ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପ୍ରଦେଶର ବାରାଣସୀରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
28 APR 2026 7:34PM by PIB Bhubaneswar
ନମଃ ପାର୍ବତୀ ପତୟେ, ହର ହର ମହାଦେବ ।
ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଏହାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ସଂସଦରେ ମୋର ସହଯୋଗୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୀତିନ ନବୀନ , ଉତ୍ତର ପ୍ରଦେଶର ସାଂସଦ ଏବଂ ୟୁପି ବିଜେପି ସଭାପତି ଶ୍ରୀଯୁକ୍ତ ପଙ୍କଜ ଚୌଧୁରୀ , ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷା ଭଉଣୀ ପୁନମ ମୌର୍ଯ୍ୟ , ମଞ୍ଚରେ ଉପସ୍ଥିତ କାଶୀର ମହିଳା ପରିଷଦର ଏବଂ ଗ୍ରାମମୁଖ୍ୟମାନେ, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମୋର ମା, ଭଉଣୀ ଏବଂ ଝିଅମାନେ। ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା।
ବନ୍ଧୁଗଣ,
ଆମର କାଶୀ ହେଉଛି ମାତା ଶୃଙ୍ଗାର ଗୌରୀ, ମାତା ଅନ୍ନପୂର୍ଣ୍ଣା, ମାତା ବିଶାଳାକ୍ଷୀ, ମାତା ସଂକଠା ଏବଂ ମାତା ଗଙ୍ଗା ଭଳି ଦିବ୍ୟ ଶକ୍ତିର ଭୂମି। ଏହି ପରିପ୍ରେକ୍ଷୀରେ, ଆପଣ ସମସ୍ତ ଭଉଣୀ ଏବଂ ଝିଅମାନଙ୍କର ଏହି ସମାବେଶ ଏହି ଅବସରକୁ ପ୍ରକୃତରେ ଦିବ୍ୟ କରିଛି। ମୁଁ , ଏହି କାଶୀ ଭୂମିରେ, ସମସ୍ତ ମାତା , ଭଉଣୀ ଏବଂ ଝିଅମାନଙ୍କୁ ପ୍ରଣାମ କରୁଛି !
ବନ୍ଧୁଗଣ,
ଆଜିର ଏହି ଅବସର ପ୍ରକୃତରେ ମହିଳା ଶକ୍ତିକୁ ସମ୍ମାନ ଏବଂ ବିକାଶ କରିବାର ଏକ ଉତ୍ସବ, ଏବଂ କିଛି ସମୟ ପୂର୍ବରୁ ଏଠାରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଥିଲା। ଏଥିରେ କାଶୀରେ ସମସ୍ତ ପ୍ରକାରର ବିକାଶ ସହିତ ଜଡିତ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହା ସହିତ, କାଶୀ ଏବଂ ଅଯୋଧ୍ୟା ମଧ୍ୟରେ ସଂଯୋଗକୁ ବୃଦ୍ଧି କରିବା ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି। କିଛି ସମୟ ପୂର୍ବରୁ, ଦୁଇଟି ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। କାଶୀରୁ ପୁଣେ ଏବଂ ଅଯୋଧ୍ୟାରୁ ମୁମ୍ବାଇ, ଏହି ଦୁଇଟି ଅମୃତ ଭାରତ ଟ୍ରେନ ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ମଧ୍ୟରେ ସଂଯୋଗକୁ ଆହୁରି ଉନ୍ନତ କରିବ। ଏବେ, ମୁମ୍ବାଇ ଏବଂ ପୁଣେର ଲୋକଙ୍କ ପାଖରେ, ସମଗ୍ର ମହାରାଷ୍ଟ୍ର ସହିତ, ଅଯୋଧ୍ୟା ଧାମ ଏବଂ କାଶୀ ବିଶ୍ୱନାଥ ଧାମରେ ପହଞ୍ଚିବା ପାଇଁ ଆଉ ଏକ ଆଧୁନିକ ବିକଳ୍ପ ଅଛି। ମୁଁ ଏହି ଶୁଭାରମ୍ଭ ପାଇଁ ମୋର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଭାରତକୁ ବିକଶିତ କରିବାର ମିଶନ ନିରନ୍ତର ଜାରି ରହିଛି ଏବଂ ଯେତେବେଳେ ମୁଁ ଏକ ବିକଶିତ ଭାରତ ବିଷୟରେ କହୁଛି, ଏହାର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ହେଉଛି ଭାରତର ମହିଳା ଶକ୍ତି। ଆଜି ଏହି କାର୍ଯ୍ୟକ୍ରମରେ, ମୁଁ ଏକ ମହାନ ଯଜ୍ଞର ଆରମ୍ଭ ପାଇଁ ଆପଣମାନଙ୍କ ସମସ୍ତ ଭଉଣୀ ଏବଂ ଝିଅଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି। କାଶୀର ସାଂସଦ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ,ଏକ ବଡ଼ ଜାତୀୟ ଲକ୍ଷ୍ୟ ହାସଲ ପାଇଁ ମୋତେ ଆପଣଙ୍କ ଆଶୀର୍ବାଦ ଆବଶ୍ୟକ ଏବଂ ସେହି ବଡ଼ ଲକ୍ଷ୍ୟଟି ହେଉଛି -ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା। କିଛି ଦିନ ପୂର୍ବରୁ, ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଭଳି ଦଳ ଯୋଗୁଁ, ସଂସଦରେ ଆମର ପ୍ରୟାସ ସଫଳ ହୋଇନଥିଲା। କିନ୍ତୁ ମୁଁ ପୁଣି ଥରେ ଆପଣ ସମସ୍ତ ଭଉଣୀମାନଙ୍କୁ ଆଶ୍ୱାସନା ଦେଉଛି, ଆପଣଙ୍କ ସଂରକ୍ଷଣ ଅଧିକାର କାର୍ଯ୍ୟକାରୀ ହେବା ପାଇଁ ମୁଁ କୌଣସି ପ୍ରୟାସ ଛାଡ଼ିବି ନାହିଁ।
ବନ୍ଧୁଗଣ,
ଯେତେବେଳେ ଘରେ ଜଣେ ମହିଳା ସଶକ୍ତ ହୁଏ ସେତେବେଳେ ସମଗ୍ର ପରିବାରକୁ ଶକ୍ତି ମିଳିଥାଏ ଏହା ଦ୍ୱାରା , ସମାଜ ଏବଂ ଦେଶ ମଧ୍ୟ ସଶକ୍ତ ହୋଇଥାଏ । ଅତୀତରେ, ଭଉଣୀ ଏବଂ ଝିଅମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। କାଶୀର ତୁମେ ଭଉଣୀମାନେ ମଧ୍ୟ ଅନେକ ଅସୁବିଧା ଦେଖିଛ ଏବଂ ଅଗଣିତ ସମସ୍ୟାର ସମ୍ମୁଖୀନ ହୋଇଛ। ଝିଅମାନଙ୍କୁ ପ୍ରାୟତଃ ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଥିଲା: ଯେପରି -"ଏହା କରି ତୁମେ କ'ଣ କରିବ? ତୁମକୁ ଏହା କାହିଁକି ଦରକାର? ତୁମେ କ'ଣ କରିବ, ତୁମର କ'ଣ ଆବଶ୍ୟକତା ଅଛି, ଚୁପ୍ ରୁହ, ଏହି କାମ ତୁମ ଦ୍ୱାରା ହୋଇପାରିବ ନାହିଁ।" ଅନେକ ଥର ପ୍ରଶ୍ନ ପଚରାଯାଉନଥିଲା, ସିଧାସଳଖ ନିର୍ଦ୍ଦେଶ ଦିଆଯାଉଥିଲା - କୁହାଯାଉଥିଲା ଏହା ତୁମର କାମ ନୁହେଁ ।
ବନ୍ଧୁଗଣ,
କେବଳ କାଶୀର ଭଉଣୀମାନେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇନାହାଁନ୍ତି; ଦେଶର ଅଧିକାଂଶ ଭଉଣୀ ଏବଂ ଝିଅମାନେ ଏହିପରି ଅନୁଭବ କରୁଥିଲେ, ଏବଂ ଏହାକୁ ସାଧାରଣ ଭାବେ ମଧ୍ୟ ଗ୍ରହଣ କରାଯାଉଥିଲା। ତେଣୁ, ଯେତେବେଳେ ମୁଁ ୨୫ ବର୍ଷ ପୂର୍ବେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲି, ମୁଁ ପ୍ରଥମେ ଏପରି ରୀତିବାଦୀ ଧାରଣା ଭାଙ୍ଗିବାକୁ ଚେଷ୍ଟା କରିଥିଲି। ସେହି ସମୟ ମଧ୍ୟରେ, ଝିଅମାନଙ୍କ ପାଇଁ ଉତ୍ସର୍ଗୀକୃତ ଦୁଇଟି ପ୍ରମୁଖ ଯୋଜନା ଆରମ୍ଭ ହୋଇଥିଲା। ଗୋଟିଏ ଥିଲା ବିଦ୍ୟାଳୟ ପ୍ରବେଶୋତ୍ସବ, ଯେଉଁଥିରେ ଝିଅମାନଙ୍କୁ ସ୍କୁଲରେ ନାମ ଲେଖାଯାଇଥିଲା, ଯାହା ଦ୍ୱାରା ଅଧିକ ଝିଅ ସ୍କୁଲରେ ପଢ଼ିବେ ଏବଂ ସେପରି ଅଧାରୁ ପାଠ ଛାଡ଼ିବେ ନାହିଁ । ଦ୍ୱିତୀୟଟି ଥିଲା ମୁଖ୍ୟମନ୍ତ୍ରୀଙ୍କ କେଳୱାନି ନିଧି ଯୋଜନା , ଯାହା ଦ୍ୱାରା ଝିଅମାନଙ୍କୁ ସେମାନଙ୍କର ସ୍କୁଲ ଫିସ୍ ଦେବାରେ ସାହାଯ୍ୟ କରିବା ।
ବନ୍ଧୁଗଣ,
ସେବେଠାରୁ ଆଜି ପର୍ଯ୍ୟନ୍ତ, ଆମ ସରକାରଙ୍କ ନୀତିଗୁଡ଼ିକ ମହିଳା କଲ୍ୟାଣକୁ ପ୍ରାଥମିକତା ଦେଇଆସିଛି। ୨୦୧୪ ରେ, ଯେତେବେଳେ ଆପଣମାନେ ଆମକୁ ସେବା କରିବାର ସୁଯୋଗ ଦେଇଥିଲେ, ସାରା ଦେଶରେ୧୨୦ ନିୟୁତରୁ ଅଧିକ ଶୌଚାଳୟ ଏବଂ ଇଜ୍ଜତ ଘର (ସମ୍ମାନର ଘର) ନିର୍ମାଣ କରାଯାଇଥିଲା। ୩୦୦ ନିୟୁତରୁ ଅଧିକ ମହିଳାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା। ୨.୫ କୋଟିରୁ ଅଧିକ ଘରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଥିଲା। ୧୨୦ ନିୟୁତରୁ ଅଧିକ ଘରକୁ ଟ୍ୟାପ୍ ଯୋଗେ ପାଣି ଯୋଗାଇ ଦିଆଯାଇଥିଲା। ଅଅର୍ଥାତ୍, ଅନେକ ବଡ଼ ଯୋଜନାର କେନ୍ଦ୍ରରେ ଭଉଣୀ ଏବଂ ଝିଅମାନଙ୍କୁ ରଖାଯାଇଥିଲା।
ବନ୍ଧୁଗଣ,
