ପଞ୍ଚାୟତିରାଜ ମନ୍ତ୍ରଣାଳୟ
azadi ka amrit mahotsav

ଗାନ୍ଧୀ ଜୟନ୍ତୀରେ ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା


ତୃଣମୂଳସ୍ତରର ଆଲୋଚନାର କେନ୍ଦ୍ରବିନ୍ଦୁରେ ନାଗରିକ-କୈନ୍ଦ୍ରିକ ପଦକ୍ଷେପ ସ୍ଥାନିତ

‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ; ସ୍ୱତନ୍ତ୍ର ଗ୍ରାମସଭାଗୁଡ଼ିକ ପଞ୍ଚାୟତ ବିକାଶ ଯୋଜନା ୨୦୨୭-୨୮ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 02 OCT 2026 8:31PM by PIB Bhubaneswar

ଗାନ୍ଧୀ ଜୟନ୍ତୀ ଅବସରରେ, ସାରା ଦେଶରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିପିଡିପି ପୋର୍ଟାଲ (https://gpdp.nic.in) ଏବଂ ପଞ୍ଚାୟତ ନିର୍ଣ୍ଣୟ ପୋର୍ଟାଲ (https://meetingonline.gov.in) ମାଧ୍ୟମରେ ସୂଚୀବଦ୍ଧ ୨.୪୨ ଲକ୍ଷରୁ ଅଧିକ ସ୍ୱତନ୍ତ୍ର ଗ୍ରାମସଭାରେ ସ୍ଥାନୀୟ ବାସିନ୍ଦା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ କର୍ମଚାରୀ ଏବଂ ସରକାରୀ ଅଧିକାରୀମାନେ ଉତ୍ସାହଜନକ ଓ ସକ୍ରିୟ ଭାଗିଦାରୀ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସ୍ୱତନ୍ତ୍ର ଗ୍ରାମସଭାରେ ଜନସାଧାରଣଙ୍କ ଯୋଜନା ଅଭିଯାନ ୨୦୨୬-୨୭, “ସବକି ଯୋଜନା, ସବକା ବିକାଶ” ର ମଧ୍ୟ ଶୁଭାରମ୍ଭ ହୋଇଛି, ଯାହା ଅଧୀନରେ ପଞ୍ଚାୟତଗୁଡ଼ିକ ଆର୍ଥିକ ବର୍ଷ ୨୦୨୭-୨୮ ପାଇଁ ସେମାନଙ୍କର ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରିବେ। ଏହି ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭାରେ, ଭାରତ ସରକାରଙ୍କ ବିଭିନ୍ନ ବିଭାଗ ଯେମିତି, ପଞ୍ଚାୟତରାଜ ମନ୍ତ୍ରଣାଳୟ; ଗ୍ରାମୀଣ ବିକାଶ ବିଭାଗ; ପାନୀୟ ଜଳ ଏବଂ ସ୍ୱଚ୍ଛତା ବିଭାଗ; ଉପଭୋକ୍ତା ବ୍ୟାପାର ବିଭାଗ; ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ବିଭାଗ; ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ; ଏବଂ ଭୂ-ସମ୍ପଦ ବିଭାଗର ଯୋଜନାଗୁଡ଼ିକୁ ଆଲୋଚନାର କେନ୍ଦ୍ରବିନ୍ଦୁରେ ରଖାଯାଇଥିଲା।

ଏହି ସ୍ୱତନ୍ତ୍ର ଗ୍ରାମସଭାଗୁଡ଼ିକ, ଗ୍ରାମୀଣ ନାଗରିକମାନଙ୍କୁ ପ୍ରମୁଖ ସରକାରୀ ପଦକ୍ଷେପ ଏବଂ ସ୍ଥାନୀୟ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ପ୍ରତ୍ୟକ୍ଷ ମଞ୍ଚ ପ୍ରଦାନ କରିଥିଲା। ଏହି ସମୟରେ ପଞ୍ଚାୟତଗୁଡ଼ିକୁ କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନର ଅଧିକ ହସ୍ତାନ୍ତର, ନିଜସ୍ୱ ରାଜସ୍ୱ ଜରିଆରେ ଆର୍ଥିକ ସ୍ୱାବଲମ୍ବନ, ନିରାପଦ ସମ୍ପତ୍ତି ଏବଂ ଜମି ଅଧିକାର, ନିଶ୍ଚିତ ରୋଜଗାର ଓ ଜୀବିକା, ନିରାପଦ ପାନୀୟ ଜଳ ଏବଂ ସ୍ୱଚ୍ଛତା, ଜଳ ସୁରକ୍ଷା, ଖାଦ୍ୟ ସୁରକ୍ଷା, ଉପଭୋକ୍ତା ସୁରକ୍ଷା ଏବଂ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ପ୍ରଭୃତି ପ୍ରସଙ୍ଗରେ ସେମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ବିଗତ ବାର ବର୍ଷ ମଧ୍ୟରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ଶାସନ ସଂସ୍କାର ଏବଂ ନାଗରିକ-କୈନ୍ଦ୍ରିକ ପଦକ୍ଷେପ ସମେତ ପ୍ରମୁଖ ସରକାରୀ ପଦକ୍ଷେପଗୁଡ଼ିକୁ ଦର୍ଶାଉଥିବା କାର୍ଯ୍ୟସୂଚୀ  ଏବଂ ସଚେତନତା ସାମଗ୍ରୀ ପାଠ କରାଯାଇଥିଲା ଓ ସେଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ବାସିନ୍ଦା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ କର୍ମଚାରୀ ଏବଂ ସରକାରୀ ଅଧିକାରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ସେମାନଙ୍କର ଅନୁଭୂତି, ଦୃଷ୍ଟିକୋଣ ଏବଂ ପରାମର୍ଶ ବାଣ୍ଟିଥିଲେ, ଯାହା ଗ୍ରାମ ପଞ୍ଚାୟତ ବିକାଶ ଯୋଜନାକୁ ସମୃଦ୍ଧ କରିବାରେ ଯୋଗଦାନ ଦେବ।

ସ୍ୱତନ୍ତ୍ର ଗ୍ରାମସଭା ମାଧ୍ୟମରେ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ   ଜନ ଭାଗିଦାରୀ ଏବଂ ଆଲୋଚନାକୁ ସୁଦୃଢ଼ କରିବା ସହିତ ନାଗରିକ-କୈନ୍ଦ୍ରିକ ଯୋଜନା ଓ ପଦକ୍ଷେପଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ଆଲୋଚନାକୁ ସୁଗମ କରିବାରେ ସାହାଯ୍ୟ କରିଥିଲା। ସମଗ୍ର ସରକାରୀ ଦୃଷ୍ଟିକୋଣ ଆପଣାଇ, ପଞ୍ଚାୟତରାଜ ମନ୍ତ୍ରଣାଳୟର ସଚିବ ଡ. ବିନୀତ ଯୋଶୀ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଭାରତ ସରକାରଙ୍କ ଅଂଶଗ୍ରହଣକାରୀ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ଅଧିକାରୀମାନଙ୍କ ସହିତ ଦିନସାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅଧିକାରୀମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିଲେ; ସାରା ଦେଶରେ ସ୍ୱତନ୍ତ୍ର ଗ୍ରାମସଭାର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥାର ମନୋଭାବରେ ନିବିଡ଼ ସମନ୍ୱୟକୁ ସୁଗମ କରିଥିଲେ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସମନ୍ୱିତ ପ୍ରୟାସ, ସେମାନଙ୍କର ପଞ୍ଚାୟତରାଜ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ କ୍ଷେତ୍ର କର୍ମଚାରୀଙ୍କ ସହଯୋଗରେ, ଏକ ଅଭୂତପୂର୍ବ ସ୍ତରରେ ଏହି ସାରା ଦେଶବ୍ୟାପୀ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନିଶ୍ଚିତ କରିଥିଲା।

ଜନସାଧାରଣଙ୍କ ଯୋଜନା ଅଭିଯାନ ୨୦୨୬-୨୭ ‘ସବକି ଯୋଜନା, ସବକା ବିକାଶ’

ଭାରତ ସରକାରଙ୍କ ୨୧ଟି ମନ୍ତ୍ରଣାଳୟ ଏବଂ ବିଭାଗର ସହଯୋଗରେ ପଞ୍ଚାୟତରାଜ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜନସାଧାରଣଙ୍କ ଯୋଜନା ଅଭିଯାନ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ସରକାରୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ପଞ୍ଚାୟତଗୁଡ଼ିକୁ ପ୍ରମାଣ-ଭିତ୍ତିକ, ସାମଗ୍ରିକ ଏବଂ ସହଭାଗୀ ଯୋଜନା ପ୍ରସ୍ତୁତ କରିବାରେ ସକ୍ଷମ କରିବା ପାଇଁ ମନ୍ତ୍ରଣାଳୟ ୨୦୧୮ ମସିହାରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜନସାଧାରଣଙ୍କ ଯୋଜନା ଅଭିଯାନ କାର୍ଯ୍ୟକାରୀ କରିଆସୁଛି। ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ, ମନ୍ତ୍ରଣାଳୟ ସ୍ଥାନୀୟ ବିକାଶର ନଅଟି ବିଷୟବସ୍ତୁ ଉପରେ ତାଲିମ ଏବଂ କ୍ଷମତା ବୃଦ୍ଧିକୁ ସହଯୋଗ ପ୍ରଦାନ କରୁଛି। ଏହି ଯୋଜନା ମାଧ୍ୟମରେ ୨.୫୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ସହଭାଗୀ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରନ୍ତି ଏବଂ ସେଗୁଡ଼ିକୁ ଇ-ଗ୍ରାମସ୍ୱରାଜ ପୋର୍ଟାଲରେ ଅପଲୋଡ୍ କରନ୍ତି। ଏହାଦ୍ୱାରା ପଞ୍ଚାୟତ ଅଗ୍ରଗତି ସୂଚକାଙ୍କ ପ୍ରସ୍ତୁତ ହୋଇଥାଏ ଏବଂ ଏହା ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ସେମାନଙ୍କର ସଫଳତା ଏବଂ ଅଭାବଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ। ଏହି ଆଧାରରେ, ଗ୍ରାମସଭା ପ୍ରାଥମିକତା କ୍ଷେତ୍ରଗୁଡ଼ିକ ଉପରେ ଏକ ସଂକଳ୍ପ ନେଇପାରିବ, ଯାହା ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଏବଂ ବିକଶିତ ଭାରତର ସଙ୍କଳ୍ପକୁ ଆଗେଇ ନେବ।

ସ୍ୱତନ୍ତ୍ର ଗ୍ରାମସଭାରେ ଉପସ୍ଥାପିତ ପ୍ରମୁଖ ସଂସ୍କାର ଏବଂ ସଫଳତା

ସଶକ୍ତ ଏବଂ ଆତ୍ମନିର୍ଭର ପଞ୍ଚାୟତ (ପଞ୍ଚାୟତରାଜ ମନ୍ତ୍ରଣାଳୟ): ଷୋଡ଼ଶ ଅର୍ଥ ଆୟୋଗ ୨୦୨୬-୩୧ ମଧ୍ୟରେ ଖର୍ଚ୍ଚ ଉଦ୍ଦେଶ୍ୟରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ୪,୩୫,୨୩୬ କୋଟି ଟଙ୍କା ସୁପାରିଶ କରିଛନ୍ତି, ଯାହା ପଞ୍ଚଦଶ ଅର୍ଥ ଆୟୋଗ ତୁଳନାରେ ପ୍ରାୟ ୮୪ ପ୍ରତିଶତ ଅଧିକ। ଏହାଦ୍ୱାରା ବାର୍ଷିକ ମୁଣ୍ଡପିଛା ଅନୁଦାନ ପ୍ରାୟ ୪୦୦ ଟଙ୍କାରୁ ବୃଦ୍ଧି ପାଇ ପ୍ରାୟ ୯୫୦ ଟଙ୍କାରେ ପହଞ୍ଚିଛି। ‘ସମର୍ଥ’ ପଞ୍ଚାୟତ ପୋର୍ଟାଲରେ ୫୭ ଲକ୍ଷରୁ ଅଧିକ କରଦାତା ଏବଂ ୧୫ ଲକ୍ଷ ସମ୍ପତ୍ତି ପଞ୍ଜୀକୃତ ହୋଇସାରିଛି, ଏବଂ ‘ଆତ୍ମନିର୍ଭର ପଞ୍ଚାୟତ ବିଶେଷ ପୁରସ୍କାର’ ଅଧୀନରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ପଞ୍ଚାୟତ ଆକାଉଣ୍ଟଗୁଡ଼ିକ ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଦ୍ୱାରା ବ୍ୟବହୃତ ୬-ସ୍ତରୀୟ ଢାଞ୍ଚାକୁ ଅନୁସରଣ କରୁଛି, ଏବଂ ୨.୫ ଲକ୍ଷରୁ ଅଧିକ ପଞ୍ଚାୟତରାଜ ଅନୁଷ୍ଠାନ ‘ଅଡିଟ ଅନଲାଇନ’  ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ସ୍ୱାମିତ୍ୱ  ଯୋଜନା ଅଧୀନରେ ୨.୦୬ ଲକ୍ଷ ଗ୍ରାମରେ ୩.୩୩ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପ୍ରାୟ ₹୧,୭୧୩ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି ଏବଂ ମହିଳାମାନଙ୍କୁ ସମ୍ପତ୍ତି ମାଲିକ ଭାବରେ ସ୍ୱୀକୃତି ଦେବାକୁ ଉତ୍ସାହିତ କରାଯାଇଛି।

ନିଯୁକ୍ତି ଏବଂ ଜୀବିକା (ଗ୍ରାମୀଣ ବିକାଶ ବିଭାଗ): ୧ ଜୁଲାଇ ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା "ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ଗ୍ୟାରେଣ୍ଟି ମିଶନ୍ (ଗ୍ରାମୀଣ)" ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ୧୨୫ ଦିନର ମଜୁରୀ ନିଯୁକ୍ତି ଗ୍ୟାରେଣ୍ଟି ଦିଏ, ଯେଉଁଥିରେ ‘ମୁଖ ପ୍ରମାଣନ’ ମାଧ୍ୟମରେ ଉପସ୍ଥାନ ଏବଂ ଡିଜିଟାଲ୍ ନେଣଦେଣ ବ୍ୟବସ୍ଥା ରହିଛି। ୩୧.୬୯ କୋଟିରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇଛି, ପ୍ରାୟ ୨.୨୩ କୋଟି ପରିବାରର ୨.୮୧ କୋଟିରୁ ଅଧିକ ଶ୍ରମିକ ନିଯୁକ୍ତି ପାଇଛନ୍ତି, ଏବଂ ପ୍ରାୟ ୨.୩୧ ଲକ୍ଷ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ ଚାଲୁରହିଛି। ୨୦୨୬-୨୭ ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୯୩,୮୪୧ କୋଟି ଟଙ୍କାର ଏକ ଅନ୍ତରୀଣ ଆବଣ୍ଟନ କରାଯାଇଛି, ଏବଂ ‘ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା’ ଗ୍ରାମସଭାକୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ ନିର୍ଦ୍ଧାରଣ କରିବାକୁ ସକ୍ଷମ କରିଥାଏ।

ନିରାପଦ ପାନୀୟ ଜଳ ଏବଂ ସ୍ୱଚ୍ଛତା (ପାନୀୟ ଜଳ ଏବଂ ସ୍ୱଚ୍ଛତା ବିଭାଗ): ଜଳ ଜୀବନ ମିଶନ୍ ଅଧୀନରେ, ଗ୍ରାମୀଣ ପାଇପ୍ ଜଳ ସଂଯୋଗ ପ୍ରାୟ ୩.୨୩ କୋଟି ପରିବାର (୧୭ ପ୍ରତିଶତ) ରୁ ବୃଦ୍ଧି ପାଇ ୧୬ କୋଟିରୁ ଅଧିକ (୮୦ ପ୍ରତିଶତରୁ ଅଧିକ) ପରିବାରରେ ପହଞ୍ଚିଛି। ଏହାସହ ସମ୍ପୂର୍ଣ୍ଣ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ଗ୍ରାମ ପଞ୍ଚାୟତ ଏବଂ ସମ୍ପ୍ରଦାୟକୁ ହସ୍ତାନ୍ତର କରିବାର ପ୍ରକ୍ରିୟା ‘ଜଳ ଅର୍ପଣ’ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ସ୍ୱଚ୍ଛ ଭାରତ ମିଶନ୍ (ଗ୍ରାମୀଣ) ଅଧୀନରେ ୧୨.୨୨ କୋଟି ପରିବାର ପାଖରେ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ୫.୨୫ ଲକ୍ଷରୁ ଅଧିକ ଗ୍ରାମ (୮୯.୬ ପ୍ରତିଶତ) ନିଜକୁ ବାହାରେ ମଳତ୍ୟାଗ ମୁକ୍ତ ପ୍ଲସ୍ ଭାବରେ ଘୋଷଣା କରିଛନ୍ତି। ସ୍ୱଚ୍ଛତା ହିଁ ସେବା ୨୦୨୬ ର ସମାପନ ଅବସରରେ ଗ୍ରାମସଭାଗୁଡ଼ିକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଉପରେ ଆଲୋଚନା କରାଯାଇଥିଲା।

ଜଳ ସୁରକ୍ଷା (ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ): ‘ଜଳ ସଞ୍ଚୟ ଜନ ଭାଗିଦାରୀ: କ୍ୟାଚ୍ ଦି ରେନ୍’ ମାଧ୍ୟମରେ ସମ୍ପ୍ରଦାୟର ଭାଗିଦାରୀରେ ୧.୫୫ କୋଟିରୁ ଅଧିକ କୃତ୍ରିମ ଜଳ ପୁନରୁଦ୍ଧାର ଏବଂ ସଂରକ୍ଷଣ ସଂରଚନା ନିର୍ମାଣ କରାଯାଇଛି, ଏବଂ ପ୍ରଥମ ପର୍ଯ୍ୟାୟର ଏକ ପ୍ରଭାବ ଅଧ୍ୟୟନରୁ ୨.୪୩ ବିଲିୟନ୍ କ୍ୟୁବିକ୍ ମିଟର ଭୂତଳ ଜଳ ପୁନରୁଦ୍ଧାର ହୋଇଥିବା ଆକଳନ କରାଯାଇଛି। ସଂଶୋଧିତ ଜଳଛାୟା ବିକାଶ  ନିୟମାବଳୀ ଅନୁଯାୟୀ ସମତଳ ଅଞ୍ଚଳରେ ଅନୁଦାନ ରାଶି ହେକ୍ଟର ପିଛା ୨୨,୦୦୦ ଟଙ୍କା ଏବଂ ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ୨୮,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଏବଂ ପ୍ରକଳ୍ପ ଅବଧିକୁ ସାତ ବର୍ଷରୁ ହ୍ରାସ କରି ପାଞ୍ଚ ବର୍ଷ କରାଯାଇଛି। ‘କ୍ୟାଚ୍ ଦି ରେନ୍’ ଅଧୀନରେ ଗ୍ରାମସଭାର କାର୍ଯ୍ୟକଳାପ ବର୍ଷା ଜଳ ଅମଳ, ଭୂତଳ ଜଳ ପୁନରୁଦ୍ଧାର ଏବଂ ସମ୍ପ୍ରଦାୟ ନେତୃତ୍ୱାଧୀନ ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ କେନ୍ଦ୍ରୀଭୂତ ଥିଲା। ସ୍ଥାନୀୟ ସମ୍ପ୍ରଦାୟ, ପଞ୍ଚାୟତରାଜ ପ୍ରତିନିଧି ଏବଂ ଜିଲ୍ଲା ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବୈଷୟିକ ମାର୍ଗଦର୍ଶନ, ସଚେତନତା ଭିଡିଓ ପ୍ରଦର୍ଶନ, ବୃକ୍ଷରୋପଣ ଏବଂ ଶ୍ରମଦାନ କାର୍ଯ୍ୟକଳାପ ସହିତ 'ଜଳ ଶପଥ' ପାଠ କରାଯାଇଥିଲା। ବର୍ଷା ଜଳର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଏବଂ ସ୍ଥାୟୀ ଜଳ ପରିଚାଳନା ଦିଗରେ ସାମୂହିକ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ‘କ୍ୟାଚ୍ ଦି ରେନ୍’ ସଙ୍ଗୀତ ଗାନ ଓ ପ୍ରଦର୍ଶନ କରାଯାଇଥିଲା।

ଖାଦ୍ୟ ସୁରକ୍ଷା ଏବଂ ଉପଭୋକ୍ତା ସୁରକ୍ଷା (ଖାଦ୍ୟ ଓ ସାଧାରଣ ବଣ୍ଟନ, ଏବଂ ଉପଭୋକ୍ତା ବ୍ୟାପାର ବିଭାଗ): ‘ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ’ ଅଧୀନରେ ପ୍ରତିମାସରେ ପ୍ରାୟ ୩.୨୭ କୋଟି ପୋର୍ଟାବିଲିଟି କାରବାର ହେଉଛି, ଏବଂ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ୮୧.୩୫ କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇଦେଉଛି, ଯାହାକୁ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୭ଟି ଭାଷାରେ ଉପଲବ୍ଧ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ଅଗଷ୍ଟ ୨୦୧୯ ରେ ୭୮,୪୭୭ ଟି କଲ୍ ତୁଳନାରେ ଅଗଷ୍ଟ ୨୦୨୬ ରେ ୩,୪୨,୩୭୧ ଟି କଲ୍ ଗ୍ରହଣ କରିଛି, ଏବଂ ଏପ୍ରିଲ ୨୦୨୫ ରୁ ₹୧୦୫ କୋଟିରୁ ଅଧିକ ଟଙ୍କାର ଫେରସ୍ତ  ସୁଗମ କରିଛି। ଇ- ଜାଗୃତି ପ୍ଲାଟଫର୍ମରେ ଦାଖଲ ହୋଇଥିବା ୨.୮୧ ଲକ୍ଷ ମାମଲା ମଧ୍ୟରୁ ୨.୫୫ ଲକ୍ଷରୁ ଅଧିକ ମାମଲାର ସମାଧାନ ହୋଇଚି ଏବଂ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୬ ରେ ରୌପ୍ୟ ପୁରସ୍କାର ଲାଭ କରିଛି।

ଡିଜିଟାଲ୍ ଜମି ରେକର୍ଡ (ଭୂ-ସମ୍ପଦ ବିଭାଗ): ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ଣ୍ଣାଇଜେସନ୍ ପ୍ରୋଗ୍ରାମ୍ ଅଧୀନରେ ୯୯.୯୦ ପ୍ରତିଶତ ସତ୍ତ୍ୱାଧିକାର ରେକର୍ଡ ଏବଂ ୯୭.୪ ପ୍ରତିଶତ କାଡାଷ୍ଟ୍ରାଲ୍ ମାନଚିତ୍ରର ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ ହୋଇଛି। ୩୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଅନଲାଇନରେ ଜମି ରେକର୍ଡ ଦେଖିପାରିବେ, ଏବଂ ୨୪ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡିଜିଟାଲ୍ ଦସ୍ତଖତ ହୋଇଥିବା ରେକର୍ଡ ଡାଉନଲୋଡ୍ କରିପାରିବେ, ଯାହା ଜମି ମାଲିକମାନଙ୍କୁ ଜାଲିଆତି ନାମଜାରୀରୁ ସୁରକ୍ଷିତ ରଖିବା ସହ ଋଣ ପାଇବାରେ ସୁବିଧା ପ୍ରଦାନ କରୁଛି।

ଅନ୍ୟାନ୍ୟ ପ୍ରମୁଖ ଜାତୀୟ ପଦକ୍ଷେପ ବିଷୟରେ ସଚେତନତା: ଗ୍ରାମ ସ୍ତରରେ ସଚେତନତା ନିଶ୍ଚିତ କରିବାରେ କେତେକ ମନ୍ତ୍ରଣାଳୟ ଓ ବିଭାଗ ମୂଲ୍ୟବାନ ସହଯୋଗ ପ୍ରଦାନ କରିଛନ୍ତି। ଗୃହ ମନ୍ତ୍ରଣାଳୟ ନୂତନ ଅପରାଧିକ ଆଇନ, ଯଥା: ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଷୟରେ ସଚେତନତା ସୃଷ୍ଟି କରିଥିଲେ; ସମବାୟ ମନ୍ତ୍ରଣାଳୟ ସମବାୟ ସମିତିଗୁଡ଼ିକର ଡିଜିଟାଲ୍ ରୂପାନ୍ତରଣ ଏବଂ ସୁଦୃଢ଼ୀକରଣ ଉପରେ; ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଉପରେ; ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ‘ନଶା ମୁକ୍ତ ଭାରତ ଅଭିଯାନ’ ଉପରେ ସଚେତନତା ସୃଷ୍ଟି କରିଥିଲେ, ଯାହାର ଲକ୍ଷ୍ୟ ହେଉଛି ସୁରକ୍ଷିତ, ସୁସ୍ଥ, ବାଲ୍ୟବିବାହ ମୁକ୍ତ ଏବଂ ନିଶାମୁକ୍ତ ଗ୍ରାମ ଗଠନ କରିବା।

ଏହି ସ୍ୱତନ୍ତ୍ର ଗ୍ରାମସଭା କାର୍ଯ୍ୟକ୍ରମ ଗ୍ରାମସଭାକୁ ସହଭାଗୀ ଗଣତନ୍ତ୍ର ଏବଂ ସ୍ଥାନୀୟ ଶାସନର ଭିତ୍ତିଭୂମି ଭାବରେ ପୁନଃପ୍ରତିପାଦିତ କରିଛି। ପଞ୍ଚାୟତରାଜ ମନ୍ତ୍ରଣାଳୟ ଜନସାଧାରଣଙ୍କ ଯୋଜନା ଅଭିଯାନ ଅଧୀନରେ ୨୦୨୭-୨୮ ପାଇଁ ଜନକୈନ୍ଦ୍ରିକ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିକୁ ଅପେକ୍ଷା କରିଛି, ଯାହା ବିକଶିତ ଭାରତର ବୃହତ୍ତର ପ୍ରୟାସରେ ସଶକ୍ତ, ଆତ୍ମନିର୍ଭର ଏବଂ ବିକଶିତ ପଞ୍ଚାୟତ ଗଠନ ଦିଗରେ କାର୍ଯ୍ୟ କରିବ।

--

 


(ରିଲିଜ ଆଡି: 2318500) ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ : English , Khasi , हिन्दी , Marathi , Gujarati , Kannada