ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି


ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍‌ ଚରଣ ହେମ୍ବ୍ରମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ପାଇଲେ ପଦ୍ମଶ୍ରୀ

प्रविष्टि तिथि: 23 JUN 2026 8:18PM by PIB Bhubaneswar

ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ବେସାମରିକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ସମାରୋହରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଦୁଇ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍‌ ଚରଣ ହେମ୍ବ୍ରମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି ।

ବିଶିଷ୍ଟ ଆଇନଜ୍ଞ ତଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି କେ.ଟି ଥୋମାସ ଏବଂ ଜାତୀୟତାବାଦୀ ସାମ୍ବାଦିକ ରୂପେ ପରିଚିତ ପି. ନାରାୟଣନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଟେନିସ୍‌ ଜଗତର ଅନ୍ୟତମ କିମ୍ବଦନ୍ତୀ ଖେଳାଳୀ ଡକ୍ଟର ବିଜୟ ଅମୃତ ରାଜ, ବିଭିନ୍ନ ଅଭିନେତା ମାମୁଟ୍ଟି, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, ବିଶିଷ୍ଟ ଗାୟିକା ଅଳକା ୟାଗ୍ନିକ ପ୍ରମୁଖ ପଦ୍ମ ଭୂଷଣ ପୁରସ୍କାର ପାଇଛନ୍ତି ।

ଓଡ଼ିଶାରୁ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କ ସଂକ୍ଷିପ୍ତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:

ଶ୍ରୀ ଚରଣ ହେମ୍ବ୍ରମ୍‌

୯ ଫେବୃଆରୀ ୧୯୫୨ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଜନ୍ମିତ ଶ୍ରୀ ଚରଣ ହେମ୍ବ୍ରମ ଜଣେ ସାନ୍ତାଳି (ଅଲ ଚିକି) ଶିକ୍ଷାବିତ୍ ତଥା ସାଂସ୍କୃତିକ କର୍ମୀ, ଯିଏ ଓଡ଼ିଶାରେ ସାନ୍ତାଳି ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ସହିତ ଏହାକୁ ସଂସ୍ଥାଗତ ରୂପ ଦେବାରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଶ୍ରୀ ହେମ୍ବ୍ରମ ୧୯୯୨ ରୁ ୨୦୦୪ ପର୍ଯ୍ୟନ୍ତ ଏଏସଇସିଏ (ଓ), ରାଇରଙ୍ଗପୁର ଅଧୀନରେ ଓଡ଼ିଶାର ସାନ୍ତାଳୀ ଶିକ୍ଷା ବୋର୍ଡର ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ନିଜର କାର୍ଯ୍ୟକାଳ ମଧ୍ୟରେ ସେ ସାନ୍ତାଳି ଶିକ୍ଷାରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଛନ୍ତି। ଜଣେ ଶିକ୍ଷାବିତ୍‌ ତଥା ସାଂସ୍କୃତିକ କର୍ମୀ ଭାବେ ସେ ବିଭିନ୍ନ ଅଲ ଇତୁନ ଅସ୍ରା, ସାନ୍ତାଳ ଆଖଡ଼ା ଆଦି ପ୍ରତିଷ୍ଠା କରିଛନ୍ତି। ସର୍ବୋପରି, ସାନ୍ତାଳି ସାହିତ୍ୟ, ସଂଗୀତ, ନୃତ୍ୟ, ନାଟକ ଏବଂ ସାମାଜିକ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି ।

ଶରତ କୁମାର ପାତ୍ର

ଖ୍ୟାତନାମା ହସ୍ତତନ୍ତ ବୁଣାକାର ଶ୍ରୀ ଶରତ କୁମାର ପାତ୍ର ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି । ଇକ୍କତ ଶୈଳୀର ବୟନ ଲାଗି ପରିଚିତ ଶ୍ରୀ ପାତ୍ର ‘ଦଶ-ଅବତାର’ ଇକ୍କତୱାଲ, ଗୀତ ଗୋବିନ୍ଦ ପାଟ ଆଦି ବୁଣିବାରେ ବିଶେଷ ଦକ୍ଷତା ହାସଲ କରିଛନ୍ତି । ସେ ଅନେକ ବୁଣାକାରଙ୍କୁ ଇକ୍କତ ବୟନର ତାଲିମ ଦେଇଛନ୍ତି । କଟକ ଜିଲ୍ଲା ନୂଆପାଟଣା ଗ୍ରାମରେ ୫ ଜୁନ୍‌ ୧୯୬୫ରେ ଜନ୍ମିତ ଶ୍ରୀ ପାତ୍ର କୌଣସି ଔପଚାରିକ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ନିଜ ପିତାଙ୍କ ଠାରୁ ଇକତ ଏବଂ ଆଳଙ୍କାରିକ ବସ୍ତ୍ର ବୟନର କଳା ଶିଖିଥିଲେ । ବିଭିନ୍ନ ଜଟିଳ ବୟନ ଶୈଳୀ ସମେତ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ସେ ପ୍ରାୟ ୫୦ଟି କପଡ଼ା ରଙ୍ଗ ପ୍ରସ୍ତୁତ କରିଛନ୍ତି । ୨୦୦ବର୍ଷ ପୁରୁଣା ଇକ୍କତ ବୁଣା କାରିଗରୀର ସଂରକ୍ଷଣରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ପୂର୍ବରୁ ସେ ଅନେକ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି ।

ସୀମାଞ୍ଚଳ ପାତ୍ର

ପଦ୍ମଶ୍ରୀରେ ସମ୍ମାନିତ ଶ୍ରୀ ସୀମାଞ୍ଚଳ ପାତ୍ର ଓଡ଼ିଶାର ଅନ୍ୟତମ ଅନନ୍ୟ ଲୋକକଳା ପ୍ରହ୍ଲାଦ ନାଟକ ଦୁନିଆର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ । ଏହି ଅଭିନବ ସଂଗୀତ ଓ ମୁଖା ଆଧାରିତ ଲୋକ ନାଟ୍ୟ ପରମ୍ପରାର ବିକାଶ ଏବଂ ସଂରକ୍ଷଣରେ ସେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସେ ଅନେକ ଆଖଡ଼ା ପ୍ରତିଷ୍ଠା କରିଛନ୍ତି । ମାତ୍ର ସାତ ବର୍ଷ ବୟସରେ ସେ ଶଖୀ ନାଟ ଶିଖିଥିଲେ । ଏବେ ୯୮ ବର୍ଷ ବୟସରେ ମଧ୍ୟ ସେ ଏହି ସାଂସ୍କୃତିକ ଲକ୍ଷ୍ୟ ପ୍ରତି ପୂର୍ଣ୍ଣପ୍ରାଣରେ ସମର୍ପିତ ରହିଛନ୍ତି । ତାଙ୍କୁ ପ୍ରହ୍ଲାଦ ନାଟକ ଦୁନିଆର ଭୀଷ୍ମ ପିତାମହ କୁହାଯାଏ । ଗଞ୍ଜାମ ଜିଲ୍ଲାରେ ଏକ ଗରିବ ପରିବାରରେ ଜନ୍ମ ଲାଭ କରିଥିବା ଶ୍ରୀ ପାତ୍ର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ପରମ୍ପରା ଓ ସଂସ୍କୃତିର ସଂରକ୍ଷଣରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଏଥିପୂର୍ବରୁ ସେ ରାଜ୍ୟ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଭଳି ସମ୍ମାନ ପାଇସାରିଛନ୍ତି ।

********

PS/Swadhin


(रिलीज़ आईडी: 2277277) आगंतुक पटल : 13
इस विज्ञप्ति को इन भाषाओं में पढ़ें: Tamil , Malayalam , English , Urdu , Marathi , हिन्दी , Assamese , Gujarati , Kannada