ଦୁଇ ବର୍ଷ ପୂର୍ବେ, ବାରାଣସୀରେ ସୁକନ୍ୟା ସମୃଦ୍ଧି ଯୋଜନା ସହିତ ଜଡିତ ଏକ ବିଶାଳ ଅଭିଯାନ ଆରମ୍ଭ କରାଯାଇଥିଲା। ସେହି ସମୟରେ, ଗୋଟିଏ ମାସରେ କାଶୀରେ ୨୭,୦୦୦ ଝିଅଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଥିଲା ଏବଂ ପ୍ରତ୍ୟେକ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତିନି ଶହ ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ଝିଅମାନଙ୍କ ଶିକ୍ଷା ଏବଂ ଉତ୍ତମ ଭବିଷ୍ୟତରେ ସୁକନ୍ୟା ସମୃଦ୍ଧି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ଯୋଜନା ସେମାନଙ୍କର ଶିକ୍ଷାକୁ ସୁଦୃଢ଼ କରିଛି, ଏବଂ ମୁଦ୍ରା ଯୋଜନା ସେମାନଙ୍କର ରୋଜଗାର କ୍ଷମତାକୁ ସୁନିଶ୍ଚିତ କରିଛି। ଏହି ସମୟରେ, ମାତୃ ବନ୍ଦନ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ଆମର ଭଉଣୀ ଏବଂ ଝିଅମାନଙ୍କ ପାଇଁ ଚିକିତ୍ସା ସେବା ଯୋଗାଉଛି।
ବନ୍ଧୁଗଣ,
ଶିକ୍ଷା, ଆୟ ଏବଂ ଔଷଧ ସହିତ ପ୍ରଥମ ଥର ପାଇଁ ଲକ୍ଷ ଲକ୍ଷ ଭଉଣୀଙ୍କ ନାମରେ ସମ୍ପତ୍ତି ପଞ୍ଜୀକୃତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଅଧିକାଂଶ ଘର ମଧ୍ୟ ଭଉଣୀମାନଙ୍କ ନାମରେ ଅଛି। ଆଜି ଆମର ମା' ଏବଂ ଭଉଣୀମାନେ ପ୍ରକୃତରେ ନିଜ ଘରର ମାଲିକ ହୋଇଯାଇଛନ୍ତି।
ବନ୍ଧୁଗଣ,
ଆମର ସରକାର ଆମର ଭଉଣୀମାନଙ୍କ ସୁବିଧା ଏବଂ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି। ଏହି ଦୁଇଟି ଜିନିଷ ସଶକ୍ତିକରଣର ମୂଳଦୁଆକୁ ମଜବୁତ କରେ। ଆପଣମାନେ ଆଜି ନିଜେ ଦେଖୁଛନ୍ତି ଯେ ଉତ୍ତର ପ୍ରଦେଶରେ ପରିସ୍ଥିତି କିପରି ପରିବର୍ତ୍ତନ ହୋଇଛି। କିଛି ବର୍ଷ ପୂର୍ବେ, ଯେତେବେଳେ ସମାଜବାଦୀ ପାର୍ଟି କ୍ଷମତାରେ ଥିଲା, ଝିଅମାନଙ୍କ ପାଇଁ ଘରୁ ବାହାରକୁ ପାଦ ଦେବା ମଧ୍ୟ କଷ୍ଟକର ଥିଲା। କିନ୍ତୁ ବର୍ତ୍ତମାନ, ବିଜେପି ସରକାର ଅଧୀନରେ, ଝିଅମାନଙ୍କ ବିରୁଦ୍ଧରେ ଯିଏ ଖରାପ ଭାବନା ରଖିବେ, ସେ ତାହାର ପରିଣାମ କଣ ହେବ ଭଲଭାବେ ଜାଣିଛନ୍ତି।
ବନ୍ଧୁଗଣ,
