ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଜୁନ୍ ୨୦୨୬ରେ ଭାରତୀୟ ରେଳର ମାଲ ପରିବହନରେ ୪% ବୃଦ୍ଧି; ଯାତ୍ରୀ ପରିବହନରେ ସ୍ଥିର ଅଭିବୃଦ୍ଧି


ଜୁନରେ ଭାରତୀୟ ରେଳବାଇ ଦ୍ବାରା ୧୪୨ ନିୟୁତ ଟନ୍ ମାଲ ପରିବହନ

ସାର ପରିବହନରେ ସର୍ବାଧିକ ୧୯.୧% ବୃଦ୍ଧି; ଅନ୍ୟାନ୍ୟ ପ୍ରମୁଖ ପଣ୍ୟ ପରିବହନରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି

୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ମାଲ ପରିବହନ ୪୧୯ ନିୟୁତ ଟନ୍ ଟପିଲା

प्रविष्टि तिथि: 02 JUL 2026 3:29PM by PIB Bhubaneswar

 

 

ଉଭୟ ମାଲ୍‌ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ଜୁନ ୨୦୨୬ରେ ଭାରତୀୟ ରେଳବାଇ ଦୃଢ ପ୍ରଦର୍ଶନ କରିଛି। ଅଧିକ ମାଲ୍ ପରିବହନ, ଯାତ୍ରୀ ସଂଖ୍ୟାରେ ବୃଦ୍ଧି ଏବଂ ଯାତ୍ରୀ ସେବାର ନିରନ୍ତର ସମ୍ପ୍ରସାରଣ, ଦେଶର ଅର୍ଥନୈତିକ ଅଭିବୃଦ୍ଧି, ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସାରା ଦେଶରେ ସୁବିଧାଜନକ ଯାତ୍ରା ବିକଳ୍ପ ଯୋଗାଇଦେବା ଦିଗରେ ଭାରତୀୟ ରେଳବାଇର ନିରନ୍ତର ପ୍ରୟାସକୁ ଦର୍ଶାଉଛି।

ମାଲ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଜୁନ ୨୦୨୫ରେ ହୋଇଥିବା ୧୩୬.୭୧ ନିୟୁତ ଟନ୍ ମାଲ ପରିବହନ ତୁଳନାରେ ଭାରତୀୟ ରେଳବାଇ ଜୁନ୍ ୨୦୨୬ ମଧ୍ୟରେ ୧୪୨.୨୧ ନିୟୁତ ଟନ୍ ମାଲ୍ ପରିବହନ କରିଛି, ଯାହାକି ୪ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି। ମାଲ୍ ପରିବହନରୁ ମିଳୁଥିବା ଆୟରେ ମଧ୍ୟ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଛି, ଯାହା ପ୍ରାୟ ୪୩୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ସୃଷ୍ଟି କରିଛି ଏବଂ ଏହା ଜୁନ୍ ୨୦୨୫ ତୁଳନାରେ ୩ ପ୍ରତିଶତ ଅଧିକ ଅଟେ।

ଏହି ମାସରେ ବିଭିନ୍ନ ପ୍ରମୁଖ ସାମଗ୍ରୀର ପରିବହନରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ସାର ପରିବହନରେ ୧୯.୧ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ଅବଶିଷ୍ଟ ଅନ୍ୟାନ୍ୟ ସାମଗ୍ରୀରେ ୧୭.୩ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଲୁହାପଥରରେ ୯.୪ ପ୍ରତିଶତ, ଘରୋଇ କୋଇଲାରେ ୪.୯ ପ୍ରତିଶତ, ସମୁଦାୟ କୋଇଲାରେ ୩.୬ ପ୍ରତିଶତ ଏବଂ କ୍ଲିଙ୍କରରେ ୭.୨ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ଅର୍ଥନୀତିର ପ୍ରମୁଖ କ୍ଷେତ୍ରଗୁଡ଼ିକରୁ ରହିଥିବା ନିରନ୍ତର ଚାହିଦାକୁ ଦର୍ଶାଉଛି।

ବର୍ଷ ତମାମ ଭିତ୍ତିରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତୀୟ ରେଳବାଇ ୪୧୯.୦୮ ନିୟୁତ ଟନ୍‌ ମାଲ ପରିବହନ କରିଥିଲା, ଯାହାକି ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୪୧୩.୦୫ ନିୟୁତ ଟନ ଥିଲା। ଲୁହାପଥର ଲୋଡିଂରେ ୭.୪୪ ପ୍ରତିଶତ, କ୍ଲିଙ୍କରରେ ୬.୫୪ ପ୍ରତିଶତ ଏବଂ ଅବଶିଷ୍ଟ ଓ ଅନ୍ୟାନ୍ୟ ସାମଗ୍ରୀରେ ୧୨.୧୬ ପ୍ରତିଶତ ବୃଦ୍ଧି ସହ ଏହି ତ୍ରୈମାସିକରେ ଅନେକ ପ୍ରମୁଖ ସାମଗ୍ରୀ କ୍ଷେତ୍ରରେ ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଲମ୍ବା ଗ୍ରୀଷ୍ମ ଋତୁ ଯୋଗୁଁ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ, ଭାରତୀୟ ରେଳବାଇ ଘରୋଇ କୋଇଲା ପରିବହନକୁ ଆହୁରି ତ୍ୱରାନ୍ୱିତ କରିଛି। ଗତ ବର୍ଷର ଜୁନ ତୁଳନାରେ ଜୁନ୍ ୨୦୨୬ରେ ବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ୭ ପ୍ରତିଶତ ଅଧିକ କୋଇଲା ଯୋଗାଇ ଦିଆଯାଇଛି, ଯାହା ଫଳରେ ସାରା ଦେଶରେ ନିରବଚ୍ଛିନ୍ନ ବିଦ୍ୟୁତ ଉତ୍ପାଦନରେ ସହାୟତା ମିଳିପାରିଛି।

