ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହାଇଦ୍ରାବାଦରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
प्रविष्टि तिथि:
10 MAY 2026 5:51PM by PIB Bhubaneswar
ତେଲେଙ୍ଗାନାର ରାଜ୍ୟପାଳ ଶ୍ରୀ ଶିବ ପ୍ରତାପ ଶୁକ୍ଳା ଜୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ରେବନ୍ତ ରେଡ୍ଡୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜି. କିଶନ ରେଡ୍ଡୀ, ବଂଡ଼ୀ ସଞ୍ଜୟ କୁମାର, ମୋର ସାଥୀ ସାଂସଦ କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀ ଜୀ, ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ, ଅନ୍ୟାନ୍ୟ ଜନପ୍ରତିନିଧି, ମହିଳା ଏବଂ ଭଦ୍ରବ୍ୟକ୍ତି ଗଣ!
ସାଇବେରାବାଦର ଶକ୍ତି ଜାତୀୟ ଏବଂ ବିଶ୍ୱସ୍ତରୀୟ। ଏହା ତେଲେଙ୍ଗାନା ଏବଂ ଦେଶର ଦ୍ରୁତ ବିକାଶର ଏକ ପ୍ରମୁଖ କେନ୍ଦ୍ର। ତେଣୁ, ଆଜି ସାଇବେରାବାଦରୁ, ତେଲେଙ୍ଗାନାକୁ ଦେଶର ଏକ ବଡ଼ ଉତ୍ପାଦନ ଶକ୍ତି କେନ୍ଦ୍ର କରିବା ପାଇଁ ଅନେକ ପ୍ରମୁଖ ପ୍ରକଳ୍ପ ଆରମ୍ଭ କରାଯାଉଛି। ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି, ସେଗୁଡ଼ିକ ଏଠାରେ ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ଏବଂ ତେଲେଙ୍ଗାନାର ସଂଯୋଗୀକରଣ ମଧ୍ୟ ସୁଦୃଢ଼ ହେବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ତେଲେଙ୍ଗାନାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆଜି ଭାରତ ସଂସ୍କାର ଏକ୍ସପ୍ରେସରେ ଚାଲୁଛି। ଏହା ସହିତ, ଆଜିର ଭାରତ ଆଧୁନିକ ଭିତ୍ତିଭୂମି ମଧ୍ୟ ନିର୍ମାଣ କରୁଛି। ଜାହିରାବାଦ ଶିଳ୍ପ କ୍ଷେତ୍ରର ନିର୍ମାଣ ଏହି ଲକ୍ଷ୍ୟର ଏକ ଅଂଶ। ଏହି ଶିଳ୍ପ କ୍ଷେତ୍ର ଭାରତ ସରକାରଙ୍କ ଶିଳ୍ପ କରିଡରର ବିକାଶ ପାଇଁ ଜାତୀୟ ଅଭିଯାନର ଏକ ଅଂଶ। ଏହା ଏକ ପ୍ରକାରରେ ସ୍ମାର୍ଟ ସିଟି ଶିଳ୍ପ ହେବାକୁ ଯାଉଛି। ଏଠାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉତ୍କୃଷ୍ଟ ବିଦ୍ୟୁତ ଯୋଗାଣ, ଉନ୍ନତ ଆଇସିଟି ନେଟୱାର୍କ ରହିବ ଅର୍ଥାତ୍ - ବିଶ୍ୱର ନିବେଶକମାନଙ୍କ ପାଇଁ ଶିଳ୍ପ ପାଇଁ ଆବଶ୍ୟକ ଅନୁଯାୟୀ ପ୍ରତ୍ୟେକ ସୁବିଧା ଏଠାରେ ଉପଲବ୍ଧ ହେବ। ଭାରତ ସରକାରଙ୍କ ହଜାର - ହଜାର କୋଟି ଟଙ୍କା ଏହି ନିର୍ମାଣରେ ବିନିଯୋଗ କରାଯିବ, ଏବଂ ତେଲେଙ୍ଗାନା ଏବଂ ହାଇଦ୍ରାବାଦର ହଜାର-ହଜାର ଯୁବକ ଏଠାରେ ନିଯୁକ୍ତି ପାଇବେ। ଏଠାରେ ପ୍ରତିଷ୍ଠିତ ଯାନବାହାନ, ଯନ୍ତ୍ରପାତି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ତେଲେଙ୍ଗାନାର ଶ୍ରମିକ ଏବଂ କୃଷକମାନଙ୍କୁ ମଧ୍ୟ ସଶକ୍ତ କରିବ।