ଭାରତୀୟ ନ୍ୟାୟ ସଂହିତା ମଧ୍ୟ ଭଉଣୀ ଏବଂ ଝିଅମାନଙ୍କୁ ସୁରକ୍ଷା ପ୍ରତି ଏକ ନୂତନ ପ୍ରତିଶ୍ରୁତି ଦେଇଛି। ଏହା ଅଧୀନରେ, ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧର ତୁରନ୍ତ ନିଷ୍ପତ୍ତି ଗ୍ରହଣ କରାଯାଉଛି। ସେହିପରି, ମହିଳା ପୋଲିସ ଷ୍ଟେସନ ଏବଂ ପରାମର୍ଶ କେନ୍ଦ୍ରର ନେଟୱାର୍କ ମଧ୍ୟ ସ୍ଥିର ଭାବରେ ବିସ୍ତାର ହେଉଛି। ଆଜି, ଏଠାରେ ଏକ ମହିଳା ପୋଲିସ ପୋଷ୍ଟ ଏବଂ ପରାମର୍ଶ କେନ୍ଦ୍ର ନିର୍ମାଣ ଉପରେ କାମ ଆରମ୍ଭ ହୋଇଛି। ଏପରି ପଦକ୍ଷେପ ଝିଅମାନଙ୍କ ସୁରକ୍ଷାକୁ ଆହୁରି ସୁନିଶ୍ଚିତ କରେ।
ବନ୍ଧୁଗଣ,
ଯେତେବେଳେ ମହିଳାମାନଙ୍କର ଆର୍ଥିକ ଶକ୍ତି ବୃଦ୍ଧି ପାଏ, ଘରେ ସେମାନଙ୍କର ସ୍ୱର ମଧ୍ୟ ଶକ୍ତିଶାଳୀ ହୁଏ। ତେଣୁ, ସୁବିଧା ଏବଂ ସୁରକ୍ଷାର ନିଶ୍ଚିତତା ପ୍ରଦାନ କରିବା ସହିତ, ଆମେ ମହିଳାମାନଙ୍କର ଆର୍ଥିକ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛୁ। ଗତ ୧୧ ବର୍ଷ ମଧ୍ୟରେ, ଦେଶର ପ୍ରାୟ ୧୦ କୋଟି ଭଉଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ହୋଇଛନ୍ତି। କାଶୀରେ ମଧ୍ୟ ପ୍ରାୟ ୧.୨୫ ଲକ୍ଷ ଭଉଣୀ ଏପରି ଗୋଷ୍ଠୀ ସହିତ ଯୋଡ଼ି ହୋଇଛନ୍ତି। ଏହି ଗୋଷ୍ଠୀଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କା ସହାୟତା ମିଳୁଛି, ଯାହା ସେମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାରେ ସାହାଯ୍ୟ କରୁଛି । ଏହି ପ୍ରକାରର ପ୍ରୟାସ ଦ୍ୱାରା, ତିରିଶ ନିୟୁତ ମହିଳା ଲଖପତି ଦିଦି ହୋଇଛନ୍ତି, ଏବଂ ଏଥିରେ ବାରାଣସୀର ହଜାର ହଜାର ମହିଳା ମଧ୍ୟ ସାମିଲ ଅଛନ୍ତି।
ବନ୍ଧୁଗଣ,
ଲଖପତି ଦିଦି ଅଭିଯାନକୁ ତ୍ୱରାନ୍ୱିତ କରିବାରେ ଆମର ଦୁଗ୍ଧ କ୍ଷେତ୍ର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରେ। ବନାସକାଣ୍ଠା ଡାଏରୀ ଫାର୍ମ ସହିତ ଜଡିତ ଲକ୍ଷ ଲକ୍ଷ ଭଉଣୀ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି। ଆଜି, ଏହି ଭଉଣୀମାନଙ୍କୁ ୧୦୬ କୋଟି ଟଙ୍କାର ସିଧାସଳଖ ବୋନସ୍ ମିଳିଛି। ମୁଁ ଏହି ସମସ୍ତ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ କାଶୀରେ ଦୁଗ୍ଧ କ୍ଷେତ୍ର ସହିତ ଜଡିତ ମହିଳାମାନଙ୍କୁ କହିବାକୁ ଚାହୁଁଛି: ଏହା କେବଳ ଆରମ୍ଭ ମାତ୍ର । ବନାରସ ବୃଦ୍ଧି ପାଇବ, ବନାସକାଣ୍ଠା ଡାଏରୀ ବୃଦ୍ଧି ପାଇବ ଏବଂ ଏହି ବୋନସ୍ ମଧ୍ୟ ଆହୁରି ବୃଦ୍ଧି ପାଇବ।
ବନ୍ଧୁଗଣ,
