ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଣ୍ଡୋନେସିଆରେ ସାମୁଦାୟିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
07 JUL 2026 11:47PM by PIB Bhubaneswar
ମାନ୍ୟବର ରାଷ୍ଟ୍ରପତି ପ୍ରବୋବୋ ,
ମୋର ପ୍ରିୟ ବନ୍ଧୁଗଣ,
ଭାଇ ଓ ଭଉଣୀମାନେ,
ସେଲାମାଟ୍ ମାଲାମ!
ନମସ୍କାର!
ଭାନକକମ୍!
ଶନି ଶ୍ରୀ ଆକାଲ୍!
ଜୟ ଜୁଲେ ଲାଲ!
କେମ-ଛୋ ?
ଆଜିକାଲି ସାରା ବିଶ୍ୱରେ ଫୁଟବଲ୍ର ଉତ୍ସାହ ଦେଖିବାକୁ ମିଳୁଛି। ଇଣ୍ଡୋନେସିଆରେ ମଧ୍ୟ ଫୁଟବଲ୍ ପ୍ରତି ଲୋକଙ୍କ ଭଲପାଇବା ଓ ଉତ୍ସାହ ଅତ୍ୟନ୍ତ ପ୍ରବଳ। ଆପଣମାନେ ମଧ୍ୟ ସେହି ଉତ୍ସାହ ଓ ଉଦ୍ଦୀପନାକୁ ଏଠାକୁ ନେଇ ଆସିଛନ୍ତି।
ଆଉ ଏକ ଚମତ୍କାର ସଂଯୋଗ ମଧ୍ୟ ଘଟିଛି। ବୋଧହୁଏ ଆପଣମାନେ ମଧ୍ୟ ଏହା ଲକ୍ଷ୍ୟ କରିଥିବେ। କିନ୍ତୁ ମୁଁ ଏହାର ଆଲୋଚନା କରିବାକୁ ଚାହୁଁଛି। ମୁଁ ଯେତେବେଳେ ବି ଇଣ୍ଡୋନେସିଆ ଆସିଛି, ସେତେବେଳେ ଫିଫା ବିଶ୍ୱକପ୍ ପୂର୍ଣ୍ଣ ଉତ୍ସାହରେ ଚାଲିଥିଲା। ପ୍ରଥମ ଥର ୨୦୧୮ରେ ଜାକର୍ତ୍ତାରେ ଆମର କାର୍ଯ୍ୟକ୍ରମ ହୋଇଥିଲା। ପରେ ୨୦୨୨ରେ ବାଲିରେ ପୁଣି ଭେଟ ହୋଇଥିଲା । ଏବେ ୨୦୨୬ରେ ଆମେ ପୁଣି ଥରେ ଜାକାର୍ତ୍ତାରେ ଏକାଠି ହୋଇଛୁ । ତିନିଥର ଯାକ ଇଣ୍ଡୋନେସିଆରେ ଫୁଟବଲ୍ର ଉତ୍ସାହ ଓ ଉତ୍ସବର ପରିବେଶ ରହିଛି।
ବନ୍ଧୁଗଣ,
ଇଣ୍ଡୋନେସିଆରେ ହୋଇଥିବା ଏହି ତିନୋଟି କାର୍ଯ୍ୟକ୍ରମର ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଜଣେ ହିଁ। ଇଣ୍ଡୋନେସିଆରେ ରହୁଥିବା ଆପଣମାନେ ସମସ୍ତେ। ଆପଣମାନେ ସମସ୍ତେ ହିଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍।
ଆପଣମାନେ ଏକ ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଆପଣମାନେ ହେଉଛନ୍ତି ଏକ ଜୀବନ୍ତ ଭାରତର ପ୍ରତିଛବି। ଆଜି ଏଠାରେ ଏତେ ସଂଖ୍ୟକ ଲୋକଙ୍କୁ ଏକାଠି ହୋଇଥିବାର ଦେଖି ପ୍ରକୃତରେ ବହୁତ ଆନନ୍ଦିତ ଲାଗୁଛି । ବନ୍ଧୁଗଣ, ଏଥର ମୁଁ ଏଠାକୁ ଏକା ଆସିନାହିଁ। ଆଜି ମୋ ସହିତ ମୋର ପ୍ରିୟ ବନ୍ଧୁ, ରାଷ୍ଟ୍ରପତି ପ୍ରବୋବୋ ମଧ୍ୟ ଯୋଗ ଦେଇଛନ୍ତି।
ଆଜି ମୋର କଥା ଆରମ୍ଭ କରିବା ପୂର୍ବରୁ, ତାଙ୍କ ସ୍ନେହ ଓ ଆତ୍ମୀୟତା ପାଇଁ, ତାଙ୍କର ସ୍ନେହପୂର୍ଣ୍ଣ କଥା ପାଇଁ ମୁଁ ରାଷ୍ଟ୍ରପତି ପ୍ରବୋବୋଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି।
ମାନ୍ୟବର ରାଷ୍ଟ୍ରପତି,
ଆପଣ ଭାରତର ଜଣେ ପ୍ରକୃତ ବନ୍ଧୁ। ଏଠାରେ ଉପସ୍ଥିତ ଥିବାରୁ ଆପଣଙ୍କୁ ଧନ୍ୟବାଦ!
ବନ୍ଧୁଗଣ,
ଗତକାଲି ଯେତେବେଳେ ମୁଁ ଇଣ୍ଡୋନେସିଆର ଆକାଶରେ ପ୍ରବେଶ କଲି ଏବଂ ଏଠାରେ ପ୍ରଥମ ପାଦ ରଖିଲି, ସେହି ମୁହୂର୍ତ୍ତରୁ ଏପର୍ଯ୍ୟନ୍ତ ଇଣ୍ଡୋନେସିଆବାସୀଙ୍କଠାରୁ ଯେଉଁ ଆତ୍ମୀୟତା ଓ ଭଲପାଇବା ପାଇଛି, ତାହା ପାଇଁ ମୋ ପାଖରେ ଶବ୍ଦ କମ୍ ପଡ଼ିଯାଉଛି। ରାଷ୍ଟ୍ରପତି ପ୍ରବୋୱୋ ତାଙ୍କ ମନ୍ତ୍ରିପରିଷଦର ସହଯୋଗୀମାନଙ୍କ ସହିତ ବିମାନବନ୍ଦରରେ ମୋତେ ସ୍ୱାଗତ କରିବା ପାଇଁ ଆସିଥିବା ଅନୁଭବ ଅତ୍ୟନ୍ତ ସ୍ମରଣୀୟ ରହିବ।
ଇଣ୍ଡୋନେସିଆରେ ଭାରତୀୟ ସଂସ୍କୃତି ପ୍ରତି ଯେଉଁ ଭଲପାଇବା ରହିଛି, ତାହାର ଏକ ଝଲକ ଆଜି ମୋତେ ରାଷ୍ଟ୍ରପତି ଭବନରେ ମଧ୍ୟ ଦେଖିବାକୁ ମିଳିଲା। ଏଠାକାର ଲୋକମାନଙ୍କ ଉତ୍ସାହ, ପିଲାମାନଙ୍କ ହସ, ଯୁବପିଢ଼ିମାନଙ୍କର ଆଗ୍ରହ ଏସବୁ ଅବର୍ଣ୍ଣନୀୟ ଓ ଅଦ୍ଭୁତ ଥିଲା। ମୁଁ ଯେଉଁଠାକୁ ଯାଇଛି, ଯାହାଙ୍କୁ ଭେଟିଛି, ପ୍ରତ୍ୟେକ ମୁହଁରେ ଭାରତ ପ୍ରତି ଭଲପାଇବା, ସମ୍ମାନ ଓ ଆତ୍ମୀୟତା ସ୍ପଷ୍ଟ ଭାବେ ଦେଖିବାକୁ ପାଇଛି।
ବନ୍ଧୁଗଣ,
