ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ନେତୃତ୍ୱରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ



‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ଅଭିଯାନରେ ଡ. ମନସୁଖ ମାଣ୍ଡଭିୟ; କ୍ରୀଡ଼ା ଓ ଫିଟନେସ୍‌ରେ ଅଂଶଗ୍ରହଣ ପାଇଁ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 29 AUG 2026 1:57PM by PIB Bhubaneswar

 

ମହାନ ହକି ଖେଳାଳି ମେଜର 

ଧ୍ୟାନଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଅବସରରେ ଆଜି ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ତାଙ୍କର ଏହି ଅବଦାନ ସଦାସର୍ବଦା ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଏକ ଚିରନ୍ତନ ଉତ୍ସ ହୋଇ ରହିବ।

ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

 

ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଦିବସ ସମାରୋହରେ ଦେଶବ୍ୟାପୀ ‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ପଦକ୍ଷେପକୁ ପ୍ରାଧାନ୍ୟ ଦିଆଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ନାଗରିକମାନଙ୍କୁ, ବିଶେଷକରି ଯୁବପିଢ଼ିକୁ, ଖେଳ ଓ ଶାରୀରିକ କାର୍ଯ୍ୟକଳାପ ପାଇଁ ପ୍ରତିଦିନ ଅତି କମ୍‌ରେ ଏକ ଘଣ୍ଟା ସମୟ ଦେବାକୁ ଉତ୍ସାହିତ କରାଯାଉଛି।

 

ଏହି କାର୍ଯ୍ୟକ୍ରମ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ଶତାଧିକ ପ୍ରତିଯୋଗୀ ବିଭିନ୍ନ କ୍ରୀଡ଼ା ଏବଂ ଫିଟନେସ୍ କାର୍ଯ୍ୟକଳାପରେ ଭାଗ ନେଇ ଏହି ଉତ୍ସବରେ ସାମିଲ ହୋଇଥିଲେ।

 

ଏହି ଅବସରରେ ଡକ୍ଟର ମନସୁଖ ମାଣ୍ଡଭିୟ କହିଥିଲେ ଯେ, ଦେଶବ୍ୟାପୀ ‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’କୁ ଆହୁରି ସୁଦୃଢ଼ କରିବା ସହ ଲୋକମାନଙ୍କୁ କ୍ରୀଡ଼ାକୁ ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ପାଇଁ ଉତ୍ସାହିତ କରିବା।

 

“ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଅବସରରେ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’କୁ ପ୍ରୋତ୍ସାହିତ କରିବା ପାଇଁ ଦେଶବ୍ୟାପୀ ‘ଖେଳ ପଡିଆରେ ଗୋଟିଏ ଘଣ୍ଟା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି” ବୋଲି ସେ କହିଥିଲେ।

 

ଡକ୍ଟର ମାଣ୍ଡଭିୟ କହିଥିଲେ, “ଦେଶର ସବୁ ଅଞ୍ଚଳରେ ଲକ୍ଷ ଲକ୍ଷ ଯୁବକଯୁବତୀ ପ୍ରତ୍ୟେକ ଗଳି ଓ ପ୍ରତ୍ୟେକ ଖେଳ ପଡ଼ିଆରେ ଏକ ଘଣ୍ଟା ଖେଳିବା ପାଇଁ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ମୋତେ ଏହା କହିବାକୁ ଖୁସି ଲାଗୁଛି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ପରିବର୍ତ୍ତନ ହେଉଛି, ଦେଶ ଆଗକୁ ବଢ଼ୁଛି ଏବଂ ଏକ ନୂତନ ଭାରତ ଗଠନ ହେଉଛି।”

 

ସେ କହିଥିଲେ, “ମୋଦୀ ଜୀଙ୍କ ନୂତନ ଭାରତ ଗଠନର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଆମକୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରୁହନ୍ତୁ ଏବଂ ସମାଜ ସୁସ୍ଥ ଓ ସୁଦୃଢ଼ ହେଉ। ଏହା ହିଁ ଆମକୁ ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିବାରେ ସହାୟତା କରିବ। ଆସନ୍ତୁ, ଆମେ ସମସ୍ତେ ପ୍ରତି ସପ୍ତାହରେ ଏକ ଘଣ୍ଟା ଖେଳ ପଡ଼ିଆରେ ବିତାଇବା ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା।”

 

ଶ୍ରୀ ଅର୍ଜୁନ ରାମ ମେଘୱାଲ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ନିୟମିତ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

 

