ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
azadi ka amrit mahotsav

ଇ-୨୦ ଏକ ସ୍ୱଚ୍ଛ ଓ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇନ୍ଧନ : ସ୍ପଷ୍ଟ କଲେ ଶିଳ୍ପ ବିଶେଷଜ୍ଞ


ପୁରୁଣା ଯାନବାହାନ ଉପରେ କଠୋର ପରୀକ୍ଷଣ ପରେ ହିଁ ଏହାକୁ ପ୍ରଚଳନ କରାଯାଇଛି

ଇ୨୦କୁ ନେଇ ଭରସାଜନକ ବୟାନ ଦେଲା ମାରୁତି ସୁଜୁକି; ସର୍ଭିସ୍‌ ହୋଇଥିବା ଦେଢ଼ କୋଟି ପୁରୁଣା ଗାଡ଼ିରେ କୌଣସି ସମସ୍ୟା ଦେଖା ଦେଇନାହିଁ

प्रविष्टि तिथि: 04 JUL 2026 8:16PM by PIB Bhubaneswar

ଇ-୨୦ ଏକ ସ୍ୱଚ୍ଛ ଓ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇନ୍ଧନ ବୋଲି ଦେଶର ପ୍ରମୁଖ ଶିଳ୍ପ ବିଶେଷଜ୍ଞମାନେ ଆଜି ସ୍ପଷ୍ଟ କରିଛନ୍ତି । ଶନିବାର ନୂଆଦିଲ୍ଲୀରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଇନ୍ଧନ ଏବଂ ଅଟୋମୋବାଇଲ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞମାନେ ଇ-୨୦ ଇଥାନଲ୍-ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଉପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ଏକ ପରୀକ୍ଷିତ ପଦକ୍ଷେପ ଏବଂ ଏହା ବୈଜ୍ଞାନିକ ଭାବରେ ପରିଚାଳିତ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି । ସେମାନେ କହିଛନ୍ତି, ପର୍ଯ୍ୟାୟକ୍ରମେ ଏହି ମିଶ୍ରଣ ପ୍ରକ୍ରିୟା ହୋଇଛି । ଇ-୨୦ ଇନ୍ଧନକୁ ନେଇ ଚିନ୍ତାର କୌଣସି କାରଣ ନାହିଁ ବୋଲି ଯାନବାହାନ ମାଲିକମାନଙ୍କୁ ଆଶ୍ୱସ୍ତ କରାଯାଇଛି।

ଟୟୋଟା କିର୍ଲୋସ୍କର ମୋଟରର ଭାରତ ମୁଖ୍ୟ ଏବଂ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶ୍ରୀ ବିକ୍ରମ ଗୁଲାଟି କହିଛନ୍ତି, ଅଟୋମୋଟିଭ୍ ଶିଳ୍ପ ସବୁଠାରୁ ଦୃଢ଼ ଭାବରେ ନିୟନ୍ତ୍ରିତ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ। ଯାନବାହାନଗୁଡ଼ିକ ବଜାର ପ୍ରବେଶ ପୂର୍ବରୁ ଏବଂ ପରେ ସ୍ୱାଧୀନ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଏଜେନ୍ସିଗୁଡ଼ିକ ଦ୍ୱାରା କଠୋର ପରୀକ୍ଷଣ ଓ ପ୍ରମାଣୀକରଣ ଦେଇ ଗତି କରିଥାଏ। ସେ ଇଥାନଲକୁ ଏକ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ସ୍ୱଚ୍ଛ ଇନ୍ଧନ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଯାହା ଉନବିଂଶ ଶତାବ୍ଦୀ ପ୍ରାରମ୍ଭରୁ ଏବଂ ଫର୍ମୁଲା ରେସିଂରେ ମଧ୍ୟ ଏହା ବ୍ୟବହୃତ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ପୁରୁଣା ବାହନଗୁଡ଼ିକର କଠୋର ପରୀକ୍ଷଣ ପରେ ହିଁ ଇ-୨୦କୁ ପ୍ରଚଳନ କରିବାର ନିଷ୍ପତ୍ତି ନିଆଯାଇଥିଲା। ସମ୍ପ୍ରତି ଆରମ୍ଭ ହୋଇଥିବା ଇ-୮୫ ଡିସପେନ୍ସିଂ ଷ୍ଟେସନଗୁଡ଼ିକ କେବଳ ଫ୍ଲେକ୍ସ-ଇନ୍ଧନ ଯାନ ପାଇଁ ଉଦ୍ଦିଷ୍ଟ, ଯାହା ଭବିଷ୍ୟତ ନୀତିର ଦିଗକୁ ସୂଚିତ କରେ ବୋଲି ସେ ସ୍ପଷ୍ଟ କରିଥିଲେ ।

ପରୀକ୍ଷଣ ଏଜେନ୍ସିଗୁଡ଼ିକର ନିରପେକ୍ଷତା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ, ଶ୍ରୀ ଗୁଲାଟି ସ୍ପଷ୍ଟ କରିଥିଲେ ଯେ, ପରୀକ୍ଷଣ ନିୟମକୁ କେବଳ ଭାରତରେ ଧାର୍ଯ୍ୟ କରାଯାଇନାହିଁ । ଭାରତ ୟୁଏନଇସିସିର ସଦସ୍ୟ। ପରୀକ୍ଷଣ ପ୍ରକ୍ରିୟା ଅନ୍ତର୍ଜାତୀୟ ମାନକ ଆଧାରିତ ଏବଂ ପରୀକ୍ଷଣ ଏଜେନ୍ସିଗୁଡ଼ିକ ଅନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ । ବିଶ୍ୱ ସ୍ତରରେ ସବୁ ନିୟମକୁ ଅନୁପାଳନ କରାଯାଏ ଏବଂ ରପ୍ତାନି ହୋଇଥିବା ଯାନଗୁଡ଼ିକର ମଧ୍ୟ ପରୀକ୍ଷଣ ମଧ୍ୟ କରାଯାଏ। ସେ କହିଥିଲେ ଯେ ଏହି ନିୟମଗୁଡ଼ିକ ସହିତ ସାଲିସ କରାଯାଇପାରିବ ନାହିଁ।

ମାରୁତି ସୁଜୁକିର କର୍ପୋରେଟ୍ ବ୍ୟାପାରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାହୁଲ ଭାରତୀ ଗ୍ରାହକମାନଙ୍କୁ ଇ୨୦କୁ ନେଇ ଭରସାଜନକ ବୟାନ ଦେଇଥିଲେ । ସେ କହିଥିଲେ, ଇ-୧୦ ପାଇଁ ଡିଜାଇନ୍ ହୋଇଥିବା ବାହନଗୁଡ଼ିକୁ ସମସ୍ତ ମାପଦଣ୍ଡରେ ଇ-୨୦ ଇନ୍ଧନକୁ ନେଇ ପରୀକ୍ଷଣ କରାଯାଇଛି । ଏଥିରେ ଚିନ୍ତାର କୌଣସି କାରଣ ନାହିଁ । ୨୦୨୫-୨୬ ଆର୍ଥିକ ବର୍ଷରେ ମାରୁତି ସୁଜୁକି ୨.୮୪ କୋଟିରୁ ଅଧିକ କାର୍‌ ସର୍ଭିସିଂ କରିଛି । ଏଥିମଧ୍ୟରୁ ଦେଢ଼ କୋଟିରୁ ଅଧିକ କାର୍‌ ତିନି ବର୍ଷରୁ ଅଧିକ ପୁରୁଣା ଏବଂ ଇ-୨୦ ଅନୁକୂଳ ନୁହେଁ । ଏହା ସତ୍ତ୍ୱେ ଏସବୁ କାରରେ କୌଣସି କ୍ଷତି, ଉପକରଣ ନଷ୍ଟ ହେବା କିମ୍ବା ଗାଡ଼ିର କୌଣସି ଭାଗ କ୍ଷତି ହୋଇଥିବା ସଂକ୍ରାନ୍ତରେ କୌଣସି ଅଭିଯୋଗ ଆସିନାହିଁ ।

ମାଇଲେଜ୍ ବିଷୟରେ ଶ୍ରୀ ଭାରତୀ କହିଛନ୍ତି ଯେ ଇ-୨୦ର କ୍ୟାଲୋରିଫିକ୍ ମୂଲ୍ୟ ଇ-୧୦ ତୁଳନାରେ ପ୍ରାୟ ୩ ରୁ ୩.୫ ପ୍ରତିଶତ କମ୍। ମାଇଲେଜ୍ ପ୍ରଭାବ ମଧ୍ୟ ଏହି ପରିମାଣ ଆଧାରରେ ସୀମିତ। ଏହାର ଉଦାହରଣ ଦେଇ ସେ କହିଛନ୍ତି, ପ୍ରତି ଲିଟରରେ ୨୦ କିଲୋମିଟର ମାଇଲେଜ୍ ଦେଉଥିବା ଏକ କାର ପାଇଁ ପ୍ରଭାବ ପ୍ରାୟ ୦.୬ କିଲୋମିଟର ପ୍ରତି ଲିଟର ହୋଇଥାଏ। ଅନ୍ୟପଟେ ଟାୟାର ପ୍ରେସର୍‌, ଗାଡ଼ି ଚାଳନା ଅଭ୍ୟାସ, ସଠିକ୍ ଗିଅର ବ୍ୟବହାର, ଏକ୍ସଲରେଟର ଅଧିକ ବ୍ୟବହାର, ବ୍ରେକିଂ ଏବଂ ରକ୍ଷଣାବେକ୍ଷଣ ଭଳି କାରଣଗୁଡ଼ିକ ମାଇଲେଜ୍ ଉପରେ ବହୁତ ଅଧିକ ପ୍ରଭାବ ପକାଇଥାଏ। ଅନ୍ୟପଟେ ଶୁଦ୍ଧ ପେଟ୍ରୋଲ ତୁଳନାରେ ଇଥାନଲରେ ଉନ୍ନତ ଏକ୍ସଲରେସନ୍‌ ମିଳିବା ସହିତ ଭଲ ଆଣ୍ଟି ନକିଂ ଏବଂ କମ୍‌ ପ୍ରଦୂଷଣ ଭଳି ବୈଶିଷ୍ଟ୍ୟ ରହିଛି ଯାହା ମାଇଲେଜ୍‌ ଜନିତ କ୍ଷତିକୁ ଭରଣା କରିପାରେ । 