ବନ୍ଧୁଗଣ,
ଅତୀତରେ, ଯେତେବେଳେ ଭାରତ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ମଧ୍ୟରୁ ଗୋଟିଏ ଥିଲା, ଆମର ବୟନ ଶିଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏବେ ଆମେ ପୁଣି ଥରେ ସେହି ଐତିହ୍ୟକୁ ମଜବୁତ କରୁଛୁ। ୱାରାଙ୍ଗଲରେ ଥିବା ପ୍ରଧାନମନ୍ତ୍ରୀ ମିତ୍ର ପାର୍କ ଦେଶରେ ବୟନ ବିପ୍ଳବକୁ ତ୍ୱରାନ୍ୱିତ କରିବ। ପ୍ରଧାନମନ୍ତ୍ରୀ ମିତ୍ର ପାର୍କରେ ସ୍ଥାପିତ ୟୁନିଟଗୁଡ଼ିକ କେନ୍ଦ୍ର ସରକାରଙ୍କ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇବେ। ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପିଏଲ୍ ଆଇ ଯୋଜନାରୁ ମଧ୍ୟ ସମର୍ଥନ ମିଳିବ। ଏହି ଟେକ୍ସଟାଇଲ୍ ପାର୍କ ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବ। ବିଶେଷକରି ଆମର ଭଉଣୀ ଏବଂ ଝିଅମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ।
ବନ୍ଧୁଗଣ,
ଗତ ୧୨ ବର୍ଷ ମଧ୍ୟରେ, ଭାରତ ସରକାରଙ୍କ ଏକ ବହୁତ ବଡ଼ ପ୍ରାଥମିକତା ହେଉଛି ଆଧୁନିକ ସଂଯୋଗୀକରଣ। ତାହା ରାସ୍ତା ହେଉ, ରେଳପଥ ହେଉ, ବିମାନବନ୍ଦର ହେଉ - ସଂଯୋଗୀକରଣର ପ୍ରତ୍ୟେକ ପ୍ରକାରରେ ଅଭୂତପୂର୍ବ ନିବେଶ କରାଯାଉଛି। ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା କେବଳ ଜାତୀୟ ରାଜପଥରେ ବିନିଯୋଗ କରାଯାଇଛି। ତେଲେଙ୍ଗାନା ମଧ୍ୟ ଏଥିରୁ ବହୁତ ଲାଭ ପାଇଛି। ଗତ ୧୨ ବର୍ଷ ମଧ୍ୟରେ, ତେଲେଙ୍ଗାନାରେ ଜାତୀୟ ରାଜପଥ ନେଟୱାର୍କ ଦ୍ୱିଗୁଣିତ ହୋଇଛି। ତେଲେଙ୍ଗାନା ଏବଂ କର୍ଣ୍ଣାଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ପ୍ରଶସ୍ତୀକରଣ ବହୁତ ସୁବିଧା ଆଣିବ। ଯାତ୍ରା ସମୟ ହ୍ରାସ ପାଇବ ଏବଂ ଭଡା ମଧ୍ୟ ସଞ୍ଚୟ ହେବ।
ବନ୍ଧୁଗଣ,
