀ-ଭିଆଇ ଅଧୀନରେ ପଞ୍ଜୀକୃତ, ସେଗୁଡ଼ିକୁ ଶୀର୍ଷକ ୩୧୦୧ ଅଧୀନରେ ସାର ଭାବରେ ଶ୍ରେଣୀଭୁକ୍ତ କରାଯାଇପାରିବ। ଏହା ବ୍ୟତୀତ, ଅତୀତର ମାମଲାଗୁଡ଼ିକୁ "ଯେପରି ଅଛି ସେହି ଅବସ୍ଥାରେ" ନିୟମିତ କରିବାକୁ ନିଷ୍ପତ୍ତି ନିଆଯାଇଛି (ବିଜ୍ଞପ୍ତି ସଂଖ୍ୟା ୦୯/୨୦୨୫-ସିଟିଆରର ଅନୁସୂଚୀ-I ର କ୍ରମିକ ସଂଖ୍ୟା ୨୩୭ ରେ ଏକ ସ୍ପଷ୍ଟୀକରଣ ଯୋଡ଼ାଯିବ)।

ଜିଏସଟି ପରିଷଦ ପୁରୁଣା ଗାଡ଼ିକୁ ନେଇ ମଧ୍ୟ ସ୍ପଷ୍ଟିକରଣ ଦେଇଛି । ଜିଏସଟି ମାର୍ଜିନ୍ ଯୋଜନା ଅଧୀନରେ ପୁରୁଣା ଗାଡ଼ି ଯୋଗାଣକାରୀମାନଙ୍କୁ ବିଭିନ୍ନ ଇନପୁଟ୍ (ପୁରୁଣା ଗାଡ଼ି ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ) କିମ୍ବା ଇନପୁଟ୍ ସେବା ଯେପରିକି ଯନ୍ତ୍ରାଂଶ, ମରାମତି ଓ ରକ୍ଷଣାବେକ୍ଷଣ ସେବା, ପ୍ରଯୁକ୍ତିବିଦ୍ୟା ସେବା, ଭଡ଼ା, ବିପଣନ ଏବଂ ବିଜ୍ଞାପନ ସେବା ଇତ୍ୟାଦି ଉପରେ 'ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍' ଗ୍ରହଣ କରିବାକୁ ଅନୁମତି ଦିଆଯାଇଛି। ଉକ୍ତ ଯୋଜନା ଅଧୀନରେ ITC ଗ୍ରହଣ କରିବା ଉପରେ ଥିବା କଟକଣା କେବଳ କ୍ରୟ କରାଯାଇଥିବା ପୁରୁଣା ଗାଡ଼ି ଉପରେ ପ୍ରଦତ୍ତ ଟିକସ କ୍ଷେତ୍ରରେ ଲାଗୁ ହୁଏ। [ବିଜ୍ଞପ୍ତି ସଂଖ୍ୟା ୮/୨୦୧୮-କେନ୍ଦ୍ରୀୟ ଟିକସ (ହାର), ବିଜ୍ଞପ୍ତି ସଂଖ୍ୟା ୫. ପ୍ଲାଷ୍ଟିକ୍‌ର ବର୍ଜ୍ୟବସ୍ତୁ ଓ ଅବଶେଷ, ବୈଦ୍ୟୁତିକ ଓ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁ ଓ ଅବଶେଷ, ଟାୟାର୍‌ର ବର୍ଜ୍ୟବସ୍ତୁ ଓ ଅବଶେଷ ତଥା ବ୍ୟବହୃତ ରୋଷେଇ ତେଲକୁ 'ରିଭର୍ସ ଚାର୍ଜ ମେକାନିଜିମ୍' (ଆରସିଏମ) ଅଧୀନକୁ ଅଣାଯିବ । ଅନ୍ୟପଟେ ଉକ୍ତ ସାମଗ୍ରୀଗୁଡ଼ିକ ଜଣେ ଅଣ-ପଞ୍ଜୀକୃତ ବ୍ୟକ୍ତିଙ୍କ ଦ୍ୱାରା ଜଣେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଯୋଗାଣ କରାଯିବ। ତେବେ ସର୍ତ୍ତ ଏହା ଯେ, ଯୋଗାଣକାରୀ ନିର୍ଦ୍ଧାରିତ ସୀମା ଅତିକ୍ରମ କଲେ ପଞ୍ଜୀକରଣ କରିବେ ଏବଂ ଆରସିଏମ ଅଧୀନରେ ଟିକସ ପ୍ରଦାନ କରିବାକୁ ଦାୟୀ ଥିବା ଗ୍ରହୀତାଙ୍କୁ ଟିକସ ଦେବାକୁ ପଡ଼ିବ, ଯଦିଓ ଯୋଗାଣକାରୀ ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଥିବେ । ଏହା ବ୍ୟତୀତ, ଉକ୍ତ ନିର୍ଦ୍ଦିଷ୍ଟ ବର୍ଜ୍ୟବସ୍ତୁ ଓ ଅବଶେଷ କ୍ଷେତ୍ରରେ ୨% ହାରରେ 'ଟିକସ ଉତ୍ସରୁ କାଟ' (ଟିଡିଏସ) ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି।

ଇସାବଗୁଲ୍ ଯୋଗାଣ ଉପରେ ଜିଏସଟି ହାର 'ଶୂନ୍ୟ' ନିର୍ଦ୍ଧାରଣ କରି ଏହା ଉପରେ ଲାଗୁ ହେଉଥିବା ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରିବା; ଏଥିପାଇଁ ମଞ୍ଜିଗୁଡ଼ିକ ସତେଜ, ଶୀତଳୀକୃତ, କିମ୍ବା ଶୁଖିଲା - ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ଏହା ଲାଗୁ ହେବ।   ନୂତନ ଟ୍ରାକ୍ଟର ଟାୟାର ଉପରେ ଲାଗୁ ହେଉଥିବା ଜିଏସଟି ହାର ସହିତ ସମାନ କରି ରି-ଟ୍ରେଡେଡ୍ (ପୁନଃ-ଟ୍ରେଡ୍ କରାଯାଇଥିବା) ଟ୍ରାକ୍ଟର ଟାୟାର ଉପରେ ଜିଏସଟି ଲାଗୁ ହେବା ସମ୍ବନ୍ଧୀୟ ବିସଙ୍ଗତିକୁ ସୁଧାରିବାକୁ ସୁପାରିସ କରାଯାଇଛି ।  ଯେତେବେଳେ ଯାତ୍ରୀ ପରିବହନ ସେବା ଏବଂ ଅପରେଟରଙ୍କ ସହିତ ମୋଟର ଯାନ ଭଡ଼ା ସେବା କ୍ଷେତ୍ରରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରାଯାଇ ସେବା ପ୍ରଦାନ କରାଯାଏ ଏବଂ ସେବା ମୂଲ୍ୟରେ ବ୍ୟାଟେରୀ ଚାର୍ଜିଂର ଖର୍ଚ୍ଚ ଅନ୍ତର୍ଭୁକ୍ତ ଥାଏ, ସେତେବେଳେ ସୀମିତ 'ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍' ସହିତ ୫% ହାରରେ ଜିଏସଟି ପୈଠ କରିବାର ବିକଳ୍ପ ଯୋଗାଇବାକୁ ସୁପାରିସ କରିଛି ଜିଏସଟି ପରିଷଦ। ସିଜିଏସଟି ଆଇନ୍, ୨୦୧୭ର ଧାରା ୯(୫) ଅଧୀନରେ ଏକ ଇ-କମର୍ସ ଅପରେଟର ମାଧ୍ୟମରେ ପ୍ରଦାନ କରାଯାଉଥିବା କୁରିୟର ଏବଂ ଡାକ ସେବା ବ୍ୟତୀତ ଅନ୍ୟାନ୍ୟ ଡେଲିଭରି ସେବାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା (ଯେଉଁ କ୍ଷେତ୍ରରେ ସେବା ପ୍ରଦାନକାରୀ ସିଜିଏସଟି ଆଇନ୍, ୨୦୧୭ ର ଧାରା ୨୨(୧) ଅନୁଯାୟୀ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହଁନ୍ତି) ଏବଂ ଏହିପରି ଡେଲିଭରି ସେବା ପାଇଁ ଆଇଟିସି ବିନା ୫% ଜିଏସଟି ହାର ନିର୍ଦ୍ଧାରଣ କରାଯିବ । ଇସିଓ ମାଧ୍ୟମରେ ଯୋଗାଣ କିମ୍ବା ଅର୍ଡର କରାଯାଇଥିବା ସାମଗ୍ରୀ ପାଇଁ ବିତରଣ ସେବା କ୍ଷେତ୍ରରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବିନା ୫% ଜିଏସଟି ହାର ନିର୍ଦ୍ଧାରଣ କରାଯିବ । ଇସିଓ ମାଧ୍ୟମରେ ଯୋଗାଣ କିମ୍ବା ଅର୍ଡର କରାଯାଇଥିବା ସାମଗ୍ରୀ କ୍ଷେତ୍ରରେ, ଜିଟିଏ ଦ୍ୱାରା ଅଣ-ପଞ୍ଜୀକୃତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ସାମଗ୍ରୀ ପରିବହନ ସେବା ଉପରେ ମିଳୁଥିବା ଜିଏସଟି ରିହାତିକୁ (ଅଧିସୂଚନା ସଂଖ୍ୟା ୧୨/୨୦୧୭-କେନ୍ଦ୍ରୀୟ ଟିକସ (ହାର)ର ଏଣ୍ଟ୍ରି ୨୧ଏ ଅନୁଯାୟୀ) ବାଦ୍ ଦେବାକୁ ପରିଷଦ ନିଷ୍ପତ୍ତି ନେଇଛି ।