ସେ ସ୍ପଷ୍ଟ କରିଥିଲେ ଯେ, ବାହନଗୁଡ଼ିକ ଇ-୨୦ ଅନୁପାଳନ ବ୍ୟତୀତ ସୁରକ୍ଷାର ଅନେକ କାରଣକୁ ନେଇ ଡିଜାଇନ୍ କରାଯାଇଛି। ବଜାରରେ କୌଣସି ରେଟ୍ରୋଫିଟମେଣ୍ଟ କିଟ୍ ପ୍ରଦାନ କରାଯାଉନାହିଁ । ଏହିପରି ସମାଧାନଗୁଡ଼ିକ ବର୍ତ୍ତମାନ କେବଳ ଗବେଷଣା ଓ ବିକାଶ ପର୍ଯ୍ୟନ୍ତ ସୀମିତ।

ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ (ଇଆଇଏଲ)ର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ବର୍ତ୍ତିକା ଶୁକ୍ଲା କହିଥିଲେ, ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ସମସ୍ତ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ କରି ପ୍ରସ୍ତୁତ କରାଯାଇଥିଲା। ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ସହିତ ବାହନ ନିର୍ମାତାଙ୍କ ଦ୍ୱାରା ବୈଜ୍ଞାନିକ ପ୍ରମାଣ ଏବଂ ବ୍ୟାପକ ପରୀକ୍ଷଣ ଦ୍ୱାରା ଏହା ସମର୍ଥିତ। ଇ-୨୦ ଇନ୍ଧନ ବିଆଇଏସ ମାନକ ଏବଂ ବିଏସ୍‌ - ସିକ୍ସ ନିର୍ଗମନ ମାନଦଣ୍ଡ ଅନୁରୂପ । ଦେଶର ଖୁଚୁରା ତୈଳ ବିକ୍ରୟ କେନ୍ଦ୍ରଗୁଡ଼ିକରେ ଏହା ସମାନ ଭାବରେ ଉପଲବ୍ଧ। ଅନେକ ଦେଶ ବହୁ ବର୍ଷ ଧରି ଇଥାନଲ୍ ମିଶ୍ରଣ ବ୍ୟବହାର କରିଆସୁଛନ୍ତି ବୋଲି ସେ କହିଥିଲେ ।

ବିଶ୍ୱର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ ହିରୋ ମୋଟୋକର୍ପର ମୁଖ୍ୟ ବ୍ୟବସାୟ ଅଧିକାରୀ ଆଶୁତୋଷ ବର୍ମା କହିଛନ୍ତି, କମ୍ପାନୀ ବ୍ୟାପକ ସେବା ତଥ୍ୟ ବିଶ୍ଳେଷଣ କରିଛି ଏବଂ ପୂର୍ବ ଇନ୍ଧନ ତୁଳନାରେ ଇ-୨୦ରେ ଚାଲୁଥିବା ଗାଡ଼ିଗୁଡ଼ିକରେ ଅଧିକ କ୍ଷତି ହେବାର କୌଣସି ନଜିର୍‌ ମିଳିନାହିଁ।

 

ଏହି ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞମାନେ ଇ-୨୦ ମିଶ୍ରଣ କାର୍ଯ୍ୟକ୍ରମ ପ୍ରତି ଶିଳ୍ପ ଜଗତର ସାମୂହିକ ଭରସା ବ୍ୟକ୍ତ କରିଥିଲେ । ସେମାନେ ସ୍ୱଚ୍ଛତାର ସହିତ ଗ୍ରାହକଙ୍କ ପ୍ରଶ୍ନର ସମାଧାନ ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଟିଭିଏସ ମୋଟର କମ୍ପାନୀର ବରିଷ୍ଠ ଉପାଧ୍ୟକ୍ଷ ପ୍ରସାଦ କ୍ରିଷ୍ଣନ, ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆର ସହାୟକ ଉପାଧ୍ୟକ୍ଷ ଶ୍ରୀ ପୁନୀତ ଆନନ୍ଦ, ବଜାଜ ଅଟୋ ଲିମିଟେଡ୍‌ ଅର୍ବାନାଇଟ୍‌ ବିଜନେସ ସେଲ୍ସ ମୁଖ୍ୟ ମନପ୍ରୀତ ସିଂ ବିନ୍ଦ୍ରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

********

PS/Swadhin


(रिलीज़ आईडी: 2281167) आगंतुक पटल : 9
इस विज्ञप्ति को इन भाषाओं में पढ़ें: English , Gujarati , हिन्दी , Assamese