ବିଜେପି-ଏନଡିଏ ସରକାର ଆମର ଭଉଣୀମାନଙ୍କୁ ସଶକ୍ତ କରୁଛି ଏବଂ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଚାଲିଥିବା ଅଭିଯାନର ନେତୃତ୍ୱ ନେଉଛି। ହଜାର ହଜାର ବ୍ୟାଙ୍କ ସଖୀ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ବୀମା ସହିତ ଜଡିତ କାର୍ଯ୍ୟରେ, "ବୀମା ସଖୀ" ନେତୃତ୍ୱ ନେଉଛନ୍ତି। କୃଷି ସଖୀ ପ୍ରାକୃତିକ କୃଷିକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। କୃଷିରେ ଆସୁଥିବା ଡ୍ରୋନ୍ ବିପ୍ଳବରେ, ଆମର "ନମୋ ଡ୍ରୋନ୍ ଦିଦି" ନେତୃତ୍ୱ ନେଉଛନ୍ତି। ଗତ ଦଶନ୍ଧିରେ, ସେନା, ନୌସେନା ଏବଂ ବାୟୁସେନାରେ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ, ମହିଳାମାନଙ୍କ ପାଇଁ ସୈନିକ ସ୍କୁଲ ଏବଂ ପ୍ରତିରକ୍ଷା ଏକାଡେମୀର ଦ୍ୱାର ଖୋଲାଯାଇଛି। ଏହାର ଅର୍ଥ ହେଉଛି ବିଜେପି-ଏନଡିଏ ସରକାର ମହିଳା ସଶକ୍ତିକରଣ, ମହିଳାମାନଙ୍କ ଉନ୍ନତି ଏବଂ ସେମାନଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରୟାସ କରୁଛନ୍ତି ।
ବନ୍ଧୁଗଣ,
ଆଜି, ଭାରତର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଏପରି ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି। ସ୍ୱାଭାବିକ ଭାବରେ, ରାଷ୍ଟ୍ରର ଭବିଷ୍ୟତ ସହିତ ଜଡିତ ନୀତି ନିର୍ଦ୍ଧାରଣ ଏବଂ ନିଷ୍ପତ୍ତିରେ ସେମାନଙ୍କର ଭୂମିକା ବୃଦ୍ଧି ପାଇବା ଆବଶ୍ୟକ। ଦେଶକୁ ଏହାର ଆବଶ୍ୟକତା ଅଛି। ଏହାକୁ ହାସଲ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ନୂତନ ସଂସଦ ଗଠନରେ ମହିଳାମାନଙ୍କ ଅଂଶଗ୍ରହଣର ଧାରଣା ଏକ ପ୍ରମୁଖ କାରଣ ଥିଲା। ଯେତେବେଳେ ନୂତନ ସଂସଦ ଗଠନ ହୋଇଥିଲା, ଆମେ ପ୍ରଥମେ ମହିଳାମାନଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରିଥିଲୁ। ଏହି ଅଧିକାର ୪୦ ବର୍ଷ ଧରି ମିଳିପାରୁ ନଥିଲା । ତେଣୁ, ଆମେ ୨୦୨୩ ରେ ସଂସଦରେ ନାରୀ ଶକ୍ତି ବନ୍ଦନା ଆଇନ ପାସ୍ କରିଥିଲୁ।
ବନ୍ଧୁଗଣ,