ସେ କହିଥିଲେ, “ଖେଳ ସବୁବେଳେ ମୋ ଜୀବନର ଏକ ଅଂଶ ହୋଇ ରହିଛି। କବାଡ଼ି ଓ ଫୁଟବଲ୍‌ଠାରୁ ଆରମ୍ଭ କରି ପ୍ରାୟ ପ୍ରତିଦିନ ବ୍ୟାଡମିଣ୍ଟନ୍‌ ଖେଳିବା ପର୍ଯ୍ୟନ୍ତ, ମୁଁ ଖେଳକୁ ମୋ ଜୀବନରେ ସାମିଲ କରିଛି। ମୋର ବ୍ୟକ୍ତିଗତ ଆଦର୍ଶ ବାକ୍ୟ ହେଉଛି ‘ସକାଳେ ସଙ୍ଗୀତ ଏବଂ ସନ୍ଧ୍ୟାରେ ଖେଳ’। ନିୟମିତ ଭାବେ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଦ୍ୱାରା ଆମେ ଶାରୀରିକ ଭାବେ ଚଳଚଞ୍ଚଳ, ସୁସ୍ଥ ଏବଂ ମାନସିକ ଚାପମୁକ୍ତ ରହିପାରିବା। ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ପାଇଁ ଏକ ଘଣ୍ଟା ସମୟ ସମର୍ପିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ‘ଆମେ ଫିଟ୍ ତ ଇଣ୍ଡିଆ ଫିଟ୍’ ପଦକ୍ଷେପକୁ ସମର୍ଥନ କରିବା ସହ ଏକ ବିକଶିତ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।”

 

ଅଂଶଗ୍ରହଣ, ଦଳଗତ ଭାବନା ଏବଂ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କ୍ରିକେଟ୍‌, ଫୁଟବଲ୍‌ ଏବଂ ଦଉଡ଼ି ଟଣା ଭଳି ବିଭିନ୍ନ କ୍ରୀଡ଼ା କାର୍ଯ୍ୟକଳାପର ଆୟୋଜନ କରାଯାଇଥିଲା।

 

ଏକ କ୍ରିକେଟ୍‌ ପ୍ରତିଯୋଗିତାରେ ଚାରିଟି ଦଳ ଅଂଶଗ୍ରହଣ କରିଥିଲେ-ମିନିଷ୍ଟ୍ରି ଇଲେଭେନ୍‌, ଏସ୍‌ଏଆଇ ଇଲେଭେନ୍‌, ମିଡିଆ ଇଲେଭେନ୍‌ ଏବଂ ଇନ୍‌ଫ୍ଲୁଏନ୍ସର୍ସ ଇଲେଭେନ୍‌।

 

ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱାଧିନ ମିନିଷ୍ଟ୍ରି ଇଲେଭେନ୍‌ ଦଳରେ କ୍ରୀଡ଼ା ବିଭାଗର ସଚିବ ଶ୍ରୀ ହରି ରଞ୍ଜନ ରାଓଙ୍କ ସମେତ ମନ୍ତ୍ରଣାଳୟର ଅଧିକାରୀମାନେ ସାମିଲ ଥିଲେ। ଏହି ଦଳ ପ୍ରାରମ୍ଭିକ କ୍ରିକେଟ୍‌ ମ୍ୟାଚ୍‌ରେ ମିଡିଆ ଇଲେଭେନ୍‌କୁ ଚମତ୍କାର ଭାବେ ପରାସ୍ତ କରି ବିଜୟ ହାସଲ କରିଛି। ଇନ୍‌ଫ୍ଲୁଏନ୍ସର୍ସ ଇଲେଭେନ୍‌ ଦଳରେ ପ୍ରମୁଖ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଏବଂ ‘ଫିଟ୍ ଇଣ୍ଡିଆ’ ଆମ୍ବାସାଡର୍‌ମାନେ ସାମିଲ ଥିଲେ।

 

ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ଜାତୀୟ କ୍ରୀଡ଼ା ଦିବସ ସମାରୋହରେ ମେଜର ଧ୍ୟାନଚନ୍ଦଙ୍କ ଅମର ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଦେଶବ୍ୟାପୀ କ୍ରୀଡ଼ା, ଫିଟନେସ୍‌ ଏବଂ ସକ୍ରିୟ ଜୀବନଶୈଳୀର ସଂସ୍କୃତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରାଯାଇଥିଲା।

 

*****

MT

 

 


(ରିଲିଜ ଆଡି: 2304581) ପରିଦର୍ଶକ କାଉଣ୍ଟର : 5