ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି
ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ଶିକ୍ଷାଗତ ରେକର୍ଡ ସ୍ଥାନାନ୍ତରକୁ ସହଜ କରିଛି ଡିଜିଟାଲ ଇଣ୍ଡିଆ
प्रविष्टि तिथि:
02 JUL 2026 6:05PM by PIB Bhubaneswar
ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଜୁଲାଇ ପହିଲାରେ ୧୧ ବର୍ଷ ପୂରଣ ହୋଇଛି। ଶିକ୍ଷା ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ ମଜବୁତ କରି ପ୍ରଶାସନକୁ ଅଧିକ ସ୍ୱଚ୍ଛ, ସୁଲଭ ଏବଂ ନାଗରିକ କୈନ୍ଦ୍ରିକ କରିଛି। ଶିକ୍ଷା କ୍ଷେତ୍ରରେ, ଡିଜିଟାଲ ଇଣ୍ଡିଆ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ ଜୀବନବ୍ୟାପୀ ଶିକ୍ଷା, ଶୈକ୍ଷିକ ଗତିଶୀଳତା ଏବଂ ସୁରକ୍ଷିତ ଡିଜିଟାଲ ପ୍ରମାଣପତ୍ରକୁ ପ୍ରୋତ୍ସାହିତ କରୁଥିବା ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ବିକାଶକୁ ସମର୍ଥନ କରିଛି। ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସ (ଏବିସି) ଏବଂ ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ଏହି ପରିବର୍ତ୍ତନକୁ ଆଗେଇ ନେଉଥିବା ପ୍ରମୁଖ ପଦକ୍ଷେପ ମଧ୍ୟରୁ ଅନ୍ୟତମ।
ଶିକ୍ଷା ମନ୍ତ୍ରଣାଳୟର ଏକ କାର୍ଯ୍ୟକ୍ରମ ରୂପେ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ପରିଚାଳନା କରାଯାଉଛି । ଏହା ହେଉଛି ସ୍ୱୀକୃତିପ୍ରାପ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅର୍ଜିତ ଶୈକ୍ଷିକ କ୍ରେଡିଟ୍ ସଂରକ୍ଷଣ, ସ୍ଥାନାନ୍ତର ଏବଂ ଉପଯୋଗ କରିବା ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ। ଏହା ବହୁମୁଖି ପ୍ରବେଶ ଏବଂ ପ୍ରସ୍ଥାନ, କ୍ରେଡିଟ୍ ହସ୍ତାନ୍ତର ଏବଂ ନମନୀୟ ଶିକ୍ଷା ପଥକୁ ସୁଗମ କରି ଜାତୀୟ ଶିକ୍ଷା ନୀତି ଏବଂ ଜାତୀୟ କ୍ରେଡିଟ୍ ଫ୍ରେମୱାର୍କକୁ ସମର୍ଥନ କରିଥାଏ।
ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି – ଅପାର ସହ ସମନ୍ୱିତ ଏବିସି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଏକ ଅନନ୍ୟ ଜୀବନବ୍ୟାପୀ ଶୈକ୍ଷିକ ପରିଚୟ ପ୍ରଦାନ କରେ । ଏହା ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ସ୍ୱୀକୃତିପ୍ରାପ୍ତ ଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ଶୈକ୍ଷିକ ରେକର୍ଡଗୁଡ଼ିକୁ ସୁରକ୍ଷିତ ଉପଯୋଗକୁ ସକ୍ଷମ କରିଥାଏ।