ଏକ ଆଇନ ପ୍ରଣୟନ ହେବା ପରେ, ଏହାକୁ କାର୍ଯ୍ୟକାରୀ କରାଯିବା ନିହାତି ଆବଶ୍ୟକ। ବର୍ତ୍ତମାନ, ଏହି ଆଇନକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ।ତେଣୁ, ଗତ କିଛି ଦିନ ତଳେ ସଂସଦରେ ଏହା ବିଷୟରେ ଆଲୋଚନା ହୋଇଥିଲା। ଆମେ ସାମ୍ବିଧାନିକ ସଂଶୋଧନ ପାଇଁ ଏକ ଆଇନ ଆଣିଥିଲୁ। ଏହି ସଂଶୋଧନ ଏପରି ଥିଲା ଯେ ଏହା ପରେ, ଅଧିକ ଭଉଣୀ ବିଧାନସଭା ଏବଂ ସଂସଦରେ ପହଞ୍ଚିବେ।
ବନ୍ଧୁଗଣ,
କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଭଳି ଦଳଗୁଡ଼ିକ ପୁଣି ଥରେ ଆମ ଦେଶର ମହିଳାମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଏହି ଦଳଗୁଡ଼ିକ ୪୦ ବର୍ଷ ଧରି ମହିଳା ସଂରକ୍ଷଣ ଉପରେ ରୋକ ଲଗାଇଥିଲେ। ଏବେ, ସମାଜବାଦୀ ପାର୍ଟି ପୁଣି ଥରେ ନାଲି ପତାକା ଦେଖାଇଛି ।
ବନ୍ଧୁଗଣ,
ପ୍ରପ୍ରକୃତ କଥା ହେଉଛି ଏହି ସମସ୍ତ ପରିବାରଭିତ୍ତିକ ଏବଂ ତୁଷ୍ଟୀକରଣ-ଚାଳିତ ଦଳଗୁଡ଼ିକ ମହିଳା ଶକ୍ତିକୁ ଭୟ କରନ୍ତି, ଆପଣ ସମସ୍ତଙ୍କୁ ଭୟ କରନ୍ତି । ଏହି ପରିବାରଭିତ୍ତିକ ଦଳଗୁଡ଼ିକ ଦେଶର ଝିଅ, ଯେଉଁମାନେ କଲେଜ କ୍ୟାମ୍ପସରୁ ପଞ୍ଚାୟତ ଏବଂ ସ୍ଥାନୀୟ ସଂସ୍ଥା ପର୍ଯ୍ୟନ୍ତ ନିଜସ୍ୱ ନେତୃତ୍ୱ ନେଉଛନ୍ତି, ସେମାନଙ୍କୁ ବିଧାନସଭା ଏବଂ ସଂସଦରେ ପ୍ରବେଶ କରିବାକୁ ଦେବାକୁ ଚାହାଁନ୍ତି ନାହିଁ। ସେମାନେ ଜାଣନ୍ତି, ଯଦି ଏହିପରି ଝିଅମାନେ ଆଗକୁ ବଢ଼ିବେ, ତେବେ ସେମାନଙ୍କର ନିୟନ୍ତ୍ରଣ ସମାପ୍ତ ହେବ ଏବଂ ସେମାନଙ୍କର ସତ୍ତା ଉପରେ ପ୍ରଶ୍ନ ଉଠିବ। ସେଥିପାଇଁ ଏହି ପରିବାରଭିତ୍ତିକ ଦଳଗୁଡ଼ିକ ସଂସଦରେ ପ୍ରତିବାଦର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି।
ବନ୍ଧୁଗଣ,
ମୁଁ ସନ୍ତୁଷ୍ଟ ଯେ ଦେଶର ଭଉଣୀ ଏବଂ ଝିଅମାନେ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟକୁ ଚିହ୍ନି ପାରିଛନ୍ତି। ଆପଣ ଦେଖନ୍ତୁ, ଆସାମ, କେରଳ, ପୁଡୁଚେରୀ, ବଙ୍ଗଳା ଏବଂ ତାମିଲନାଡୁରେ ଭଉଣୀମାନେ ରେକର୍ଡ ସଂଖ୍ୟକ ଭୋଟ ଦେଇଛନ୍ତି। ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ଦଳଗୁଡ଼ିକ ଜାଣିନାହାଁନ୍ତି ଯେ ଭଉଣୀମାନଙ୍କର ଏହି ଭୋଟ ଏହି ମହିଳା ବିରୋଧୀ ଦଳଗୁଡ଼ିକୁ ଦଣ୍ଡ ଦେବା ପାଇଁ ଉଦ୍ଦିଷ୍ଟ।
ବନ୍ଧୁଗଣ,