ମୁଁ ଦେଖିଲି, ଏଠାରେ ଭାରତର ‘କୁଛ୍ କୁଛ୍ ହୋତା ହୈ’ ଗୀତଟି ବେଶ୍ ଲୋକପ୍ରିୟ। ଆଜି ମୁଁ ରାଷ୍ଟ୍ରପତି ପ୍ରବୋୱୋଙ୍କୁ ଏହା ଉପରେ କହିଥିଲି। ସେ କହିଲେ ଯେ, ଯେତେବେଳେ ଭାରତ ଓ ଇଣ୍ଡୋନେସିଆ ଏକାଠି ଆଗକୁ ବଢ଼ନ୍ତି, ସେତେବେଳେ କିଛି କିଛି (କୁଛ୍ କୁଛ୍ଠା)ରୁ ମଧ୍ୟ ଆଗକୁ ବଢ଼ି ବହୁତ କିଛି (ବହତ କୁଛ୍) ହୋଇଥାଏ।
ବନ୍ଧୁଗଣ,
ଆଜି ସକାଳେ ମୋତେ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବାର ସୌଭାଗ୍ୟ ମିଳିଲା। ଏହା ଭାରତର ୧୪୦ କୋଟି ଜନସାଧାରଣଙ୍କ ପାଇଁ ମଧ୍ୟ ଏକ ସମ୍ମାନ। ଏହା ଆପଣ ସମସ୍ତଙ୍କ ପାଇଁ, ଅର୍ଥାତ୍ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ ଏକ ଗୌରବର ବିଷୟ । ସବୁଠାରୁ ବଡ଼ କଥା ହେଉଛି, ଏହି ସମ୍ମାନ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତ୍ୱର ଆଉ ଏକ ପ୍ରତୀକ। ଏହି ମଞ୍ଚରୁ ମୁଁ ରାଷ୍ଟ୍ରପତି ପ୍ରବୋବୋ , ଇଣ୍ଡୋନେସିଆ ସରକାର ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।
ବନ୍ଧୁଗଣ,
ଗତ ବର୍ଷ, ଭାରତ ୨୬ ଜାନୁଆରୀରେ ଅତ୍ୟନ୍ତ ଉତ୍ସାହର ସହ ନିଜର ଗଣତନ୍ତ୍ର ଦିବସ ପାଳନ କରିଥିଲା। ୨୬, ଅର୍ଥାତ୍ ୨ ଓ ୬ ମିଶିଲେ... ଏବଂ ମୋ ବନ୍ଧୁ ମଧ୍ୟ ୧୭ ତାରିଖରେ ଜନ୍ମ ହୋଇଥିଲେ, ଅର୍ଥାତ୍ ୧ ଯୁକ୍ତ...
ସେହି ସମାରୋହରେ ରାଷ୍ଟ୍ରପତି ପ୍ରବୋବୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହି ଗସ୍ତ ସମୟରେ ଆମକୁ ଅନେକ ବିଷୟରେ ବିସ୍ତୃତ ଆଲୋଚନା କରିବାର ସୁଯୋଗ ମିଳିଥିଲା। କିନ୍ତୁ ସେହି ଗସ୍ତର ଏକ କଥାକୁ ମୁଁ ଆଜି ବିଶେଷ ଭାବେ ମନେ ପକାଇବାକୁ ଚାହୁଁଛି। ଏହି କଥାକୁ ମାନ୍ୟବର ରାଷ୍ଟ୍ରପତି ଏଠାରେ ମଧ୍ୟ ଅତ୍ୟନ୍ତ ଆତ୍ମୀୟତାର ସହ ଉଲ୍ଲେଖ କରିଛନ୍ତି।
ମାନ୍ୟବର ରାଷ୍ଟ୍ରପତି, ଆପଣ ସେତେବେଳେ କହିଥିଲେ ଏବଂ ଆଜି ପୁଣି କହିଲେ ଯେ, ଆପଣଙ୍କ ଭିତରେ ଭାରତର ଡ଼ିଏନଏ ରହିଛି। ଆଜି ମଧ୍ୟ ମୁଁ ଦେଖିଲି, ସେହି ସମୟରେ ସବୁଠାରୁ ଅଧିକ କରତାଳି ଶୁଣିବାକୁ ମିଳିଲା। ଭାରତରେ ମଧ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟ ଆପଣ ଜିତି ନେଇଛନ୍ତି। ଆପଣଙ୍କ ସେହି ଗୋଟିଏ ବାକ୍ୟ ଭାରତୀୟମାନଙ୍କ ହୃଦୟକୁ ଛୁଇଁଥିଲା।
ଆପଣ ଯେଉଁ ଚିନ୍ତାଧାରାର କଥା କହିଲେ, ମୁଁ ସେହି ଭାବନାକୁ ଆଗକୁ ନେଇଯିବାକୁ ଚାହୁଁଛି। ଆପଣ ଯେଉଁ ‘ଡିଏନଏ’ର କଥା କହିଲେ, ତାହା ପାରସ୍ପରିକ ବିଶ୍ୱାସରେ ଗଢ଼ିଉଠିଛି। ଏହି ‘ଡିଏନଏ’ ଆମର ସାଧାରଣ ଐତିହ୍ୟ ଦ୍ୱାରା ଆକାର ପାଇଛି। ଆମର ସାଧାରଣ ସ୍ମୃତି ଏହାକୁ ଆହୁରି ସୁଦୃଢ଼ କରିଛି। ହଜାର ହଜାର ବର୍ଷ ଧରି ଆମର ଜାହାଜଗୁଡ଼ିକୁ ପରସ୍ପରର କୂଳକୁ ନେଇଆସୁଥିବା ସମୁଦ୍ରର ପବନ ମଧ୍ୟ ଏହି ‘ଡିଏନଏ’କୁ ଗଢ଼ିଛି।
ବନ୍ଧୁଗଣ,
ଭାରତ-ଇଣ୍ଡୋନେସିଆ ସମ୍ପର୍କର ‘ଡିଏନଏ’ ସେହି ସନ୍ଥ ଓ ବୌଦ୍ଧ ଭିକ୍ଷୁମାନଙ୍କ ଦ୍ୱାରା ଗଢ଼ିଉଠିଛି, ଯେଉଁମାନେ ଜ୍ଞାନକୁ ସୀମା ମଧ୍ୟରେ ବାନ୍ଧି ରଖିନଥିଲେ। ଏହା ସେହି ଉଦ୍ୟୋଗୀମାନଙ୍କ ଦ୍ୱାରା ମଧ୍ୟ ଗଢ଼ିଉଠିଛି, ଯେଉଁମାନେ କେବଳ ମସଲାର ବାଣିଜ୍ୟ କରିନଥିଲେ, ବରଂ ଦୁଇ ସଂସ୍କୃତି ମଧ୍ୟରେ ସେତୁ ମଧ୍ୟ ନିର୍ମାଣ କରିଥିଲେ। ସେହି କଳାକାରମାନେ ଏହି ‘ଡିଏନଏ’କୁ ଆହୁରି ସମୃଦ୍ଧ କରିଛନ୍ତି, ଯେଉଁମାନେ ନିଜ ନିଜ ଭାଷାରେ ରାମାୟଣ ଓ ମହାଭାରତକୁ ଆପଣାଇଥିଲେ, ଏବଂ ସେମାନଙ୍କର ମୂଳ ଭାବନାକୁ ଅକ୍ଷୁଣ୍ଣ ରଖିଥିଲେ।
ଇଣ୍ଡୋନେସିଆର ସଜୀବ ଓ ଉତ୍ସାହୀ ଜନସାଧାରଣ ଏବଂ ଆଜି ଏଠାରେ ଏକତ୍ରିତ ହୋଇଥିବା ଅନେକ ପରିବାର ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସମ୍ପର୍କକୁ ଲାଳନ-ପାଳନ କରିଛନ୍ତି, ସୁଦୃଢ଼ କରିଛନ୍ତି ଏବଂ ନିରନ୍ତର ସମୃଦ୍ଧ କରିଆସିଛନ୍ତି।
