ପଞ୍ଚାୟତିରାଜ ମନ୍ତ୍ରଣାଳୟ
ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା
ଓଡ଼ିଶା ୫ଟି ବର୍ଗରେ ପାଇବ ପୁରସ୍କାର
ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ଗଞ୍ଜାମ ମନୋନୀତ
ପୋଷ୍ଟ କରାଯିବା ଦିନାଙ୍କ:
09 MAY 2026 3:53PM by PIB Bhubaneswar
ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଦେଶର ୪୨ଟି ପଞ୍ଚାୟତକୁ ମନୋନୀତ କରାଯାଇଛି । ଆସନ୍ତା ଜୁନ୍ ୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ପୁରସ୍କାର ବିତରଣ କରାଯିବ । ୯ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ମନୋନୀତ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାର ଦିଆଯିବ । ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୩୪ଟି ପଞ୍ଚାୟତକୁ ତିନୋଟି ବର୍ଗରେ ଏହି ପୁରସ୍କାର ଦିଆଯିବ । ସେହିପରି ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ, ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ଏବଂ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ବର୍ଗରେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପ୍ରଦାନ କରାଯିବ ।
ପୁରସ୍କାର ବିଜେତା ପଞ୍ଚାୟତଗୁଡ଼ିକୁ ପୁରସ୍କାର ରାଶି ସ୍ୱରୂପ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପ୍ରଦାନ କରାଯିବ । ଜାତୀୟ ପଞ୍ଚାୟତ ପୁରସ୍କାରରେ କର୍ଣ୍ଣାଟକ ସର୍ବାଧିକ ୬ଟି ପୁରସ୍କାର ପାଇବାକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ୫ଟି ଲେଖାଏଁ ବର୍ଗରେ ପୁରସ୍କୃତ ହେବେ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଟଲମପୁର ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କୃତ ହେବାକୁ ମନୋନିତ ହୋଇଛି । ଏହି ପଞ୍ଚାୟତକୁ ତୃତୀୟ ବର୍ଗରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଜଳ ସ୍ୱଚ୍ଛଳତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ସ୍ୱଚ୍ଛ ଏବଂ ସବୁଜ ପଞ୍ଚାୟତ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧ ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ସାମାଜିକ ନ୍ୟାୟ ଏବଂ ସାମାଜିକ ଦୃଷ୍ଟିରୁ ସୁରକ୍ଷିତ ପଞ୍ଚାୟତ ଭାବେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହି ପଞ୍ଚାୟତକୁ ମଧ୍ୟ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ । ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ବର୍ଗରେ ଗଞ୍ଜାମ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହି ପୁରସ୍କାର ବାବଦରେ ଗଞ୍ଜାମକୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ।
ଦେଶର ଗ୍ରାମାଞ୍ଚଳରେ ସମାବେଶୀ, ଅନ୍ତର୍ଭୂକ୍ତିମୂଳକ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ପଞ୍ଚାୟତି ରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଏହି ପୁରସ୍କାର ଜରିଆରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ଜାତୀୟ ସ୍ତରର ମାନ୍ୟତା ଏବଂ ଆର୍ଥିକ ପ୍ରୋତ୍ସାହନ ମିଳିଥାଏ ।
******
PS
(ରିଲିଜ ଆଡି: 2259487)
ପରିଦର୍ଶକ କାଉଣ୍ଟର : 5