ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ଆଖୁର ଉଚିତ୍ ଓ ଲାଭକାରୀ ମୂଲ୍ୟକୁ କ୍ୟାବିନେଟ୍ ମଞ୍ଜୁରୀ
୨୦୨୬-୨୭ ଋତୁ ପାଇଁ ଆଖୁ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍ ପିଛା ୩୬୫ ଟଙ୍କାରେ କିଣାଯିବ ଆଖୁ
ଏହି ନିଷ୍ପତ୍ତି ଦ୍ୱାରା ୫ କୋଟି ଆଖୁ ଚାଷୀ ଏବଂ ଚିନି କଳ ଓ ଆନୁସଙ୍ଗିକ କ୍ଷେତ୍ରରେ କାମ କରୁଥିବା ୫ ଲକ୍ଷରୁ ଅଧିକ ଶ୍ରମିକ ହେବେ ଲାଭାନ୍ୱିତ
ପୋଷ୍ଟ କରାଯିବା ଦିନାଙ୍କ:
05 MAY 2026 6:43PM by PIB Bhubaneswar
ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆଖୁର ଉଚିତ୍ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। ୨୦୨୬-୨୭ ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁ କ୍ୱିଣ୍ଟାଲ ପିଛା ୩୬୫ ଟଙ୍କାରେ କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଦର ୧୦.୨୫% ମୂଳ ଅସୁଲି ଦର ଉପରେ ଆଧାରିତ । ଏହା ଅଧୀନରେ ୧୦.୨୫% ଠାରୁ ଅଧିକ ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ବୃଦ୍ଧି ଲାଗି କ୍ୱିଣ୍ଟାଲ ପିଛା ୩.୬୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ। ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ହ୍ରାସ ଲାଗି ଏଫଆରପିରେ କ୍ୱିଣ୍ଟାଲ ପିଛା ୩.୫୬ ଟଙ୍କା କାଟି ଦିଆଯିବ ।
ଯେଉଁ ଚିନି କଳରେ ଅସୁଲି ହାର ୯.୫% ରୁ କମ୍ ଅଛି ସେଠାରେ କୌଣସି ପ୍ରକାର କାଟ୍ କରାଯିବ ନାହିଁ । ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଚାଷୀମାନେ ଆଗାମୀ ଚିନି ଋତୁ ୨୦୨୬-୨୭ରେ ଆଖୁ ପାଇଁ କ୍ୱିଣ୍ଟାଲ ପିଛା ୩୩୮.୩ ଟଙ୍କା ପାଇବେ ।
୨୦୨୬-୨୭ ଚିନି ଋତୁ ପାଇଁ ଆଖୁର ଉତ୍ପାଦନ ଖର୍ଚ୍ଚ (ଏଟୁ +ଏଫଏଲ) କ୍ୱିଣ୍ଟାଲ ପିଛା ୧୮୨ ଟଙ୍କା ରହିଛି । ୧୦.୨୫% ଅସୁଲି ହାରରେ ଏହି ଏଫଆରପି କ୍ୱିଣ୍ଟାଲ ପିଛା ୩୬୫ ଟଙ୍କା ଧାର୍ଯ୍ୟ ହୋଇଥିବାରୁ ଏହା ଉତ୍ପାଦନ ଖର୍ଚ୍ଚ ତୁଳନାରେ ୧୦୦.୫% ଅଧିକ। ୨୦୨୬-୨୭ ଚିନି ଋତୁ ପାଇଁ ଏଫଆରପି ଚଳିତ ଚିନି ଋତୁ ୨୦୨୫-୨୬ ତୁଳନାରେ ୨.୮୧% ଅଧିକ ।
ଅନୁମୋଦିତ ଏଫଆରପି ଚିନି କଳଗୁଡ଼ିକ ଦ୍ୱାରା ଚିନି ଋତୁ ୨୦୨୬-୨୭ (୧ ଅକ୍ଟୋବର, ୨୦୨୬ ରୁ ଆରମ୍ଭ) ରେ ଚାଷୀଙ୍କଠାରୁ ଆଖୁ କ୍ରୟ ପାଇଁ ପ୍ରଯୁଜ୍ୟ ହେବ। ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷିଭିତ୍ତିକ କ୍ଷେତ୍ର । ଏହା ଉପରେ ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରବର୍ଗ ସହିତ ଚିନି କଳରେ କାର୍ଯ୍ୟରତ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରମିକ ନିର୍ଭରଶୀଳ। ଏହାବ୍ୟତୀତ କୃଷି ଶ୍ରମ ଓ ପରିବହନ ସମେତ ଆନୁସଙ୍ଗିକ କାର୍ଯ୍ୟକଳାପରେ ବହୁ ଲୋକଙ୍କ ଜୀବିକା ମଧ୍ୟ ଏହି କ୍ଷେତ୍ର ସହ ଜଡ଼ିତ ।
ପୃଷ୍ଠଭୂମି
ସୂଚନାଯୋଗ୍ୟ, କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗ (ସିଏସିପି) ର ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ତଥା ଅନ୍ୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପରେ ଏଫଆରପି ନିର୍ଦ୍ଧାରଣ କରାଯାଇଛି।
ପୂର୍ବ ଚିନି ଋତୁ ୨୦୨୪-୨୫ରେ, ୧,୦୨,୬୮୭ କୋଟି ଟଙ୍କା ଆଖୁ ବକେୟା ମଧ୍ୟରୁ ୨୦ ଏପ୍ରିଲ ୨୦୨୬ ସୁଦ୍ଧା ଚାଷୀମାନଙ୍କୁ ପ୍ରାୟ ୧,୦୨,୨୦୯ କୋଟି ଟଙ୍କା ଆଖୁ ବକେୟା ପରିଶୋଧ କରାଯାଇଛି । ସେହିପରି, ପ୍ରାୟ ୯୯.୫% ଆଖୁ ବକେୟା ପରିଶୋଧ କରାଯାଇଛି। ଚଳିତ ଚିନି ଋତୁ ୨୦୨୫-୨୬ରେ, ୧,୧୨,୭୪୦ କୋଟି ଟଙ୍କା ଆଖୁ ବକେୟା ମଧ୍ୟରୁ ୨୦ ଏପ୍ରିଲ ୨୦୨୬ ସୁଦ୍ଧା ଚାଷୀମାନଙ୍କୁ ପ୍ରାୟ ୯୯,୯୬୧ କୋଟି ଟଙ୍କା ଆଖୁ ବକେୟା ପରିଶୋଧ କରାଯାଇଛି; ଏହିପରି, ପ୍ରାୟ ୮୮.୬% ଆଖୁ ବକେୟା ପରିଶୋଧ କରାଯାଇଛି ।
******
PS
(ରିଲିଜ ଆଡି: 2258252)
ପରିଦର୍ଶକ କାଉଣ୍ଟର : 5