ବନ୍ଧୁଗଣ,
ସମଗ୍ର ବିଶ୍ୱରେ ଦୁଇଟି ଦେଶ ମଧ୍ୟରେ ସମ୍ପର୍କ ସାଧାରଣତଃ ଚୁକ୍ତି ଓ ବୁଝାମଣାପତ୍ର ମାଧ୍ୟମରେ ଆଗକୁ ବଢ଼ିଥାଏ। କେତେକ ଦେଶ ରଣନୈତିକ ସ୍ୱାର୍ଥ ମାଧ୍ୟମରେ ପରସ୍ପର ନିକଟତର ହୁଅନ୍ତି, ଆଉ କେତେକ ଦେଶ ବାଣିଜ୍ୟ ମାଧ୍ୟମରେ ନିଜ ସମ୍ପର୍କକୁ ଆହୁରି ଗଭୀର କରନ୍ତି। କିନ୍ତୁ ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ ହେଉଛି ଦୁଇଟି ସଭ୍ୟତାର ସମ୍ପର୍କ; ଏହା ସମୁଦ୍ର ଦ୍ୱାରା ଗଢ଼ିଉଠିଥିବା ସମ୍ପର୍କ।
ସାମ୍ରାଜ୍ୟ ଆସିଲା ଓ ଚାଲିଗଲା, ସାମୁଦ୍ରିକ ପଥ ପରିବର୍ତ୍ତନ ହେଲା ଏବଂ ବିଶ୍ୱ ରାଜନୀତିର ରୂପରେଖ ବଦଳିଲା। କିନ୍ତୁ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସମ୍ପର୍କ ସର୍ବଦା ଅତୁଟ ରହିଆସିଛି। ଏହା ହିଁ ଆମର ସବୁଠାରୁ ବଡ଼ ଶକ୍ତି।
ବନ୍ଧୁଗଣ,
ଆଜି ସମଗ୍ର ବିଶ୍ୱ ସଂଯୋଗୀକରଣ ବା କନେକ୍ଟିଭିଟି ବିଷୟରେ ଆଲୋଚନା କରୁଛି। କିନ୍ତୁ ଆମର ପୂର୍ବଜମାନେ ବହୁ ପୂର୍ବରୁ ଏହି ସଂଯୋଗୀକରଣକୁ ଜୀବନରେ ଅନୁଭବ କରିଥିଲେ। ଆଜି ବିଶ୍ୱାସର ଅଭାବ ଯୋଗୁଁ ବିଶ୍ୱର ଯୋଗାଣ ଶୃଙ୍ଖଳ ବା ଗ୍ଲୋବାଲ ସପ୍ଲାଏ ଚେନ୍ ବାଧାପ୍ରାପ୍ତ ହେଉଛି। କିନ୍ତୁ ଭାରତ ଓ ଇଣ୍ଡୋନେସିଆ ଏପରି ଏକ ସମୟରେ ଯୋଗାଣ ଶୃଙ୍ଖଳରେ ପରସ୍ପର ମଧ୍ୟରେ ବିଶ୍ୱାସ ସ୍ଥାପନ କରିଥିଲେ, ଯେତେବେଳେ ‘ଗ୍ଲୋବାଲ ସପ୍ଲାଏ ଚେନ୍’ ବିଷୟରେ ଆଲୋଚନା ମଧ୍ୟ ଆରମ୍ଭ ହୋଇନଥିଲା।
ମୁଁ ଖୁସି ଯେ ଆଜି ଭାରତ ଏବଂ ଇଣ୍ଡୋନେସିଆ ମିଳିତ ଭାବେ ସେହି ବିଶ୍ୱାସର ଭିତ୍ତିଭୂମି ଉପରେ ଏକ ନୂତନ ଭବିଷ୍ୟତ ଗଢ଼ୁଛନ୍ତି। ଏହି ଆଶାଜନକ ଭବିଷ୍ୟତର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ଆପଣମାନେ ,ଇଣ୍ଡୋନେସିଆରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟ।
ବନ୍ଧୁଗଣ,
ଆଜି ଆମେ ସୋସିଆଲ ମିଡିଆର ଯୁଗରେ ବସବାସ କରୁଛୁ ଏବଂ ଏହି ଯୁଗରେ ‘କୋଲାବ୍’ ବା ସହଯୋଗ ବିଷୟରେ ବହୁତ ଆଲୋଚନା ହେଉଛି। କିନ୍ତୁ ଭାରତ ଓ ଇଣ୍ଡୋନେସିଆ ଶତାବ୍ଦୀ ଶତାବ୍ଦୀ ଧରି ପରସ୍ପର ସହଯୋଗ କରିଆସୁଛନ୍ତି।
ଏହି ସହଯୋଗର ଫଳସ୍ୱରୂପ ଇଣ୍ଡୋନେସିଆର କୁତାଇରେ ପ୍ରାଚୀନ ସଂସ୍କୃତ ଶିଳାଲେଖ ଦେଖିବାକୁ ମିଳିଛି। ଏହି ସହଯୋଗ ଯୋଗୁଁ ଏଠାକାର ବିଦ୍ୱାନମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଯାଇଥିଲେ।
କଟକର ବାଲିଯାତ୍ରା ଉତ୍ସବ ହେଉ କି ମହାନଦୀରେ କଦଳୀ ଗଛର ଗଣ୍ଡିରେ ନିର୍ମିତ ଡଙ୍ଗା ଚଳାଇବାର ପରମ୍ପରା, ୱାୟାଙ୍ଗ କୁଲିତ୍ ମାଧ୍ୟମରେ ମହାଭାରତର ପ୍ରଦର୍ଶନ ହେଉ କି ବୈଶାଖ ପର୍ବର ତୀର୍ଥଯାତ୍ରା, କିମ୍ବା ଦେବୀ ଶ୍ରୀଙ୍କ ପୂଜା,ଏସବୁ ପରମ୍ପରାରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ଏହି ସହଯୋଗ ସ୍ପଷ୍ଟ ଭାବେ ପ୍ରତିଫଳିତ ହୁଏ।
ବନ୍ଧୁଗଣ,
ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଇତିହାସ ଯେତିକି ପ୍ରାଚୀନ, ସେତିକି ସମୃଦ୍ଧ ମଧ୍ୟ। ପ୍ରାଚୀନ କାଳରେ ସୁମାତ୍ରାର ମୁଆରୋ ଜାମ୍ବି ନାଳନ୍ଦାର ଏକ ସହୋଦର ଶିକ୍ଷାକେନ୍ଦ୍ର ଭାବେ ପରିଚିତ ଥିଲା। ମୁଁ ଅତ୍ୟନ୍ତ ଖୁସି ଯେ ଆଜି ଆମେ ଅତୀତର ସେହି ପରମ୍ପରାକୁ ପୁନର୍ଜୀବିତ କରୁଛୁ।
ଆପଣମାନେ ସମସ୍ତେ ଜାଣନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ଏକ ନୂତନ ରୂପରେ ପୁନଃପ୍ରତିଷ୍ଠିତ ହୋଇଛି। ଇଣ୍ଡୋନେସିଆର ଅନେକ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ନାମ ଲେଖାଇଛନ୍ତି। ଏହାର ଅର୍ଥ ହେଉଛି, ଏକବିଂଶ ଶତାବ୍ଦୀରେ ଆମର ସାଧାରଣ ଅତୀତରୁ ପ୍ରେରଣା ନେଇ ଆମର ଦୁଇ ଦେଶ ଏକ ନୂତନ ଭବିଷ୍ୟତ ଦିଗରେ ଆଗକୁ ବଢ଼ୁଛନ୍ତି।