ଯାତ୍ରୀ ପରିବହନ, ଟୁର୍ ଅପରେଟର ଏବଂ ମୋଟର ଯାନ ଭଡ଼ା ସେବା କ୍ଷେତ୍ରରେ ବର୍ତ୍ତମାନ ଉପଲବ୍ଧ ଥିବା ବ୍ୟବସ୍ଥା ଅନୁରୂପ ଭାବରେ, ସମାନ ବ୍ୟବସାୟିକ କ୍ଷେତ୍ରରେ ନିମ୍ନଲିଖିତ ସେବାଗୁଡ଼ିକ ପାଇଁ ସୀମିତ 'ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍' ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି । ସେହିପରି ରେଷ୍ଟୁରାଣ୍ଟ/ଆଉଟଡୋର ​​କ୍ୟାଟରିଂ ସେବା, ପ୍ରତି ୟୁନିଟ୍ ପିଛା ଦୈନିକ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ହୋଟେଲ ରହଣି ସେବା ଏବଂ ଜିମ୍/ଫିଟନେସ୍ ସେବାରେ ମଧ୍ୟ ଆଇଟିସିକୁ ସୀମିତ କରାଯିବ । ବୁଣିବା ପାଇଁ ଉଦ୍ଦିଷ୍ଟ ମଞ୍ଜିର ସଂରକ୍ଷଣ କିମ୍ବା ଭଣ୍ଡାରଣ ସେବାକୁ ଜିଏସଟି ମୁକ୍ତ କରାଯାଇଛି । ଚାଷୀଙ୍କୁ କଫି ପ୍ରକ୍ରିୟାକାରୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କଫି ପ୍ରକ୍ରିୟାକରଣ ସମ୍ବନ୍ଧୀୟ କୃଷି ସହାୟକ ସେବାକୁ ଜିଏସଟିରୁ ବାଦ୍‌ ଦିଆଯାଇଛି ।

ଏହି ବିଜ୍ଞପ୍ତିରେ କେବଳ ଜିଏସଟି ପରିଷଦ ସୁପାରିସର କେତେକ ପ୍ରମୁଖ ଦିଗ ବିଷୟରେ ଉଲ୍ଲେଖ କରାଯାଇଛି । ବିସ୍ତୃତ ସୁପାରିସଗୁଡ଼ିକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ ପାଇବ ।

**********

PS

 

 


(ରିଲିଜ ଆଡି: 2321133) ପରିଦର୍ଶକ କାଉଣ୍ଟର : 7