ଯାତ୍ରୀ ପରିବହନରେ ନିରନ୍ତର ଅଭିବୃଦ୍ଧି

ଜୁନ୍ ୨୦୨୬ରେ ଯାତ୍ରୀପରିବହନ କ୍ଷେତ୍ରରେ ମଧ୍ୟ ସ୍ଥିର ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ବର୍ଷ ଜୁନ ମାସରେ ୬୨.୩୭ କୋଟି ଯାତ୍ରୀ ପରିବହନ କରିଥିବାବେଳେ ଚଳିତ ବର୍ଷର ଜୁନରେ ତାହା ୬୩.୮୧ କୋଟିକୁ ବୃଦ୍ଧି ପାଇଛି। 

ସ୍ୱଳ୍ପ ଏବଂ ଦୀର୍ଘ ଦୂରତା ଯାତ୍ରାକୁ ଅନ୍ତର୍ଭୁକ୍ତ କରୁଥିବା ଅଣ-ଉପନଗରୀୟ ଯାତ୍ରୀ ପରିବହନ କ୍ଷେତ୍ରରେ ୩.୯ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି, ଯେଉଁଥିରେ ଯାତ୍ରୀ ସଂଖ୍ୟା ୨୮.୯୦ କୋଟିରୁ ୩୦.୦୪ କୋଟିକୁ ବୃଦ୍ଧି ପାଇଛି। ସେହିପରି ଉପନଗରୀୟ କ୍ଷେତ୍ରରେ ମଧ୍ୟ ୦.୯ ପ୍ରତିଶତର ଅଭିବୃଦ୍ଧି ପରିଲକ୍ଷିତ ହୋଇଛି, ଯେଉଁଠାରେ ଯାତ୍ରୀ ସଂଖ୍ୟା ୩୩.୪୬ କୋଟିରୁ ୩୩.୭୭ କୋଟିକୁ ବୃଦ୍ଧି ପାଇଛି।

ଆଧୁନିକ ଯାତ୍ରୀ ସେବାର ସଂପ୍ରସାରଣ

ପ୍ରିମିୟମ୍ ଟ୍ରେନ୍ ସେବାର ସମ୍ପ୍ରସାରଣ ସହିତ ଭାରତୀୟ ରେଳବାଇ ଯାତ୍ରୀ ସେବାକୁ ଆଧୁନିକୀକରଣ କରିବା ଜାରି ରଖିଛି। ବନ୍ଦେ ଭାରତ ସେବା ସଂଖ୍ୟା ୧୬୪ କୁ ବୃଦ୍ଧି ପାଇଛି, ଯେଉଁଥିରେ ନିକଟରେ ହାଓଡ଼ା ଏବଂ କାମାଖ୍ୟା ମଧ୍ୟରେ ଆରମ୍ଭ ହୋଇଥିବା 'ବନ୍ଦେ ଭାରତ ସ୍ଲିପର' ସେବା ସାମିଲ ଅଛି। ଅମୃତ ଭାରତ ଟ୍ରେନ୍ ସେବା ସଂଖ୍ୟା ୭୨ ରେ ପହଞ୍ଚିଛି, ଯେଉଁଥିରେ ଜୁନ୍ ୨୦୨୬ ମଧ୍ୟରେ ଚାରୋଟି ନୂତନ ସେବା ଉଦ୍‌ଘାଟିତ ହୋଇଛି। ଏହା ଦ୍ବାରା ସାରା ଦେଶରେ ସୁଲଭ ଏବଂ ଆଧୁନିକ ଦୀର୍ଘ ଦୂରତା ଯୋଗାଯୋଗକୁ ଆହୁରି ମଜବୁତ କରିଛି।

ମାଲ୍ ପରିବହନ ଏବଂ ଯାତ୍ରୀ ଯାତାୟାତରେ ଏହି ନିରନ୍ତର ଅଭିବୃଦ୍ଧି, ଦକ୍ଷ ଲଜିଷ୍ଟିକ୍ସ, ବିଶ୍ୱସନୀୟ ଯାତ୍ରୀ ସେବା ଏବଂ ଆଧୁନିକ ରେଳ ଭିତ୍ତିଭୂମି ଯୋଗାଇଦେବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଉଛି। ନିରନ୍ତର କ୍ଷମତା ବୃଦ୍ଧି, ଉନ୍ନତ ପରିଚାଳନା ଦକ୍ଷତା ଏବଂ ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ, ଭାରତୀୟ ରେଳବାଇ ସାରା ଦେଶରେ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଯାତ୍ରୀ-ଅନୁକୂଳ ପରିବହନ ସେବା ପ୍ରଦାନ କରିବା ସହିତ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ସାହାଯ୍ୟ କରିବା ପାଇଁ ସଦାସର୍ବଦା ସଙ୍କଳ୍ପବଦ୍ଧ ରହିଛି।

TKM


(रिलीज़ आईडी: 2280548) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Gujarati , Tamil , Telugu , Kannada