ବନ୍ଧୁଗଣ,
ଭାରତ ଏବଂ ଇଣ୍ଡୋନେସିଆ କେବଳ ହୃଦୟରୁ ନୁହେଁ, ବରଂ ଭୌଗୋଳିକ ଦୃଷ୍ଟିକୋଣରୁ ମଧ୍ୟ ପରସ୍ପରର ନିକଟତର ଅଟନ୍ତି। ଭାରତର 'ଗ୍ରେଟ୍ ନିକୋବର ଦ୍ୱୀପ' ଏବଂ ଇଣ୍ଡୋନେସିଆର 'ଆଚେହ' ମଧ୍ୟରେ ଦୂରତା ମାତ୍ର ୧୫୦ କିଲୋମିଟର। ଟିକିଏ କଳ୍ପନା କରନ୍ତୁ ,ଭାରତର ଅନେକ ନିଜସ୍ୱ ରାଜ୍ୟ ତୁଳନାରେ ଇଣ୍ଡୋନେସିଆ ଭାରତର ଏକ ଦ୍ୱୀପଠାରୁ ଅଧିକ ନିକଟରେ ଅଛି।
ଇଣ୍ଡୋନେସିଆକୁ ଆସୁଥିବା ପ୍ରତ୍ୟେକ ଭାରତୀୟ ଏଠାରେ ଏକ ଆତ୍ମୀୟତାର ଅନୁଭବ କରନ୍ତି। ସେଥିପାଇଁ ବର୍ଷ ବର୍ଷ ଧରି ଆମର ଦୁଇ ଦେଶ ବାଣିଜ୍ୟ, ପରମ୍ପରା ଓ ପର୍ଯ୍ୟଟନ ମାଧ୍ୟମରେ ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି ଏବଂ ଆମ ସମ୍ପର୍କର ଐତିହ୍ୟକୁ ଆଗକୁ ନେଇଆସୁଛନ୍ତି।
ଆଜି ଭାରତ ନୂତନ ବନ୍ଦର ନିର୍ମାଣ କରୁଛି, ନୂତନ ଜାହାଜ ବିକଶିତ କରୁଛି, ନୂତନ ସାମୁଦ୍ରିକ ମାର୍ଗ ଅନ୍ୱେଷଣ କରୁଛି ଏବଂ ନୂତନ ସହଭାଗିତା ମାଧ୍ୟମରେ ସାମୁଦ୍ରିକ ବାଣିଜ୍ୟକୁ ଆଗକୁ ବଢ଼ାଉଛି। ଏହି ଯାତ୍ରାରେ ଇଣ୍ଡୋନେସିଆ ଆମର ଅତ୍ୟନ୍ତ ପ୍ରିୟ ବନ୍ଧୁ ଭାବେ ଆମ ସହିତ ଠିଆ ହୋଇଛି।
ବନ୍ଧୁଗଣ,
ଇଣ୍ଡୋନେସିଆ ହେଉ କିମ୍ବା ଭାରତ, ଉଭୟ ଦେଶ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆଗ୍ରହୀ ଅଟନ୍ତି। ଆମ ପାଖରେ ଅଟକି ରହିବା କିମ୍ବା ସ୍ଥିର ହୋଇ ରହିବା ପାଇଁ ନା ସମୟ ଅଛି ନା ସୁଯୋଗ। କିଛି ସମୟ ପୂର୍ବରୁ, ଭାରତୀୟ ସମ୍ପ୍ରଦାୟର କିଛି ସଦସ୍ୟ ଇଣ୍ଡୋନେସିଆର ଅଗ୍ରଗତି ବିଷୟରେ କହିଥିଲେ। ଭାରତରୁ ମୁଁ ମଧ୍ୟ ଭାରତର ଅଗ୍ରଗତିର ଅନେକ କାହାଣୀ ଆପଣମାନଙ୍କ ସହ ବାଣ୍ଟିବା ପାଇଁ ନେଇ ଆସିଛି।
ବନ୍ଧୁଗଣ,
ଆଜିକାଲି ଯେତେବେଳେ ଆପଣ ଭାରତ ବିଷୟରେ ଶୁଣନ୍ତି, ଗୋଟିଏ ବିଷୟ ନିଶ୍ଚିତ ଭାବେ ପ୍ରଥମେ ଖବରର ଶିରୋନାମାରେ ଆସିଥାଏ, ତାହା ହେଉଛି ଭାରତର ଅର୍ଥନୀତି। କେହି କହିବେ ଭାରତ ବହୁ-ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହୋଇଛି। ଆଉ କେହି ଭାରତର ଜିଡିପି ଅଭିବୃଦ୍ଧି ବିଷୟରେ କହିବେ। କେହି ଆପଣଙ୍କୁ କହିବେ ଯେ ଗତ ୧୦-୧୨ ବର୍ଷରେ ଭାରତୀୟ ଅର୍ଥନୀତି କେତେ ଦ୍ରୁତ ଗତିରେ ବଢ଼ିଛି। ଗୋଟିଏ ପରେ ଗୋଟିଏ ଅନେକ ଉଲ୍ଲେଖନୀୟ ସଫଳତା ବିଷୟରେ ଆପଣ ଶୁଣିବେ।
ଆଜି ବିଶ୍ୱ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ଭାରତୀୟ ଅର୍ଥନୀତି ଏକ ବଡ଼ ଭୂମିକା ନିର୍ବାହ କରୁଛି। କୋଭିଡ୍ ମହାମାରୀ ସମଗ୍ର ବିଶ୍ୱକୁ ଆଘାତ କରିଥିବା ସମୟରେ ମଧ୍ୟ ଭାରତୀୟ ଅର୍ଥନୀତି ଅଟକି ଯାଇନଥିଲା। ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ସମୟରେ ମଧ୍ୟ ଭାରତୀୟ ଅର୍ଥନୀତିର ଗତି ମନ୍ଥର ହୋଇନାହିଁ। ବରଂ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ, ଯାହା ମାର୍ଚ୍ଚରେ ଶେଷ ହୋଇଥିଲା, ଆମର ଅଭିବୃଦ୍ଧି ହାର ୭.୭ ପ୍ରତିଶତ ରହିଥିଲା।
ଏହି ଗତି ଓ ପ୍ରଗତି କୌଣସି ସଂଯୋଗର ଫଳ ନୁହେଁ। ଭାରତ ଅନେକ ସଂସ୍କାର ଓ ସୁଧାର ଆଣିଛି। ଆମେ ନିରନ୍ତର ଭାବେ ଭଲ ପ୍ରଦର୍ଶନ କରିଆସିଛୁ ଏବଂ ସେଥିପାଇଁ ଆଜି ଦେଶର ରୂପାନ୍ତର ଘଟୁଛି। ଆମେ ‘ସଂସ୍କାର, ପ୍ରଦର୍ଶନ, ରୂପାନ୍ତରଣ’ ଅର୍ଥାତ ‘ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମ’ର ମନ୍ତ୍ର ସହିତ ଆଗକୁ ବଢ଼ୁଛୁ।
ବନ୍ଧୁଗଣ,