୨୦୧୪ ପୂର୍ବରୁ, ଅବିଭକ୍ତ ଆନ୍ଧ୍ର ପ୍ରଦେଶ ପାଇଁ ରେଳ ବଜେଟ ଏକ ହଜାର କୋଟି ଟଙ୍କାରୁ କମ୍ ଥିଲା। ରେବନ୍ତ ଜୀ, ଆପଣ ଶୁଣୁଛନ୍ତି କି ? ସଂଯୁକ୍ତ ଆନ୍ଧ୍ର ସମୟରେ, ରେଳ ବଜେଟ ଏକ ହଜାର କୋଟି ଟଙ୍କାରୁ କମ୍ ଥିଲା। ଆଜି ମୁଁ ସଂଯୁକ୍ତ ଆନ୍ଧ୍ର ବିଷୟରେ କହୁନାହିଁ, ଆଜି କେବଳ ତେଲେଙ୍ଗାନାର ରେଳ ବଜେଟ ପ୍ରାୟ ସାଢ଼େ ପାଞ୍ଚ ହଜାର କୋଟି ଟଙ୍କା। ବର୍ତ୍ତମାନ, ଏଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲିଛି। ତେଲେଙ୍ଗାନାରେ ପାଞ୍ଚଟି ବନ୍ଦେ ଭାରତ ଏବଂ ଛଅଟି ଅମୃତ ଭାରତ ଟ୍ରେନ ମଧ୍ୟ ଚାଲୁଛି।
ବନ୍ଧୁଗଣ,
କିଛି ସମୟ ପୂର୍ବରୁ, କାଜିପେଟ-ବିଜୟୱାଡା ମଲ୍ଟି-ଟ୍ରାକିଂ ପ୍ରକଳ୍ପର କିଛି ଅଂଶ ଉଦ୍ଘାଟିତ ହୋଇଥିଲା। ଏହା ସହିତ, ବାଇପାସ୍ ଲାଇନ ଅଧୀନରେ କାଜିପେଟ ରେଳ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ସୁବିଧାଗୁଡ଼ିକ ଯାତ୍ରାକୁ ସହଜ କରିବ ଏବଂ ପରିବହନକୁ ତ୍ୱରାନ୍ୱିତ କରିବ।
ବନ୍ଧୁଗଣ,
ଏକବିଂଶ ଶତାବ୍ଦୀର ବିଶ୍ୱରେ, ଶକ୍ତି ବିନା, ସବୁକିଛି ବନ୍ଦ ହୋଇଯାଏ। ଆଜି ପ୍ରତ୍ୟେକ ବ୍ୟକ୍ତି ଶକ୍ତି ସୁରକ୍ଷାର ଗୁରୁତ୍ୱ ଅନୁଭବ କରୁଛନ୍ତି। ତେଣୁ, ଆମର କେନ୍ଦ୍ର ସରକାର ଭାରତର ଶକ୍ତି ସୁରକ୍ଷାରେ ଅଭୂତପୂର୍ବ ନିବେଶ କରୁଛି। ମାଲକାପୁରରେ ଇଣ୍ଡିଆନ ଅଏଲର ନୂତନ ଟର୍ମିନାଲର ଉଦଘାଟନ ଏହି ଦିଗରେ ଏକ ବଡ଼ ପଦକ୍ଷେପ। ଏହି ଟର୍ମିନାଲ ତେଲେଙ୍ଗାନାର ବର୍ଦ୍ଧିତ ଶକ୍ତି ଆବଶ୍ୟକତାକୁ ପୂରଣ କରିବ ଏବଂ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବ।
ବନ୍ଧୁଗଣ,
ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତ ସୌରଶକ୍ତିରେ ଦେଶମାନଙ୍କ ମଧ୍ୟରେ ଶୀର୍ଷରେ ପହଞ୍ଚିଛି। ପେଟ୍ରୋଲରେ ଇଥାନଲ୍ ମିଶ୍ରଣରେ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି। ପ୍ରଥମେ ଆମେ ଶତ-ପ୍ରତିଶତ ଏଲପିଜି କଭରେଜ ଉପରେ ଧ୍ୟାନ ଦେଇଥିଲୁ, ଏବେ ଆମେ ଶସ୍ତା ପାଇପ୍ ଗ୍ୟାସ ଉପରେ ଧ୍ୟାନ ଦେଉଛୁ, ସିଏନଜି-ଆଧାରିତ ସିଷ୍ଟମକୁ ପ୍ରୋତ୍ସାହିତ କରୁଛୁ। ଏପରି ପ୍ରୟାସ ଯୋଗୁଁ, ଭାରତ ଏହି ବିଶାଳ ବିଶ୍ୱ ଶକ୍ତି ସଙ୍କଟର ଦୃଢ଼ ମୁକାବିଲା କରୁଛି। କିନ୍ତୁ ବର୍ତ୍ତମାନ ସମୟର ଚାହିଦା ହେଉଛି ଯେ ପେଟ୍ରୋଲ, ଡିଜେଲ, ଗ୍ୟାସ୍ - ଏହିପରି ଜିନିଷଗୁଡ଼ିକୁ ବହୁତ ସଂଯମତାର ସହିତ ବ୍ୟବହାର କରାଯିବା ଉଚିତ। ଆମେ ବିଦେଶରୁ ଆମଦାନୀ କରୁଥିବା ଏହି ଶକ୍ତି ଉତ୍ପାଦଗୁଡ଼ିକୁ ଆମକୁ କେବଳ ଆବଶ୍ୟକ ପରିମାଣରେ ବ୍ୟବହାର କରିବାକୁ ଚେଷ୍ଟା କରିବା ଉଚିତ। ଏହା ବୈଦେଶିକ ମୁଦ୍ରା ସଞ୍ଚୟ କରିବ ଏବଂ ଯୁଦ୍ଧର ସଙ୍କଟର ପ୍ରତିକୂଳ ପ୍ରଭାବକୁ ମଧ୍ୟ ହ୍ରାସ କରିବ।
ବନ୍ଧୁଗଣ,