ବିଜେପି-ଏନଡିଏ ସରକାରଙ୍କ କେବଳ ଗୋଟିଏ ମନ୍ତ୍ର ଅଛି: ‘ନାଗରିକ ଦେଵୋ ଭବ’। ଦେଶର ନାଗରିକଙ୍କ ଶିକ୍ଷା, ଆୟ, ଔଷଧ, ଜଳସେଚନ ଏବଂ ଶ୍ରବଣଶକ୍ତି ଆମର ପ୍ରାଥମିକତା। ଏହି ଭାବନା ସହିତ, ଆଜି କାଶୀର ବିକାଶକୁ ବିସ୍ତାର କରାଯାଇଛି। ଗଙ୍ଗା ଉପରେ ସିଗନେଚର ସେତୁ ନିର୍ମାଣ ପୂର୍ବାଞ୍ଚଳର ସଂଯୋଗୀକରଣକୁ ଆହୁରି ମଜବୁତ କରିବ।
ବନ୍ଧୁଗଣ,
ଗତ ଦଶନ୍ଧି ମଧ୍ୟରେ, କାଶୀ ଉତ୍ତର ଏବଂ ପୂର୍ବ ଭାରତରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ଉଭା ହୋଇଛି। ପାଞ୍ଚ ଶହ ଶଯ୍ୟା ବିଶିଷ୍ଟ ମଲ୍ଟି-ସୁପର-ସ୍ପେଶାଲିଟି ହସ୍ପିଟାଲ କାଶୀର ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଆହୁରି ମଜବୁତ କରିବ। ଏହା ବ୍ୟତୀତ ଶହେ ଶଯ୍ୟା ବିଶିଷ୍ଟ ଏକ କ୍ରିଟିକାଲ୍ କେୟାର ବ୍ଲକ୍ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି। ଯାହା କାଶୀର ଗୁରୁତ୍ୱର ରୋଗୀମାନଙ୍କ ଚିକିତ୍ସା ପାଇଁ ସୁବିଧା ଦେବ।
ବନ୍ଧୁଗଣ,
ଗଙ୍ଗାର ସ୍ୱଚ୍ଛତା ହେଉ, ଘାଟଗୁଡ଼ିକର ବିକାଶ ହେଉ, ସରକାରୀ ସମ୍ବନ୍ଧୀୟ କୋଠା ନିର୍ମାଣ ହେଉ, ହରହୁଆ ଏବଂ ଭବାନୀପୁରରେ କୃଷକମାନଙ୍କ ପାଇଁ ସଂରକ୍ଷଣ ସୁବିଧା ହେଉ, ବୃଦ୍ଧାଶ୍ରମ ଏବଂ ମହିଳା ଛାତ୍ରାବାସ, ଏସବୁ କାଶୀର ସମ୍ବେଦନଶୀଳ ବିକାଶର ପ୍ରମାଣ। ବାରାଣସୀର ଲୋକମାନେ ଏହି କାର୍ଯ୍ୟଗୁଡ଼ିକରୁ ସର୍ବାଧିକ ଲାଭ ପାଉଛନ୍ତି।
ବନ୍ଧୁଗଣ,
କାଶୀର ଐତିହ୍ୟକୁ ସୁଦୃଢ଼ କରିବା ପାଇଁ ଏକ ଅଭିଯାନ ମଧ୍ୟ ଜାରି ରହିଛି। ସନ୍ଥ କବୀର ସ୍ଥଳର ବିକାଶ ଏବଂ ନାଗୱାରେ ସନ୍ଥ ରବିଦାସ ପାର୍କର ନବୀକରଣ ଏହି ଅଭିଯାନର ଏକ ଅଂଶ।
ବନ୍ଧୁଗଣ,
ଆମର କାଶୀ ଅନନ୍ତ ; ଏହା ଏକ ଏପରି ସହର ଯାହା ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି, ବିକାଶର ଏହି ଅଭିଯାନ ମଧ୍ୟ ନିରନ୍ତର ଆଗକୁ ବଢ଼ୁଛି। ମହିଳା ଶକ୍ତିକୁ ସମ୍ମାନ ଜଣାଇ, ପୁଣି ଥରେ ଆମକୁ ଆଶୀର୍ବାଦ ଦେବା ପାଇଁ ମୁଁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି ଏବଂ ବିକାଶ କାର୍ଯ୍ୟଗୁଡିକ ପାଇଁ ଶୁଭକାମନା ଜଣାଉଛି। ମୋ ସହିତ କୁହନ୍ତୁ-
ଭାରତ ମାତା କି ଜୟ।
ଭାରତ ମାତା କି ଜୟ।
ଭାରତ ମାତା କି ଜୟ।
ବନ୍ଦେ ମାତରମ୍। ବନ୍ଦେ ମାତରମ୍। ବନ୍ଦେ ମାତରମ୍।
ହର ହର ମହାଦେବ।
*****
SPD
(ରିଲିଜ ଆଡି: 2256492)
ପରିଦର୍ଶକ କାଉଣ୍ଟର : 4