ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀ ଅମିତ ଶାହଙ୍କ ଅଭିନନ୍ଦନ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସେବା, ସଂଘର୍ଷ ଓ ସମର୍ପଣ’ ଯାତ୍ରା ଗରିବ କଲ୍ୟାଣ, ମହିଳା ସଶକ୍ତିକରଣ ଓ ସବୁ ବର୍ଗଙ୍କ ସମୃଦ୍ଧି ପାଇଁ ସମର୍ପିତ
ଜନକଲ୍ୟାଣକାରୀ ନୀତି, ପ୍ରଭାବୀ କାର୍ଯ୍ୟାନ୍ୱୟନ ଓ ନିର୍ଣ୍ଣାୟକ ନେତୃତ୍ୱରେ ଶ୍ରୀ ମୋଦୀ ସୁଶାସନର ନୂଆ ମାନଦଣ୍ଡ ସ୍ଥାପନ କରିଛନ୍ତି
ଗୁଜରାଟରେ ଶ୍ରୀ ମୋଦୀ ପ୍ରତିଷ୍ଠା କରିଥିବା ସୁଶାସନ ମଡେଲ ସମଗ୍ର ଦେଶ ପାଇଁ ଆଧାର ହୋଇଛି
ବର୍ତ୍ତମାନର ସଂଘର୍ଷ ଏବଂ ଅସ୍ଥିରତାର ସମୟ ମଧ୍ୟରେ, ଭାରତ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱର ଭାବରେ ଉଭା ହୋଇଛି
ପୋଷ୍ଟ କରାଯିବା ଦିନାଙ୍କ:
07 OCT 2026 4:47PM by PIB Bhubaneswar
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ସେବା ଏବଂ ସମର୍ପଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଏକାଧିକ ‘ଏକ୍ସ’ ପୋଷ୍ଟ ମାଧ୍ୟମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୨୫ ବର୍ଷର ‘ସେବା ଓ ସମର୍ପଣ’ ଯାତ୍ରା ପୂରଣ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ନିରନ୍ତର ପରିଶ୍ରମ, ଦୃଢ଼ ସଂକଳ୍ପ ଏବଂ ‘ରାଷ୍ଟ୍ର ପ୍ରଥମ’ ଭାବନାରେ ପରିଚାଳିତ ଏହି ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟୀ। ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଶ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହିଦିନଠାରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ନିରନ୍ତର ‘ସେବା, ସଂଘର୍ଷ ଓ ସମର୍ପଣ’ର ଯାତ୍ରା ଗରିବଙ୍କ କଲ୍ୟାଣ, ମହିଳା ସଶକ୍ତିକରଣ, ଯୁବପିଢ଼ିର ଉନ୍ନତି ଏବଂ ସମାଜର ପ୍ରତ୍ୟେକ ବର୍ଗର ସମୃଦ୍ଧି ସହିତ ସମାର୍ଥକ ହୋଇଛି। ଏହି #25YearsOfSeva ମାଧ୍ୟମରେ ଶ୍ରୀ ମୋଦୀ ଜନକଲ୍ୟାଣକାରୀ ନୀତି, ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ନିର୍ଣ୍ଣାୟକ ନେତୃତ୍ୱ, ସ୍ୱଚ୍ଛତା ଏବଂ ଫଳାଫଳ ପ୍ରତି ନିଶ୍ଚିତତା ଆଧାରିତ ଶାସନର ଏକ ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ‘କାର୍ଯ୍ୟଦକ୍ଷତାର ରାଜନୀତି’ର ଆଦର୍ଶକୁ ପ୍ରତିଷ୍ଠିତ କରିଛନ୍ତି।
ଶ୍ରୀ ଅମିତ ଶାହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋଦୀ ଭୂମିକମ୍ପରେ ବିଧ୍ୱସ୍ତ କଚ୍ଛକୁ ପୁନର୍ନିର୍ମାଣ କରି ଏକ ଆଦର୍ଶ ଅଞ୍ଚଳରେ ପରିଣତ କରିଥିଲେ। ‘ଜ୍ୟୋତିଗ୍ରାମ ଯୋଜନା’ ମାଧ୍ୟମରେ ପ୍ରତ୍ୟେକ ଗାଁରେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିଥିଲେ। ସୌର ଶକ୍ତି ଏବଂ ‘ଭାଇବ୍ରାଣ୍ଟ ଗୁଜରାଟ’ ପରି ପଦକ୍ଷେପ ମାଧ୍ୟମରେ ନିବେଶ ଓ ଶିଳ୍ପ କ୍ଷେତ୍ରକୁ ନୂତନ ଦିଗ ଦେବା ସହ କୃଷି କ୍ଷେତ୍ରରେ ୮ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିଥିଲେ। ଏହା ଫଳରେ ଗୁଜରାଟରେ ସୁଶାସନର ଏକ ଆଦର୍ଶ ମଡେଲ ପ୍ରତିଷ୍ଠିତ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସମଗ୍ର ଦେଶ ପାଇଁ ଏକ ଆଧାର ହୋଇଥିଲା। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ଏହି ଦୂରଦୃଷ୍ଟି ଆହୁରି ବ୍ୟାପକ ହୋଇଥିଲା। ମହାକାଶଠାରୁ ସମୁଦ୍ର ପର୍ଯ୍ୟନ୍ତ, ବିଶ୍ୱସ୍ତରୀୟ ମଞ୍ଚଠାରୁ ଆଭ୍ୟନ୍ତରୀଣ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭାରତ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏଥିସହ ଲୋକଙ୍କ ଜୀବନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି-୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଥିବାବେଳେ କୋଟି କୋଟି ପରିବାର ପକ୍କା ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଏବଂ ପ୍ରତ୍ୟେକ ଘରକୁ ନଳ ଯୋଗେ ପାନୀୟ ଜଳ ଭଳି ସୁବିଧା ପାଇଛନ୍ତି।
ଶ୍ରୀ ଅମିତ ଶାହ କହିଛନ୍ତି, "ଆଜି, ମୋଦୀ ଜୀଙ୍କ ନେତୃତ୍ୱରେ ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା, ଯାହା ବିନିର୍ମାଣ, ଡିଜିଟାଲ ପେମେଣ୍ଟ, ଷ୍ଟାର୍ଟଅପ୍, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ନୂତନ ଶିଖର ଛୁଇଁଛି। ଯୁଦ୍ଧ ଏବଂ ଅସ୍ଥିରତାର ଏହି ଯୁଗ ମଧ୍ୟରେ, ଭାରତ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସ୍ୱର ଭାବରେ ଉଭା ହୋଇଛି। କୋଟି କୋଟି ନାଗରିକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରି ମୋଦୀ ଜୀ 'ବିକଶିତ ଭାରତ ’ ର ମନ୍ତ୍ର ପ୍ରଦାନ କରିଥିଲେ ଏବଂ ୨୦୪୭ ମସିହା ସୁଦ୍ଧା ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ କରିବା ଲାଗି ସଂକଳ୍ପକୁ ପ୍ରେରିତ କରିଥିଲେ। ତାଙ୍କ ନେତୃତ୍ୱରେ ଏହି ସେବା ପଦକ୍ଷେପରେ ଅଂଶଗ୍ରହଣ କରିବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟ ଏବଂ ଗର୍ବର ବିଷୟ ।
HS
(ରିଲିଜ ଆଡି: 2320370)
ପରିଦର୍ଶକ କାଉଣ୍ଟର : 5