ଆଜି ତେଲେଙ୍ଗାନାର ଯୁବପିଢ଼ି ନୂଆ ସ୍ୱପ୍ନ ଦେଖୁଛନ୍ତି। ଏଠାକାର ଚାଷୀମାନେ ନୂତନ ଆଶା ନେଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଏଠାକାର ଶିଳ୍ପ, ଏଠାକାର ଏମ୍ ଏସ୍ ଏମ୍ ଇ , ଏଠାକାର ଷ୍ଟାର୍ଟଅପ୍ - ସମସ୍ତେ ଏକ ବିକଶିତ ତେଲେଙ୍ଗାନା ନିର୍ମାଣରେ ନିଜର ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି। କାରଣ ଯେତେବେଳେ ତେଲେଙ୍ଗାନାର ବିକାଶ ହେବ, ସେତେବେଳେ ଭାରତର ବିକଶ ହେବ । ମୁଁ ତେଲେଙ୍ଗାନାର ପ୍ରତ୍ୟେକ ପରିବାରକୁ ଆଶ୍ୱାସନା ଦେଉଛି ଯେ କେନ୍ଦ୍ର ସରକାର ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆହୁରି ଦ୍ରୁତ ଗତିରେ କାମ କରିବେ। ଏବେ ଆମର ରେୱନ୍ତ ଜୀ କହିଛନ୍ତି ଯେ ଆମେ ରାଜନୀତି କଥା କହିବୁ ନାହିଁ, ତେଣୁ ମୁଁ ମଧ୍ୟ କହିବି ନାହିଁ। ତେଣୁ, ଏକ ଅଣ-ରାଜନୈତିକ ଉପାୟରେ ମୁଁ ରେୱନ୍ତ ଜୀଙ୍କୁ କହୁଛି ଯେ ୧୦ ବର୍ଷର ଶାସନରେ, ଭାରତ ସରକାର ଗୁଜରାଟକୁ ଯାହା ଦେଇଛନ୍ତି, ତାହା ମୁଁ ଆପଣଙ୍କୁ ଦେବାକୁ ପ୍ରସ୍ତୁତ। କିନ୍ତୁ ମୁଁ ଆପଣଙ୍କୁ ମୋର ଜ୍ଞାନରୁ କହିବାକୁ ଚାହୁଁଛି ଯେ, ମୁଁ ତାହା କରିବା ମାତ୍ରେ, ଆପଣ ଏବେ ଯାହା ପାଉଛନ୍ତି ତାହା ଅଧା ହୋଇଯିବ। ଆପଣ ଯେଉଁଠାକୁ ଯିବାକୁ ଚାହୁଁଛନ୍ତି ସେଠାରେ ପହଞ୍ଚିପାରିବେ ନାହିଁ। ଏବଂ ସେଥିପାଇଁ , ମୋ ସହିତ ଯୋଡ଼ି ରହିବା ଭଲ।
ବନ୍ଧୁଗଣ,
ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଗଣତନ୍ତ୍ରରେ, ରାଜ୍ୟରେ ବିଭିନ୍ନ ପ୍ରକାରର ସରକାର ରହିବା ଖରାପ କଥା ନୁହେଁ। କିନ୍ତୁ ଦେଶର ବିକାଶ ପାଇଁ, ରାଜ୍ୟଗୁଡ଼ିକର ବିକାଶ ମଧ୍ୟ ସମାନ ଭାବରେ ହେବା ଗୁରୁତ୍ୱପୂର୍ଣ୍ଣ। ରାଜ୍ୟଗୁଡ଼ିକର ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ। ତେଣୁ, ଆମର ସମସ୍ତ ଯୋଜନାର କେନ୍ଦ୍ରରେ ରାଜ୍ୟଗୁଡ଼ିକର ବିକାଶ, ଦ୍ରୁତ ବିକାଶ, ଏବଂ ଏହି ଭାବନା ସହିତ ଆମେ ସମସ୍ତେ ଏକାଠି ଆଗକୁ ବଢ଼ିବା ଏବଂ ଆମ ଆଖି ଆଗରେ ୨୦୪୭ ମସିହାରେ ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ ହେଉଥିବା ଦେଖିପାରିବା। ଏହା ସମସ୍ତଙ୍କ ପାଇଁ ମୋର କାମନା। ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ !
****
(रिलीज़ आईडी: 2268767)
आगंतुक पटल : 16
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam