ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୋରିଆ ଯୁକ୍ତରାଜ୍ୟର ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 APR 2026 6:54PM by PIB Bhubaneswar

ମହାମହିମ ରାଷ୍ଟ୍ରପତି ଲୀ,

ଉଭୟ ଦେଶର ପ୍ରତିନିଧିଗଣ,

ଗଣମାଧ୍ୟମର ବନ୍ଧୁଗଣ,

 

ନମସ୍କାର!

 

ରାଷ୍ଟ୍ରପତି ଲୀଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି। ରାଷ୍ଟ୍ରପତି ଲୀଙ୍କ ଜୀବନ ସଂଘର୍ଷ, ସେବା ଓ ସମର୍ପଣର ଏକ ପ୍ରେରଣାଦାୟୀ ଉଦାହରଣ। ପ୍ରତ୍ୟେକ ଆହ୍ୱାନ ତାଙ୍କ ମନରେ ଜନସେବା ପ୍ରତି ସଂକଳ୍ପକୁ ଆହୁରି ସୁଦୃଢ କରିଛି। ଯଦିଓ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ, କିନ୍ତୁ ଭାରତ ପ୍ରତି ତାଙ୍କର ଗଭୀର ଆତ୍ମୀୟତା ଆମର ପ୍ରଥମ ସାକ୍ଷାତରୁ ହିଁ ସ୍ପଷ୍ଟ ହୋଇଛି। 

 

ବନ୍ଧୁଗଣ,

 

ଆଠ ବର୍ଷ ପରେ କୋରିଆ ରାଷ୍ଟ୍ରପତିଙ୍କ ଏହି ଭାରତ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଣତାନ୍ତ୍ରିକ ମୂଲ୍ୟବୋଧ, ବଜାର ଅର୍ଥନୀତି ଓ ଆଇନର ଶାସନ ପ୍ରତି ସମ୍ମାନ, ଏସବୁ ଆମ ଉଭୟ ଦେଶର ଡିଏନଏରେ ରହିଛି। ଆମର ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସମ୍ପର୍କରେ ଏକ ସାଧାରଣ ଦୃଷ୍ଟିକୋଣ ରହିଛି। ଏହି ସମସ୍ତ ଆଧାରରେ, ଗତ ଦଶକ ମଧ୍ୟରେ ଆମର ସମ୍ପର୍କ ଅଧିକ ଗତିଶୀଳ ଓ ବ୍ୟାପକ ହୋଇପାରିଛି।

 

ଆଜି, ରାଷ୍ଟ୍ରପତି ଲୀଙ୍କ ଏହି ଗସ୍ତ ମାଧ୍ୟମରେ, ଆମେ ଏହି ବିଶ୍ୱସନୀୟ ସହଭାଗୀତାକୁ ଏକ ଭବିଷ୍ୟତମୁଖୀ ସହଭାଗୀତାରେ ପରିଣତ କରିବାକୁ ଯାଉଛୁ। ଚିପ୍ସ ଠାରୁ ଶିପ୍ସ ପର୍ଯ୍ୟନ୍ତ, ପ୍ରତିଭା ଠାରୁ ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ଠାରୁ ଶକ୍ତି ପର୍ଯ୍ୟନ୍ତ- ଆମେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ନୂତନ ସୁଯୋଗକୁ ସାକାର କରିବୁ। ଏକାଠି ହୋଇ ଆମେ ଆମର ଉଭୟ ଦେଶର ପ୍ରଗତି ଓ ସମୃଦ୍ଧି ସୁନିଶ୍ଚିତ କରିବୁ।

 

ବନ୍ଧୁଗଣ,

 

ଭାରତ ଏବଂ କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆଜି ୨୭ ବିଲିୟନ ଡଲାରରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଏହି ସଂଖ୍ୟାକୁ ୫୦ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ, ଆମେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।

 

ଉଭୟ ଦେଶ ମଧ୍ୟରେ ଆର୍ଥିକ ପ୍ରବାହକୁ ସୁଗମ କରିବା ପାଇଁ, ଆମେ ଭାରତ-କୋରିଆ ଆର୍ଥିକ ଫୋରମ୍ ଆରମ୍ଭ କରିଛୁ। ବ୍ୟବସାୟିକ ସହଯୋଗକୁ ସୁଦୃଢ଼ କରିବା ପାଇଁ, ଆମେ ଏକ ଶିଳ୍ପ ସହଯୋଗ କମିଟି ମଧ୍ୟ ଗଠନ କରିଛୁ। ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳରେ ସହଯୋଗ ବୃଦ୍ଧି କରିବା ପାଇଁ, ଆମେ ଏକ ଅର୍ଥନୈତିକ ସୁରକ୍ଷା ଆଲୋଚନା ଆରମ୍ଭ କରୁଛୁ।

 

ଭାରତରେ କୋରିଆର କମ୍ପାନୀଗୁଡ଼ିକ, ବିଶେଷକରି ଅଣୁ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରବେଶକୁ ସୁଗମ କରିବା ପାଇଁ, ଆମେ ଏକ କୋରିଆନ୍ ଶିଳ୍ପ ନଗରୀ ମଧ୍ୟ ସ୍ଥାପନ କରିବୁ। ଏହା ବ୍ୟତୀତ, ଆଗାମୀ ଗୋଟିଏ ବର୍ଷ ମଧ୍ୟରେ, ଆମେ ଭାରତ-କୋରିଆ ବାଣିଜ୍ୟ ଚୁକ୍ତିନାମାକୁ ଅପଗ୍ରେଡ୍ କରିବୁ।

 

ବନ୍ଧୁଗଣ,

 

ଆଜି, ଆମେ ଆଗାମୀ ଦଶକର ସଫଳତା କାହାଣୀ ପାଇଁ ମୂଳଦୁଆ ସ୍ଥାପନ କରୁଛୁ। ଏଆଇ, ସେମିକଣ୍ଡକ୍ଟର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସହଭାଗୀତାକୁ ଆହୁରି ସୁଦୃଢ କରିବା ପାଇଁ, ଆମେ ଭାରତ-କୋରିଆ ଡିଜିଟାଲ୍ ସେତୁ ଆରମ୍ଭ କରୁଛୁ। ଆମେ ଜାହାଜ ନିର୍ମାଣ, ସ୍ଥାୟୀତ୍ୱ, ଇସ୍ପାତ ଓ ବନ୍ଦର ଭଳି କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରୁଛୁ।

 

ସଂସ୍କୃତି ଏବଂ ସୃଜନଶୀଳ ଶିଳ୍ପରେ ପାରସ୍ପରିକ ସହଯୋଗ ମାଧ୍ୟମରେ, ଆମେ ଚଳଚ୍ଚିତ୍ର, ଆନିମେସନ୍ ଏବଂ ଗେମିଂ କ୍ଷେତ୍ରରେ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରିବୁ। ଆଜିର ବ୍ୟବସାୟ ଫୋରମ୍ ଏହି ସୁଯୋଗଗୁଡ଼ିକୁ ସୁଦୃଢ ଫଳାଫଳରେ ପରିଣତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। 

 

ବନ୍ଧୁଗଣ,

 

ଭାରତ ଓ କୋରିଆ ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ସମ୍ପର୍କ ବଜାୟ ରଖିଛନ୍ତି। ଅଯୋଧ୍ୟାର ରାଜକୁମାରୀ ସୁରୀରତ୍ନା ଏବଂ କୋରିଆର ରାଜା କିମ୍ ସୁରୋଙ୍କ କାହାଣୀ, ଯାହା ୨,୦୦୦ ବର୍ଷ ପୁରୁଣା, ଆମର ସାଧାରଣ ଐତିହ୍ୟର ଅଂଶବିଶେଷ।

 

ଆଜି, ଭାରତରେ କେ-ପପ୍ ଏବଂ କେ-ନାଟକ ଅତ୍ୟନ୍ତ ଲୋକପ୍ରିୟ ହେଉଛି। ସେହିପରି, କୋରିଆରେ ମଧ୍ୟ ଭାରତୀୟ ସିନେମା ଏବଂ ସଂସ୍କୃତି ପ୍ରତି ଆଦର ବୃଦ୍ଧି ପାଉଛି। ଆମେ ବହୁତ ଖୁସି ଅନୁଭବ କରୁଛୁ ଯେ, ରାଷ୍ଟ୍ରପତି ଲୀ ନିଜେ ଭାରତୀୟ ସିନେମାର ଜଣେ ଉଚ୍ଚ ପ୍ରଶଂସକ। ଏହି ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ, ଆମେ ୨୦୨୮ ମସିହାରେ ଏକ ଭାରତ-କୋରିଆ ବନ୍ଧୁତା ମହୋତ୍ସବ ଆୟୋଜନ କରିବୁ।

 

ଏହା ସହିତ, ପାରସ୍ପରିକ ଜନସମ୍ପର୍କକୁ ସୁଦୃଢ଼ କରିବା ପାଇଁ, ଆମେ ଶିକ୍ଷା, ଗବେଷଣା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସହଯୋଗକୁ ପ୍ରୋତ୍ସାହିତ କରିବୁ। 

 

ବନ୍ଧୁଗଣ,

 

ବର୍ତ୍ତମାନ ଉତ୍ତେଜନାପ୍ରବଣ ସମୟ ଦେଇ ଗତି କରୁଥିବା ବିଶ୍ୱରେ, ଭାରତ ଓ କୋରିଆ ମିଳିତ ଭାବରେ ଶାନ୍ତି ଏବଂ ସ୍ଥିରତାର ବାର୍ତ୍ତା ପ୍ରଦାନ କରୁଛନ୍ତି। ଆମେ ବହୁତ ଖୁସି ଯେ, ଆଜି କୋରିଆ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପରେ ଯୋଗଦାନ କରୁଛି। ଆମର ସାମୁହିକ ପ୍ରୟାସ ମାଧ୍ୟମରେ, ଆମେ ଏକ ଶାନ୍ତିପୂର୍ଣ୍ଣ, ପ୍ରଗତିଶୀଳ ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗର ଦିଗରେ ଅବଦାନ ଜାରି ରଖିବୁ।

 

ଆମେ ଏଥିରେ ମଧ୍ୟ ସହମତ ଯେ, ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ଅତ୍ୟାବଶ୍ୟକ।

 

ମହାମହିମ,

 

ପ୍ରାୟ ୧୦୦ ବର୍ଷ ପୂର୍ବେ, ଭାରତର ମହାନ କବି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, କୋରିଆକୁ "ପୂର୍ବର ପ୍ରଦୀପ" ଭାବରେ ବର୍ଣ୍ଣନା କରିଥିଲେ। ଆଜି, ଯେତେବେଳେ ଆମେ '୨୦୪୭ ସୁଦ୍ଧା ବିକଶିତ ଭାରତ' ପାଇଁ ଆମର ସଂକଳ୍ପକୁ ସାକାର କରିବାକୁ ଚେଷ୍ଟା କରୁଛୁ, କୋରିଆ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଠିଆ ହୋଇଛି।

 

ଆସନ୍ତୁ, ଆମର ସହଭାଗୀତା ମାଧ୍ୟମରେ, ଆମ ଉଭୟ ରାଷ୍ଟ୍ରର, ଏବଂ ସମଗ୍ର ବିଶ୍ୱର ପ୍ରଗତି ଓ ସମୃଦ୍ଧିର ପଥ ପ୍ରଶସ୍ତ କରିବା।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

ଖମସା ହାମ୍ନିଦା

*****

MT


(ରିଲିଜ ଆଡି: 2253980) ପରିଦର୍ଶକ କାଉଣ୍ଟର : 7