ଆଜି ଭାରତ ଯେଉଁ ଅଭିବୃଦ୍ଧି ହାସଲ କରିଛି, ତାହା ହେଉଛି ୧୪୦ କୋଟି ଲୋକଙ୍କ ସ୍ୱପ୍ନର ଅଭିବୃଦ୍ଧି। ଏହା ଲକ୍ଷ ଲକ୍ଷ ଭାରତୀୟଙ୍କ ଆକାଂକ୍ଷାର ଅଭିବୃଦ୍ଧି। ଏହି ସ୍ୱପ୍ନର ଆପଣମାନେ ସମସ୍ତେ ଅବିଚ୍ଛେଦ୍ୟ ଅଂଶ। ଇଣ୍ଡୋନେସିଆରେ ବସବାସ କରୁଥିବା ପ୍ରତ୍ୟେକ ଭାରତୀୟ ଏହି ସ୍ୱପ୍ନର ଜଣେ ଜଣେ ସହଭାଗୀ।
ବନ୍ଧୁଗଣ,
ଯଦି ମୁଁ ଭାରତର ବିକାଶର ଗତି ଓ ବ୍ୟାପକତାକୁ ଗୋଟିଏ ଧାଡ଼ିରେ ବର୍ଣ୍ଣନା କରିବି, ତେବେ ମୁଁ କହିବି‘ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ଆଜି ଗତିଶୀଳ ।
ଆଜି ଭାରତର ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କ ମନରେ ଆକାଂକ୍ଷା ଭରି ରହିଛି। ପ୍ରତ୍ୟେକଙ୍କ ମନରେ ଏହି ବିଶ୍ୱାସ ବଢ଼ୁଛି ଯେ ହଁ, ଆମେ ସଫଳତା ହାସଲ କରିପାରିବୁ।
ବନ୍ଧୁଗଣ,
ମୁଁ ଆପଣମାନଙ୍କୁ ଏକ ଉଦାହରଣ ଦେଉଛି। ଆପଣମାନେ ସମସ୍ତେ ଜାଣନ୍ତି ଯେ ନିଜର ଏକ ଘର ରହିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସବୁଠାରୁ ବଡ଼ ସ୍ୱପ୍ନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏବେ ଭାରତର ଏହି ତଥ୍ୟକୁ ବିଚାର କରନ୍ତୁ,ଗତ ୧୦-୧୨ ବର୍ଷରେ ଭାରତ ସରକାର ଗରିବ ପରିବାରମାନଙ୍କୁ ୪ କୋଟିରୁ ଅଧିକ ପକ୍କା ଘର ନିର୍ମାଣ କରି ପ୍ରଦାନ କରିଛନ୍ତି। ଅନେକ ଦେଶରେ ମୋଟ ଘର ସଂଖ୍ୟା ମଧ୍ୟ ଏତେ ଅଧିକ ନୁହେଁ।
ଯେତେବେଳେ ଲୋକମାନେ ନିଜର ଏକ ଘର ପାଆନ୍ତି, ଯେତେବେଳେ ସେମାନେ ସମ୍ମାନର ସହିତ ଜୀବନଯାପନ କରିବାରେ ସକ୍ଷମ ହୁଅନ୍ତି, ସେତେବେଳେ କୋଟି କୋଟି ଭାରତୀୟଙ୍କ ଆକାଂକ୍ଷା ଗତି ପାଏ ଏବଂ ସେମାନଙ୍କ ସ୍ୱପ୍ନ ଆଗକୁ ବଢ଼ିଥାଏ।
ବନ୍ଧୁଗଣ,
ଯେତେବେଳେ ଲୋକମାନେ ନିଜର ଏକ ଘର ପାଆନ୍ତି ଏବଂ ସମ୍ମାନର ସହ ଜୀବନଯାପନ କରିବାକୁ ସକ୍ଷମ ହୁଅନ୍ତି, ସେତେବେଳେ କୋଟି କୋଟି ଭାରତୀୟଙ୍କ ଆଶା-ଆକାଂକ୍ଷାକୁ ନୂଆ ଗତି ମିଳିଥାଏ ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବା ଆରମ୍ଭ ହୁଏ।
ବନ୍ଧୁଗଣ,
ଭାରତରେ ସାମାଜିକ ସୁରକ୍ଷା କଭରେଜ୍ ସମ୍ପର୍କରେ ମୁଁ ଆପଣମାନଙ୍କ ସହ ଆଉ ଏକ ରୋଚକ ତଥ୍ୟ ବାଣ୍ଟିବାକୁ ଚାହୁଁଛି। ୧୨ ବର୍ଷ ପୂର୍ବେ ଭାରତରେ ପ୍ରାୟ ୨୫ କୋଟି ଲୋକ ସାମାଜିକ ସୁରକ୍ଷାର ଅନ୍ତର୍ଭୁକ୍ତ ଥିଲେ। ଆଜି ପ୍ରାୟ ୧୦୦ କୋଟି ଭାରତୀୟ ସାମାଜିକ ସୁରକ୍ଷାର ଅନ୍ତର୍ଭୁକ୍ତ ହୋଇଛନ୍ତି। ଏବଂ ଏବେ ମୁଁ ଯେଉଁ ପରବର୍ତ୍ତୀ ତଥ୍ୟ ଆପଣଙ୍କୁ କହିବାକୁ ଯାଉଛି, ତାହା ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବ।
ଭାରତରେ ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ ନାମରେ ଏକ ଯୋଜନା ରହିଛି। ଏହି ଯୋଜନା ଅଧୀନରେ ମାତ୍ର ୨୦ ଟଙ୍କାର ବାର୍ଷିକ ପ୍ରିମିୟମରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁରକ୍ଷା ମିଳିଥାଏ। ଅର୍ଥାତ୍ ଏହାର ମୂଲ୍ୟ ଏକ କପ୍ କଫିଠାରୁ ମଧ୍ୟ କମ୍। ଏପରି ଯୋଜନା ଆପଣ ଅନ୍ୟ କେଉଁଠି ପାଇବେ କି ନାହିଁ, ମୁଁ ଜାଣେ ନାହିଁ, କିନ୍ତୁ ଭାରତରେ ଏହା ଉପଲବ୍ଧ ଅଛି। ପ୍ରାୟ ୬୦ କୋଟି ଲୋକ ଏହି ଯୋଜନାରେ ବୀମା ସୁରକ୍ଷା ପାଇଛନ୍ତି।
ବନ୍ଧୁଗଣ,
ଆଉ ଏକ ଯୋଜନା ମଧ୍ୟ ରହିଛି, ଯାହା ହେଉଛି 'ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା'। ଏହି ଯୋଜନା ଅଧୀନରେ, ଦୈନିକ ପ୍ରାୟ ୧.୫ ଟଙ୍କା ପ୍ରିମିୟମ୍ରେ ଜୀବନ ବୀମା ସୁବିଧା ମିଳିଥାଏ। ମାତ୍ର ଦିନକୁ ୧.୫ ଟଙ୍କା , ଯାହାକି ଏକ କପ୍ କଫିର ମୂଲ୍ୟ ମଧ୍ୟ ଏହାଠାରୁ ଅଧିକ। ବର୍ତ୍ତମାନ, ଭାରତରେ ୨୮ କୋଟି ଲୋକ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
ବନ୍ଧୁଗଣ,
