ଉପରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଗଭୀର ସମୁଦ୍ରରୁ ମାଛଧରାର ଦୀର୍ଘସ୍ଥାୟୀ ଉପଯୋଗିତା ପାଇଁ ପ୍ରାଧିକରଣ ପତ୍ର ଜାରି ନିମନ୍ତେ ଜାତୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି .


ଭାରତର ସାମୁଦ୍ରିକ ଯାତ୍ରାରେ ଗଭୀର ସମୁଦ୍ର ଏକ ନୂତନ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ: ଉପ-ରାଷ୍ଟ୍ରପତି

ଯୁବବର୍ଗ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏକ ଆଧୁନିକ ବୃତ୍ତି ଭାବରେ ଦେଖିବା ଉଚିତ: ଉପ-ରାଷ୍ଟ୍ରପତି

ଦୀର୍ଘସ୍ଥାୟୀ ମାଛ ଧରା ଏକ ନୈତିକ ଦାୟିତ୍ୱ; ସଂରକ୍ଷଣ ଏବଂ ଅଭିବୃଦ୍ଧି ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ : ଉପ-ରାଷ୍ଟ୍ରପତି

ଭାରତ ଏହାର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରର ଅବ୍ୟବହୃତ ସମ୍ଭାବନାକୁ ଉପଯୋଗ କରିବାକୁ ପ୍ରସ୍ତୁତ: ଉପ-ରାଷ୍ଟ୍ରପତି

प्रविष्टि तिथि: 09 JUL 2026 1:32PM by PIB Bhubaneswar

ଉପ-ରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ୍ ଆଜି ଭୁବନେଶ୍ୱରଠାରେ ଗଭୀର ସୁମଦ୍ରରେ ମାଛ ଧରାର ଦୀର୍ଘସ୍ଥାୟୀ ଉପଯୋଗିତା ନିମନ୍ତେ ପ୍ରାଧିକରଣ ପତ୍ର ଜାରି କରିବା ଲାଗି ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଦସ୍ତାବିଜକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଉପରାଷ୍ଟ୍ରପତି ଦେଶର ଦଶଟି ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ (ଏଫପିପିଓ) ଏବଂ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମାଛ ଧରା ପାଇଁ ପ୍ରାଧିକରଣ ପତ୍ର (ଏଲଓଏ) ପ୍ରଦାନ କରିଛନ୍ତି । 

ସମାବେଶକୁ ସମ୍ବୋଧିତ କରି ଉପ-ରାଷ୍ଟ୍ରପତି କହିଥିଲେ, ଏହି ପଦକ୍ଷେପ ସହିତ ଭାରତର ସାମୁଦ୍ରିକ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି । ଏହା ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଦେଶର ସ୍ୱତନ୍ତ୍ର ଆର୍ଥିକକ କ୍ଷେତ୍ର (ଇଇଜେଡ୍‌) ଏବଂ ଗଭୀର ସମୁଦ୍ରର ବିଶାଳ ସମ୍ଭାବନାକୁ ସ୍ଥାୟୀ ଭାବରେ ଉପଯୋଗ କରିବାରେ ସକ୍ଷମ କରିଥାଏ। ଏହି କାର୍ଯ୍ୟକ୍ରମ ମତ୍ସ୍ୟ କ୍ଷେତ୍ରରେ ଅଭିବୃଦ୍ଧି, ସ୍ଥାୟିତ୍ୱ ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ମତ୍ସ୍ୟଜୀବୀ ସମ୍ପ୍ରଦାୟର ସାମୂହିକ ସଂକଳ୍ପକୁ ପ୍ରତିଫଳିତ କରେ ବୋଲି ସେ କହିଥିଲେ।

ଉପ-ରାଷ୍ଟ୍ରପତି କହିଥିଲେ, ଭାରତରେ ୧୧,୦୦୦ କିଲୋମିଟରରୁ ଅଧିକ ଉପକୂଳ ଏବଂ ପ୍ରାୟ ୨୪ ଲକ୍ଷ ବର୍ଗ କିଲୋମିଟରର ଏକ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ରହିଛି ଏବଂ ଏହା ପ୍ରାୟତଃ ଅବ୍ୟବହୃତ ରହିଛି। ମାଛ ଧରା କାର୍ଯ୍ୟକଳାପ ପାରମ୍ପରିକ ଭାବରେ ଉପକୂଳ ନିକଟରେ ରହିଆସିଛି । ନୂତନ ବ୍ୟବସ୍ଥା ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଟୁନା ଭଳି ଉଚ୍ଚ-ମୂଲ୍ୟବାନ ପ୍ରଜାତି ମାଛର ଦୀର୍ଘସ୍ଥାୟୀ ଉତ୍ପାଦନ ପାଇଁ ଆତ୍ମବିଶ୍ୱାସର ସହିତ ଗଭୀର ସମୁଦ୍ରରେ ପ୍ରବେଶ କରିବାକୁ ସକ୍ଷମ କରିବ ।

ଭାରତର ମତ୍ସ୍ୟ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଥିଲେ, ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ। ଏହା ବିଶ୍ୱ ମାଛ ଉତ୍ପାଦନରେ ପ୍ରାୟ ଆଠ ପ୍ରତିଶତ ଯୋଗଦାନ ଦେଉଛି। ସେ କହିଥିଲେ, ଏହି କ୍ଷେତ୍ର ପ୍ରାୟ ତିନି କୋଟି ମତ୍ସ୍ୟଜୀବୀ ଏବଂ ମାଛ ଚାଷୀଙ୍କ ଜୀବିକାକୁ ସମର୍ଥନ କରେ। ଗତ ଆର୍ଥିକ ବର୍ଷରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି ୭୩,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଗଭୀର ସମୁଦ୍ର ପଦକ୍ଷେପ ଭାରତର ରପ୍ତାନି ସମ୍ଭାବନାକୁ ଆହୁରି ମଜବୁତ କରିବ ଏବଂ ଅମଳ, ପ୍ରକ୍ରିୟାକରଣ, ଶୀତଳ ଶୃଙ୍ଖଳା, ପରିବହନ, ପ୍ୟାକେଜିଂ, ଲଜିଷ୍ଟିକ୍ସ ଓ ରପ୍ତାନି ସେବାରେ ନିଯୁକ୍ତି ସୃଷ୍ଟି କରିବ ବୋଲି ଉପରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଥିଲେ ।

ଉପରାଷ୍ଟ୍ରପତି କହିଥିଲେ, ନୂତନ ଢାଞ୍ଚାରେ ମତ୍ସ୍ୟଚାଷ ସମବାୟ ସମିତି, ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ ଏବଂ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ଜାରି କରିବା ପାଇଁ ପ୍ରାଥମିକତା ଦିଆଯାଇଛି। ସେ ଏହି ପଦକ୍ଷେପକୁ ଉପକୂଳ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ । ସେ ଜୋର ଦେଇଥିଲେ ଯେ ସାମୂହିକ ପ୍ରୟାସ ମତ୍ସ୍ୟଚାଷ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ।

ଦୀର୍ଘସ୍ଥାୟୀ ମାଛ ଧରା ଏକ ନୈତିକ ଦାୟିତ୍ୱ ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରି କହିଥିଲେ। ସେ ଆହୁରି କହିଥିଲେ, ସାମୁଦ୍ରିକ ସମ୍ପଦ ସଂରକ୍ଷଣ ସହିତ ଆର୍ଥିକ ପ୍ରଗତି ହେବା ଉଚିତ । ଡିଜିଟାଲ୍ ପ୍ରାଧିକରଣ ବ୍ୟବସ୍ଥା, ଜାହାଜ ଟ୍ରାକିଂ, ଅନ୍ତର୍ଜାତୀୟ ପ୍ରମାଣପତ୍ର ଏବଂ ବେଆଇନ ତଥା ରିପୋର୍ଟ ନ ହୋଇଥିବା ଏବଂ ଅନିୟନ୍ତ୍ରିତ ମାଛ ଧରା ବିରୋଧୀ ପଦକ୍ଷେପଗୁଡ଼ିକର କଠୋର ଅନୁପାଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ବିଶ୍ୱସ୍ତରୀୟ ସୁଯୋଗ ଦ୍ୱାରା ପରିଚାଳିତ ଏକ ଆଧୁନିକ ବୃତ୍ତି ଭାବରେ ମତ୍ସ୍ୟଚାଷକୁ ଦେଖିବା ପାଇଁ ଉପରାଷ୍ଟ୍ରପତି ଯୁବପିଢ଼ିଙ୍କୁ ଆହ୍ବାନ କରିଥିଲେ । ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବା ପାଇଁ ସେ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସହଯୋଗ ଜାରି ରଖିବାକୁ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କାମ୍ଭମପଟି; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ; ଓଡ଼ିଶାର ମତ୍ସ୍ୟ ଏବଂ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଭିନ୍ନ ମତ୍ସ୍ୟ ପ୍ରତିଷ୍ଠାନ, ମତ୍ସ୍ୟଜୀବୀ ସଂଗଠନର ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ।

******

PS


(रिलीज़ आईडी: 2283047) आगंतुक पटल : 13
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Bengali-TR , Gujarati , Tamil , Telugu , Malayalam