ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର
ନେପାଳରେ ସୃଷ୍ଟି ବିପର୍ଯ୍ୟୟ ନେଇ ବିହାର ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ
ନେପାଳରେ ବନ୍ୟା ଯୋଗୁଁ ହୋଇଥିବା ବିନାଶ ଅତ୍ୟନ୍ତ ଦୁଃଖଦ; ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା: ଅମିତ ଶାହ
ଏହି ସଙ୍କଟ ସମୟରେ ନେପାଳ ସହ ଦୃଢ଼ତାର ସହ ଛିଡ଼ା ହୋଇଛି ଭାରତ ସରକାର
ପୋଷ୍ଟ କରାଯିବା ଦିନାଙ୍କ:
26 AUG 2026 9:08PM by PIB Bhubaneswar
ନେପାଳରେ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାର କଡ଼ା ନଜର ରଖିଛନ୍ତି। ଏହି ବିପର୍ଯ୍ୟୟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ବିହାର ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ‘ଏକ୍ସ’ରେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ନେପାଳରେ ବନ୍ୟା ଦ୍ୱାରା ହୋଇଥିବା ବିପର୍ଯ୍ୟୟ ଅତ୍ୟନ୍ତ ଦୁଃଖଦ। ଏହି ବିପର୍ଯ୍ୟୟରେ ପ୍ରିୟଜନଙ୍କୁ ହରାଇଥିବା ପରିବାର ସହିତ ମୋର ସମବେଦନା ରହିଛି। ଏହି ସଙ୍କଟ ସମୟରେ ଭାରତ ସରକାର ନେପାଳ ସହିତ ଠିଆ ହୋଇଛନ୍ତି। ନେପାଳରେ ଘଟିଥିବା ବିପର୍ଯ୍ୟୟ ସମ୍ପର୍କରେ ମୁଁ ବିହାର ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛି। ପ୍ରଭାବିତ ହେବାର ସମ୍ଭାବନା ଥିବା ସୀମାବର୍ତ୍ତୀ ଅଞ୍ଚଳରେ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍.ଡି.ଆର୍.ଏଫ୍.) ସହିତ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳକୁ ହାଇ ଆଲର୍ଟରେ ରଖାଯାଇଛି।
କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଙ୍କ ପରାମର୍ଶ ଏବଂ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେପାଳ-ଚୀନ୍ ସୀମା ନିକଟରେ ସନ୍ଦିଗ୍ଧ ଆକସ୍ମିକ ବନ୍ୟା/ଜିଏଲଓଏଫ କାର୍ଯ୍ୟକଳାପ ହେତୁ ଭାରତୀୟ ସୀମାଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ନେପାଳର ଫୁର୍କେ ଖୋଲା ଠାରେ ଥିବା ତ୍ରିଶୁଲି ନଦୀରେ ନଦୀର ଜଳ ସ୍ତର ହଠାତ୍ ବୃଦ୍ଧି ପାଇଛି। ବନ୍ୟା ପ୍ରଭାବ ଭାରତର ଗଣ୍ଡକ ନଦୀରେ ପ୍ରତିଫଳିତ ହେବାର ସମ୍ଭାବନା ରହିଛି।
ବିହାର ଏବଂ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଭାରତ-ନେପାଳ ସୀମା ନିକଟରେ ଥିବା ସ୍ଥାନୀୟ ଭାରତୀୟ ଲୋକଙ୍କୁ ଆବଶ୍ୟକ ସ୍ଥାନାନ୍ତର ଏବଂ ଅନ୍ୟାନ୍ୟ ସହାୟତା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟ ରାଜ୍ୟକୁ ସତର୍କ ରହିବାକୁ ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ), ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ସି.ଡବ୍ଲ୍ୟୁ.ସି.ର ସୂଚନା ଅନୁଯାୟୀ, ନେପାଳ ପାର୍ଶ୍ୱରେ ଥିବା ଜଳଭଣ୍ଡାରଗୁଡ଼ିକର ଜଳସ୍ତର ହ୍ରାସ ପାଉଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆତଙ୍କିତ ହେଲା ଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇନାହିଁ।
ନେପାଳରେ ନିଖୋଜ ଭାରତୀୟ ପର୍ଯ୍ୟଟକଙ୍କ ଖବର ରହିଛି ଏବଂ କାଠମାଣ୍ଡୁରେ ଏମଇଏ/ଭାରତୀୟ ଦୂତାବାସ ନେପାଳରେ ଆକସ୍ମିକ ବନ୍ୟା ଦ୍ୱାରା ପ୍ରଭାବିତ ଭାରତୀୟ ନାଗରିକଙ୍କ ସହାୟତା ଏବଂ ସୂଚନା ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି। ସହାୟତା ଆବଶ୍ୟକ କରୁଥିବା ଲୋକମାନେ ହେଲ୍ପଲାଇନ୍ + 977 985 131 6807 ଏବଂ + 977 970 910 7500 ରେ ଦୂତାବାସ ସହିତ ଯୋଗାଯୋଗ କରିପାରିବେ।
HS
(ରିଲିଜ ଆଡି: 2303609)
ପରିଦର୍ଶକ କାଉଣ୍ଟର : 5