ବର୍ତ୍ତମାନ ସୁଦ୍ଧା ୨,୯୬୩ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବିସି ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଛି। ୨୬.୨୯ କୋଟିରୁ ଅଧିକ ଅପାର ଆଇଡି ସୃଷ୍ଟି ହୋଇଛି । ସେହିପରି ୧୧୦.୬୫ କୋଟିରୁ ଅଧିକ ଶିକ୍ଷାଗତ ରେକର୍ଡ ଅପଲୋଡ୍ କରାଯାଇଛି । ଏବିସି ସୁରକ୍ଷିତ ଡିଜିଟାଲ୍ ରେକର୍ଡ ସହିତ କାଗଜପତ୍ର ଆବଶ୍ୟକତାକୁ ସମାପ୍ତ କରିଥାଏ। ଏହା ଶିକ୍ଷାଗତ ପ୍ରଶାସନକୁ ସରଳ କରିଥାଏ । ଏଥିସହିତ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷାଗତ କ୍ରେଡିଟ୍ ହାସଲ, ସ୍ଥାନାନ୍ତର ଏବଂ ଉପଯୋଗ କରିବାରେ ସକ୍ଷମ କରିଥାଏ।
ଅନୁରୂପ ଭାବେ ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ହେଉଛି ଶିକ୍ଷାଗତ ଉପାଧିର ଏକ ୨୪ ଘଣ୍ଟିଆ ଅନଲାଇନ୍ ଭଣ୍ଡାର। ଏହା ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକ ସୁରକ୍ଷିତ ଡିଜିଟାଲ୍ ଫର୍ମାଟରେ ଶିକ୍ଷାଗତ ପ୍ରମାଣପତ୍ର, ଡିଗ୍ରୀ, ଡିପ୍ଲୋମା ଏବଂ ମାର୍କ ସିଟ୍ ଜାରି, ସଂରକ୍ଷଣ ଏବଂ ଯାଞ୍ଚକୁ ସକ୍ଷମ କରିଥାଏ। ଭୌତିକ ପ୍ରମାଣପତ୍ର ସ୍ଥାନରେ ଏନଏଡିରେ ଥିବା ଡିଜିଟାଲ୍ ପ୍ରମାଣିତ ରେକର୍ଡ ପ୍ରଶାସନିକ ଖର୍ଚ୍ଚ ହ୍ରାସ କରେ, କାଗଜପତ୍ର ଉପଯୋଗକୁ ହ୍ରାସ କରେ ଏବଂ ଶିକ୍ଷାଗତ ଦସ୍ତାବିଜର ନଷ୍ଟ କିମ୍ବା କ୍ଷତିର ଆଶଙ୍କାକୁ ଦୂର କରେ।
ଛତିଶଗଡର ଭିଲାଇରେ ଥିବା ରୁଙ୍ଗଟା ଇଣ୍ଟରନେସନାଲ ସ୍କିଲ୍ସ ୟୁନିଭରସିଟିର ଏମବିଏ ଛାତ୍ରୀ ଅଞ୍ଜଳି ରାଠୋର କହିଛନ୍ତି, ଅପାର୍ ଆଇଡି ଯାଞ୍ଚ ପ୍ରକ୍ରିୟାକୁ ସରଳ କରିଛି ଏବଂ କାଗଜପତ୍ରକୁ ଯଥେଷ୍ଟ ହ୍ରାସ କରିଛି। ଆବଶ୍ୟକତା ସମୟରେ ସେ ସହଜରେ ତାଙ୍କର ଶିକ୍ଷାଗତ ପ୍ରମାଣପତ୍ର ପାଇପାରୁଛନ୍ତି । ଫଳରେ ସେମିନାର, ପ୍ରତିଯୋଗିତା, ଇଣ୍ଟର୍ନସିପ୍ ଏବଂ ସ୍କଲାରସିପ୍ ପାଇଁ ଆବେଦନ ଅଧିକ ସୁବିଧାଜନକ ହୋଇଛି ।
ଛତିଶଗଡ଼ର ଦୁର୍ଗରେ ଥିବା ସରକାରୀ ଭିୱାଇଟି ପିଜି ସ୍ୱୟଂଶାସିତ କଲେଜର ଛାତ୍ର ଆଶିଷ ତିୱାଙ୍ଗନ କହିଛନ୍ତି ଯେ ଅପାର୍ ଆଇଡି ତାଙ୍କ ଶିକ୍ଷା ପରିଚାଳନାକୁ ବହୁତ ସହଜ କରିଛି। ତାଙ୍କର ମାର୍କ ସିଟ୍, ସାର୍ଟିଫିକେଟ୍ ଓ ଶିକ୍ଷାଗତ ରେକର୍ଡ ଏବେ ଡିଜିଟାଲ୍ ଭାବରେ ସୁରକ୍ଷିତ ଏବଂ ଆବଶ୍ୟକ ହେଲେ ସହଜରେ ଉପଯୋଗ ହୋଇପାରୁଛି ।
ଏବିସି, ଏନଏଡି, ଅପାର ଏବଂ ଡିଜିଲକର ର ସମନ୍ୱୟ ଏକ ସଂଯୁକ୍ତ ଡିଜିଟାଲ୍ ଏକାଡେମିକ୍ ଇକୋସିଷ୍ଟମ୍ ସୃଷ୍ଟି କରିଛି । ଏହା ସୁରକ୍ଷିତ ସଂରକ୍ଷଣ, ନିର୍ବିଘ୍ନ ବିନିମୟ ଏବଂ ଶିକ୍ଷାଗତ ରେକର୍ଡର ଡିଜିଟାଲ୍ ଯାଞ୍ଚକୁ ସକ୍ଷମ କରିଥାଏ। ଏସବୁ ପ୍ରୟାସ ଏନଇପି ୨୦୨୦ର ଉଦ୍ଦେଶ୍ୟ ସାଧନ କରିବାରେ ସକ୍ଷମ ହୋଇଛି । ଗତ ୧୧ ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଶିକ୍ଷାଗତ ସେବା ବିତରଣକୁ ରୂପାନ୍ତରିତ କରିଛି। ବିଶ୍ୱସ୍ତ ଓ ନାଗରିକ କୈନ୍ଦ୍ରିକ ଡିଜିଟାଲ ଶିକ୍ଷା ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି ।
*******
PS
(रिलीज़ आईडी: 2280584)
आगंतुक पटल : 13