ଏହି ଦୁଇଟି ସରକାରୀ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୨୨,୦୦୦ କୋଟି ଟଙ୍କାର ଦାବି ରାଶି ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ୨୨,୦୦୦ କୋଟି ଟଙ୍କା। ଯେତେବେଳେ ଲୋକମାନେ ନିଜ ଜୀବନର କଠିନ ସମୟର ସମ୍ମୁଖୀନ ହୋଇଥିଲେ, ସେତେବେଳେ ସରକାର ଜଣେ ସହଭାଗୀ ଭାବେ ସେମାନଙ୍କ ପାଖରେ ଠିଆ ହୋଇ ସହାୟତାର ହାତ ବଢ଼ାଇଥିଲେ।
ବନ୍ଧୁଗଣ,
ଆଜି ଭାରତ ଏକ ଅଭୂତପୂର୍ବ ଏବଂ ଉଲ୍ଲେଖନୀୟ ବ୍ୟବସ୍ଥା ଲାଗୁ କରିଛି। ଏହା ହେଉଛି 'ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର' (ସିଧାସଳଖ ଲାଭ ହସ୍ତାନ୍ତର) ବ୍ୟବସ୍ଥା। ଏହା ଏକ ତ୍ରୁଟିମୁକ୍ତ ବ୍ୟବସ୍ଥା ଯାହା ମାଧ୍ୟମରେ କୌଣସି ପ୍ରକାରର ଅପଚୟ ବା ଚୋରି ବିନା ସମ୍ପୂର୍ଣ୍ଣ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥାଏ।
ଜଣେ ବ୍ୟକ୍ତି ମୋ ନିକଟକୁ ଆସି ପଚାରିଥିଲେ ଯେ ବଙ୍ଗଳା ପାଇଁ ମୋର ଦୃଷ୍ଟିକୋଣ କ’ଣ। ଏହା ହିଁ ସେହି ଦୃଷ୍ଟିକୋଣ... ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। କୌଣସି ଲିକେଜ୍ ନାହିଁ।
ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ। ଆପଣ କଳ୍ପନା କରିପାରିବେ ଯେ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କାର ସହାୟତା ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଛି।
ବନ୍ଧୁଗଣ,
ଯେତେବେଳେ ଏଭଳି ଏକ ବ୍ୟବସ୍ଥା ଲାଗୁ କରାଯାଏ, ସେତେବେଳେ ଏହା ଲୋକଙ୍କ ବିଶ୍ୱାସକୁ ସୁଦୃଢ଼ କରେ ଏବଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରେ। ଏହା ଫଳରେ ୨୫ କୋଟି ଭାରତୀୟ ଦାରିଦ୍ର୍ୟକୁ ପରାସ୍ତ କରି ଏହାଠାରୁ ଉପରକୁ ଉଠିବାରେ ଏବଂ ଗର୍ବ ଓ ସମ୍ମାନର ସହିତ ଜୀବନଯାପନ କରିବାରେ ସକ୍ଷମ ହୋଇଛନ୍ତି।
ବନ୍ଧୁଗଣ,
ମୁଁ ଆପଣମାନଙ୍କ ସହ ଆଉ ଏକ ତଥ୍ୟ ବାଣ୍ଟିବାକୁ ଚାହୁଁଛି। ଆପଣମାନେ ଶୁଣିଥିବେ ଯେ ବିଶ୍ୱର ମୋଟ ରିୟଲ୍-ଟାଇମ୍ ଡିଜିଟାଲ୍ ପେମେଣ୍ଟର ପ୍ରାୟ ୫୦ ପ୍ରତିଶତ କେବଳ ଭାରତରେ ହୋଇଥାଏ। ବିଶ୍ୱର ମୋଟ ଡିଜିଟାଲ୍ ପେମେଣ୍ଟର ୫୦ ପ୍ରତିଶତ।
ଆଜି ଭାରତରେ ପ୍ରତିଦିନ ୭୫ କୋଟିରୁ ଅଧିକ ଡିଜିଟାଲ୍ କାରବାର ହେଉଛି। ୭୫ କୋଟିରୁ ଅଧିକ। ଏହାର ଅର୍ଥ ହେଉଛି ଦୈନନ୍ଦିନ ଜୀବନରେ ଲୋକମାନଙ୍କୁ ଆଉ ନଗଦ ଟଙ୍କା ନେଇ ବୁଲିବାକୁ ପଡ଼ୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ନିଜ ଡେବିଟ୍ କାର୍ଡର ପିନ୍ ଏବଂ ଏପରିକି ବ୍ୟାଙ୍କ ଏଟିଏମ୍ର ପାସୱାର୍ଡ ମଧ୍ୟ ଭୁଲିବାକୁ ଲାଗିଛନ୍ତି, କାରଣ ମୋବାଇଲ୍ ଫୋନ୍ ମାଧ୍ୟମରେ କେବଳ UPI ବ୍ୟବହାର କରି ପ୍ରାୟ ସବୁ କାମ ହୋଇଯାଉଛି।
ବନ୍ଧୁଗଣ,
ଯେତେବେଳେ ସ୍ୱପ୍ନ ବଡ଼ ହୁଏ, ସେତେବେଳେ ସରକାରଙ୍କ କାର୍ଯ୍ୟ କରିବାର ଗତି ମଧ୍ୟ ସେହି ଅନୁପାତରେ ବଢ଼ିଥାଏ। ଆଜି ଭାରତର ଯେଉଁଠାକୁ ଯିବେ, ସବୁଆଡ଼େ ନୂଆ ରାଜପଥ ଓ ଏକ୍ସପ୍ରେସ୍ୱେ ନିର୍ମାଣ ହେଉଥିବା ଦେଖିବେ।
ଗତ ୧୨ ବର୍ଷରେ ରାଜପଥ ନିର୍ମାଣର ଗତି ତିନିଗୁଣ ବଢ଼ିଛି। ଏହା ମଧ୍ୟ ବିଶ୍ୱର ସବୁଠାରୁ ଦ୍ରୁତ ଗତିମାନ ମଧ୍ୟରୁ ଅନ୍ୟତମ। ଏହି ସମୟ ମଧ୍ୟରେ ଭାରତର ଏକ୍ସପ୍ରେସ୍ୱେର ଲମ୍ବ ପ୍ରାୟ ୧୦୦ କିଲୋମିଟରରୁ ବଢ଼ି ୩,୦୦୦ କିଲୋମିଟର ହୋଇଛି।
ଭାରତର ଯୁବଶକ୍ତି ହିଁ ଏହି ବଡ଼ ସ୍ୱପ୍ନଗୁଡ଼ିକୁ ଆଗକୁ ନେଉଛି। ଗତ ୧୨ ବର୍ଷରେ ବିଶ୍ୱର QS ରାଙ୍କିଙ୍ଗରେ ସ୍ଥାନ ପାଇଥିବା ଭାରତୀୟ ବିଶ୍ୱବିଦ୍ୟାଳୟର ସଂଖ୍ୟା ୧୧ରୁ ବଢ଼ି ୫୦ରୁ ଅଧିକ ହୋଇଛି।
ଆଜି ଭାରତର ଯୁବକ-ଯୁବତୀମାନେ ବହୁ ସଂଖ୍ୟାରେ ପେଟେଣ୍ଟ ଦାଖଲ କରୁଛନ୍ତି ଏବଂ ନବସୃଜନକୁ ଆଗକୁ ନେଉଛନ୍ତି। ସେଥିପାଇଁ ଆଜି ଭାରତରେ ୨ ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟ-ଅପ୍ ରହିଛି। ୨ ଲକ୍ଷରୁ ଅଧିକ। ଏଠାରେ ପ୍ରାୟ ୧୨୫ଟି ୟୁନିକର୍ଣ୍ଣ ମଧ୍ୟ ରହିଛି।
ସେଥିପାଇଁ ମୁଁ କହୁଛି ଯେ ଭାରତ କେବଳ ଦ୍ରୁତଗତିରେ ବଢ଼ୁଥିବା ଅର୍ଥନୀତି ନୁହେଁ; ଭାରତ ଏକ ଅରବରୁ ଅଧିକ ଗତିଶୀଳ ସ୍ୱପ୍ନର ଦେଶ।
ବନ୍ଧୁଗଣ,
ଆମ ଭାରତୀୟମାନଙ୍କର ସଦ୍ୟ ପ୍ରସ୍ତୁତ ଖାଦ୍ୟ ପ୍ରତି ଏକ ସ୍ୱତନ୍ତ୍ର ପସନ୍ଦ ରହିଛି। ଆଉ ଯଦି ତାହା ସମ୍ପୂର୍ଣ୍ଣ ଗରମ ଅବସ୍ଥାରେ ପରଷା ଯାଏ, ତେବେ ତାହା ଆହୁରି ଭଲ ଲାଗେ। ତେଣୁ, ମୁଁ ଆପଣଙ୍କୁ ଭାରତର କ୍ଷମତା ବିଷୟରେ ସବୁଠାରୁ ସଦ୍ୟତମ ଉଦାହରଣ ଦେବାକୁ ଚାହୁଁଛି।
ଇଣ୍ଡୋନେସିଆ ଆସିବାର ମାତ୍ର ଦୁଇ ଦିନ ପୂର୍ବେ, ଅର୍ଥାତ୍ ୪ ଜୁଲାଇରେ, ମୋତେ ଗୋଟିଏ ଦିନରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ସୁଯୋଗ ମିଳିଥିଲା। ଗୋଟିଏ ଦିନରେ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ। ଭାରତ ଏହି ଭାବରେ କାର୍ଯ୍ୟ କରୁଛି।
ବନ୍ଧୁଗଣ,
ଜୁଲାଇ ୪ ତାରିଖରେ ଭାରତ ଏକ ବୃହତ୍ ନୂତନ ରିଫାଇନାରୀର ଉଦ୍ଘାଟନ କରିଥିଲା। ଏହି ରିଫାଇନାରୀ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ପରିମାଣ ମଧ୍ୟ ସେତିକି ଚମତ୍କାର। ଏଥିରେ ବ୍ୟବହୃତ ଇସ୍ପାତର ପରିମାଣ ୪୦ଟି ନୂଆ ଆଇଫେଲ୍ ଟାୱାର କିମ୍ବା ୫ଟି ବୁର୍ଜ ଖଲିଫା ନିର୍ମାଣ ପାଇଁ ଯଥେଷ୍ଟ।
ଏହି ରିଫାଇନାରୀ ନିର୍ମାଣରେ ବ୍ୟବହୃତ କେବୁଲର ଲମ୍ବ ପୃଥିବୀକୁ ଦୁଇଥର ଘେରିବା ପାଇଁ ଯଥେଷ୍ଟ। ଏଭଳି ପ୍ରକଳ୍ପ ଯୋଗୁଁ ଭାରତ ଆଜି ରିଫାଇନିଂ କ୍ଷମତା ଦୃଷ୍ଟିରୁ ବିଶ୍ୱର ଶ୍ରେଷ୍ଠ ୪ଟି ଦେଶ ମଧ୍ୟରେ ସ୍ଥାନ ପାଇଛି।
ଜୁଲାଇ ୪ ତାରିଖରେ ଏହି ରିଫାଇନାରୀ ବ୍ୟତୀତ ଯୋଧପୁରରେ ଏକ ଭବ୍ୟ ନୂତନ ବିମାନବନ୍ଦରର ମଧ୍ୟ ଉଦ୍ଘାଟନ କରାଯାଇଥିଲା। ଛୋଟ ସହର ଓ ନଗରଗୁଡ଼ିକୁ ବିମାନ ସଂଯୋଗରେ ଯୋଡ଼ିବା ପାଇଁ ୨୮,୦୦୦ କୋଟି ଟଙ୍କାର ‘ଉଡାନ’ ଯୋଜନାକୁ ବିସ୍ତାର କରାଯାଇଥିଲା। ସେହି ଦିନ ଜୟପୁର ମେଟ୍ରୋ ନେଟୱର୍କର ମଧ୍ୟ ବିସ୍ତାର କରାଯାଇଥିଲା। ଏବଂ ସେହି ଦିନ ଭାରତର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଅର୍ଥାତ୍ ଶକ୍ତି ଓ ସଂଯୋଗୀକରଣଠାରୁ ଆରମ୍ଭ କରି ଚିପ୍ ନିର୍ମାଣ ପର୍ଯ୍ୟନ୍ତ, ଭାରତ ଅପ୍ରତିହତ ଗତିରେ ଆଗକୁ ବଢ଼ୁଛି!
ବନ୍ଧୁଗଣ,
ଆଜି ଭାରତ କେବଳ ନିଜର ଆକାଂକ୍ଷା ପୂରଣ କରୁନାହିଁ, ବରଂ ପ୍ରତ୍ୟେକ ବନ୍ଧୁ ଦେଶର ଆକାଂକ୍ଷା ସହିତ ମଧ୍ୟ ଠିଆ ହୋଇଛି। ଭାରତ ‘ସବକା ସାଥ୍, ସବକା ବିକାଶ’ର ମନ୍ତ୍ରରେ ପରିଚାଳିତ। ସେଥିପାଇଁ ଏହା ନିଜର ସହଭାଗୀ ଦେଶମାନଙ୍କ ସହ ମିଶି ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ସେଗୁଡ଼ିକୁ ନୂତନ ସମ୍ଭାବନା ସହିତ ଯୋଡ଼ୁଛି।
ଭାରତର ଆତ୍ମନିର୍ଭରତା ଦିଗରେ ଯାତ୍ରା ଇଣ୍ଡୋନେସିଆ ଏବଂ ସମଗ୍ର ଆସିଆନ୍ ଅଞ୍ଚଳ ପାଇଁ ମଧ୍ୟ ଏକ ବହୁଗୁଣିତ ଶକ୍ତି ଭାବେ କାର୍ଯ୍ୟ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରର ଉଦାହରଣ ନିଅନ୍ତୁ। ଆଜି ବିଶ୍ୱର ପ୍ରତି ପାଞ୍ଚଟି ଜେନେରିକ୍ ଔଷଧ ମଧ୍ୟରୁ ଗୋଟିଏ ଭାରତରେ ଉତ୍ପାଦିତ ହୁଏ। ୟୁନିସେଫ୍ ଦ୍ୱାରା କ୍ରୟ କରାଯାଉଥିବା ଟିକାର ପ୍ରାୟ ୬୦ ପ୍ରତିଶତ ଭାରତରୁ ଆସିଥାଏ। ଏହାର ଲାଭ ସମଗ୍ର ଅଞ୍ଚଳ ପାଇଥାଏ। ଆମ ବନ୍ଧୁମାନଙ୍କ ପାଇଁ ଆମେ ଯାହା କିଛି କରିପାରୁଛୁ, ତାହା ପାଇଁ ଆମେ ଗର୍ବିତ।
ବନ୍ଧୁଗଣ,
ମୁଁ ଆପଣମାନଙ୍କ ସହ ଭାରତ ବିଷୟରେ ଏତେ କିଛି ବାଣ୍ଟିଲି। ଏବେ ମୋର ଆପଣମାନଙ୍କ ପାଇଁ ଆଉ ଏକ ଅନୁରୋଧ ରହିଛି। ଆପଣମାନେ ନିଜର ଇଣ୍ଡୋନେସିଆନ୍ ବନ୍ଧୁମାନଙ୍କୁ ଭାରତ ବିଷୟରେ କୁହନ୍ତୁ ଏବଂ ସେମାନଙ୍କୁ ଭାରତ ଆସିବା ପାଇଁ ପ୍ରୋତ୍ସାହିତ କରନ୍ତୁ।
ଆଜି ଜାକାର୍ତ୍ତାରୁ ମୁମ୍ବାଇ ଏବଂ ବାଲିରୁ ଦିଲ୍ଲୀ ଓ ବେଙ୍ଗାଲୁରୁ ପାଇଁ ଅନେକ ସିଧାସଳଖ ବିମାନ ସେବା ରହିଛି। ଏହା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଯାତାୟାତକୁ ଅଧିକ ସହଜ କରିଛି।
ବନ୍ଧୁଗଣ,
ଆପଣମାନେ ଭାରତୀୟ ସମୁଦାୟର ଯୁବ ପିଢ଼ି, ବିଶେଷକରି ଯୁବକ-ଯୁବତୀମାନଙ୍କୁ ମଧ୍ୟ ଭାରତ ବିଷୟରେ ଜଣାନ୍ତୁ। ଇଣ୍ଡୋନେସିଆରେ ଭାରତୀୟ ସମୁଦାୟର ପିଲାମାନଙ୍କ ପାଇଁ ‘ଭାରତ କୋ ଜାନୋ କୁଇଜ୍’ ଆରମ୍ଭ କରାଯାଇଛି। ଏଠାରେ ବହୁ ସଂଖ୍ୟକ ପିଲା ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହାର କର୍ଟେନ୍-ରେଜର୍ କାର୍ଯ୍ୟକ୍ରମ ସମୟରେ ମଧ୍ୟ ମୁଁ ଆପଣମାନଙ୍କ ଅପାର ଉତ୍ସାହ ଦେଖିଥିଲି।
ଏହାର ଷଷ୍ଠ ସଂସ୍କରଣରେ ଆମେ ପରୀକ୍ଷା ଭିତ୍ତିକ ଫର୍ମାଟରୁ ଆଗକୁ ବଢ଼ି ସମଗ୍ର ପ୍ରତିଯୋଗିତାକୁ ଏକ ଗେମିଫାଏଡ୍ ଅନୁଭୂତିରେ ପରିଣତ କରିଛୁ। ମୁଁ ଏଠାରେ ଉପସ୍ଥିତ ସମସ୍ତ ଯୁବକ ଯୁବତୀଙ୍କୁ ଏଥିରେ ଅଂଶଗ୍ରହଣ କରିବା ଏବଂ ନିଜର ଅନୁଭୂତିକୁ ସୋସିଆଲ ମିଡିଆରେ ମୋ ସହ ବାଣ୍ଟିବାକୁ ଅନୁରୋଧ କରୁଛି।
ବନ୍ଧୁଗଣ,
ଭାରତ ଓ ଇଣ୍ଡୋନେସିଆ କେବଳ ଆମର ଇତିହାସ ଦ୍ୱାରା ଯୋଡ଼ି ହୋଇନାହାନ୍ତି, ବରଂ ଆମର ଏକ ସାଧାରଣ ଭବିଷ୍ୟତ ମଧ୍ୟ ରହିଛି। ଆମର ସୁଯୋଗଗୁଡ଼ିକ ସମାନ। ଆମର ଆହ୍ୱାନଗୁଡ଼ିକ ମଧ୍ୟ ସମାନ। ଯେତେବେଳେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୁଏ, ଆମେ ଏକାଠି ଯୋଗାଭ୍ୟାସ କରୁ। ଏବଂ ଯେତେବେଳେ ସୁନାମି ଭଳି କୌଣସି ସଙ୍କଟ ଆସେ, ଆମେ ତାହାର ମୁକାବିଲା ପାଇଁ ଏକାଠି ଠିଆ ହେଉ।
ଆମ ଦୁଇ ଦେଶ ମଧ୍ୟରେ ଥିବା ବିଶ୍ୱାସ ଆମର ଏକ ବଡ଼ ଶକ୍ତି। ଆମକୁ ମିଳିତ ଭାବେ ଏହି ବିଶ୍ୱାସକୁ ଆହୁରି ସୁଦୃଢ଼ କରିଚାଲିବାକୁ ହେବ।
ଭାରତ ଓ ଇଣ୍ଡୋନେସିଆର ସମୃଦ୍ଧ ଭବିଷ୍ୟତର ଆପଣମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ କଡ଼ି। ଆପଣମାନେ ଏହି ଭୂମିକାକୁ ଆହୁରି ସୁଦୃଢ଼ ଓ ବିସ୍ତୃତ କରିଚାଲନ୍ତୁ।
ଏହି କଥା ସହିତ, ମୁଁ ପୁଣି ଥରେ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ପ୍ରବୋୱୋ ଏବଂ ଇଣ୍ଡୋନେସିଆର ଜନସାଧାରଣଙ୍କୁ ମୋର କୃତଜ୍ଞତା ଜଣାଉଛି। ଆପଣମାନଙ୍କ ସମସ୍ତଙ୍କୁ ମୋର ଶୁଭେଚ୍ଛା।
ଭାରତ ଓ ଇଣ୍ଡୋନେସିଆ—ଚିରକାଳର ବନ୍ଧୁ।
ଆପଣମାନଙ୍କୁ ଅନେକ ଧନ୍ୟବାଦ।
ଆସନ୍ତାକାଲି ମୁଁ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ସେହି ପବିତ୍ର ମନ୍ଦିର ପରିଦର୍ଶନ କରିବି। ଆଉ ଆସନ୍ତାକାଲି କେଉଁ ତାରିଖ? ତାହା ହିଁ ଦର୍ଶାଉଛି ଯେ ଆମର ସମ୍ପର୍କ କେତେ ମଜବୁତ। ମୁଁ ରାଷ୍ଟ୍ରପତି ପ୍ରାବୋୱୋଙ୍କ ସହ ଭାରତର ଅନେକ ପଦକ୍ଷେପ ବିଷୟରେ ଆଲୋଚନା କରିଛି ଏବଂ ମୁଁ ପ୍ରତିଶ୍ରୁତି ଦେଉଛି ଯେ ସେଗୁଡ଼ିକ ଉପରେ କୌଣସି 'କପିରାଇଟ୍' ନାହିଁ। କୌଣସି କପିରାଇଟ୍ ନାହିଁ କି କୌଣସି ରୟାଲିଟି ଦାବି ମଧ୍ୟ ନାହିଁ। 'ସବକା ସାଥ୍, ସବକା ବିକାଶ' ହେଉଛି ଆମର ମୂଳମନ୍ତ୍ର।
ଆପଣମାନଙ୍କୁ ଅନେକ ଧନ୍ୟବାଦ।
ସୂଚନା: ଏହା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଏକ ଆନୁମାନିକ ଅନୁବାଦ। ମୂଳ ଅଭିଭାଷଣ ହିନ୍ଦୀ ଭାଷାରେ ପ୍ରଦାନ କରାଯାଇଥିଲା।
*****
SPD
(ରିଲିଜ ଆଡି: 2319198)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam