ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱଚ୍ଛତା ପାଇଁ ୫୦ଟି ଆଦର୍ଶ ସହର ବିକାଶ କରିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀରେ ପ୍ରଗତି-୫୦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ୍

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2026 3:51PM by PIB Bhubaneswar
  • ସିଏସଆଇଆର୍ – ସିଏମଇଆରଆଇ ଦ୍ୱାରା ସ୍ୱଚ୍ଛ ଭାରତ ଟେଷ୍ଟ ବେଡ୍ ର ଶୁଭାରମ୍ଭ
  • ଆଇଆଇଟି କାନପୁର ସହଯୋଗରେ ସ୍ୱଚ୍ଛତା ଷ୍ଟାର୍ଟଅପ୍‌ଗୁଡ଼ିକର ତୃତୀୟ ବ୍ୟାଚ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି
  • ନୂଆଦିଲ୍ଲୀର ସଂକଳ୍ପ ଭବନ ଠାରେ ରିଡ୍ୟୁସ୍, ରିୟୁଜ୍ ଆଣ୍ଡ ରିସାଇକଲ୍ କେନ୍ଦ୍ରର ଉଦ୍‌ଘାଟନ
  • ସ୍ୱଚ୍ଛତା ବିହେଭିଅର ଚେଞ୍ଜ୍ ଡିଜିଟାଲ୍ କୋଷ ର ଶୁଭାରମ୍ଭ

 

ଏକାବନତମ ପ୍ରଗତି ବୈଠକରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) 'ସ୍ୱଚ୍ଛ ଭାରତ ମିଶନ୍ - ସହରାଞ୍ଚଳ ୨.୦' ଅଧୀନରେ ' ପ୍ରଗତି - ୫୦' କାର୍ଯ୍ୟକ୍ରମ ମାଧ୍ୟମରେ ୫୦ଟି ଆଦର୍ଶ ସହର ଚିହ୍ନଟ କରିଛି। ଏହି ସହରଗୁଡ଼ିକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ କେପିଆଇ (ମୁଖ୍ୟ କାର୍ଯ୍ୟଦକ୍ଷତା ସୂଚକାଙ୍କ) ଭିତ୍ତିକ କାର୍ଯ୍ୟାନୁଷ୍ଠାନ ଏବଂ ଟେକ୍ନୋଲୋଜି -ସକ୍ଷମ ତଥା କଠୋର ତଦାରଖ ବ୍ୟବସ୍ଥା ମାଧ୍ୟମରେ 'ସ୍ୱଚ୍ଛତା'ର ଏକ ଉଚ୍ଚ ମାନଦଣ୍ଡ ପ୍ରଦର୍ଶନ କରିବେ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ୍ ଗୁରୁତ୍ୱାରୋପ କରି କହିଥିଲେ, "୨୪ଟି ରାଜ୍ୟର ଏହି ୫୦ଟି ସହର ନିୟମିତ ସଫେଇ କାର୍ଯ୍ୟଠାରୁ ଊର୍ଦ୍ଧ୍ୱକୁ ଯାଇ, ଦୃଶ୍ୟମାନ ସ୍ୱଚ୍ଛତାର କ୍ରମାଗତ ଓ ଉଚ୍ଚ-ମାନର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି​‌ବେ। ଏହି ସହରଗୁଡିକ ଦେଶର ଅନ୍ୟ ସହର ପାଇଁ ସ୍ୱଚ୍ଛତାର ଆଦର୍ଶ ସହର ଭାବେ ଉଭା ହେବେ। ଏଥିରେ ପ୍ରମୁଖ ସହର, ସାଂସ୍କୃତିକ ଗୁରୁତ୍ୱ ଥିବା ସହର, ଉଚ୍ଚ ପର୍ଯ୍ୟଟନ ସ୍ଥଳ ଏବଂ ଆର୍ଥିକ କେନ୍ଦ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ସୁନିଶ୍ଚିତ କରାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦାରଖ ଏବଂ ସମୀକ୍ଷାର ଏକ ସଂରଚିତ ଢାଞ୍ଚା ମାଧ୍ୟମରେ ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବହୃତ ଜଳ ପରିଚାଳନା, ପରିମଳ ଏବଂ ନାଗରିକ ଅଂଶଗ୍ରହଣରେ ଦୃଶ୍ୟମାନ ଉନ୍ନତି ଆଣିବା। ଫଳାଫଳ ଆଧାରିତ ମୂଲ୍ୟାଙ୍କନ ଏବଂ ପ୍ରଯୁକ୍ତି ବିଦ୍ୟା ସକ୍ଷମ ତଦାରଖ ମାଧ୍ୟମରେ ପ୍ରଗତି ନିରନ୍ତର ସମୀକ୍ଷା କରାଯିବ। ଏହି ସହରଗୁଡ଼ିକର ସ୍ଵଚ୍ଛତାରେ ଉନ୍ନତି ଟ୍ରାକ୍ କରିବା ପାଇଁ ସେ ପ୍ରତି ମାସରେ ବ୍ୟକ୍ତିଗତ ଭାବରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିବେ ବୋଲି ଶ୍ରୀ ମନୋହର ଲାଲ୍ କହିଥିଲେ।

ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗତ ଏକ ଦଶନ୍ଧି ମଧ୍ୟରେ ସ୍ୱଚ୍ଛତା ଏକ ଜନ-ଆନ୍ଦୋଳନରୁ ଜୀବନଶୈଳୀରେ ପରିଣତ ହୋଇଛି।

ନୂତନ ମଡେଲ୍ ସିଟି (ଆଦର୍ଶ ସହର) ପଦକ୍ଷେପର ଶୁଭାରମ୍ଭ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ସାହୁ କହିଥିଲେ , ଏହା ସହରଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବର୍ଜନା ମୁକ୍ତ ସହରର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଅନ୍ୟ ସହରାଞ୍ଚଳ ପାଇଁ ଆଦର୍ଶ ଭାବେ ନିଜକୁ ଉପସ୍ଥାପିତ କରିବାକୁ ସକ୍ଷମ ହେବ। ସେ ରାଜ୍ୟ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଣୁ-ସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଏବଂ ସେଗୁଡ଼ିକର ତ୍ୱରିତ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ଆହ୍ୱାନ ଜଣାଇଥିଲେ।

ଯୁବ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଥିଲେ ଯେ , ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାବରେ ମୁଣ୍ଡ ଟେକିଛି। ଆଇଆଇଟି କାନପୁର ସହିତ ସହଯୋଗରେ ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ, ଏହି ମିଶନ୍ ଅଧୀନରେ ୭୫ଟି ଷ୍ଟାର୍ଟଅପ୍‌କୁ ଅନ୍ତର୍ଭୁକ୍ତ କରିବା ଓ ସେଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇବା ଭଳି ଜାତୀୟ ଲକ୍ଷ୍ୟ ହାସଲକୁ ମଧ୍ୟ ସୂଚିତ କରୁଛି।

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଅଧୀନ ସହରାଞ୍ଚଳ ବିକାଶ ବିଭାଗ (ଡିଓୟୁଡି) ର ସଚିବ ଶ୍ରୀ ସତେନ୍ଦ୍ର ସିଂହ କହିଛନ୍ତି ଯେ, ନାଗରିକମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ ଏବଂ ସର୍ବାଙ୍ଗୀନ ସେବା ଯୋଗାଣ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ କରାଯିବ। ଏହି ପଦକ୍ଷେପ "ସମଗ୍ର ସହର" (ସିଟି ଆଜ୍ ଏ ହୋଲ୍) ଧାରଣା ଉପରେ ଆଧାରିତ ; ଯାହା ଯୋଜନା ଓ କାର୍ଯ୍ୟକାରିତା ପ୍ରକ୍ରିୟାରେ ସମସ୍ତ ଅଂଶୀଦାର, ସହଯୋଗୀ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସାମିଲ କରିବା ସୁନିଶ୍ଚିତ କରୁଛି।

ଉନ୍ନତ ତଦାରଖ ସୁନିଶ୍ଚିତ କରିବା ପାଇଁ, 'ସ୍ୱଚ୍ଛତାମ୍ ପୋର୍ଟାଲ୍' ରେ (ପ୍ରଗତି – ପ୍ରୋ ଆକ୍ଟିଭ୍ ଗଭର୍ଣାନ୍ସ ଆଣ୍ଡ ଟାଇମଲି ଇମ୍ପ୍ଲିମେଣ୍ଟେସନ ) ଭଳି ଏକ ଡିଜିଟାଲ୍ ସମୀକ୍ଷା ବ୍ୟବସ୍ଥା ସ୍ଥାପନ କରାଯାଇଛି। ନିୟମିତ ତଦାରଖ ଏବଂ ଆବଶ୍ୟକୀୟ ସହାୟତା ପାଇଁ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସହରଗୁଡ଼ିକର ଦାୟିତ୍ୱ ପ୍ରଦାନ କରାଯିବ।

ସ୍ଥାୟୀ ସହରୀ ପରିବର୍ତ୍ତନ କ୍ଷମତା ନିର୍ମାଣ ଏବଂ ନିରନ୍ତର ଶିକ୍ଷା ଉପରେ ନିର୍ଭର କରେ ବୋଲି ସ୍ୱୀକାର କରି, ଏସବିଏମ ୟୁ ଅଂଶୀଦାରମାନଙ୍କୁ ବୈଷୟିକ ନିର୍ଦ୍ଦେଶାବଳୀ, ମଡେଲ ଡିଜାଇନ୍ ଏବଂ ଲକ୍ଷ୍ୟଭୁକ୍ତ ପରାମର୍ଶ ସହିତ ସଶକ୍ତ କରିଛି। କାର୍ଯ୍ୟକ୍ରମ ସମୟରେ, ପ୍ରକଳ୍ପଗୁଡ଼ିକର ତୃଣମୂଳ ସ୍ତରରେ କାର୍ଯ୍ୟାନ୍ୱୟନକୁ ଆହୁରି ସମର୍ଥନ କରିବା ପାଇଁ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଅନୁଯାୟୀ ବାଧ୍ୟତାମୂଳକ ନିର୍ମାଣ ଏବଂ ଭଙ୍ଗା ବର୍ଜ୍ୟବସ୍ତୁ (ସି ଆଣ୍ଡ ଡି) ପାଇଁ ଦ୍ୱିତୀୟ ସଂଗ୍ରହ କେନ୍ଦ୍ର ସ୍ଥାପନ ଲାଗି ମାନକ କାର୍ଯ୍ୟକାରିତା ପ୍ରକ୍ରିୟା ଏବଂ ମୁନିସିପାଲିଟି କଠିନ ବର୍ଜ୍ୟବସ୍ତୁର ଉତ୍ସ ପୃଥକୀକରଣ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ କରାଯାଇଥିଲା।

ସ୍ୱଚ୍ଛ ଭାରତ ଟେଷ୍ଟ ବେଡ୍ ଏବଂ ଇନୋଭେସନ୍ ସେଣ୍ଟର : ଏହି ମିଶନ୍ କ୍ରମାଗତ ଭାବରେ ଗବେଷଣା ଏବଂ ନବସୃଜନକୁ ସ୍ୱଚ୍ଛତାର ମୁଖ୍ୟ ଚାଳକ ଶକ୍ତି ଭାବରେ ପ୍ରତିଷ୍ଠିତ କରିଆସିଛି। ସିଏସଆଇଆର୍ – ସିଏମଇଆରଆଇ ସହଯୋଗରେ, ଏମଓଏଚୟୁଏ ଦୁର୍ଗାପୁର ଠାରେ 'ସ୍ୱଚ୍ଛ ଭାରତ ଟେଷ୍ଟ ବେଡ୍ ଏବଂ ଇନୋଭେସନ୍ ସେଣ୍ଟର'ର ଶୁଭାରମ୍ଭ କରିଛି। ଏହା ସ୍ୱଚ୍ଛତା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣା, ଉତ୍ପାଦ ବିକାଶ, ପରୀକ୍ଷଣ, ଯାଞ୍ଚ, ପ୍ରମାଣୀକରଣ ଏବଂ କ୍ଷମତା ବିକାଶ ପାଇଁ ଏକ ଜାତୀୟ ସ୍ତରର ସୁବିଧା କେନ୍ଦ୍ର ଅଟେ।

ଷ୍ଟାର୍ଟଅପ୍‌ଗୁଡ଼ିକର ତୃତୀୟ ଗୋଷ୍ଠୀ : ଗତ ଦଶନ୍ଧି ମଧ୍ୟରେ, ଏସବିଏମ୍ - ୟୁ (ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ) ପାରମ୍ପାରିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରୁ ଅତ୍ୟାଧୁନିକ ଓ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସମାଧାନ ଆଡ଼କୁ ଅଗ୍ରସର ହୋଇଛି। ନବସୃଜନକୁ ତ୍ୱରାନ୍ୱିତ କରିବା ପାଇଁ ଏହି ମିଶନ୍ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ୭୫ଟି ଷ୍ଟାର୍ଟଅପ୍‌କୁ ସାମିଲ କରିଛି। ଉଦ୍ୟୋଗୀକରଣର ଏହି ଧାରାକୁ ଆଗକୁ ବଢ଼ାଇ, ଏମଓଏଚୟୁଏ ଏବଂ ଆଇଆଇଟି କାନପୁରର 'ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ଆଣ୍ଡ ଇନୋଭେସନ୍ ସେଣ୍ଟର' (ଏସଆଇଆଇସି) ମିଳିତ ଭାବେ ଷ୍ଟାର୍ଟଅପ୍‌ଗୁଡ଼ିକର ତୃତୀୟ ଗୋଷ୍ଠୀ ଆରମ୍ଭ କରିଛନ୍ତି, ଯାହା ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଅଭିନବ ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହି ତୃତୀୟ ଗୋଷ୍ଠୀରେ ୧୩ଟି ଷ୍ଟାର୍ଟଅପ୍ ସାମିଲ ହୋଇଥିବାରୁ, ଏହି ପଦକ୍ଷେପ ସହରାଞ୍ଚଳ ପାଇଁ ସ୍ୱଚ୍ଛ ଓ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସମାଧାନ ପ୍ରସ୍ତୁତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି।

ସ୍ୱତନ୍ତ୍ର ହ୍ୱାଟସ୍‌ଆପ୍ ଚ୍ୟାନେଲ୍ : ନାଗରିକମାନଙ୍କ ପାଇଁ ଅଭିଯୋଗ ପଞ୍ଜୀକରଣ ଏବଂ ସମାଧାନ ପାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ 'ସ୍ୱଚ୍ଛତା ଆପ୍' କୁ ଆଉ ଏକ ପାଦ ଆଗକୁ ନେଇ, ଏକ ସ୍ୱତନ୍ତ୍ର ହ୍ୱାଟସ୍‌ଆପ୍ ଚ୍ୟାନେଲ୍ ଆରମ୍ଭ କରାଯାଇଛି। ଏହା ନାଗରିକମାନଙ୍କୁ ସେମାନଙ୍କର ଅଭିଯୋଗ ଦାଖଲ କରିବା ଏବଂ ସହରକୁ ପରିଷ୍କାର ରଖିବାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସହଜ କରିବ।

ସ୍ୱଚ୍ଛତା ଆଚରଣ ପରିବର୍ତ୍ତନ ଡିଜିଟାଲ୍ କୋଷ ('ସ୍ୱଚ୍ଛତା ବିହେଭିଅର ଚେଞ୍ଜ୍ ଡିଜିଟାଲ୍ କୋଷ) - ଏହା ଏକ ଡିଜିଟାଲ୍ ସଂଗ୍ରହାଳୟ, ଯାହା ଏକ ପରିଷ୍କାର ଏବଂ ଅଧିକ ସ୍ଥାୟୀ ଭାରତ ଗଠନ ଦିଗରେ ବ୍ୟବହାରଗତ ପରିବର୍ତ୍ତନକୁ ସୁଦୃଢ଼ ​​କରିବା ପାଇଁ ବିଭିନ୍ନ ଧାରଣା, ସୃଜନଶୀଳ ବିଷୟବସ୍ତୁ, ଅଭିଯାନ ଏବଂ ସମ୍ବଳକୁ ଏକତ୍ରିତ କରିଥାଏ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ୍ ଏହାର ଶୁଭାରମ୍ଭ କରିଥିଲେ। ଏହି ପ୍ଲାଟଫର୍ମ ରାଜ୍ୟ, ସହରୀ ସ୍ଥାନୀୟ ସଂସ୍ଥା (ୟୁଏଲବିଏସ୍) ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ବ୍ୟବହାର - ଉପଯୋଗୀ ଯୋଗାଯୋଗ ସାମଗ୍ରୀ, ଅଭିନବ ଅଭିଯାନର ଧାରଣା ଏବଂ ପ୍ରଚାର-ପ୍ରସାର ସାମଗ୍ରୀ ଯୋଗାଇବ। ଏହା ଜ୍ଞାନର ଆଦାନପ୍ରଦାନ, ସଫଳ ମଡେଲର ଅନୁକରଣ ଏବଂ ନାଗରିକ-କେନ୍ଦ୍ରିକ ଯୋଗାଯୋଗକୁ ସକ୍ଷମ କରିବ, ଯାହା ଫଳରେ ସ୍ୱଚ୍ଛତା ଏକ ଅଭ୍ୟାସ ଏବଂ ଜୀବନଶୈଳୀରେ ପରିଣତ ହୋଇପାରିବ।

ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକଲ୍ (ଆରଆରଆର୍): 'ସ୍ୱଚ୍ଛତା ହିଁ ସେବା ୨୦୨୬' କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ୍ ନୂଆଦିଲ୍ଲୀସ୍ଥିତ ସଂକଳ୍ପ ଭବନରେ ଏକ 'ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକଲ୍' (ଆରଆରଆର୍) କେନ୍ଦ୍ରର ଉଦ୍ଘାଟନ କରିଥିଲେ। କୌଣସି କେନ୍ଦ୍ରୀୟ ମନ୍ତ୍ରଣାଳୟ କାର୍ଯ୍ୟାଳୟ ପରିସରରେ ସ୍ଥାପିତ ହୋଇଥିବା ଏହା ପ୍ରଥମ କେନ୍ଦ୍ର ଅଟେ। ଏହି ପଦକ୍ଷେପ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନିରନ୍ତର ଉପଭୋଗ, ପୁନଃବ୍ୟବହାର, ସମ୍ବଳ ପୁନରୁଦ୍ଧାର ଏବଂ ଚକ୍ରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ।

ଭାରତର ସହରାଞ୍ଚଳ ସ୍ୱଚ୍ଛତା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ : ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସୁଦୃଢ଼ ​​ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହର ଗଠନ ଦିଗରେ ନୂତନତ୍ୱ, ପରସ୍ପର ଠାରୁ ଶିଖିବା ଏବଂ କ୍ଷମତା ବିକାଶକୁ ପ୍ରୋତ୍ସାହିତ କରୁଛି। ଯେହେତୁ ଭାରତ 'ବିକଶିତ ଭାରତ ୨୦୪୭' ଆଡ଼କୁ ଅଗ୍ରସର ହେଉଛି, ତେଣୁ ଆଗାମୀ ପଥ ସ୍ପଷ୍ଟ ଅଟେ। ବିଜ୍ଞାନସମ୍ମତ ବର୍ଜ୍ୟବସ୍ତୁ ପରିଚାଳନା, ଚକ୍ରୀୟ ଅର୍ଥନୀତି ଏବଂ ସ୍ଥାୟୀ ସହରାଞ୍ଚଳ ବ୍ୟବସ୍ଥା ଉପରେ ଆଧାରିତ ଆବର୍ଜନା-ମୁକ୍ତ ସହର ହେଉଛି ଆମର ଲକ୍ଷ୍ୟ।

 

*******

SSP

 


(ରିଲିଜ ଆଡି: 2316747) ପରିଦର୍ଶକ କାଉଣ୍ଟର : 5